Unknown

 

 

 

 

 

 

 

 

 

 

 

ମୁଁ ଏକ ଅନେକ

ଶ୍ରୀ ରାମଚନ୍ଦ୍ର ମହାନ୍ତି

 

 

 

 

 

 

 

 

 

 

 

 

ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କବି, ଗବେଷକ ଡକ୍ଟର ସୀତାକାନ୍ତ ମହାପାତ୍ରଙ୍କ କରକମଳରେ ଉତ୍ସର୍ଗୀକୃତ ।

 

ଏ ସଂକଳନ ସମ୍ପର୍କରେ

 

‘ମୁଁ ଏକ ଅନେକ’ ମୋର ଦ୍ୱିତୀୟ ସଂକଳନ ! ଏ ସଂକଳନ ସମ୍ବନ୍ଧରେ ମୋର କିଛି କହିବାକୁ ନାହିଁ, ସଫେଇ ଦେବା ପ୍ରଶ୍ନ ତ ଉଠୁନି । ‘ମୁଁ ଏକ ଅନେକ’ ନାମ ବହନ କରି ଏ ସଂକଳନରେ କୌଣସି ଗଳ୍ପ ନାହିଁ । କିନ୍ତୁ ‘ମୁଁ’ ବୋଲି ଯେଉଁ ଚରିତ୍ର ସବୁ ଗଳ୍ପମାନଙ୍କରେ ଅବତୀର୍ଣ୍ଣ ହୋଇଛନ୍ତି ସେ ‘ମୁଁ’ ଗାଳ୍ପିକ ନୁହେଁ, ଗଳ୍ପର ଚରିତ୍ର ସବୁ । ସେମାନେ ସେମାନଙ୍କ କଥା ସେମାନଙ୍କ ଢଙ୍ଗରେ କହିଛନ୍ତି ।

 

ଏଇ ଗଳ୍ପ ସଂକଳନର ପ୍ରଚ୍ଛଦରେ ଶିଳ୍ପୀବନ୍ଧୁ ଶ୍ରୀଯୁକ୍ତ ବିନୋଦ ମହାରଣାଙ୍କ ତୂଳୀ ଲାଗିଛି, ସମ୍ମାନାସ୍ପଦ ଶ୍ରୀଯୁକ୍ତ ବିନୋଦ ଚନ୍ଦ୍ର ମେହେରଙ୍କର ଏ ସଂକଳନ ପାଇଁ ପ୍ରେରଣା ଓ ଆଶୀର୍ବାଦ ରହିଛି, ଓଡ଼ିଶା ବୁକ୍ ଷ୍ଟୋରର କର୍ତ୍ତା ଶ୍ରୀଯୁକ୍ତ ଗୋବିନ୍ଦ ଚରଣ ପାତ୍ର ମୋର ପ୍ରଥମ ଗଳ୍ପ ସଂକଳନ ଅନ୍ଧପୁଟୁଳି ପରେ ଏହାର ପ୍ରକାଶନ ଭାର ମଧ୍ୟ ନେଇଛନ୍ତି–ଏ ସମସ୍ତଙ୍କୁ ମୋର ଗଭୀର କୃତଜ୍ଞତା ଜ୍ଞାପନ କରୁଛି ।

 

ଅର୍ଥ ବିଭାଗ

ଜୟ ଜଗନ୍ନାଥ

ରାଜ୍ୟ ସଚିବାଳୟ

ରାମଚନ୍ଦ୍ର ମହାନ୍ତି

ଭୁବନେଶ୍ଵର–୧

 

Image

 

ସୂଚୀପତ୍ର

 

୧.

ଲାଳସାବର୍ତ୍ତ

୨.

ମାନସ ମନ୍ଥନ

୩.

ପତାକା ଉତ୍ତୋଳନ

୪.

ପରିଗ୍ରାହକ

୫.

ରାଧି

୬.

ରୁବି

୭.

ସେମାନେ ଯା’ ଚାହିଁ ନଥିଲେ

୮.

ଲିଙ୍ଗରାଜ ଷଣ୍ଢ, ବିଷ୍ଣୁଦାସ ଓ କୁମ୍ଭୀପାକ ନର୍କକଥା

୯.

ଉବୁଟୁବୁ ହେଉଥିବା ମଣିଷଟିଏ

୧୦.

ବାଲି ତଳର ଢେଉ

Image

 

ଲାଳସାବର୍ତ୍ତ

 

ସେଦିନ ସାଥୀମାନଙ୍କ ସହ ମିଶି ଭୋଳାନାଥଙ୍କ ପ୍ରସାଦରୁ ଦି’ଢୋକ ପିଇ ଘରକୁ ଝୁମି ଝୁମି ଚାଲି ଆସିଲି । ମୋ’ ମଫସଲୀ ସ୍ତ୍ରୀ ଏ କଥା ଜାଣି ପାରିଲାନି ବୋଧହୁଏ । ସ୍ଵାମୀ ସୋହାଗିନୀ ଅଖିଆ ଅପିଆ ମୋ’ ଆସିବା ବାଟକୁ ଚାହିଁ ରହିଥିଲା; କିନ୍ତୁ ମୁଁ ଘରେ ପହଞ୍ଚି ଯେତେବେଳେ ମୋ’ ଖାଦ୍ୟ ଓ ତା’ ଖାଦ୍ୟତକ ଶେଷକରି ଖାଲି ଥାଳୀରେ ହାତ ବୁଲେଇ ତା’ ଆଡ଼କୁ ଚାହିଁଲି ସେତେବେଳେ ସେ ବୋକୀଟା ପରି ଖାଲି ମୋରିଆଡ଼େ ଚାହିଁ ରହିଲା ଗୋଟିଏ କଣ୍ଢେଇର ସ୍ଥିର ଆଖି ପରି ନିଜ ଆଖିକୁ ସ୍ଥିର, ନିଶ୍ଚଳ କରି । କାଳେ କ’ଣ ଅଘଟଣ ଘଟେଇବି ସେଇ ଭୟରେ ସେ ତା’ର ମଫସଲୀ ବୁଦ୍ଧିରେ କିଛି ନକହି ମୋତେ ବିଛଣାରେ ଶୁଆଇ ପକାଇ ଖାଲି ପେଟରେ ରାତିଟା କଟେଇ ଦେଲା । ସକାଳୁ ମୋର ସ୍ଵାଭାବିକ ଅବସ୍ଥାକୁ ଲକ୍ଷ୍ୟ କରି ସେ, ମୋତେ ପଚାରିଲା–କାଲି ରାତିରେ ତମେ କ’ଣ କିଛି ନିଶା ଖାଇଥିଲ କି ?

 

ତାକୁ କିଛି ଉତ୍ତର ନ ଦେଇ ମୋ’ ମନକୁ ଉତ୍ତର ଦେଇଥିଲି–ଯଦି ଗୋଟିଏ ସହରୀ ଝିଅ ମନେକର ପେଟେଣ୍ଟ ମେଡ଼ିସିନ୍‌ର ନାୟିକା ସୁଲୋଚନାଙ୍କ ଭଳି ସ୍ତ୍ରୀଟିଏ ପାଇଥାନ୍ତି ତା’ହେଲେ ଗତରାତିରେ ହିଁ ଖଜୁରୀପତ୍ର ଝାଡ଼ୁ ନ ହେଲେ ଫୁଲଝାଡ଼ୁ କବଳରୁ ନିଜକୁ ରକ୍ଷା କରିପାରି ନଥାନ୍ତି ନିଶ୍ଚୟ ।

 

ମୁଁ ଯେ ଆଗରୁ କେବେ ନିଶା ଖାଇ ନଥିଲି ତା’ ନୁହେଁ; ଅକାଳେ ସକାଳେ ଥରେ ଅଧେ ଭାଙ୍ଗ ଖାଇଛି । ମୋର ଠିକ୍ ମନେଅଛି ଯେତେବେଳେ ୧୫।୧୬ ବର୍ଷର ହୋଇଥିଲି ସେତେବେଳେ ପଣାସଂକ୍ରାନ୍ତି ଦିନ ପଣାରେ ଭାଙ୍ଗ ମିଶାଇ ପିଇଥିଲି ଓ ଦର୍ପଣରେ ଦେଖିଲି ମୋର ଆଖି ଦୁଇଟା ନୀଳ ଆକାର ଦୁଇଟି ତାରାପରି ଜଳୁଥିଲା ଓ ଲିଭୁଥିଲା । କେତେ ଭାତ ସେ ଦିନ ଖାଇଥିଲି ସେ କଥା ମୋର ଏବେ ମନେ ନାହିଁ ସତ; କିନ୍ତୁ ସେଦିନ ବୋଉ ମୋ’ ଗାଲରେ ଯେଉଁ ଖୁନ୍ଦାଟା ଦେଇଥିଲା ସେ’ଟା ଏଯାଏ ଠିକ୍ ମନେ ଅଛି । ଆଉ ମନେଅଛି ରାଜାଭାଇ ଭାଙ୍ଗ ଖାଇ ତାଙ୍କ ବାପାଙ୍କ ଗୋଡ଼କୁ ଧରିପକାଇ କେମିତି ପାଟି କରିଥିଲେ–ଧାଇଁଆସ ହୋ ଧାଇଁଆସ ଗୋଟିଏ ବଡ଼ ମାଛ ଧରିଛି । ପାଟିକରି ସେ ଦାଦାଙ୍କ ଗୋଡ଼କୁ ଏମିତି ଉଠା, ପକା, ମୋଡ଼ା ଆରମ୍ଭ କରିଦେଲେ ଯେ ସେଦିନ ଯଦି କେହି ତାଙ୍କୁ ଜାବୁଡ଼ି ଧରି ନଥାନ୍ତେ ତା’ହେଲେ ଦାଦା ଯେ ତାଙ୍କ ଗୁଣବନ୍ତ ପୁଅଙ୍କ ପାଇଁ ଛୋଟା ହୋଇ ରହିଯାଇଥାନ୍ତେ ଆଜି ପର୍ଯ୍ୟନ୍ତ ଏଥିରେ ସନ୍ଦେହ ନାହିଁ । ନିଶା ଅନୁଭୂତି ଭିତରେ ଆହୁରି ବି ମନେଅଛି ନିଶା ଖାଇ ଥରେ ରାହାସ ପଚରିଥିଲା–ଗୁରୁବାରଟା କି ବାର କି ? ଥରେ ବାବାଜି ମାମୁଁ ପଚାରିଥିଲେ–ମୋ’ ବାପାଙ୍କୁ–ଆଚ୍ଛା ଭାଇ, ଆମ ସାହିର ଯୋଉ ଗୁରି ପରିଡ଼ା ସେ ଜେନା ନା ପରିଡ଼ା ? ଏମିତି ଅନେକ ଘଟଣା ଘଟି ଯାଇଛି ଯାହା ପୋଥିପତ୍ର କି ମୋ’ ଡାଇରୀରେ ଲେଖା ନହୋଇ ଥିଲେ ବି ମୋ’ ମନରେ ଲେଖି ହୋଇ ରହିଯାଇଛି ସବୁଦିନକୁ । ଏମିତି ଅପଦସ୍ତ ହେଲାଭଳି ଅନେକ ଘଟଣା ଘଟିଯାଇଥିବା ସତ୍ତ୍ୱେ ସାଙ୍ଗ ସୁଖରେ ଯେ ଦିନେ ଅଧେ ଭାଙ୍ଗ ଗଞ୍ଜେଇ ନ ଖାଇଛି ତା’ ନୁହେଁ ।

 

କିନ୍ତୁ ସେଦିନ ଥିଲା ଅଲଗା କଥା । ଦଶହରା । ଦୁର୍ଗାଙ୍କୁ କିଏ କେତେ ପ୍ରକାର ଭୋଗ ଲଗାଉଛନ୍ତି । ରଘୁବାବୁ କିନ୍ତୁ ତାଙ୍କ ଦୁର୍ଗାଙ୍କ ଫଟୋ ପାଖରେ କେଉଁ ଶାସ୍ତ୍ର ନିୟମ ପ୍ରକାରେ କେଜାଣି ମଦରୁ ବୋତଲଟିଏ ଭୋଗ ଲଗାଇଦେଲେ ଓ ତାକୁ ଦେବୀ ପ୍ରସାଦ ବୋଲି ଘୃଣା ନକରି ଅନ୍ତତଃ କପ୍‌ଟିଏ ପିଇବାକୁ ବାଧ୍ୟ କରାଇଥିଲେ । ତାଙ୍କ ମତରେ ସେ ମଦ ପ୍ରସାଦ ହେଲେ ବି ମୁଁ ମନା କରୁଥିବା ଦେଖି ଯେତେବେଳେ କେତେଜଣ ମୋ’ ପୌରୁଷତ୍ଵକୁ ଧିକ୍‌କାର କରିବାକୁ ଆରମ୍ଭ କରିଦେଲେ ଓ ରଘୁବାବୁ ମୋତେ ନାସ୍ତିକ ରୂପ ଦେବାକୁ ବସିଲେ ସେତେବେଳେ ଅନିଚ୍ଛାସତ୍ତ୍ୱେ ସେଇ ଦୁର୍ଗାଙ୍କ ଆଡ଼େ ଚାହିଁ ଆଖିବୁଜି ପିତା ଔଷଧ ଢୋକିବା ପରି ଏକାଥରେ ଢୋକି ଦେଇଥିଲି ଓ ତା’ ସଙ୍ଗେ ସଙ୍ଗେ ଦୁଇ ତିନିଟା ଭଜା ମହାନଦୀ ଚିଙ୍ଗୁଡ଼ି ଚୋବାଇ ପକାଇଥିଲି ମହିଷାସୁରର ବାପ ଗୋସେଇଁ ବାପ ମଣିଷ ଚୋବେଇବା ପରି । କିନ୍ତୁ ସେଦିନ ମୋ’ ସାଥୀ ଶରତ୍ ହଠାତ୍ ଆସି ମୋର ଅବସ୍ଥା ଦେଖି ଆଶର୍ଯ୍ୟ ହୋଇଥିଲା ଓ କହିଲା–ରାମରେ ତୁ ଆଜି ପଶୁ ହୋଇଗଲୁ ।

 

ପଶୁ...ପଶୁ... । ପଶୁ ଶବ୍ଦଟା ବାରମ୍ବାର ମୋ’ କାନରେ ବାଜି ମୁଣ୍ଡ ଭିତରୁ ମଦ ନିଶାଟା ହୁଏତ ଅଧଇଞ୍ଚେ ଘୁଞ୍ଚି ଯାଇଥିଲା ଓ ମୁଁ ସର୍ବାଙ୍ଗ ଅଣ୍ଡାଳିବାରେ ଲାଗିଲି । କାହିଁ ତା’ହେଲେ ମୋ’ ଲାଞ୍ଜ, କାହିଁ ମୋ’ ଶିଙ୍ଗ, କାହିଁ ମୋ’ ଚାରିଟା ଗୋଡ଼ ? ହାତଗୋଡ଼କୁ ମିଶାଇ ଚାରି କରି ଭାବିଲି ସତରେ ମୁଁ ଗୋଟିଏ ଲାଞ୍ଜ ବିହୀନ, ଶିଙ୍ଗ ବିହୀନ ଚରିଗୋଡ଼ିଆ ପଶୁ । କାରଣ ସେ ଅବସ୍ଥାରେ ମୋର ପଶୁଙ୍କ ପରି ଖାଇବାର ଲିମିଟ୍ ନଥିଲା । ମୁଁ ପଶୁ ନୁହେଁ ତ ଆଉ କ’ଣ ? ମଦ ପିଇଲେ ମଣିଷ ସତରେ ପଶୁ ହୋଇଯାଏ ଏ କଥା ସେଇଦିନ ମୁଁ ଠିକ୍ ବୁଝିପାରିଥିଲି ଓ ଶରତକୁ ଗୁରୁମାନିନେଇ ଦୁର୍ଗାଙ୍କ ଆଡ଼େ ହାତଯୋଡ଼ି ପଚାରିଥିଲି–ମହାମାୟା ମହିଷମର୍ଦ୍ଧିନୀ । ସତରେ ତୁ କ’ଣ ଦେଶୀମଦ ପିଇ ପଶୁ ହୋଇ ମହିଷାସୁରକୁ ମରିଥିଲୁ ? ନା ରଘୁବାବୁ ତୋ’ ନାଆଁରେ ମଦ ପିଇ ସେ ନିଜେ ପଶୁ ହୋଇଗଲେ ଓ ମୋତେ ବି ପଶୁ କରିଦେଲେ ।

 

ତା’ ପରଦିନ ସକାଳୁ ମୋର ନିଶା ଛାଡ଼ିଯାଇଥିଲା । ରଘୁବାବୁ ମୋ’ ଉଠିବାର ଅନେକ ସମୟ ପରେ ବିଛଣା ଛାଡ଼ିଲେ ଅଳସ ଭାଙ୍ଗି ଭାଙ୍ଗି । ତାଙ୍କୁ ଅନେକ ପ୍ରଶ୍ନ ପଚାରିବାକୁ ଇଚ୍ଛା ହେଉଥିଲା ସେତେବେଳେ । କିନ୍ତୁ ଯେତେବେଳେ ଶୁଣିଲି କାଲି ରାତିସାରା ରଘୁବାବୁ ଦୁର୍ଗାଙ୍କ ଫଟୋଆଡ଼େ ଚାହିଁ କାନ୍ଦିଛନ୍ତି, ହସିଛନ୍ତି, ଯୋଗସାଧନ କରିଛନ୍ତି, ସେତେବେଳେ କୌଣସି ଖାମ୍‌ଖିଆଲି ପ୍ରଶ୍ନ ପଚାରି ତାଙ୍କୁ ଚିଡ଼ାଇବାକୁ ବା ଦୁଃଖିତ କରିବାକୁ ମୋ’ ବିବେକ ବାଧା ଦେଲା । ଅତ୍ୟଧିକ ଖାଇଦେଲେ କେମିତି ହାକୁଟିରେ ପେଟର ଜିନିଷ ପାଟିକୁ ଚାଲିଆସେ ମୋ’ ଅବସ୍ଥା ସେଇଆ ହେଲା; ଏତେଗୁଡ଼ିଏ ପ୍ରଶ୍ନ ରଘୁବାବୁଙ୍କୁ ନ ପଚାରି ନିଜର ପେଟରେ ରଖିବା ଦ୍ଵାରା । ସେମିତି ଜଣେ ସାଧକଙ୍କୁ କ’ଣ ବା ପଚରା ଯାଇପାରେ ? ଖାଲି ପଚାରିଲି–ରଘୁବାବୁ, ଯଦି କିଛି ମନେ ନ କରନ୍ତି ତା’ହେଲେ ଗୋଟିଏ ପ୍ରଶ୍ନ ପଚାରନ୍ତି ।

 

ରଘୁବାବୁ ଯେ ଯୋଗାଭ୍ୟାସ କରୁଥିଲେ ଓ ସେହିବଳରେ ଅନେକ ଆଗତ ଭବିଷ୍ୟତ କଥା କରିପାରୁଥିଲେ ସେ କଥା ମୁଁ ଜାଣିଛି । ସେ ମୋର ଏ ପ୍ରକାର ପ୍ରଶ୍ନରେ କୌଣସି ପ୍ରତିକ୍ରିୟା ପ୍ରକାଶ ନ କରି ସହଜ ସରଳ ହସ ଫୁଟାଇ ତାଙ୍କ ନାକର ଦୁଇପୁଡ଼ାରେ ହାତଦେଇ ନିଶ୍ୱାସର ଗତି ଦେଖୁଥିଲେ । ତାଙ୍କ ଡାହାଣ ନାକପୁଡ଼ାରେ ନିଃଶ୍ୱାସ ଗଲାବେଳେ ସେ କେବଳ କୌଣସି ପ୍ରଶ୍ନର ଉତ୍ତର ଦିଅନ୍ତି ମାହେନ୍ଦ୍ରବେଳା ଭାବି । ଏଣୁ ସେ ତାଙ୍କ ନିଃଶ୍ୱାସ ଗତି ଦେଖି କହିଲେ–ଯାହା ପଚାରିବେ ପଚାରନ୍ତୁ ଠିକ୍ ବେଳାଏ । ତା’ସହିତ ଏହା ମଧ୍ୟ କହିଲେ–ଦେଖନ୍ତୁ, ପ୍ରଶ୍ନର ଉତ୍ତର ଠିକ୍ ହେବ ଯଦି ଆପଣଙ୍କୁ ମୁଁ ଯାହା ପଚାରିବି ଆପଣ କିଛି ଚିନ୍ତା ନକରି ସଙ୍ଗେ ସଙ୍ଗେ ଉତ୍ତର ଦେବେ; ଅର୍ଥାତ୍ ଫୁଲ ନାଆଁ ପଚାରୁ ପଚାରୁ ଗୋଟିଏ ଫୁଲର ନାଆଁ, ଠାକୁରଙ୍କ ନାଆଁ ପଚାରୁ ପଚାରୁ ଗୋଟିଏ ଠାକୁରଙ୍କ ନାଆଁ...ଇତ୍ୟାଦି ଇତ୍ୟାଦି ।

 

ମୁଁ କହିଲି–ଦେଖନ୍ତୁ ରଘୁବାବୁ ! ମୁଁ ମୋ’ ନିଜ କଥା କିଛି ପଚାରୁ ନାହିଁ । ମୋ’ ପ୍ରଶ୍ନଟା ଆପଣଙ୍କୁ ନେଇ ଆପଣଙ୍କ ତତ୍ତ୍ଵ ଦର୍ଶନକୁ ନେଇ ।

 

ମୋ’ଠାରୁ ଏମିତି ଏକ ତତ୍ତ୍ଵଦର୍ଶନ ସମ୍ବଳିତ ପ୍ରଶ୍ନ ସେ ଶୁଣିବେ ବୋଲି କେବେ ଆଶା କରିନଥିଲେ, କାରଣ ସେ ଜାଣିଥିଲେ କେବଳ ମୁଁ ନୁହେଁ ତାଙ୍କୁ ଯିଏ ପ୍ରଶ୍ନ କରନ୍ତି ତାହା ପ୍ରଶ୍ନକର୍ତ୍ତାର ଶୁଭାଶୁଭ ବା ସିଦ୍ଧି ଲାଭ ନେଇ–ଏଣୁ ଆନନ୍ଦିତ ହୋଇ ପଚାରିଲେ–ତତ୍ତ୍ଵ କଥା, ଦର୍ଶନ କଥା, ତା’ହେଲେ ପଚାରନ୍ତୁ ।

 

ଆପଣ କାଲି ରାତ୍ରିରେ ଦୁର୍ଗାଙ୍କ ପାଖରେ ଯେଉଁ ଦେଶୀ ମଦ ଭୋଗ ଲଗାଇଥିଲେ ସେଇ ମଦ–ଭୋଗ ଲଗାଇବା ମୂଳରେ କି ତତ୍ତ୍ଵ, କି ଦର୍ଶନ ଅଛି ?

 

ସେ କହିଲେ–ମଦର ଦୁଇଟି ଗୁଣ ଅଛି–ସେ ଗୁଣ ପ୍ରକାଶ ପାଏ ବ୍ୟକ୍ତି ଚରିତ୍ରକୁ ନେଇ-। ମଦ ପିଇ ମାତାଲ୍ ହୋଇ ଲୋକେ ଅନେକ ଅଘଟଣ ଘଟାଇ ଦିଅନ୍ତି–ସେଇଥିପାଇଁ ମଦ୍ୟପମାନଙ୍କର ନିନ୍ଦା ଆଜି ଶୁଣିବାକୁ ମିଳୁଛି । କିନ୍ତୁ ଆପଣ କହିପାରିବେ–ଆଗକାଳର ମୁନିଋଷିଗଣ ଯେଉଁ ସୋମରସ ପାନ କରୁଥିଲେ ତାହାର କୁପ୍ରଭାବ କୁପରିଣାମ କେବେ ତାଙ୍କ ପାଖରେ ଦେଖାଯାଇଥିଲା ?

 

କହିଲି–ନା ।

 

ସେ କହିଲେ–ତାଙ୍କର ଯା’ଥିଲା ସୋମରସ ସେ ଆଜି ଆମର ମଦ । ସେମାନେ କାହିଁକି ତାହା ପିଉଥିଲେ ଜାଣନ୍ତି ? ମଦର ଗୋଟିଏ ଗୁଣ ହେଲା ମଦ୍ୟପାନ କରିଥିବା ବ୍ୟକ୍ତିକୁ ଭୁଲ୍ ହେଉ ବା ଠିକ୍ ହେଉ ଗୋଟିଏ ନିର୍ଦ୍ଧିଷ୍ଟ ପଥରେ ନିର୍ଭୀକଭାବେ ଆଗେଇ ନେବା, ମଦ୍ୟପ ଯାହା ବୁଝିଥାଏ ତାହାହିଁ ତା’ର ଶେଷ ନିଷ୍ପତ୍ତି ଏବଂ ସେଇଥିରେ ହିଁ ସେ ଥାଏ ଅଟଳ । ମୁନିଋଷିମାନେ ତାଙ୍କ ଯୋଗରେ, ତାଙ୍କ ଧ୍ୟାନରେ, ତାଙ୍କ ଉପାସନାରେ ଏକାଗ୍ରତା ଆଣିବାପାଇଁ ହିଁ କେବଳ ମଦ୍ୟପାନ କରୁଥିଲେ ।

 

ଆଉ ଆପଣ ?

 

ମୁଁ ? ମୁଁ ସଂସାରର ସବୁ ମାୟା, ମୋହ, ଦୁଃଖ, ଜଞ୍ଜାଳ ଭୁଲିଯାଏ ମଦ୍ୟପାନ ପରେ । ଆଉ ଦୁର୍ଗାଙ୍କୁ ଏକାଗ୍ର ଚିତ୍ତରେ, ଏକନିଷ୍ଠଭାବେ ପୂଜା କରିବାର ଅଭିପ୍ରାୟରେ ମୁଁ ମଦ୍ୟପାନ କରେ-। କାଲି ସେଇ ପ୍ରସାଦରୁ ଆପଣଙ୍କୁ କିଛି ଦିଆଯାଇଥିଲା । ଆପଣ ସେଇ ଅତିମାନବୀୟ ସ୍ତରକୁ ଯାଇପାରିନାହାନ୍ତି ବୋଲି ମଦର ଯେଉଁ ଶକ୍ତିଟି ଆପଣଙ୍କୁ ଗ୍ରାସକଲା ମୋ’ କ୍ଷେତ୍ରରେ ସେଇ ଶକ୍ତିଟି ରାତିସାରା ମହାମାୟା ଜଗଦ୍ଧାତ୍ରୀ ମହିଷମର୍ଦ୍ଧିନୀ ଦୁର୍ଗାଙ୍କ ପୂଜାରେ ଏକାଗ୍ରତା ରକ୍ଷାକରିବାରେ ସାହାଯ୍ୟ କଲା । ସକାଳ ହେଲା ଯାହା ଟିକେ ବିଛଣା ଧରିଥିଲି ।

 

ଏ କଥା ଶୁଣି ମୁଁ ଯେତିକି ଆଶ୍ଚର୍ଯ୍ୟ ହୋଇଛି ତା’ଠୁଁ ଅଧିକ ଅନୁତାପ କରିଛି । ସତରେ ଏହା ଭିତରେ ଦର୍ଶନର ଏତେ ବଡ଼ ଝଲକ ଥାଇ ବି ତତ୍ତ୍ଵ ଦର୍ଶନ ଜ୍ଞାନ ରହିତ ମୁଁ ଅପଦାର୍ଥ ମଦପିଇ ନିଜକୁ ପଶୁ ବୋଲି ଭାବିବା ସଙ୍ଗେ ସଙ୍ଗେ ରଘୁବାବୁଙ୍କୁ ବି ସେଇଆ ଭାବିଥିଲି । ଅନୁଶୋଚନା ଆସିଲା ମନରେ । ଷ୍ଟେସନ ପାଖ ଘର ଲୋକେ ଗାଡ଼ି ଫେଲ୍ ହେଲାପରି ମୁଁ ରଘୁବାବୁଙ୍କ ଏତେ ନିକଟରେ ଥାଇ ବି ତାଙ୍କ ମହନୀୟ ଗୁଣକୁ ଏଯାଏ ଚିହ୍ନିପାରିଲି ନାହିଁ–ଏହା ହିଁ ମୋର ଦୁଃଖ ଆଉ ଅନୁଶୋଚନା ।

 

ରଘୁବାବୁଙ୍କୁ ଚିହ୍ନିବା ମୋର ଆଜିକାଲିକା କଥା ନୁହେଁ । ତାଙ୍କୁ ମୁଁ ଚୌଦବର୍ଷ ତଳୁ ଜାଣିଛି, ଆଜିଯାକେ ଯାହା ଜାଣେ–ଆଜି ସେ ଆଠତ୍ରିଶ ବର୍ଷର ଏକ ଷ୍ଟପେଜରେ । ଅବିରାମ ଚାଲିଛି ଏ ବୟସର ଗତି । କେଉଁ ଷ୍ଟେସନରେ ସେ ଅଟକିଯାଏନା–ଖାଲି କିଛି ସମୟ ରେଷ୍ଟ ନିଏ ଆର ଷ୍ଟେସନକୁ ଯିବା ପୂର୍ବରୁ । ଆସ୍ତିକ ଚାଲିଛି, ନାସ୍ତିକ ବି ଚାଲିଛି । କିନ୍ତୁ ଆସ୍ତିକ ଜୀବନର ଏଇ ଗତିର ଶେଷ ସେଇ ଷ୍ଟେସନରେ, ଯେଉଁ ଷ୍ଟେସନରେ ଜୀବାତ୍ମା ଲୀନ ହୋଇଯାଏ ପରମାତ୍ମା ଭିତରେ । ଜୀବାତ୍ମା ଓ ପରମାତ୍ମା ଏକ ଓ ଅଭିନ୍ନ ହୋଇଯାଏ । ରଘୁବାବୁଙ୍କ ଜୀବନର ଗତି ଏଇ ଷ୍ଟେସନକୁ ।

 

ରଘୁବାବୁ ଥିଲେ ଜଣେ ସାଧକ । କିନ୍ତୁ ତାଙ୍କର ଗୁରୁ କେହି ନଥିଲେ । ଗୁରୁ ନଥାନ୍ତୁ । ଏଇ ଗୁରୁ ପ୍ରସଙ୍ଗରେ ଥରେ ଉଦ୍ଧବଙ୍କୁ କୁହାଯାଇଥିଲା–“ମନ ତୋହର ନିଜଗୁରୁ, ଉଦ୍ଧବ କେତେ ହୋ ପଚାରୁ ?” ମନ ତ ରଘୁବାବୁଙ୍କ ଗୁରୁ ।

 

ରଘୁବାବୁ କହନ୍ତି–ସେ ଯୋଗ ସାଧନା କରିଥିଲେ–କିନ୍ତୁ ଗୁରୁକଳା ସେ ସାଧନା–ପ୍ରାଣାୟାମ ସାଧନା । ଇନ୍ଦ୍ରିୟମାନଙ୍କୁ ସେ ବଶ କରିଥିଲେ; ଇନ୍ଦ୍ରିୟମାନଙ୍କ ଦ୍ଵାରା ବଶୀଭୂତ ହୋଇନଥିଲେ । ପୁରାଣ କହେ ବହୁ ଅସୁର ଦେବତାମାନଙ୍କୁ ନିଜ ରାଜ୍ୟରେ ବାନ୍ଧି ନାନା କାର୍ଯ୍ୟରେ ନିୟୋଜିତ କରୁଥିଲେ; କିନ୍ତୁ ଦେବତାଠୁଁ ବଳବାନ, ସ୍ଵେଚ୍ଛାଚାରୀ ଏଇ ଇନ୍ଦ୍ରୀୟମାନଙ୍କୁ ଆୟତ୍ତ କରିବା ଅସୁରମାନଙ୍କ ପକ୍ଷରେ ମଧ୍ୟ ସମ୍ଭବ ନଥିଲା, ଏଇଟା ସମ୍ଭବ କେବଳ ରଘୁବାବୁଙ୍କ ପରି ସାଧକଙ୍କ ପାଖରେ । ସେଇ ସାଧନା ବଳରେ ସେ ସବୁ ଇନ୍ଦ୍ରିୟକୁ ଆୟତ୍ତ କରି ଯେଉଁ ପଦ୍ମାସନରେ ବସିଥିଲେ ପ୍ରାଣାୟାମ ବଳରେ, ସେଇ ଅବସ୍ଥାରେ ସେ ଉର୍ଦ୍ଧ୍ୱକୁ ଉଠିବାକୁ ଲାଗିଲେ–ଦେହ ଉଠିଲା ଶୂନ୍ୟକୁ–ସବୁ ମାୟା ରହିଗଲା ସେହି ଧରିତ୍ରୀର ପୃଷ୍ଠଦେଶରେ–ଅଟକାଇ ପାରିଲାନି ରଘୁବାବୁଙ୍କୁ । ରଘୁବାବୁ ଉଠିଲେ ଶୂନ୍ୟକୁ । ଦେବତାମାନେ ଶୁନ୍ୟରେ ବିଚରଣ କରୁଥିବା ମୋ’ପାଇଁ ଥିଲା ରୂପ କଥା–ପୁରାଣ କଥା; କିନ୍ତୁ ଆମରି ଭିତରେ ଚଳପ୍ରଚଳ କରୁଥିବା ସାଧାରଣ ସ୍ଥୂଳ ଦେହଧାରୀ ରଘୁବାବୁ ଶୂନ୍ୟକୁ ଉଠିବା ମୋତେ ଚକିତ କରିଥିଲା । ମନେହେଲା–ଯେଉଁ ମଣିଷ ସାଧନା ବଳରେ ଶୂନ୍ୟକୁ ଉଠିପାରେ–ସେ ମଣିଷ ଆଜି ଶୂନ୍ୟଯାନ ନିର୍ମାଣ କରି ଆକାଶ ପୃଷ୍ଠରେ ଉଡ଼ିବାର ବିଚିତ୍ରତା ବା କ’ଣ ଅଛି ?

 

ରଘୁବାବୁ ଯୋଗ ବଳରେ ଉପରକୁ ଉଠିଲେ ସତ କିନ୍ତୁ ରଘୁବାବୁଙ୍କ ସାଧନାରେ କେଉଁଠି ତ୍ରୁଟି-ବିଚ୍ୟୁତି ରହିଗଲା ବୋଧହୁଏ ଯାନର ଯାନ୍ତ୍ରିକ ତ୍ରୁଟିପରି; ଯାହାଫଳରେ ସେ ଖସିପଡ଼ିଲେ ତଳକୁ ଅସହାୟ ଭାବେ, ଆଉ ଯାହା ଜଣାଯାଏ ତାହା ହିଁ ହେଲା ତାଙ୍କ ଜୀବନର ଗତିପଥକୁ ଅନ୍ୟ ମୋଡ଼ଦେବା ଏବଂ ତାଙ୍କ କହିବାନୁସାରେ ସେ ଭବିଷ୍ୟତ ବାଣୀ ଶୁଣିଲେ ଓ ସେହି ବାଣୀ ହିଁ ତାଙ୍କୁ ଏଯାଏ ବଞ୍ଚାଇ ରଖିଛି । ସେଇ ଦିନରୁ ସେ ଗାଧାନ୍ତି ନାହିଁ କି ନାରୀ ମୁଖ ଦର୍ଶନ କରନ୍ତି ନାହିଁ ।

 

ଏଇ ସେ ଅଗାଧୁଆ ରଘୁବାବୁ ଯାହାଙ୍କୁ ମୁଁ ଦେଖି ଆସିଛି ବିଗତ ୧୪ ବର୍ଷ ହେଲା । ସେ ଗାଧାନ୍ତି ନାହିଁ ସତ; କିନ୍ତୁ ଅଶୌଚ, ଅପରିଷ୍କାର ବୋଲି କହିବାକୁ କେବେ ସାହସ ହୁଏ ନାହିଁ–କି ମୋର ବା ଆଉ କାହାର ମଧ୍ୟ । ଆମର ଏଇ ବାଚାଳ ମଣିଷ ଭାବେ–ବେପରୁଆ ପୁରୁଷ ମନକୁ ବାନ୍ଧି ରଖିବା ପାଇଁ ଏକ ନାରୀର ଆବଶ୍ୟକତା ସବୁବେଳେ ଅଛି । ନାରୀ ଯେମିତି ଏ ସଂସାର ନାବର ମଙ୍ଗଧରି ବସିଛି–ତା’ର ନିର୍ଦ୍ଦେଶିତ ପଥରେ ହିଁ ପୁରୁଷ ନାବଟି ଚାଲିବ ପଡ଼ି ଉଠି ଢେଉ କାଟି । ତେଣୁ ରଘୁବାବୁଙ୍କୁ ବାନ୍ଧିରଖିବାକୁ, ଛନ୍ଦି ଦେବାକୁ ତାଙ୍କ ଆତ୍ମୀୟ ସ୍ୱଜନ କମ୍ ଚେଷ୍ଟା କରିନାହାନ୍ତି; କିନ୍ତୁ ରଘୁବାବୁଙ୍କ କାନରେ ଏ କଥାର କୌଣସି ପ୍ରତିଧ୍ଵନି ବାଜି ନାହିଁ । ସବୁ ଇନ୍ଦ୍ରିୟକୁ ଆୟତ୍ତରେ ରଖି ଯିଏ ଶୂନ୍ୟ ବିହାରରେ ବାହାରିପାରୁଛନ୍ତି ସେ ଯେ ତାଙ୍କ କାନ ଓ ମନ ରୂପକ ଦୁଇଟି ଇନ୍ଦ୍ରିୟକୁ ଆୟତ୍ତ କରିନପାରି ନାରୀ ବିହାରରେ ବାହାରିବେ ଏ କଥା ଆଶା କରାଯାଇନପାରେ ।

 

ଏମିତି ଅନେକ ଦିନ ଚାଲିଗଲା । ସମୟ ସହିତ ମଣିଷର ବି ବିବର୍ତ୍ତନ ସଂଘଟିତ ହେଉଛି । ମଣିଷ ମାତ୍ରକେ ପେଟ ଅଛି; ଆଉ ପେଟ ପାଇଁ ବୃତ୍ତି ଅଛି । ସାଧନା ଦରକାର, ଯୋଗ ଦରକାର ଅତିମାନବ ସ୍ତରକୁ ଯିବାପାଇଁ ବୃତ୍ତି ଦରକାର ପେଟ ଚାଖଣ୍ଡକ ପାଇଁ । ରଘୁବାବୁ ପ୍ରଥମ ଚାକିରି କରିଥିଲେ ପ୍ରତିରକ୍ଷା ମନ୍ତ୍ରଣାଳୟରେ । ଯେଉଁ ବ୍ୟକ୍ତି ଦ୍ୱାରା ଇନ୍ଦ୍ରିୟ ହୁଏ ନିୟନ୍ତ୍ରଣାଧୀନ ସେ ବ୍ୟକ୍ତିକୁ ପ୍ରତିରକ୍ଷା ବିଭାଗ ତା’ ନିୟମ କାନୁନ୍ ଭିତରେ କିମିତି ବା କରିବ ନିୟନ୍ତ୍ରଣ । ଏଣୁ ସେ ଚାକିରି ଛାଡ଼ି ସାଧକ ରଘୁବାବୁ ବସିଲେ ଗୋଟିଏ କ୍ୟାବିନରେ ପାନ ଦୋକାନ କରି । ବିଚିତ୍ର ବ୍ୟାପାର । ପରସ୍ପର ବିରୋଧୀ । ଏକ ମନ ଏକ ଧ୍ୟାନରେ ସାଧନାରତ ମଣିଷ ସାଧକ ଆସନରୁ ଓହ୍ଲାଇ ଆସି ନିତିଦିନ ଶହ ଶହ ଗରାଖଙ୍କ ମନକୁ ଚାହିଁ ପାନ ଭାଙ୍ଗିବା ଆସନରେ କିମିତି ତିଷ୍ଠି ରହି ପାରିଲେ ତାହା ରହସ୍ୟମୟ ନୁହେଁ କି ?

 

ମନର କୌତୂହଳ ଦମନ କରିନପାରି ଥରେ ଯାଇ ରଘୁବାବୁଙ୍କୁ ତାଙ୍କ ଘରେ ଖୋଜିଲି-। ଉଦ୍ଦେଶ୍ୟ–ପାନଦୋକାନ କରିବା ଭିତରେ ବି ତତ୍ତ୍ୱ କି ଦର୍ଶନ ଅଛି ତାହା ଜାଣିବା-। ଜଣେ ସାଧକର କୌଣସି କାର୍ଯ୍ୟକୁ ଅନର୍ଥକ ଗୋଟାଏ ରୂପଦେବା ସ୍ୱାର୍ଥାନ୍ଵେଷୀ ଲୋକଙ୍କ ପକ୍ଷରେ ହୁଏତ ସ୍ୱାଭାବିକ କିନ୍ତୁ ମୁଁ ତ ତାହା କରିପାରିବି ନାହିଁ ।

 

ଶୁଣିଲି ରଘୁବାବୁ ଯାଇଛନ୍ତି ରବୀନ୍ଦ୍ର ମଣ୍ଡପ ପ୍ରଖ୍ୟାତ ନୃତ୍ୟଶିଳ୍ପୀ, ଚଳଚ୍ଚିତ୍ର ନାୟିକା ବୈଜୟନ୍ତୀମାଳାର ଡାନ୍‌ସ ଦେଖିବାକୁ । ଏ ଯେ ଏକ ନୂଆ ବୈଚିତ୍ର୍ୟ । ସାଧକ, ତତ୍ତ୍ୱଦର୍ଶୀ ଦର୍ଶନବିତ୍ ରଘୁବାବୁ ବୈଜୟନ୍ତୀମାଳା ଡାନ୍‌ସରୁ କେଉଁ ତତ୍ତ୍ୱ ବା କେଉଁ ଦର୍ଶନ ଆହରଣ କରିବେ-?

 

ସେ ସେଠାରୁ ଫେରିବା ପରେ ପଚାରିଲି–ରଘୁବାବୁ, ନାଚ କିମିତି ଲାଗିଲା ?

ଭାବିଥିଲି ସେ ତାଙ୍କ ବିରକ୍ତି ପ୍ରକାଶ କରି କହିବେ–ମଣିଷ ତା’ ଅବଚେତନ ମନରେ ଏମିତି ଥରେ ଥରେ ମାୟା ଆଡ଼କୁ ଟାଣି ହୋଇଯାଏ–ଦୁଃଖ, ଅସ୍ଥିରତାଆଡ଼କୁ ଟାଣି ହୋଇଯାଏ–କିନ୍ତୁ ନା...ରଘୁବାବୁ ହସି ହସି କହିଲେ–ଖୁବ୍ ଚମତ୍କାର ଲାଗିଲା । ଆହାଃ ବୈଜୟନ୍ତୀମାଳା–ତା’ ନାଚ, ତା’ ଠାଣି, ତା’ ରୂପ ବାସ୍ତବରେ ଅତୁଳନୀୟ । ପାଖରେ ଯଦି ଖାଲି ଗୋଟିଏ ବୋତଲ ଥାଆନ୍ତା ନା ତା’ହେଲେ ନୃତ୍ୟଟା ଆହୁରି ଉପଭୋଗ୍ୟ ହୋଇଥାନ୍ତା ।

ସାଧକ ଯେ ରୂପର ପୂଜାରୀ ନହେବ ସେକଥା ନୁହେଁ । କିନ୍ତୁ ସାଧକ ରୂପର ନିଆଁରେ ପତଙ୍ଗ ସାଜିବା ସ୍ୱାଭାବିକ ନୁହେଁ । ରଘୁବାବୁ କହିଥିଲେ ଏକାଗ୍ରତା ପାଇଁ ମଦ ଦରକାର–ଯେମିତି ଦୁର୍ଗା ପୂଜାରେ ଦରକାର ପଡ଼ିଥିଲା ତାଙ୍କର । କିନ୍ତୁ ବୈଜୟନ୍ତୀମାଳାର ନୃତ୍ୟ ମଦର ବା କି ଦରକାର ପଡ଼ିଲା ? ସେ କ’ଣ ତା’ର ନୃତ୍ୟର ଛନ୍ଦ ପାଇଁ ଏକାଗ୍ରତା ନା ତା’ ରୂପରେ ଝଲସି ଯିବାର ଏକାଗ୍ରତା ? କ’ଣ ପାଇଁ ସେ ମଦର ଆବଶ୍ୟକତା ଅନୁଭବ କଲେ ?

କିନ୍ତୁ ତାଙ୍କୁ ଭରସି କିଛି ପଚାରି ହେଲା ନାହିଁ । କିଏ କହିପାରେ କ’ଣ ସେ ମନେ କରିବେ ? ମୋ’ମନର କୌତୂହଳ କିନ୍ତୁ ରହିଛି ଅଦମନୀୟ । ଏହିପରି ଅବସ୍ଥାରେ ତା’ପରଦିନ ଦୈବାତ୍ ଘଟିଲା ଯେଉଁ ଏକ ଛୋଟିଆ ଘଟଣା ତହିଁରେ ଉନ୍ମୋଚିତ ହୋଇଗଲା ରହସ୍ୟର ସେଇ ପର୍ଦ୍ଦା–ଏବଂ ସେଥିରେ ବିସ୍ମୟ ଅପେକ୍ଷା ଦୁଃଖ ପାଇଲି ଅଧିକ ।

ପାନ ଦୋକାନ ଖୋଲିଲେ ପ୍ରଥମେ ଆରମ୍ଭ ହୋଇଯାଏ ଦୋକାନ ଝାଡ଼ିବା, ତା’ପରେ ମୁଣ୍ଡ ଉପରେ ଥିବା ଶ୍ରୀ ଦୁର୍ଗାଙ୍କ ଫଟୋରେ ଧୂପ, ଫୁଲ ଦେଇସାରି ଦୋକାନ ସଜାଡ଼ି ଦେବା । ତା’ପରେ...ତା’ପରେ ଗରାଖମାନଙ୍କ ମନଜାଣି ଚାହିଦା ମୁତାବକ ପାନରେ ଚୂନ, ଖଇର, ଗୁଆ ଗୁଣ୍ଡି, ଜର୍ଦ୍ଦା ଇତ୍ୟାଦି ଇତ୍ୟାଦି ଦେଇ ପାନ ଖିଲ କରିବା । ଏସବୁ କାମ ଭିତରେ ରଘୁବାବୁ ଏଣୁତେଣୁ ମଜ୍ଜା କଥାରେ ଗ୍ରାହକମାନଙ୍କୁ ମଜ୍ଜେଇ ହଜେଇ ରଖିଥାନ୍ତି । ଗ୍ରାହକମାନଙ୍କ ସହ କଥାବାର୍ତ୍ତାରେ ସେ ମଧ୍ୟ ମଜ୍ଜିଯାଉଥିଲେ ବି ପାନରେ ମସଲାର ଅନୁପାତରେ ତାରତମ୍ୟ ହେବାର ଜୁ ନଥାଏ ଏବଂ ରଘୁବାବୁଙ୍କ ଦୋକାନ ସେ ଅଞ୍ଚଳରେ ଲୋକପ୍ରିୟ ହେବାର ତାହା ହିଁ ମୂଳ କାରଣ; କିନ୍ତୁ ସେଦିନ ଏହାର ବ୍ୟତିକ୍ରମ ଦେଖି ଦୋକାନର ଥିବା ସମସ୍ତେ ଚମତ୍କୃତ ହୁଅନ୍ତୁ ବା ନ ହୁଅନ୍ତୁ ମୁଁ ବିସ୍ମିତ ହୋଇଥିଲି ।

ରାସ୍ତାକଡ଼ର ଦୋକାନ । ବହୁ ଲୋକ ସେ ବାଟ ଦେଇ ଯା’ ଆସ କରନ୍ତି ଓ କରୁଛନ୍ତି । ଜଣେ ରୂପସୀ ତରୁଣୀ ସେ ବାଟ ଦେଇ ଚାଲିଯିବା କିଛି ନୂଆ କଥା ନୁହେଁ, ଅନେକ ଯାଆନ୍ତି । ସେଦିନ କାହିଁକି କେଜାଣି ରଘୁବାବୁଙ୍କ ଆଖି ସେ ରୂପସୀଙ୍କ ଆଡ଼େ ଏମିତି ଲାଗିଗଲା ଯେ ଆଉ ଫେରିବା ସୂଚନା ମିଳିଲାନି । ମୁଁ ତାଙ୍କର ଏ ଭାବାବେଶ ମୁହୂର୍ତ୍ତକୁ ଲକ୍ଷ୍ୟ କରି ତାଙ୍କ ଆଖି ଆଗରେ ହାତ ହଲେଇଲି ଓ ସେ ଦୃଷ୍ଟି ଫେରାଇ ଆଣି ପାନଭଙ୍ଗାରେ ହାତ ଦେଲେ ତୀବ୍ର ବେଗରେ । କିନ୍ତୁ ଏ କ’ଣ, ମୋ’ପାନରେ ଗୁଆ କାହିଁ ? ରଘୁବାବୁ ମୋ’ ପାନରେ ଗୁଆ ବଦଳରେ ଗୁଆ ପରିମାଣର ଗୁଜୁରାତି ଦେଇ ପାନ ମୋଡ଼ିବାକୁ ଯାଉଥିବାର ଦେଖି ମୁଁ କହିବାକୁ ବାଧ୍ୟ ହେଲି–ରଘୁବାବୁ, ଆପଣଙ୍କ ମୁଣ୍ଡ ଠିକ୍ ଅଛି ତ ? ଗୁଆ ସ୍ଥାନ କ’ଣ ଗୁଜୁରାତି ପୂରଣ କରିପାରେ ? ନା ଏଥିରେ ବି କିଛି ତତ୍ତ୍ଵ ଅଛି ?

ଦେଖିଲି ସେ ବ୍ୟସ୍ତ ହେଲେନି କି ବିବ୍ରତ ବି ହେଲେନି ତାଙ୍କର ଏପ୍ରକାର କାର୍ଯ୍ୟ ପାଇଁ । ବରଂ ଆର୍କମେଡ଼ିସ୍ ୟୁରୋକା...ୟୁରୋକା ଚିତ୍କାର କରିବା ପରି ସେ ଚିତ୍କାର କରିଉଠିଲେ...ଏଁ...ପାଇଛି...ପାଇଛି ।

 

ମୁଁ ଚାରିଆଡ଼କୁ ଚାହିଁ ପଚାରିଲି–କ’ଣ ପାଇଛନ୍ତି ? ସେ ଝିଅତ ତା’ ବାଟରେ ଚାଲିଯାଇଛି ।

 

ସେ ସିନା ଚାଲିଯାଇଛି କିନ୍ତୁ ମୋର ଯାହା ପାଇବାର ଥିଲା ମୁଁ ପାଇଯାଇଛି ।

 

କ’ଣ ପାଇଛନ୍ତି ?

 

ମୁଁ ମୋ’ ଗୁରୁ ପାଇଛି ।

 

ଆପଣ...ଆପଣ... ଗୁରୁ ପାଇଛନ୍ତି ? କେଉଁଠି ? କାହାନ୍ତି ଗୁରୁ ?

 

‘ଏଇ ତ ମୋ’ ସାମନାରେ’–କହି ସେ ମୋତେ ହିଁ ସୂଚେଇ ଦେଲେ ।

 

ମୁଁ...ମୁଁ ଆପଣଙ୍କ ଗୁରୁ ? ମୋ’ଭଳି ନାସ୍ତିକ, ସ୍ଵାର୍ଥନ୍ଵେଷୀ, ସାଧାରଣ ମଣିଷ କେବେ କ’ଣ କାହାର ଗୁରୁ ହୋଇପାରେ ?

 

ସେ କହିଲେ–ଆପଣ ହିଁ ସେ ଗୂଢ଼ ରହସ୍ୟ ଉଦ୍‌ଘାଟନ କରିଛନ୍ତି । ଗୁଆର ସ୍ଥାନ କ’ଣ ଗୁଜୁରାତି ପୂରଣ କରିପାରେ ? ନା, ପାରେନା । ଏ ତତ୍ତ୍ଵଟି ମୁଁ ଏତେଦିନେ ବୁଝିପାରିଛି । ଏ ତତ୍ତ୍ଵ, ଦର୍ଶନଟି ଆପଣ ମୋତେ ଦେଇଛନ୍ତି । ଏଣୁ ଆପଣ ହିଁ ମୋର ଗୁରୁ ।

 

ଗୁରୁ ହେବାର କୌଣସି ଗୁଣ ବା ସାଧନା ମୋର ନାହିଁ । ବରଂ ଆପଣଙ୍କଠୁଁ ମୋର ଗୋଟିଏ କଥା ବୁଝିବାର ଅଛି । ଆପଣ ଯୋଗ ସାଧନାରୁ ନିବୃତ୍ତ ହେଲେ କାହିଁକି ?

 

ଆପଣ ଯାହା ପାଇବାକୁ ଇଚ୍ଛା କରିବେ ଯୋଗସାଧନ ପନ୍ଥାରେ ତାହା ମିଳେ ସହଜରେ–ଏ କଥା ମୁଁ ଜାଣିଥିଲି ଓ ଘରେ ଥିବା ପୋଥିରୁ ସାଧନାର ବାଟ ଖୋଜୁଥିଲି । ମନରେ ଦୃଢ଼ତା ରଖି ସାଧନା ଆରମ୍ଭ କଲି–ମନ ପ୍ରାଣ ଲଗାଇ, କିନ୍ତୁ ଉଦ୍ଦେଶ୍ୟ ଯେ ମୋର ମହତ ନଥିଲା ସେ କଥା ଏବେ ବୁଝିପାରିଛି.... ।

 

ତାଙ୍କ ସ୍ଵଗୋତୋକ୍ତିରୁ ଯାହା ଜଣାପଡ଼ିଲା–ଯୌବନର ପ୍ରାରମ୍ଭରେ ଷୋଡ଼ଶୀ ରୂପସୀ ବିନିତାର ପ୍ରେମ ପାଶରେ ଆବଦ୍ଧ ହୋଇ ତାକୁ ଜୀବନସଙ୍ଗିନୀ ରୂପେ ପାଇବାର ବଳବତୀ ଇଚ୍ଛା ଜାଗିଥିଲା ତାଙ୍କ ମନରେ । ବିନିତା ଥିଲା ଧନୀ ଘରର ଝିଅ, ଅନ୍ୟ ସମ୍ପ୍ରଦାୟ ଝିଅ । ଏ ବିଭାଘର ଅସମ୍ଭବ ସାମାଜିକ ନୀତି ଶୃଙ୍ଖଳା ଦୃଷ୍ଟିରୁ । ଯୋଗ ମାଧ୍ୟମରେ କେବଳ ଅସମ୍ଭବକୁ ସମ୍ଭବ କରାଯାଇପାରେ । ମନର ଏଇ ଗୋପନ ଇଚ୍ଛାକୁ କାହାରି ଆଗରେ ପ୍ରକାଶ ନକରି ସମସ୍ତଙ୍କ ଅଜ୍ଞାତରେ ସେ ଯୋଗ ସାଧନା ଆରମ୍ଭ କରିଥିଲେ ତାକୁ ପାଇବା ପାଇଁ; କିନ୍ତୁ ସାଧନାରେ ନିଶ୍ଚୟ ତ୍ରୁଟି ରହିଗଲା କେଉଁଠି, ତେଣୁ ବିନିତା ଚାଲିଗଲା ଅନ୍ୟ ହାତଧରି ଘରସଂସାର କରିବାକୁ ଆଉ ରଘୁବାବୁ ପଡ଼ି ରହିଗଲେ ଅସହାୟ ଭାବେ ନିଃସଙ୍ଗ, ନୈରାଶ୍ୟମୟ ଜୀବନକୁ ସାଥିକରି । ଆଜି ସେ ଯେଉଁ ଝିଅଟିକୁ ଦେଖିଲେ ସେ ବିନିତା ନୁହେଁ କିନ୍ତୁ ତା’ର ଅବିକଳ ପ୍ରତିରୂପ । ଏ ବୟସରେ ସେ ବିନିତାଠାରୁ ଆହୁରି ସୁନ୍ଦର ଦିଶୁଛି । ଏଣୁ ସେ ଆଜି ବୁଝିପାରିଛନ୍ତି ଗୁଆର ସ୍ଥାନ ଗୁଜୁରାତି ପୂରଣ କରିନପାରେ । ଦିନେ ଯାହାଥିଲା ତାଙ୍କର ସ୍ଵପ୍ନ ସେଇ ସ୍ଵପ୍ନ ହିଁ ସତେ ଯେମିତି ଆଜି ତାଙ୍କୁ ଉପହାସ କରୁଛି । ସାଧନା ସେ କରୁଥିଲେ ନିତାନ୍ତ ସଂକୀର୍ଣ୍ଣ ବ୍ୟକ୍ତିଗତ ଏକ ସ୍ଵାର୍ଥ ସିଦ୍ଧିପାଇଁ–କୌଣସି ମହତ୍ ଉଦ୍ଦେଶ୍ୟରେ ନୁହେଁ ।

 

ନାରୀ ଦେହ ଉପଭୋଗର ଉତ୍କଟ ଲୀଳସା ତାଙ୍କର ସମସ୍ତ ଜପତପ, ସାଧନା ଧାରଣାକୁ ଉପହାସ କଲା–ମନ ଭୁଲିଗଲା ମନକୁ । ଶରୀରପାଇଁ ଶରୀରର ଆକର୍ଷଣ ହେଲା ତୀବ୍ର । ରୂପ ଆଣିଲା ମୋହ–

 

ମୋହ ଦେଇଗଲା ରଘୁବାବୁଙ୍କ ଅବଶିଷ୍ଟ ଜୀବନକୁ ଅନୁଶୋଚନା । ସେ ଜଣେ ମଳିନ ଯୌବନା ନାରୀକୁ ତୋଳିନେଲେ କୋଳକୁ । ସେଇ ମଦନିଶା ତାଙ୍କୁ ଏକାଗ୍ରଭାବେ ନିମନ୍ତ୍ରିତ କରାଇଲା ସେଇ ନାରୀ ଦେହରେ । ପାଟଳିପୁତ୍ରର ଯୋଗୀ ସାଧକ କୁମାର ଗିରି ଚିତ୍ରଲେଖା ଶରୀରକୁ ଉପଭୋଗ କରି, ତାଙ୍କର ସମସ୍ତ ସମ୍ମାନ ଚିରଦିନ ହରାଇବା ପରି ରଘୁବାବୁ ଜଣେ ସାଧକର ସମସ୍ତ ସମ୍ମାନ ହରାଇ ବସିଲେ ଆମମାନଙ୍କଠାରୁ । ଆତ୍ମସଂଯମ ଅଭାବରୁ ସେ ଦିନେ ଶୂନ୍ୟକୁ ଉଠୁ ଉଠୁ ଖସିପଡ଼ିଥିଲେ ଓ ଆଜି ସେହି ଆତ୍ମନିୟନ୍ତ୍ରଣର ଅଭାବ ହିଁ ତାଙ୍କୁ ଖସାଇ ପକାଇଲା ମାୟାମୋହମୟ ଏ ସଂସାରର ଜଞ୍ଜାଳମୟ ଗହ୍ୱର ଭିତରକୁ ।

Image

 

ମାନସ ମନ୍ଥନ

 

ମୁଁ ଯଦି ତମକୁ ଥରେ ଦେଖନ୍ତିନା ଭଗବାନ; ତା’ହେଲେ ତମ କାନଧରି ପଚାରନ୍ତି–ବହୁ ଝିଅଙ୍କୁ ପ୍ରେମକଲେ ପାପ କେମିତି ହୁଏ ? ତମେ ପରା ଦ୍ୱାପରଯୁଗରେ ଷୋଳସହସ୍ର ଗୋପନାରୀଙ୍କ ସହ ପରକୀୟା ପ୍ରେମରେ ମାତି ଦିନ-ରାତି ଚବିଶ ଘଣ୍ଟା ମସ୍‌ଗୁଲ ଥିଲ ! ତମେପରା ନପୁଂସକ ଚନ୍ଦ୍ରସେଣାର ପତ୍ନୀ ରାଧାପାଇଁ ପାଗଳ ହୋଇଯାଉଥିଲ ! ତମେ ତ ବଦ୍ଧପାଗଳ ଥିଲ । ଗୋପୀମାନଙ୍କ ପଛରେ ଗୋଡ଼େଇ, ବଂଇଶୀରେ ରାଧା ରାଧା ଡାକି କେତେବେଳେ ବୁଢ଼ା ନାଉରୀ, କେତେବେଳେ ବୁଢ଼ା ଶଙ୍ଖାରୀ ତ କେତେବେଳେ ନାପିତୁଣୀ ହୋଇଯାଉଥିଲ । ଆଉ ତମର ଏ ପ୍ରେମ ପାଗଳାମିର କଳଙ୍କ ଘୋଡ଼ାଇବାକୁ ଯାଇ ପ୍ରଚାର କରାଇ ବୁଲିଲ ପରକୀୟା ପ୍ରେମଭକ୍ତି ହେଉଛି ଭକ୍ତି ମଧ୍ୟରେ ସାର । କ’ଣ ଭଗବାନ ମୁଁ ମିଛରେ କହିଲି ? ତମେ କେଡ଼େ ସ୍ଵାର୍ଥପର ସତରେ । ତମ ପାଇଁ ଏ ସବୁ ପବିତ୍ର, ଅନାବିଳ, ସ୍ୱର୍ଗୀୟ; ଆଉ ଆମପାଇଁ ପାପ, କଳଙ୍କ ଓ ବ୍ୟଭିଚାର !

 

ତମେ ଖାଲି ପ୍ରେମ ବାଣ୍ଟି ଚାଲିଗଲ, ରାସକ୍ରୀଡ଼ା କରିଗଲ, କାରଣ ତମେ ରସରାଜ । ତମ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବାକୁ ସେ ଯୁଗରେ ସବୁ ପଛେଇଲେ; କାରଣ ତମେ ଭଗବାନ ବୋଲି । ପି. ସି. ସରକାର ପରି ତମେ ଜଣେ ବି ଯାଦୁକର ଥିଲ । ନାନା କିମିଆ ଜାଣିଥିଲ । ଆଙ୍ଗୁଳିରେ ଗିରି ଗୋବର୍ଦ୍ଧନ ଟେକି ପକେଇଲ, ନୁହେଁ ? ଏଣୁ ତମପ୍ରତି ସେ ଯୁଗରେ ସମସ୍ତଙ୍କର ଭୟ ରହିଗଲା । ଏଇ ଦେଖୁନା, ଏ ଯୁଗରେ ଦରଦାମ୍ ବୃଦ୍ଧି, ବେକାରୀ, ହିଂସା ଯେମିତି ବଢ଼ୁଛି କିନ୍ତୁ ଲୋକମାନେ ସ୍ଵର ଉତ୍ତୋଳନ କରିବାକୁ ପଛେଇଯାଉଛନ୍ତି; କାରଣ ‘ବଡ଼ଲୋକକୁ ଉତ୍ତର ନାହିଁ, ସ୍ଵର୍ଗକୁ ନିଶୁଣୀ ନାହିଁ’ ବୋଲି ସିନା !

 

ହେ ଭଗବାନ ! ଥରେ ଆମଆଡ଼େ ଆସନ୍ତନି ? କଇଆ ଦୋକାନରୁ କେତକୀଗୁଣ୍ଡି, ଚମନବାହାର, ଗୁଜୁରାତିଦିଆ ପାନ ଖାଇ ବିନ୍ଦୁସାଗର କୂଳ ସିମେଣ୍ଟ ଚେୟାର ଉପରେ ଟିକିଏ ବସନ୍ତେ–ଅନେକ କଥାବାର୍ତ୍ତା ଅଛି ତମ ସାଙ୍ଗରେ । ତମକୁ ସିଗାରେଟ୍ ଦିଅନ୍ତନି । ତମେ ନା ଭାରୀ ଦୁଷ୍ଟ ! ମୋ’ ସିଗାରେଟ୍ ନେଇ ଧୂଆଁ କୁଣ୍ଡଳିକରି ଝିଅମାନଙ୍କ ଆଡ଼େ ଛାଡ଼ନ୍ତ । ପୁଣି ଏ ଯୁଗରେ ବି କିମିଆ ଲଗେଇ ଦିଅନ୍ତ । ତମ ପାଖକୁ ଝିଅମାନେ ଚାଲିଆସନ୍ତେ । ତମେ ଟିକିଏ ମୁରୁକି ହସନ୍ତ । ମୁଁ ରାଗିଯାଆନ୍ତି । ଲୋକମାନେ ତମକୁ କମେଣ୍ଟ କରନ୍ତେ । ତମେ କହନ୍ତ–ଏ ଯୁଗ ଖରାପ, ଦ୍ଵାପରଯୁଗ ଖୁବ୍ ଭଲ ଥିଲା ।

 

ମୁଁ ଟିକିଏ ମୁରୁକି ହସି କହନ୍ତି–ତମେ ତମ କାମରେ ଲଗିଯା; ତମ ମୁହଁକୁ ତ ଲାଜସରମ ବୋଲି କିଛି ନାହିଁ । ଗରିବ ମାଇପ ସିନା ସମସ୍ତଙ୍କର ଟାପରା; ହେଲେ ତମଭଳି ବଡ଼ଲୋକ ଏ ତ ସଉକ, ମଜଲିସ୍ ।

 

ରାଗିବନି ଭଗବାନ । ଥଟ୍ଟାରେ ଏମିତି କହିଦେଲି ବନ୍ଧୁ ! ବୈଜ୍ଞାନିକ ସତର୍କତା ପ୍ରକାରେ ସିଗାରେଟ୍ ପିଇବା ଦେହପକ୍ଷେ କ୍ଷତିକାରକ । ତମେ ସିନା ଅଖାଦ୍ୟ ଖାଇବାକୁ ଦେଉଛ, ଆମର କ୍ଷତି କରୁଛ, ହେଲେ ମୁଁ ତମର କ୍ଷତିକରାଇଦେବି ନି ।

 

ହିଁ, ତମକୁ ମୁଁ ପଚାରନ୍ତି–ଚା’ ମଗେଇବା ?

 

ତମେ କୁହନ୍ତ–ନା, ରାମବାବୁ । ଚା’ ଦରକାର ନାହିଁ । ମୁଁ ଚା’ ଖାଉନି । ଚା’ ଖାଇଲେ ଭୋକ ମରିଯାଏ, ନିଦ ହୁଏନି । ପେଟ ଗୋଳମାଳ ହୁଏ–ଏମିତି କେତେ ଗଣ୍ଡଗୋଳ । ଏଣୁ ତମେ ଚା’ ଖାଅନ୍ତନି । ମୁଁ କିନ୍ତୁ ଚା’ କପ୍‌ଟି ଶେଷକରି ତମ କପ୍‌ଟା ମଧ୍ୟ ଶେଷକରି ଦିଅନ୍ତି । ମୋର ନିଦ ଦରକାର ନାହିଁ । ତମେ ଚା’ ଖାଉନା ଭୋକ ମରିଯିବ ବୋଲି । ମୁଁ କିନ୍ତୁ ଚା’ ଖାଉଛି ଭୋକମାରିବାକୁ । ଏ ଦେଶରେ ଅର୍ଦ୍ଧାଧିକ ଲୋକ ଚା’ ଖାଆନ୍ତି ଭୋକମାରିବାକୁ । କ’ଣ କରିବେ କୁହ ? ତମର ସିନା ଅଚଳାଚଳ ଧନ ସଂପତ୍ତି ଅଛି । ଚଉଷଠି ପଉଟି ଅନ୍ନ ଖଞ୍ଜା । ହେଲେ ଆମର ଖାଲି ଅନ୍ନ ଚିନ୍ତା, ହା–ହାକାର । ଆସ ଥରେ ନା, ଦେଖାଇଦେବି ଆମେ କିମିତି ଓଦାକନା ପେଟରେ ଦେଇ ପ୍ରଗତି ସୁଅରେ ଭାସୁଛୁ ।

 

ହଁ, ଆଉ ଗୋଟିଏ କଥା ପଚାରିବି ତମକୁ । ସତ କହିବି ତ ଭଗବାନ ? ତମେ ଏବେ କାହାକୁ ଭଲପାଉଛ କହିଲ ? ଟିକିଏ ଚିହ୍ନେଇ ଦିଅନ୍ତିନି ? ବହୁତ ଦୁଃଖ ମନରେ । ବଡ଼ଭାଇ କେହି ନାହାନ୍ତି ନା, ଭାଉଜ ନାହାଁନ୍ତି । ଅନ୍ତତଃ ସେମାନଙ୍କୁ ଟିକିଏ ଭାଉଜ ବୋଲି ଡାକିପାରନ୍ତି । ଆଉ ଯଦି ସେମାନଙ୍କର କାହାର ସାନ ଭଉଣୀ ଥାଏ ଅନ୍ତିତଃ ସେମାନଙ୍କୁ ଯଦି ଟିକିଏ ପ୍ରେମକରି ପାରନ୍ତି ତା’ହେଲେ କିଛି ମନ୍ଦ ହୁଅନ୍ତାନି ତ ଭଗବାନ ! ଆଉ ଗୋଟିଏ ସଂଖ୍ୟା ବଢ଼ିଯାଆନ୍ତା । ଆଜିକାଲି ଏଠିକା ଝିଅମାନେ ପୁଅମାନଙ୍କୁ ଭାରୀ ଠକାଉଛନ୍ତି । ଏଣୁ ବିଶ୍ୱାସକରି ହେଉନି ।

 

ମନରୁ ଅନେକ ଅବଶୋଷ ମେଣ୍ଟିଯାଆନ୍ତା । ଏଇ ଦେଖୁନା, ଏବେ ମୁଁ କିମିତି ରାତି ଉଜାଗର ରହି ପ୍ରିୟା ପାଇଁ କେବଳ ଲୁହ ଝରେଇ ଚାଲିଛି । ଆଜି ରେଡ଼ିଓ କହୁଥିଲା–ବ୍ରାହ୍ମଣୀ ନଦୀ ଜେନାପୁରଠାରେ ବିପଦ ସଂକେତ ଟପିବାକୁ ବସିଲାଣି । ମହାନଦୀ ଯୋବ୍ରାଠାରେ ବିପଦ ସଂକେତ ଟପିଗଲାଣି । ଏ ସବୁ ମୋ’ ଆଖିର ଦୁଇ ଉପନଦୀରୁ ପ୍ରବାହିତ ଜଳସ୍ରୋତ । ଆଉ ତମ ଭଳି ରସିକ ନାଗର ଶିରୋମଣୀଙ୍କୁ ଦେଖିଦେଲେ ଆଖିର ଲୁହକୁ ଚାପିରଖି ଯେଉଁ ଶୁଖିଲା ହସ ହସୁଛି ସେଥିପାଇଁ ଗଞ୍ଜାମ, କୋରାପୁଟ, କଳାହାଣ୍ଡିରେ ଅନାବୃଷ୍ଟି, ମରୁଡ଼ି ।

 

ଜୀବାତ୍ମା ପରା ପରାମାତ୍ମାର ଅଂଶ ବିଶେଷ । ଏଣୁ ମୁଁ ମଧ୍ୟ ତମର ଅଂଶ ନେଇ ଜନ୍ମ ନେଇଛି । ଏଣୁ ମୁଁ ଯେଉଁ ମନ ନେଇ ଜନ୍ମ ନେଇଛି ସେ ମନ ବଡ଼ ତମର ନୁହେଁ ଭଗବାନ ? ଏଣୁ ଏ ମନ ଯେତେବେଳେ ପ୍ରେମପାଇଁ ପାଗଳ ହୋଇ ବୁଲେ, ପ୍ରେମ ନିବେଦନ କରି ବୁଲେ ସେ କ’ଣ ପାପ ଭଗବାନ ? ଯଦି ସତ୍‌ସାହସ ଅଛି କୁହ–ଏ କ’ଣ ପାପ ? କିନ୍ତୁ ଦେଖ, ମୋ’ ପ୍ରଶ୍ନର ଉତ୍ତର ଦେଲାବେଳେ ତମ ଦ୍ୱାପର ଯୁଗକୁ ଆଖି ଆଗରେ ରଖି ଯାହା ଉତ୍ତର ଦେବ । ଯଦି ପୂର୍ବାପର ସଂଗତ ନ ରଖ ତା’ହେଲେ ତମକୁ ଗୋଲ୍ ଆଳୁଦେଇ ଖାତା ସ୍କାର୍ଚ୍ କରିଦେବି; ଆଉ ଖବରକାଗଜରେ ବଡ଼ ବଡ଼ ଅକ୍ଷରରେ ବାହାରିବ–ଭଗବାନ ଶୋଚନୀୟ ଭାବେ ଫେଲ୍‌ ମାରିଗଲେ ।

 

ହେ ଭଗବାନ୍‌ ! ବନ୍ଧୁ ମୋର, ଗୁରୁ ମୋର ! ଆଜି ପାଞ୍ଚଟାବେଳେ ତମେ ତମ କାର୍ ନେଇ ଆସନ୍ତନି । ଗଣେଶବାବୁ ଏଥର ତାଙ୍କ ପୂଜାରେ ଘୋଡ଼ାରେ ଆସିଲେ । ତମେ କ’ଣ ଜାଣିନା ? ଶିବ–ପାର୍ବତୀ ବି ଥରେ ସ୍କୁଟର ଚଢ଼ି ଆସିଥିଲେ ଏଇ ଭୁବନେଶ୍ୱରକୁ । ଗଣେଶ ମୂଷା ଛାଡ଼ି ଘୋଡ଼ା ଚଢ଼ିଲେ । ଶିବ ବାସୁଆବଳଦ ଛାଡ଼ି ସ୍କୁଟର ଧରିଲେ । ତମେ ଏବେ ଉଡ଼ାଜାହାଜ କି କାର୍‌ରେ ଆସିଲେ କ୍ଷତି କ’ଣ ? ତମେ ଆସିଲେ ସାଙ୍ଗହୋଇ ଟିକେ ପାର୍କଆଡ଼େ ଯାଆନ୍ତେ । ମୁଁ ତମକୁ ଗାଇଡ଼୍‍ କରନ୍ତି । ଅନେକ ଗୋଲାପର ଉଦ୍ୟାନ ସେଠାରେ । ଅନେକ ମଧୁପଙ୍କ ଭିଡ଼ । ମୋର କିନ୍ତୁ ଇଚ୍ଛା, କଣ୍ଟାଇ ଯନ୍ତ୍ରଣା ସହ ଗୋଲାପ ତୋଳିବାକୁ । କିନ୍ତୁ ଶୁଣୁଛି ଗୋଲାପ ସବୁ ନା ବେଳେବଳେ ହାତକୁ ଚାଲିଆସନ୍ତି । କ’ଣ କରିବ କୁହ ? କାହା ଓଠରେ ହସ ଦେଇ କାହା ଆଖିରେ ଲୁହ ଦେବି ?

 

ହେ ମୋର ପ୍ରେମର ଅସଂଖ୍ୟ ଡିପ୍ଳୋମାଧାରୀ ବେକାର ଭଗବାନ୍‌ ! ତମେ ଏଠାରେ କୁହ ମୋର ଭୁଲ୍‌ ରହିଲା କେଉଁଠି ? ପାପ ହେଲା କ’ଣ ?

 

ମୁଁ ମଣିଷ ବୋଲି ତମେ କହିବ ଏ ମୋର ପାପ । କିନ୍ତୁ ପାପର ଡେଫିନେସନ୍‌ ଜାଣିଛ-?

 

ଏଁ ଚୁପ୍ ରହିଲ ଯେ ? ଓଃ ଜାଣିନ ପରା ! ଶୁଣ ତା’ହେଲେ ପାପର ଡେଫିନେସନ–ଚାଉଳରେ ଗୋଡ଼ି ମିଶାଇବା ପାପ, ତେଲରେ ଅଗରାତେଲ ମିଶାଇବା ପାପ, ଅଟାରେ ଚୋକଡ଼ ମିଶାଇବା ପାପ, ଡାଲିରେ ବାଲି, ଗୋଡ଼ି ମିଶାଇବା ପାପ, ଲୋକମାନଙ୍କ ଜୀବନ ସହ ଖେଳ ଖେଳିବା ପାପ, ଆଉ ପାପ ତମଭଳି ଯେଉଁ କେତେଜଣ ପରଧନକୁ ଲୁଣ୍ଠନ କରି କଳାବଜାରୀ, ଟାଉଟରୀ, ଦଳବଦଳ, ମନ ବଦଳ କରି ସୁଦୃଶ୍ୟ ଅଟ୍ଟାଳିକା କରି ବୈକୁଣ୍ଠପୁରୀରେ ରହୁଛନ୍ତି ।

 

ମିଛ କହିଲି ଭଗବାନ ? ତମେ ତମ ସ୍ତ୍ରୀ କି ପ୍ରେମିକା ମୁଣ୍ତରେ ହାତଦେଇ କହିପାରିବ ମୁଁ ମିଛ କହିଲି ବୋଲି ? ପାରିବନି । ମୁଁ ଜାଣେ ତମେ ଗୁଡ଼ିଏ ମୁହଁଭୁରୁଡ଼ି ମାରିବ । ତମ ଯୁଗରେ ପରା ମୁହଁ ଭୁରୁଡ଼ିମାରି ଅନେକ ଲୋକ ରାତାରାତି ବଡ଼ଲୋକ ହୋଇଯାଉଛନ୍ତି !

 

ତମେ ପରା କୁହ ଭଗବାନ–ତମକୁ ଯିଏ ଡାକେ ତମେ ତା’ ପାଖରେ ପହଞ୍ଚି ଯାଅ । ତା’ହେଲେ ଆସନା ଆମଆଡ଼େ, ଦେଖିବ–ମୁଁ ମଧ୍ୟ ତମପରି ଯିଏ ଯେତେବେଳେ ଯେଉଁଠିକୁ ଡାକୁଛି ତା’ ପାଖରେ ପହଞ୍ଚିଯାଉଛି । ଏ ଅବୁଝା ଲୋକଗୁଡ଼ାକ କହୁଛନ୍ତି ପାପ । ତା’ହେଲେ ତମେ ଦ୍ଵାପର ଯୁଗଟାରେ କ’ଣ ଖାଲି ପାପକରି ଯାଇଥିଲ ? ହେଲା ତମେ ଯଦି ସେ ଯୁଗରେ ଏତେ ପାପକରି ମୁଣ୍ତଟେକି ଚାଲିପାରିଲ, ତା’ହେଲେ ମୁଁ କାହିଁକି ନପାରିବ ? ମୁଁ ପରା ତମପରି ଅନ୍ତର୍ଯ୍ୟାମୀ । ତମେ ଆଉ ମୁଁ–ଦ୍ୱାପର ଆଉ କଳି–ପରମାତ୍ମା ଆଉ ଆତ୍ମା–ସବୁଠିଁ ସମାନ । କେବଳ ଗୋଟିଏ ସତ୍ୟ ହେଉଛି ସମୟ । ସେ ତମକୁ ମୋତେ ଓ ସାରା ସଂସାରକୁ ଉଠ୍‌ପଡ଼ କରୁଛି ଓ କରୁଥିବ ଯେ ଯେମିତି ଯେଉଁଠାରେ ଯେଉଁ ସ୍ଥାନରେ ଥାଉ ପଛେ ।

Image

 

ପତାକା ଉତ୍ତୋଳନ

 

ଆମ ଦେଶ ସ୍ଵାଧୀନ ହେବା ଆଜକୁ ଚଉତ୍ରିଶ ବର୍ଷ ହୋଇଗଲା । ସ୍ୱାଧୀନତାର ତାତ୍ପର୍ଯ୍ୟ ସମସ୍ତେ ବୁଝନ୍ତୁ ବା ନ ବୁଝନ୍ତୁ, ତା’ର ସୁଫଳ ସମସ୍ତେ ପାଇଥାନ୍ତୁ ବା ପାଇ ନ ଥାନ୍ତୁ ସହର ବଜାର ଲୋକେ କିନ୍ତୁ ସ୍ଵାଧୀନତା ଦିବସଟିକୁ ପୂର୍ଣ୍ଣ ପ୍ରାଣରେ ଉପଭୋଗ କରି ଚାଲିଛନ୍ତି ।

 

ଏ ବର୍ଷ ଏଇ ଦିବସଟିକୁ ବେଶ୍ ଜାକଜମକରେ ପାଳନ କରିବାକୁ ନାଗରିକ ପରିଷଦ ତତ୍ପର ହୋଇ ଉଠିଛି-। ଦେଶର ସ୍ଵାଧୀନଚେତା ନାଗରିକ ସେମାନେ । ଧରି ବସିଛନ୍ତି–ଏ ଭଳି ଏକ ପବିତ୍ର ଅବସରରେ ଦେଶର ଜାତୀୟ ପତାକା ଯେ ଖାଲି ମନ୍ତ୍ରୀ କି ଏମ୍.ଏଲ୍. ଏ ଉତ୍ତୋଳନ କରିବେ ତା’ ନୁହେଁ, ଏଣିକି ସ୍ଵାଧୀନତା ସଂଗ୍ରାମର ଯିଏ ପ୍ରକୃତ ଯୋଦ୍ଧା ତାଙ୍କରି ହାତରେ ଏ ପବିତ୍ର କାର୍ଯ୍ୟ ସମ୍ପାଦିତ ହେବ ।

 

ଏଥିରେ ଆଉ ଅସୁବିଧା କ’ଣ ? ସହରରେ କ’ଣ ଏଭଳି ସଂଗ୍ରାମୀ ନାହାଁନ୍ତି ? ନିଶ୍ଚୟ ଅଛନ୍ତି । ରାଜ୍ୟର ବିଶିଷ୍ଟ ସମାଜସେବୀ, ଗାନ୍ଧିବାଦୀ ଧନୁର୍ଦ୍ଧର ମହାପାତ୍ର ଖାଲି ଯେ ଜଣେ ସ୍ୱାଧୀନତା ସଂଗ୍ରାମୀ ତା’ ନୁହେଁ; ସେ ମଧ୍ୟ ଜଣେ ସଚ୍ଚୋଟ ବ୍ୟକ୍ତି । ସେ ହିଁ ଏ ପବିତ୍ର କାର୍ଯ୍ୟ ପାଇଁ ସର୍ବାପେକ୍ଷା ଉପଯୁକ୍ତ ବ୍ୟକ୍ତି । ଏଣୁ କାର୍ଯ୍ୟଟି ଯଥା ସ୍ଥାନରେ, ଯଥା ରୀତିରେ ତାଙ୍କରି ଦ୍ଵାରା ସମାପିତ ହେବ ଅଗଷ୍ଟ ପନ୍ଦର ପ୍ରଭାତରେ ହଜାର ହଜାର ଲୋକଙ୍କ ହର୍ଷ କୋଳାହଳ ଧ୍ଵନିଭିତରେ-

 

କିନ୍ତୁ ଏ କ’ଣ ? ଏ ପବିତ୍ର କାର୍ଯ୍ୟ ସମ୍ପାଦନ କରିବାକୁ ଯାଇ, ପତାକା ଉତ୍ତୋଳନ କରି ଯୋଡ଼ ହସ୍ତରେ ପତାକା ଆଡ଼େ ଚାହୁଁ ଚାହୁଁ ବୟୋଜ୍ୟେଷ୍ଠ ଗାନ୍ଧିବାଦୀ ମହାପାତ୍ରେ ଏମିତି ଧାଇଁଲେ କାହିଁକି ?

 

ଉଦ୍ୟୋକ୍ତାମାନେ କିଛି ବୁଝି ନପାରି ତାଙ୍କ ପଛେ ପଛେ ଧାଇଁବାକୁ ଲାଗିଲେ, ସଭାମଞ୍ଚ ଆଡ଼େ ଫେରାଇ ଆଣିବାକୁ କିନ୍ତୁ, ତାଙ୍କୁ ଫେରାଇ ଆଣିବାର ଶତଚେଷ୍ଟା ବିଫଳ ହେଲା । ଧନୁର୍ଦ୍ଧରବାବୁଙ୍କ ଭାଷଣକୁ ଅପେକ୍ଷା କରି ରହିଥିବା ଇଚ୍ଛୁକ ଜନତା କେବଳ ଏଇ ଅଭାବନୀୟ ଦୃଶ୍ୟକୁ ନୀରବରେ ଦେଖୁଥିଲେ । ଏଇ ନୀରବତାକୁ ଭେଦ କରି ଗୁଞ୍ଜରଣ ଓ ପରେ ପରେ ମୃଦୁ ଟିପ୍‌ପଣୀ ଆରମ୍ଭ ହୋଇଗଲା କେତେକଙ୍କ ମୁଖରେ । କିଏ କହିଲା ଧନୁର୍ଦ୍ଧରବାବୁଙ୍କର ଏଇ କାର୍ଯ୍ୟ ଜାତୀୟ ପତାକା ଓ ସ୍ଵାଧୀନତା ଦିବସକୁ ଅସମ୍ମାନ । ଆଉ କିଏ କହିଲା ଗାନ୍ଧିବାଦୀ ବୋଲି ସେ ଯାହା ସବୁ କରିଯିବେ ଆମେ ତାକୁ ନୀରବ ଦ୍ରଷ୍ଟା ହୋଇ ସହିଯିବୁ ? ନା, ଜାତୀୟ ପତାକାର ଅସମ୍ମାନ ବରଦାସ୍ତ କରି ହେବନି । ଜଣେ ଉଗ୍ରପନ୍ଥୀ କିଏ କହିଲା–ଏଇ ଖଦଡ଼ଧାରୀ ମାନେ ହେଉଛନ୍ତି ଦେଶର ଆଜି ଶତ୍ରୁ; କିନ୍ତୁ ଆଉ କେତେକ ଯେଉଁମାନେ ଧନୁର୍ଦ୍ଧରବାବୁଙ୍କୁ ଏ ଯାବତ୍ ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ଦେଇ ଆସିଛନ୍ତି ସେମାନେ କହିଲେ–ହଠାତ୍ ଏମିତି କ’ଣ ହେଲା ? ଧନୁର୍ଦ୍ଧରବାବୁ କ’ଣ ପାଗଳ ହୋଇଗଲେ ?

 

ପ୍ରକୃତ ଘଟଣା ସେଦିନ ଜଣା ପଡ଼ି ନ ଥିଲା । ଜଣା ପଡ଼ିଲା ପରେ....

 

ଅଶୋଭନୀୟ ଘଟଣା ଖବର କାଗଜରେ ବାହାରିବା ପରେ ତାଙ୍କୁ ନିନ୍ଦାକରି ଅନେକ ବିବୃତ୍ତି ଖବର କାଗଜରେ ପ୍ରକାଶ ପାଇଲା । ସାରା ଦେଶଟା ଯେମିତି ତାଙ୍କ ବିରୁଦ୍ଧରେ ବିଷୋଦ୍‌ଗାର ଆରମ୍ଭ କରିଦେଲା । ମୁଁ ବି ଏ ପ୍ରକାର ବିବୃତିରେ କମ୍ ବିବ୍ରତ, ବିଚଳିତ ହୋଇ ପଡ଼ି ନଥିଲି । ସଂଗ୍ରାମୀ ପେନ୍‌ସନର ତୀବ୍ର ବିରୋଧ କରି କହିଥିଲେ–ଯେଉଁ ବିଚାରରେ ଏ ପେନ୍‌ସନ ଦିଆଯାଉଛି ତାହା ଦେଶ ସେବକର ସମ୍ମାନ ତ ବଢ଼େଇ ନାହିଁ, ଅଧିକନ୍ତୁ ଦେଶସେବକର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବ । ଆଜି ଯେମିତି ରାଜନୈତିକ ନେତାମାନେ ନିର୍ବାଚନ ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି ସେମିତି ଆମର ମୁଖ୍ୟ ସଂଗ୍ରାମୀ ନେତା ସ୍ଵାଧୀନତା ଆନ୍ଦୋଳନ ବେଳେ ଯଦି ଏମିତି ଏକ ପେନ୍‌ସନର ପ୍ରତିଶ୍ରୁତି ଦେଇଥାନ୍ତେ ତା’ହେଲେ ଆଗାମୀ ଅର୍ଥଲାଭର ସୁନେଲି ସ୍ୱପ୍ନରେ ଆହୁରି ଅନେକ ଦେଶସେବକର ଖୋଳ ପିନ୍ଧି ବାହାରି ପଡ଼ିଥାନ୍ତେ ମୁକ୍ତି ଆନ୍ଦୋଳନରେ ସାମିଲ ହେବା ପାଇଁ ।

 

ଧନୁର୍ଦ୍ଧରବାବୁଙ୍କର ଏ ପ୍ରକାର ବିକୃତିରେ ତାଙ୍କର ସହକର୍ମୀଗଣ ଯେଉଁମାନେ ତାଙ୍କ ସହ ହାତ ମିଳାଇ ଅସହଯୋଗ ଆନ୍ଦୋଳନରେ କାରାବରଣ କରିଥିଲେ ସେଇମାନେ ହିଁ ତାଙ୍କର ପ୍ରଧାନ ବିରୋଧୀ ହୋଇ ଦେଖାଦେଲେ । କାରଣ ପେନ୍‌ସନରୂପେ ତାଙ୍କ ପାଇଁ ଯେଉଁ ସ୍ଥାୟୀ ଉତ୍ତାର ବ୍ୟବସ୍ଥା ହେବାକୁ ଯାଉଛି ଏ ମହାପାତ୍ରେ ତ ତା’ର ଘୋର ପ୍ରତିବନ୍ଧକ, ଶତ୍ରୁ; କିନ୍ତୁ ସେମାନଙ୍କର ଯେ ଟଙ୍କା ଦରକାର ! ଦେଶକୁ ପରା ସେମାନେ ସ୍ୱାଧୀନ କରିଛନ୍ତି ଦେଶ ପାଣ୍ଠିରୁ ଖାଇବାକୁ, ସେମାନେ ପ୍ରଥମ ହକ୍‌ଦାର ହେବେନି ତ ଆଉ କିଏ ହେବ ?

 

ଭତ୍ତା ପ୍ରଚଳିତ ହେବା ସଙ୍ଗେ ସଙ୍ଗେ ଧନୁର୍ଦ୍ଧରବାବୁ ଦେଖିଲେ ତାଙ୍କ ସହକର୍ମୀଗଣ ଯାଇ ଜେଲରେ ଲାଇନ ଦେଲେଣି, ଲାଞ୍ଚ ଯାଚିଲେଣି ଜେଲ୍ ସାର୍ଟିଫିକେଟ ପାଇଁ । ପରାଧୀନ ଭାରତରେ ଦେଶପ୍ରୀତିର ପରିଚୟ ଦେବାପାଇଁ ଯେଉଁ ସଂଗ୍ରାମୀମାନେ ହସି ହସି ଜେଲ ବରଣ କରିଥିଲେ ସ୍ୱାଧୀନ ଭାରତରେ ସେ ଜେଲରୁ ସେମାନେ ଜେଲ ଯିବାର ସ୍ୱୀକୃତି ପାଉ ନାହାନ୍ତି ବିନା ଲାଞ୍ଚରେ । ଭାଗ୍ୟର କି ବିଡ଼ମ୍ବନା ସତେ ! ଆଉ ଯେ ପ୍ରିଜିନର ସାର୍ଟିଫିକେଟ ? ସେ ଦୁଃଖ ତ ଆହୁରି ଦୁର୍ବିସହ । ତାଙ୍କରି ସାଙ୍ଗରେ କାରାବରଣ କରି ଆଜି ଯେଉଁମାନେ ନେତା, ଦେଶର କର୍ଣ୍ଣଧାର ସେମାନଙ୍କ ପାଖରେ ଆଜି ଗୋଡ଼ ଭାଙ୍ଗି ସାର୍ଟିଫିକେଟ ପାଇଁ ଅନୁନୟ ବିନୟ କରିବାକୁ ପଡ଼ୁଛି ହେଲେ ସେମାନେ ବି ଆଡ଼ଆଖିରେ ଚାହୁଁନାହାନ୍ତି–ନ ଚିହ୍ନିବାର ଛଳନା କରୁଛନ୍ତି । ସାର୍ଟିଫିକେଟ୍ ଦେବେ କ’ଣ ?

 

ଏ ପ୍ରକାର ଘଟଣା ସବୁ ଯେତେବେଳେ ଧନୁର୍ଦ୍ଧରବାବୁଙ୍କ କାନକୁ ଆସେ ସେ ଦୁଃଖ କରନ୍ତି । ସ୍ୱାଧୀନତା ସଂଗ୍ରାମରେ ସେମାନେ ଝାସ ଦେଇଥିଲେ ଦେଶର ମୁକ୍ତି ପାଇଁ, ଅର୍ଥ ଲାଭର ଆଶାରେ ନୁହେଁ । ବର୍ତ୍ତମାନ ସେମାନଙ୍କର ଅର୍ଥଲୋଭଜନିତ ଏ ପ୍ରକାର ଦୟନୀୟ ଅବସ୍ଥା ଦେଖି ମହାପାତ୍ରେ ଖାଲି ଦୁଃଖ କରନ୍ତି । ସେ କିନ୍ତୁ ତାଙ୍କ ନିଜ ମତରେ ଦୃଢ଼ ରହି ସ୍ୱାଧୀନତା ସଂଗ୍ରାମୀ ଭତ୍ତାକୁ ବର୍ଜନ କଲେ, ଆଉ ବର୍ତ୍ତମାନର ଯୁବସଂପ୍ରଦାୟଙ୍କ ଆଖିରେ ସେ ସଚ୍ଚା ଆଦର୍ଶସ୍ଥାନୀୟ ଗାନ୍ଧୀବାଦୀ ନିଃସ୍ୱାର୍ଥପର ସ୍ୱାଧୀନତା ସଂଗ୍ରାମୀ ।

 

ଏ ଭଳି ଏକ ନ୍ୟାୟନିଷ୍ଠ, ଦୃଢ଼ ମତବାଦୀ ମହାନ ବ୍ୟକ୍ତି ସେଦିନ କାହିଁକି ଯେ ତ୍ରିରଙ୍ଗ ପତାକା ଉତ୍ତୋଳନ କଲାପରେ ପାଗଳଙ୍କ ପରି ଧାଇଁବାକୁ ଲାଗିଲେ ତାହା ଏକ ରହସ୍ୟ ହୋଇ ରହିଗଲା ଜନତାଙ୍କ ଆଖିରେ ।

 

ଆହୁରି ଏକ ଘଟଣା ମନେପଡ଼େ ଧନୁର୍ଦ୍ଧର ମହାପାତ୍ରଙ୍କୁ ନେଇ । ଜନଗଣନା କାର୍ଯ୍ୟକ୍ରମ ଆରମ୍ଭ ହେବାପୂର୍ବରୁ ସେ ଜନଗଣନା ନିର୍ଦ୍ଦେଶକଙ୍କ ପାଖକୁ ଲେଖିଥିଲେ ଏଇ ମର୍ମରେ ଯେ, ଜନଗଣନା ରିପୋର୍ଟରେ ଯେମିତି ଦେଶର ଲୋକସଂଖ୍ୟା ଓ ତତ୍‌ସଙ୍ଗେ ସଙ୍ଗେ ନାରୀ ପୁରୁଷ, ସ୍ଵାକ୍ଷର, ନିରକ୍ଷର, ପଙ୍ଗୁ ଅଥର୍ବ ଆଦିଙ୍କ ସଂଖ୍ୟା ପ୍ରକାଶ କରାଯାଏ ଠିକ୍ ସେଇପରି ରିପୋର୍ଟରେ ଦେଶର ସଚ୍ଚା ସ୍ୱାଧୀନତା ସଂଗ୍ରାମୀଙ୍କ ସଂଖ୍ୟା ଏବଂ ତାଙ୍କ ନାମ ଏକ ସ୍ୱତନ୍ତ୍ର ଚାପ୍‌ଟରରେ ପ୍ରକାଶ ପାଉ । ଦେଶର ପ୍ରକୃତ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଦେଶ ଜାଣୁ, ଚିହ୍ନୁ ।

 

ଆଶା କରିଥିଲେ ଯେ, ତାଙ୍କପରି ଜଣେ ସଚ୍ଚୋଟ ଗାନ୍ଧୀବାଦୀଙ୍କ ପରାମର୍ଶକୁ ଜନଗଣନା ନିର୍ଦ୍ଦେଶକ ନିଶ୍ଚୟ ସମ୍ମାନ ଦେଖାଇବେ; କିନ୍ତୁ ନା, ତାହା ନିଷ୍ଫଳ ହେଲା । ଜନଗଣନା ରିପୋର୍ଟ ବାହାରିବା ପରେ ସେ ତନ୍ନ ତନ୍ନ କରି ରିପୋର୍ଟର ପ୍ରତ୍ୟେକ ପୃଷ୍ଠାରେ ଆଖି ବୁଲେଇ ନେଲେ; କିନ୍ତୁ ତାଙ୍କ ପରାମର୍ଶ କାର୍ଯ୍ୟକାରୀ ହୋଇ ନ ଥିଲା । ସରକାର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ପେନ୍‌ସନ ଦେଇ ସେମାନଙ୍କ ମୁହଁ ବନ୍ଦ କରି ଦେଇଛନ୍ତି, ସେମାନଙ୍କ କଥାର କୌଣସି ମୂଲ୍ୟ ନାହିଁ ସରକାରଙ୍କ ପାଖରେ ।

 

ବିପ୍ଳବୀ ଧନୁର୍ଦ୍ଧରଙ୍କ ଅବଚେତନ ମନ ସେତେବେଳେ ବିଦ୍ରୋହ କରି ଉଠିଥିଲା । ସେ ଜଣେ ମନ୍ତ୍ରୀ କି ଏମ୍.ଏଲ.ଏ ହୋଇଥିଲେ ଜନଗଣନା ନିର୍ଦ୍ଦେଶକ କ’ଣ ତାଙ୍କ କଥାକୁ ଏପରି ବେଖାତିର କରି ପାରିଥାନ୍ତେ ? ତାଙ୍କର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ପାରିଥାନ୍ତେ ? ସେଦିନ ସେ ବୁଝିଲେ ମନ୍ତ୍ରୀ, ସେଠାରେ ଏମ: ଏଲ: ଏ: ବା ଦଳୀୟ ଉଚ୍ଚପଦ ଧାରଣ ବିନା ସ୍ୱାଧୀନତା ସଂଗ୍ରାମୀର କୌଣସି ମୂଲ୍ୟ ନାହିଁ ଏହି ସ୍ଵାଧୀନ ଭାରତରେ ।

 

ଆଖିରୁ ଲୁହ ପୋଛିଲେ । ସ୍ଵାଧୀନ ଭାରତରେ ସଚ୍ଚା ସ୍ଵାଧୀନତା ସଂଗ୍ରାମୀ ଆଜି ଅସହାୟ, କିଂକର୍ତ୍ତବ୍ୟବିମୂଢ଼ । ଦେଶରେ ଯେତେ ଅରାଜକତା, ଅନ୍ୟାୟ, ଅତ୍ୟାଚାର, ଶୋଷଣ, ହିଂସା, କଳାବଜାରୀ, ମୁନାଫାଖୋରୀ ଚାଲିଲେ ବି ସ୍ଵାଧୀନତା ସଂଗ୍ରାମୀମାନେ ପାଟି ଫିଟାଇ ପାରିବେନି; କାରଣ ସେମାନଙ୍କ ମୁହଁରେ ଭତ୍ତାରୂପକ ତୁଣ୍ଡି ।

 

ସେଇଦିନଠାରୁ ଅସହଯୋଗ ଆନ୍ଦୋଳନର ଲଢ଼ୁଆ ସୈନିକ ଧନୁର୍ଦ୍ଧର ମହାପାତ୍ର ହେଲେ ସରକାର ବିରୋଧୀ ଆଉ ତା’ ସହିତ ସ୍ୱାଧୀନତା ସଂଗ୍ରାମୀମାନଙ୍କର ବି ବିରୋଧୀ । ଥରେ ସେ ତାଙ୍କର କାରାଗାର ବନ୍ଧୁ ଓ ବର୍ତ୍ତମାନର ମନ୍ତ୍ରୀଙ୍କୁ ଦେଶର ବର୍ତ୍ତମାନର ଦୁର୍ଗତି ଓ ଦରଦାମ ବୃଦ୍ଧିର ପ୍ରତିକାର ନେଇ ଲେଖିଥିଲେ; ମାତ୍ର ଉତ୍ତର ଯାହା ପାଇଲେ ସେଥିରେ ପ୍ରତିବାଦ କରିବାର ଆଉ ବୟସ ତାଙ୍କର ନ ଥିଲା କି ବଳ ବି ନ ଥିଲା । ଉତ୍ତର ମିଳିଥିଲା–‘‘ସ୍ଵାଧୀନତା ସଂଗ୍ରାମୀମାନେ ଧର୍ମଯାଜକ ନୁହନ୍ତି ଯେଉଁମାନେ ଖାଲି ନୀତି କଥା ବଖାଣି ଚାଲିଥିବେ । ବାସ୍ତବ ଅବସ୍ଥା ଆଡ଼େ ଆଖିବୁଜି ଖାଲି ନୀତି–ନିୟମ ଶୃଙ୍ଖଳାର କଥା କହିଲେ ସ୍ୱୟଂ ଭଗବାନ ବି ଏ ଦେଶକୁ ଶାସନ କରି ପାରିବେ ନାହିଁ । ଦଳୀୟ ରାଜନୀତିରେ କେତେ କଥାକୁ ପ୍ରଶୟ ଦେବାକୁ ହୁଏ, ଦଳ ଥିଲେ ସିନା ଶାସନ ଚାଲିବ । ତା’ଛଡ଼ା ଦଳକୁ ତ ପୁଣି ବଞ୍ଚେଇବାକୁ ହେବ । ନ ହେଲେ ରାଜନୀତି ଚାଲିବ କେମିତି ?’’

 

ଧନୁର୍ଦ୍ଧର ମହାପାତ୍ର ଭାବୁଥିଲେ–

 

ଏଇ ତା’ହେଲେ ଦଳୀୟ ରାଜନୀତି ଏ ଦେଶର !

 

ଏଇ ତା’ହେଲେ ଗାନ୍ଧିଜୀଙ୍କର ରାମରାଜ୍ୟର ସ୍ୱପ୍ନ !!

 

ଏଇ ତା’ହେଲେ ସୁନାର ଭାରତର ପ୍ରଗତିର ଖସଡ଼ା !!!

 

ଅସହାୟ ଭାବେ ଉର୍ଦ୍ଧ୍ୱକୁ ଚାହିଁ ସେ ଗାନ୍ଧିଜୀଙ୍କ ଆଡ଼େ ହାତ ଯୋଡ଼ିଲେ । କହିଲେ–ବାପୁ ! ନାଥୁରାମ ଆପଣଙ୍କୁ ବହୁ ଆଗରୁ ମାରି ଦେଇ ଆପଣଙ୍କର ମଙ୍ଗଳ କରିଛି । ଆପଣ ଯଦି ଏବେ ବଞ୍ଚିଥାନ୍ତେ ତା’ହେଲେ ବର୍ତ୍ତମାନର ଭାରତ ଦଶା ଦେଖି ଜୀବନ୍ତ ଦଗ୍‌ଧ ହେଉଥାନ୍ତେ ନଚେତ୍‌ ଦେଶରେ କଥିତ ପ୍ରଗତିର ଯେଉଁ ରଥ ଚାଲୁଛି ତା’ରି ଚକ ତଳେ ଚାପି ହୋଇ ଯାଇଥାନ୍ତେ, ମୁଁ ଆଜି ଯେମିତି ଚାପି ହୋଇ ଯାଉଛି ।

 

ସେଇ ଦିନଠାରୁ ସେ ସ୍ଥିର କଲେ–ନା ସେ ଆଉ କୌଣସି କଥାରେ ମୁଣ୍ଡ ପୂରେଇବେ ନାହିଁ, ଦେଶ ସ୍ଵର୍ଗକୁ ଯାଉ ବା ନର୍କରେ ପଡ଼ୁ । ଆତ୍ମାର ଶାନ୍ତି ପାଇଁ, ମନର ଏକଗ୍ରତା ପାଇଁ ସେ ଅଳନ୍ଧୁ ଲାଗିଥିବା ଅରଟଟିକୁ ସଙ୍ଘାରୁ କାଢ଼ି ସଫାକଲେ ଓ ସୂତା କାଟିବା ଆରମ୍ଭ କରିଦେଲେ । କୌଣସି ରାଜନୈତିକ ନେତା, ସେମାନଙ୍କ ଚାମଚା ବା କର୍ମୀଙ୍କୁ ତାଙ୍କ ଘରକୁ ନ ଆସିବା ପାଇଁ ରୋକ୍ ଠୋକ୍ କହିଦେଲେ । ସେମାନଙ୍କର ଉପସ୍ଥିତି ସେ ସହି ପାରୁ ନ ଥିଲେ ।

 

ଏମିତି କିଛି ବର୍ଷ କଟିଗଲା । ସେଦିନ ହୋଇଥାଏ ଅଗଷ୍ଟ ୧୦ ତାରିଖ । ହଠାତ୍ ଦିନେ ଦଳେ ଲୋକ ଆସି ତାଙ୍କ ସମ୍ମୁଖରେ କରପତ୍ର ଯୋଡ଼ି ଛିଡ଼ା ହେଲେ । ମୁକ୍ତି ଯଜ୍ଞରତ ଧନୁର୍ଦ୍ଧର ମହାପାତ୍ର ଚାହିଁ ଦେଖିଲେ, ଜଣକୁ ଛାଡ଼ିଦେଲେ ଆଉ ସମସ୍ତଙ୍କ ମୁହଁ ନୂଆ । ଚିହ୍ନା ଜଣଙ୍କ କହିଲେ–ଭାଇ ଧନୁର୍ଦ୍ଧର ବହୁ ଆଶା ନେଇ ଆମେ ତମ ପାଖକୁ ଆସିଛୁ ।

 

‘ମୋ’ ପାଖକୁ ଆଶା ନେଇ ଆସିଛ ?’ ଆଶ୍ଚର୍ଯ୍ୟାନ୍ୱିତ ହୋଇ ପଚାରିଲେ–‘ମୁଁ ତମର କି ଆଶା ବା ପୂରଣ କରିପାରିବି ? ବରଂ ତମେ କେଉଁ ମନ୍ତ୍ରୀ କି ଏମ. ଏଲ୍‌. ଏ. ଙ୍କୁ ଯାଇ କୁହ, ସେ ହୁଏତ କିଛି କରିପାରନ୍ତି । ବର୍ତ୍ତମାନ ରାଜତ୍ୱରେ ଧନୁର୍ଦ୍ଧର ମହାପାତ୍ରର ବା କ’ଣ ମୂଲ୍ୟ ଅଛି ?

 

ଏ ଦେଶର ନାଗରିକମାନେ କିନ୍ତୁ ନିମକ ହାରାମ ନୁହଁନ୍ତି, ଭାଇ, ସେମାନେ ଆଜି ମଧ୍ୟ ଯୋଗ୍ୟ ବ୍ୟକ୍ତିଙ୍କୁ ସମ୍ମାନ ଦେବାକୁ କୁଣ୍ଠାବୋଧ କରନ୍ତି ନାହିଁ ।

 

ଧନୁର୍ଦ୍ଧର ମହାପାତ୍ରେ ଅବାକ୍ ହୋଇ ସେଇ ଲୋକଙ୍କ ଆଡ଼େ ଚାହିଁଲେ ।

 

ଜଣେ କହିଲେ–ଆଜ୍ଞା, ଏଇ ସହରର ନାଗରିକ ପରିଷଦ ଏ ବର୍ଷ ସ୍ଵାଧୀନତା ଦିବସ ପାଳନ କରୁଛି । ପରିଷଦ ଠିକ୍ କରିଛି କୌଣସି ମନ୍ତ୍ରୀଙ୍କୁ ଏ ଉତ୍ସବକୁ ନିମନ୍ତ୍ରଣ କରାଯିବନି । ସଚ୍ଚୋଟ’ ନିରହଂକାରୀ ଜଣେ ଗାନ୍ଧୀବାଦୀ ଦେଶ ସେବକଙ୍କ ଦ୍ଵାରା ପବିତ୍ର ଜାତୀୟ ପତାକା ଉତ୍ତୋଳନ କରାଯିବ ।

 

ଆଉ ଜଣେ କହିଲେ–ଏ ବର୍ଷର ସ୍ଵାଧୀନତା ଦିବସରେ ଆପଣ ହେବେ ଆମର ମୁଖ୍ୟ ଅତିଥି, ଆଉ ଆମର ପବିତ୍ର ତିରଙ୍ଗ ପତାକା ଉତ୍ତୋଳିତ ହେବ ଆପଣଙ୍କ ହାତରେ ।

 

ବାଣରେ ନିଆଁ ଲଗାଇ ଦେଲେ ହଠାତ୍ ଯେମିତି ଫୁଟିଉଠେ ଧନୁର୍ଦ୍ଧରବାବୁ ଠିକ୍ ସେମିତି ଫାଟି ପଡ଼ିଲେ । କହିଲେ–ବନ୍ଦକର, ବନ୍ଦକର । ଏ ସ୍ଵାଧୀନତା ଦିବସ ପାଳନ ପ୍ରହସନ ସେତିକି ଥାଉ । ସ୍ଵାଧୀନତା ଦିବସ ପାଳନ ନାଁଆରେ ସାରା ଦେଶରେ ଯେଉଁ ପ୍ରହସନ ଚାଲିଛି, ଯେଉଁ ପ୍ରକାର ଲୁଟ୍ ତରାଜ ଚାଲିଛି ତାହା କ’ଣ ଆମ ଆଖିକୁ ଦିଶୁନି ? ନା, ମୁଁ ସେ ପ୍ରକାର ପ୍ରହସନରେ ଆଦୌ ଯୋଗ ଦେଇ ପାରିବି ନାହିଁ ।

 

ଜଣେ ବିନୟ ଭଙ୍ଗିରେ କହିଲେ–ଆଜ୍ଞା, ଆମକୁ ହତାଶ କରନ୍ତୁ ନାହିଁ । ଏ ଦେଶ ଆଜି ଅପବିତ୍ର ହୋଇପାରେ । ଲୋକେ ଚୋର ଡକାୟତଙ୍କ ପରି ଲୁଟ୍ କରିପାରନ୍ତି, କିନ୍ତୁ ଏ ଦିବସଟା ତ ସତ୍ୟ, ପବିତ୍ର ଆପଣମାନଙ୍କ ସ୍ୱପ୍ନ ଏଇ ଦିବସରେ ହିଁ ତ ସଫଳ ହୋଇଥିଲା ।

 

‘କିନ୍ତୁ ଆମର ସ୍ୱପ୍ନ ଆଦୌ ଏହା ନ ଥିଲା’

 

‘ଆପଣଙ୍କ ସ୍ୱପ୍ନକୁ ସତ୍ୟରେ ପରିଣତ କରିବାକୁ ହେବ’

 

‘ସତ୍ୟରେ ପରିଣତ...କିଏ ? କିଏ କରିବ ?

 

“ଆମେ.....ଆମେ ସବୁ କରିବୁ । ଆପଣଙ୍କ ସ୍ୱପ୍ନକୁ ଆମେ ସଫଳ କରିବୁ । ଜାତୀୟ ପତାକା ତଳେ ଆମେ ରକ୍ତ ଶପଥ ନେବୁ, ଆମେ ସଂଗ୍ରାମୀ ଶପଥ ନେବୁ ।

 

ଧନୁର୍ଦ୍ଧର ମହାପାତ୍ର ସମସ୍ତଙ୍କ ମୁଁହକୁ ଚାହିଁଲେ । ସମସ୍ତେ ଯୁବକ ଯୌବନର ତେଜରେ ଉଦ୍ଦୀପ୍ତ.....ଆଖିରେ, ମୁହଁରେ ଦୃଢ଼ତାର ଏକ ସ୍ପଷ୍ଟ ଛାପ । କ’ଣ ଭାବିଲେ କେଜାଣି, ତାଙ୍କର ସମ୍ମତି ଦେଲେ ।

 

ଅଗଷ୍ଟ ପନ୍ଦର ପ୍ରଭାତ । ଧନୁର୍ଦ୍ଧର ମହାପାତ୍ର ନିଜର ନିତ୍ୟକର୍ମ ସାରି ନିଜ ହାତକଟା ସୂତାର ଖଦୀ ପରିଧାନ କରି ଚଦର କାନ୍ଧରେ ପକାଇ ଶୁଦ୍ଧପୂତ ଚିତ୍ତରେ ସଭାସ୍ଥଳ ଆଡ଼େ ଅଗ୍ରସର ହେଲେ । ଆଜି ସତେ ଯେମିତି ସେ କୁଳ ପୁରୋଧା ଭାବି ତ୍ରିରଙ୍ଗ ପତାକା ଉତ୍ତୋଳନ କରିବାକୁ ଯାଉଛନ୍ତି । କି ଆବେଗ, କି ସ୍ୱପ, କି ଶିହରଣ ତାଙ୍କ ମନରେ ! ତାଙ୍କର ମନେହେଉଛି ଦୀର୍ଘ କାରାବରଣ, ଅଶେଷ ନିର୍ଯ୍ୟାତନା ପରେ ଆଜି ଯେମିତି ଦେଶର ପ୍ରଥମ ସ୍ଵାଧୀନତା ଦିବସ ପାଳନ ହେବାକୁ ଯାଉଛି ।

 

ସଭାମଞ୍ଚରେ ପହଞ୍ଚିବା କ୍ଷଣି ସମବେତ ଜନତାଙ୍କର ସ୍ଲୋଗାନ ସ୍ଵାଧୀନ ଭାରତ କି ଜୟ, ମହାତ୍ମା ଗାନ୍ଧୀ କି ଜୟ, ଧନୁର୍ଦ୍ଧର ମହାପାତ୍ର କି ଜୟ, ଧ୍ଵନିରେ ତାଙ୍କ କର୍ଣ୍ଣଗହର ପ୍ରକମ୍ପିତ ହେବାକୁ ଲାଗିଲା । ତାଙ୍କର ମନେହେଲା–ଏତେ ଦିନକେ ଲୋକମାନେ ସ୍ଵାଧୀନ ଭାରତକୁ ବୁଝିଛନ୍ତି, ମହାତ୍ମା ଗାନ୍ଧୀଙ୍କୁ ବୁଝିଛନ୍ତି, ଧନୁର୍ଦ୍ଧର ମହାପାତ୍ରଙ୍କୁ ବୁଝିଛନ୍ତି, ମନ୍ତ୍ରୀ ନ ବୁଝିଲେ ନାହିଁ, ସେନ୍‌ସସ୍‌ ଡାଇରେକ୍ଟର ନ ବୁଝିଲେ ନାହିଁ ।

 

ହର୍ଷ ପୁଲକିତ ଚିତ୍ତରେ ସହସ୍ର ଜନତାର ଜୟଧ୍ଵନୀ ମଧ୍ୟରେ ସେ ପତାକା ସ୍ତମ୍ଭ ଆଡ଼େ ପାଦ ବଢ଼େଇଲେ । ତାଙ୍କର ହାତରେ ସ୍ୱାଧୀନ ଭାରତର ମୁକ୍ତ ନିଶାଣ ଆଜି ଉଡ଼ିବ ସତ୍ୟ, ଶାନ୍ତି, ମୈତ୍ରୀର ଜୟଗାନ କରି ।

 

ବହୁବାର ଏମ.ଏଲ୍.ଏ. ଓ କିଛି ବର୍ଷ ମନ୍ତ୍ରୀ ରହି ସଦ୍ୟ ରାଜନୀତିରୁ ଅବସର ନେଇଥିବା ପଟ୍ଟନାୟକବାବୁ ତାଙ୍କୁ ପାଛୋଟି ନେଉ ନେଉ କହିଲେ–ଦଳୀୟ ରାଜନୀତିରୁ ଅବସର ନେବାପରେ ଯାଇ ଆଜି ମୁଁ ମୋ’ ଦେଶକୁ ଚିହ୍ନିପାରିଛି, ମୋ’ ଦେଶର ଜନସାଧାରଣଙ୍କୁ ବୁଝିପାରିଛି, ମୋ’ ଜାତୀୟ ପତାକାକୁ ଠିକ୍ ରୂପେ ଚିହ୍ନିପାରିଛି, ଦେଶର ଜାତୀୟ ପତାକା ଆପଣଙ୍କ ପରି ସଚ୍ଚା ଦେଶପ୍ରେମୀ, ଦେଶ ଭକ୍ତର ଅକଳୁଷ ହାତରେ ହିଁ ଉତ୍ତୋଳିତ ହେବା ଉଚିତ-। ଏହି ପବିତ୍ର କାର୍ଯ୍ୟଟି ଏବେ ସମ୍ପାଦନ କରନ୍ତୁ ।

 

ଧନୁର୍ଦ୍ଧର ବାବୁ ପତାକାର ରଜୁକୁ ଟାଣିବା ବେଳେ ଆକାଶ ମାର୍ଗରୁ ପୁଷ୍ପବୃଷ୍ଟି ହେଲାପରି ପତାକାସ୍ଥିତ ପୁଷ୍ପସବୁ ଝରି ପଡ଼ିଲା । ଜୟ ଜୟ ଧ୍ୱନୀରେ ସଭାମଞ୍ଚ ପ୍ରକମ୍ପିତ ହେଲା । ପତାକା ଆଡ଼େ ଚାହିଁ ହାତଯୋଡ଼ି ପ୍ରଣାମ କରୁ କରୁ ଧନୁର୍ଦ୍ଧର ବାବୁ ଦେଖିଲେ–ଉପରକୁ...ଯେପରି ମୁଣ୍ଡରେ ତାଙ୍କର ବଜ୍ରପାତ ହେଲା । କ’ଣ ସେ ଦେଖୁଛନ୍ତି ଉପରେ ? ଆଖିକୁ ବିଶ୍ୱାସ ହେଲା ନାହିଁ-। ଆଖି ମଳି ପୁଣି ଥରେ ଚାହିଁ ଦେଖିଲେ...ପତାକାଟା ଓଲଟା ବନ୍ଧା ଯାଇଛି । ବନ୍ଧା ନ ହେବ ବା କାହିଁକି ? ଦେଶର ନୀତି–ନିୟମ, ଶାସନ ଶୃଙ୍ଖଳା ସବୁ ତ ଚାଲିଛି ଠିକ୍ ଏଇ ଓଲଟା ରୀତିରେ ଓ ସର୍ବୋପରି ଏ ଦେଶଟା ବି ତ ଓଲଟି ଯିବାକୁ ବସିଲାଣି । ପତାକାଟା ଓଲଟା ବନ୍ଧାଯିବାରେ ବିଚିତ୍ରତା ବା କ’ଣ ?

 

ଜାତୀୟ ପତାକାର ଏ ଭଳି ଅବମାନନାରେ ବ୍ୟଥିତ, ଜର୍ଜ୍ଜରିତ ଧନୁର୍ଦ୍ଧର ବାବୁ ଆଉ ନିଜକୁ ସ୍ଥିର ରଖି ପାରି ନ ଥିଲେ । ସେ ସଭାସ୍ଥଳରୁ ପାଗଳଙ୍କ ପରି ଧାଇଁବା ଆରମ୍ଭ କରିଦେଇଥିଲେ...

Image

 

Unknown

ପରିଗ୍ରାହକ

 

“ମୁଁ ଅନେକ କିଛି ପାଇଛି ଓ ଅନେକ କିଛି ଦେଇଛି । କିନ୍ତୁ ଏଇ ପାଇବା ଓ ଦେବା ଭିତରେ ଆହୁରି କିଛି ରହିଗଲା ଯାହା ପାଇବାକୁ ଥାଇ ବି ପାଇ ପାରିନାହିଁ ଓ ଦେବାକୁ ଥାଇ ବି ଦେଇ ପାରିନାହିଁ ।’’

 

ଏକଦା ମୋର ଅତି ପ୍ରିୟ ବନ୍ଧୁ ଓ ବର୍ତ୍ତମାନର ଜଣେ ପ୍ରତିପତ୍ତିଶାଳୀ ମନ୍ତ୍ରୀ ରାମହରି ସାମନ୍ତରାୟଙ୍କ ମୁହଁରୁ ମୁଁ ଏକଥା ଶୁଣି ଆଶ୍ଚର୍ଯ୍ୟ ହେଲି । ରାମହରି ଜଣେ ଗଣ୍ୟମାନ୍ୟ ରାଜନୈତିକ ନେତା, ଜୀବନର ସବୁ କ୍ଷେତ୍ରରେ ସେ ସଫଳତା ଅର୍ଜିଛି ତା’ ନିଜ ଗୁଣରେ । ତା’ ଜୀବନକୁ ଯେ ନୈରାଶ୍ୟ ବା ଅନୁଶୋଚନା ସ୍ପର୍ଶ କରିପାରେ ଏ କଥା କଳ୍ପନା ବି କରାଯାଇପାରେନା; ଅଥଚ ସେ ଆଜି ଏତେ ବିମର୍ଷ କାହିଁକି ? କି ଯେ ଦୁର୍ଘଟଣା ଘଟିଲା ତା’ ଜୀବନରେ ?

 

ରାମହରି ମୋର ବନ୍ଧୁ; କିନ୍ତୁ ଏଇ ପରିଚୟ ମୁଁ କେଉଁଠି କାହା ପାଖରେ କେବେ ଦେଇନାହିଁ କି କୌଣସି କାର୍ଯ୍ୟରେ ବି ତା’ ପାଖକୁ ଯାଇନାହିଁ ହୋଇପାରେ ଭୟରେ, ହୋଇପାରେ ସଂକୋଚରେ, କାରଣ ତା’ରି ବିଭାଗରେ କାର୍ଯ୍ୟ କରୁଥିବା ଏକ ଅଧସ୍ତନ କର୍ମଚାରୀ ମୁଁ । ମୁଁ ଯେ ଦିନେ ତା’ର ଅତିପ୍ରିୟ ବନ୍ଧୁ ଥିଲି ଏକଥା ହୁଏତ ସେ ଭୁଲିଯାଇଥିବ । ଯେଉଁ ସ୍ମୃତି ମଣିଷକୁ ସ୍ୱପ୍ନ ବିଭୋର କରେ ଅଥବା ଯେଉଁ ସ୍ମୃତି ମଣିଷକୁ ଜଳାଇ ମାରେ ସେହିପରି ସ୍ମୃତି ହିଁ କେବଳ ମଣିଷ ମନ ପଟ୍ଟରେ କେବଳ ଅଲିଭା ହୋଇ ରହିଯାଏ । ଆମର ସେମିତି ଏକ ସ୍ମୃତି ନ ଥିଲା ଯାହା ପାଇଁ ମୁଁ ରାମହରି ମନରେ ରହିପାରିଥିବ । ତା’ ଛଡ଼ା ବ୍ୟସ୍ତ ରାଜନୈତିକ ଜୀବନରେ ବାଲ୍ୟ ସ୍ମୃତି ସବୁ ନିଷ୍ପ୍ରଭ ହୋଇ ଯାଇଥିବ ତା’ ମନରୁ । ସେଥିପାଇଁ ମୁଁ କେବେ ତା’ ପାଖକୁ ଯାଇନି ମୋର ପରିଚୟ ଦେଇନି ଯଦିଓ ମୋ’ କାର୍ଯ୍ୟରେ ମୁଁ ସବୁପ୍ରକାର ଦକ୍ଷତା, ସଚ୍ଚୋଟତା ଦେଖାଇବି ଏକ ନିଷ୍କାମ ବୁଦ୍ଧ ମୂର୍ତ୍ତିପରି ବସି ରହିଛି ମୋ’ ନିଯୁକ୍ତ ପୋଷ୍ଟରେ ବହୁ ଦିନ ଧରି ଓ ମୋ’ ପଛରେ ଥିବା ବନ୍ଧୁଗଣ ଠିକ୍ ଦାନ ପକାଇ ଲୁଡ଼ୁର ସିଢ଼ିରେ ଉଠିବା ପରି ଉଠି ଚାଲିଛନ୍ତି ଉପରକୁ ଉପରକୁ ।

 

ମୁଁ ଯେଉଁ ବ୍ଲକରେ ଏକ୍‌ସଟେନସନ ଅଫିସର ରୂପେ କାର୍ଯ୍ୟ କରୁଥିଲି ସେଇ ବ୍ଲକକୁ ରାମହରି ଅର୍ଥାତ୍ ବିଭାଗୀୟ ମନ୍ତ୍ରୀ ପରିଦର୍ଶନ କରି ଆସିବେ ବୋଲି ଚାରିଆଡ଼େ ରାଷ୍ଟ୍ର ହୋଇଗଲା । କେବଳ ଏକା ଆମ ଅଫିସର କର୍ମଚାରୀ ନୁହନ୍ତି ସେ ଅଞ୍ଚଳରେ ଅଧିକାଂଶ ନର–ନାରୀଙ୍କ ମନରେ ଆନନ୍ଦର ଢେଉ ଖେଳିଗଲା । ମନ୍ତ୍ରୀଙ୍କୁ କେହି କେବେ ଦେଖି ନ ଥିଲେ; କିନ୍ତୁ ଦକ୍ଷ ସଚ୍ଚୋଟ ମନ୍ତ୍ରୀ ଭାବେ ତା’ର ସୁନାମ ଥିଲା ସାରା ରାଜ୍ୟରେ ରାମହରି ଆସିବା ଖବର ପାଇବାଠୁଁ ମୁଁ ବ୍ୟସ୍ତ ହୋଇ ପଡ଼ିଥିଲି । ତା’ ଠାରୁ ନିଜକୁ କିମିତି ଦୂରେଇ ରଖିବି ତାହା ହିଁ ଥିଲା ମୋର ଚିନ୍ତାର ବିଷୟ । ଏଇମିତି ଏକ ନିର୍ଣ୍ଣୟ ବୁଢ଼ିଆଣୀ ଜାଲ ଭିତରେ ପଡ଼ି ମୁଁ ପଥ ଖୋଜୁଥିବାବେଳେ ବି. ଡ଼ି. ଓ. ସାହେବ ମୋତେ ଡକାଇ ପଠାଇ କହିଲେ–ଅନିରୁଦ୍ଧବାବୁ, ଆପଣ ମନ୍ତ୍ରୀ ରିସେପ୍‌ସନ ଦାୟିତ୍ୱରେ ରହିବେ ।

 

କୌଣସି ମନ୍ତ୍ରୀଙ୍କ ରିସେପ୍‌ସନ୍ ଦାୟିତ୍ଵ ତୁଲାଇବାର ଦକ୍ଷତା ଯେ ମୋର ନ ଥିଲା ତା’ ନୁହେଁ କିନ୍ତୁ; କେବଳ ରାମହରିଠାରୁ ଦୂରେଇ ରହିବାର ଚିନ୍ତା ମୋତେ କହିବାକୁ ବାଧ୍ୟ କରାଇଥିଲା–ସାର୍, ବ୍ଲକ ଚେୟାରମ୍ୟାନ, ଆପଣ ଓ ଆହୁରି କେତେ ମାନ୍ୟଗଣ୍ୟ ବ୍ୟକ୍ତି ଥାଉଁ ଥାଉଁ ମୋ’ ପରି ଜଣେ ଅଧମ ଉପରେ ଏତେ ବଡ଼ ଦାୟିତ୍ୱ ଲଦିଦେବା କ’ଣ ଠିକ୍ ହେବ ?

 

ସେ କହିଲେ–ଦେଖନ୍ତୁ ଅନିରୁଦ୍ଧବାବୁ, ମନ୍ତ୍ରୀ ଆସିଲେ ଏମାନେ ସମସ୍ତେ ନିଜ ସ୍ଵାର୍ଥ ଚିନ୍ତା କରି ବସିବେ । ହୁଏତ ରିସେପ୍‌ସନରେ କିଛି ଗଣ୍ଡଗୋଳ ହୋଇପାରେ । ଏଣୁ ଆପଣଙ୍କୁ ଏ ଦାୟିତ୍ଵ ଦେଉଛି । ପ୍ଲିଜ୍ ମନା କରନ୍ତୁ ନାହିଁ । ବି. ଡ଼ି. ଓ. ସାହେବ ମୋର ଉପରିସ୍ଥ ହାକିମ । ଆଉ ମନା କରି ପାରିଲି ନାହିଁ । ବାଧ୍ୟ ହୋଇ ରିସେପ୍‌ସନ ଦାୟିତ୍ଵ ନେଲି । ସେ ଖାଲି ମନ୍ତ୍ରୀ ନୁହେଁ, ମୋ’ ବାଲ୍ୟ ବନ୍ଧୁ । ସେ ମୋତେ ଚିହ୍ନୁ ବା ନ ଚିହ୍ନୁ...ମୁଁ କିନ୍ତୁ ସତର୍କ ହୋଇ ଉଠିଲି ଆୟୋଜନରେ-

 

ରାମହରି ଆସିଲା–ନିର୍ଦ୍ଧାରିତ ସମୟରେ, ଚିରାଚରିତ ବେଶ ପୋଷାକରେ । ତାକୁ ବି.ଡ଼ି.ଓ., ଚେୟାରମ୍ୟାନ ପାଛୋଟି ଆଣୁଥିଲେ ଆଉ ମୁଁ ତା’ ପାଖେ ପାଖେ ଆସିବାକୁ ସଂକୋଚ କରୁଥିଲେ ବି ଡ଼ି କୋରମ୍ ରକ୍ଷା କରି ଆସୁଥିଲି କିନ୍ତୁ; ତା’ ମୁହଁକୁ ଚାହୁଁ ନ ଥିଲି, ଚାହିଁପାରୁ ନ ଥିଲି ଧରା ପଡ଼ିଯିବା ଭୟରେ । ସେ କିନ୍ତୁ ମତେ ଠିକ୍ ଚିହ୍ନିପାରିଲା ।

 

ଅନିରୁଦ୍ଧ ! ତୁ ଏଠାରେ ?

 

ମୋତେ କିଛି କହିବାକୁ ନ ଦେଇ ବି.ଡ଼ି.ଓ. ସାହେବ କହିଲେ ସେ ଏଠାରେ ଏକ୍‌ସଟେନ୍‌ସନ ଅଫିସର ଅଛନ୍ତି ସାର୍ । ଚେୟାରମ୍ୟାନ ବିନୀତ ଭଙ୍ଗୀରେ କହିଲେ–ସାର୍ ଆପଣ ଅନିରୁଦ୍ଧ ବାବୁଙ୍କୁ ଜାଣନ୍ତି ?

 

ପିଲାଦିନର ଚପଳାମି ମନ୍ତ୍ରୀ ହେବାପରେ ବି ତାର ଯାଇ ନଥିଲା ବୋଧହୁଏ । କହିଲା–ତାକୁ ଚିହ୍ନିବିନି ? ସେ ପରା ମୋର ପିଲାଦିନର ସାଙ୍ଗ । ମୋ’ ଆଡ଼େ ଚାହିଁ କହିଲା–କିରେ ତୋର ମନେ ନାହିଁ ?

 

ମୁଁ ନିର୍ବାକ ହୋଇ ତା’ ଆଡ଼େ ଚାହିଁଲି । ରାମହରି ଆଜି ମନ୍ତ୍ରୀ ସେ ଲୋକପ୍ରତିନିଧି । ସେ ସବୁ କଥା କହି ପାରିବ । କୌଣସି କଥା କହିଲେ ତା’ ପାଇଁ Govt. Servant Conduct Rule ଲାଗୁ ହେବନି । କିନ୍ତୁ ମୁଁ...ତା’ର ଅଧ୍ୟସ୍ତନ କର୍ମଚାରୀ, ମୁଁ କ’ଣ ସ୍ଵାଧୀନ ଭାବେ ନିସଂକୋଚରେ ଓ ସହଜ ଭାବେ ତା’ ସହିତ କଥାବାର୍ତ୍ତା କରି ପାରିବି ? ଜଣେ ମନ୍ତ୍ରୀଙ୍କ ସଙ୍ଗେ କଥାବାର୍ତ୍ତା କରିବାକୁ ଦେଲେ ମାପିଚୁପି କରିବାକୁ ପଡ଼ିବ । କହିଲି–ମନେ ଅଛି ସାର୍ । କିନ୍ତୁ ସେ ସବୁ ତ ପିଲାଦିନର କଥା...

 

‘ସାର୍’–ମନ୍ତ୍ରୀ ବେଶ୍ ସଶବ୍ଦରେ ହସିଲେ । ସମସ୍ତେ ତା’ ମୁହଁକୁ ଚାହିଁ ରହିଛନ୍ତି ।

 

ସେ କହିଲା–ଆରେ ମନ୍ତ୍ରୀ ହେଲି ବୋଲି କ’ଣ ସାଙ୍ଗସାଥୀ, ଆତ୍ମୀୟସ୍ୱଜନ ସମସ୍ତେ ମୋଠୁଁ ଦୂରେଇ ରହିବେ ? ହଉ ହଉ–ଆଗ ମିଟିଂଟା ସରିଯାଉ ।

 

ରାମହରି ଡାୟାସ୍ ଉପରକୁ ଚାଲିଗଲା । ସମସ୍ତେ ମାଡ଼ିଗଲେ ସଭାକାର୍ଯ୍ୟରେ । ମୋ’ ଆଖିରେ ଆନନ୍ଦାଶ୍ରୁ । ଶୁଣିଥିଲି ମନ୍ତ୍ରୀହେଲେ କୁଆଡ଼େ ଆଖି ବଡ଼ ହୋଇଯାଏ । ଚିହ୍ନା ଲୋକଙ୍କ ଚିହ୍ନିପାରନ୍ତିନି । ଚିହ୍ନା ହେଲେ ବି ଚିହ୍ନି ନ ଥିବାର ଛଳନା କରନ୍ତି । କିନ୍ତୁ ରାମହରି ମୋତେ ଚିହ୍ନିପାରିଛି ଏଇଟା ମୋ’ ପକ୍ଷରେ କମ୍ କଥା ନୁହେଁ । ଏତିକିବେଳେ ବି. ଡ଼ି. ଓ. ଆସି ପଚାରିଲେ–ଅନିରୁଦ୍ଧ ବାବୁ ! ଆପଣ ମନ୍ତ୍ରୀ ମହୋଦୟଙ୍କ ପିଲାବେଳର ସାଙ୍ଗ ? କାହିଁ, ଏ କଥା ତ କେବେ କହି ନାହାନ୍ତି ? ଲୋକେ ମନ୍ତ୍ରୀ ଏମ୍‍.ଏଲ.ଏ., ବଡ଼ ବଡ଼ ଅଫିସରଙ୍କୁ ନ ଚିହ୍ନି ମଧ୍ୟ ବାହାବାଃ ନେବାପାଇଁ ସେମାନଙ୍କୁ ନିଜ ଲୋକ ବୋଲି କହିବାକୁ ଟିକିଏ ବି କୁଣ୍ଠା ପ୍ରକାଶ କରନ୍ତି ନାହିଁ; ଅଥଚ ଆପଣ ମନ୍ତ୍ରୀଙ୍କର ଏତେ ପରିଚିତ, ଏତେ ଅନ୍ତରଙ୍ଗ–କିନ୍ତୁ ଆପଣଙ୍କ ମୁହଁରୁ ଏକଥା ଦିନେ ବି କେହି ଶୁଣିନି ।

 

କହିଥିଲେ କ’ଣ ହୋଇଥାନ୍ତା ସାର୍ ? ତା’ ଛଡ଼ା ରାମହରି ଯେ ତା’ ବ୍ୟସ୍ତ ରାଜନୈତିକ ଜୀବନରେ ମୋତେ ମନେରଖିଥିବ, ଆମ ବାଲ୍ୟ ସ୍ମୃତିକୁ ମନେ ରଖିଥିବ–ଏକଥା ବା ମୁଁ ଆଶା କରିବି କାହିଁକି ? ସେ କେଉଁ ଆମ ଗାଁ ଲୋକ ହୋଇଛି, ତା’ ମାମୁଁ ଘର ଆମ ଗାଁଆରେ । ସେଇଠି ରହି ଆମ ସାଙ୍ଗରେ ପଢ଼ୁଥିଲା । ବାସ୍ ସେତିକି, ୟା’ ଭିତରେ ତ ଅନେକ ବର୍ଷ ବିତିଯାଇଛି ।

 

‘ଯାହାହେଉ ବନ୍ଧୁ ବନ୍ଧୁଙ୍କୁ ଚିହ୍ନିବେନି ? ଏପରା ଜଗନ୍ନାଥଙ୍କ ଦେଶ, ବନ୍ଧୁ ମହାନ୍ତିଙ୍କୁ ଜଗନ୍ନାଥ ଚିହ୍ନିବେ ନାହିଁ ତ ଆଉ ଚିହ୍ନିବ କିଏ ? ସତରେ ଆପଣ ଭାରି ଭାଗ୍ୟବାନ । ଏତିକି କହି ବି.ଡ଼ି.ଓ. ବାବୁ ହସି ହସି ଚାଲିଗଲେ । ସେତେବେଳକୁ ମିଟିଂ କାମ ପ୍ରାୟ ଶେଷ ହୋଇ ଆସୁଥାଏ-। ରାମହରି କମ୍ କଥା କହେ–ତା’ର କାମ ବେଶୀ । ଶସ୍ତା ସ୍ଲୋଗାନକୁ ସେ ବିଶ୍ୱାସ କରେନା-। ବହୁ କାର୍ଯ୍ୟରେ ଏ ପରିଚୟ ସେ ଦେଇସାରିଛି ।

 

ଏହାପରେ ସେ ଯିବ ଗାର୍ଲସ୍ ହାଇସ୍କୁଲ ବାର୍ଷିକ ଉତ୍ସବରେ ପ୍ରଧାନ ଅତିଥିର ଭୂମିକା ସମ୍ପାଦନ କରିବାକୁ ।

 

ସେ ଡାୟାସ୍‌ରୁ ଓହ୍ଲାଇ ମୋ’ ଆଡ଼େ ଆସୁଥିଲା । ବି.ଡ଼ି.ଓ., ଚେୟାରମ୍ୟାନ ପ୍ରମୁଖ ତାକୁ ଅନୁସରଣ କରୁଥିବାର ଦେଖି ସେମାନଙ୍କୁ ଅପେକ୍ଷା କରିବାକୁ କହି ସିଧା ମୋ’ ପାଖକୁ ଆସି ପଚାରିଲା–କିରେ ଅନି...କ୍ୱାଟର୍ସ କେଉଁଠି ପାଇଛୁ ?

 

କହିଲି–ପାଇନି ।

 

ତା’ହେଲେ ରହୁଛୁ କେଉଁଠି ?

 

ଗୋଟିଏ ଘର ଭଡ଼ା ନେଇଛି ।

 

ଭାଉଜ ତୋ ପାଖରେ ନା ଗାଆଁରେ ?

 

ମୋ’ ପାଖରେ ।

 

ପିଲାପିଲି ?

 

ଏକ୍ ଏକ୍ ।

 

ଖୁବ୍ ଜୋରରେ ହସିଲା ରାମହରି । ପରିହାସ କରି କହିଲା–ତୁ ଆମ ସ୍ଳୋଗାନକୁ ଠିକ୍ କାର୍ଯ୍ୟକାରୀ କରିଛୁ ।

 

ପଚାରିଲି–ତୋ’ କଥା କହିଲୁନି ?

 

‘ଦେଖ୍ ସବୁ କଥା ଏଇଠି କହି ହେବନି । ତୁ କାଲି ମୋ’ ସାଙ୍ଗରେ ଭୁବନେଶ୍ୱର ଚାଲ୍ । ଶ୍ରୀମତୀ, ତାଙ୍କ ପିଲାପିଲି ସମସ୍ତଙ୍କୁ ଦେଖି ଆସିବୁ । ହେଲା ?

 

ତୋ ସାଙ୍ଗରେ ଭୁବନେଶ୍ୱର ଯିବି ?

 

କାହିଁକି, ଅସୁବିଧା କ’ଣ ?

 

ନା, ସେମିତି କିଛି ନାହିଁ । କାଲି କଥା ତ ଅଛି । କାଲି ନ ହେଲେ ଆଉ କେଉଁଦିନ ଯାଇ ଦେଖି ଆସିବି । ଛାଡ଼ ସେ କଥା । ତୁ ପରା ଗାର୍ଲସ ହାଇସ୍କୁଲକୁ ଯିବୁ–ଯାଆ, ସମୟ ହୋଇଯାଇଛି । ହସି ହସି କହିଲା ହେଉ, ମୁଁ ଯାଉଛି । ଆଜି ରାତିରେ କିନ୍ତୁ ଖାଇବାଟା ତୋ’ ଘରେ-

 

ତୁ ମୋ’ ଘରେ ଖାଇବୁ ? ତୋ ପାଇଁ ଯେ ଡାକବଙ୍ଗଳାରେ ସବୁ ବ୍ୟବସ୍ଥା ହୋଇସାରିଛି ।

 

ମୋ’ କଥା ପ୍ରତି ଗୁରୁତ୍ଵ ନ ଦେଇ ସେ ବି. ଡ଼ି. ଓ., ଚେୟାରମ୍ୟାନଙ୍କୁ ଡାକି କହିଲା–ଆପଣମାନେ ମୋ’ ପାଇଁ ବ୍ୟସ୍ତ ହେବେନି । ମୁଁ ଆଜି ଅନିରୁଦ୍ଧ ଘରେ ଖାଇବି କହି ସେ ଜିପ୍‌କୁ ଉଠିଲା ।

 

ମୋ’ ଦୃଷ୍ଟିପଥରୁ ଜିପ୍‌ଟା ଅଦୃଶ୍ୟ ହେବାଯାଏ ମୁଁ ରାମହରିର ଅମାୟିକ ବ୍ୟବହାର କଥା ଭାବୁଥିଲି । ଆଉ କିଏ ହୋଇଥିଲେ ନାକ ଟେକି ଆଡ଼ କରି ଚାଲିଯାଇଥାଆନ୍ତା–ଚିହ୍ନା ଦେଇଥିଲେ ବି ଚିହ୍ନି ପାରିନଥାନ୍ତା । କିନ୍ତୁ ରାମହରି ସତରେ କେତେ ଉଦାର । ତା’ ପାଇଁ ଡାକବଙ୍ଗଳାରେ କେତେ ବିରାଟ ଆୟୋଜନ ଖାଦ୍ୟପେୟର । ସେ ସବୁକୁ ଉପେକ୍ଷାକରି ଖାଲି ବନ୍ଧୁତ୍ଵର ଖାତିରରେ ସିନା ମୋ’ ଭଳି ଏକ ଅନାମଧେୟ କୁଡ଼ିଆରେ ଖାଇବାକୁ । ଏବେ ସେ ମନ୍ତ୍ରୀ–ଖୁଦ ଭଜାରେ ସନ୍ତୁଷ୍ଟ ହେବ କି ନା ସେ କଥା ସେ ଜାଣେ । ତଥାପି ବନ୍ଧୁର ଉପଯୁକ୍ତ ଚର୍ଚ୍ଚାପାଇଁ ତ ମୋତେ କିଛି ସ୍ଵତନ୍ତ୍ର ବ୍ୟବସ୍ଥା କରିବାକୁ ପଡ଼ିବ । ପକେଟ୍ ଦେଖିଲି ମାତ୍ର ଦଶଟଙ୍କିଆ ନୋଟ୍‌ଟିଏ । କିଣିଲି ସେଥିରେ ମାଂସ । ଚାଲିଲି ଘରକୁ । ଗୋଡ଼ ଯେମିତି ତଳେ ଲାଗୁ ନ ଥାଏ । ଘରେ ପହଞ୍ଚି ଦେଖିବା ବେଳକୁ ମୋ’ ସ୍ତ୍ରୀ ବାହାରିଛନ୍ତି ଗାର୍ଲସସ୍କୁଲକୁ, ମୋତେ ଦେଖି କହିଲେ–ଆସିଗଲ ଖୁବ୍ ଭଲ ହେଲା । ତମେ ଘରେ ରୁହ ମୁଁ ଟିକିଏ ସ୍କୁଲକୁ ଯାଉଛି Function ଦେଖିବାକୁ ।

 

କହିଲି–ତମେ ଆଜି Function ଦେଖିବାକୁ ନ ଗଲେ ହୁଅନ୍ତାନି ?

 

ସେ ଯେମିତି ବିରକ୍ତ ହୋଇଉଠିଲେ । କହିଲେ–କେଉଁଦିନ କେଉଁଠିକୁ ନେଇ ଯାଅ ଯେ...ଆଜି ଟିକିଏ ବାହାରିଲି ଯେ ତମେ ଆଖିରେ ଗଲାନି ! ଜଣେ କିଏ ମନ୍ତ୍ରୀ ଆସୁଛନ୍ତି, ଚାରିଆଡ଼େ ତାଙ୍କ ନାଆଁ–କୋଉ ସହର ବଜାର ହୋଇଛି ଯେ ଦଳ ଦଳ ହୋଇ ମନ୍ତ୍ରୀ ବୁଲୁଥିବେ ଦେଖିବି । ତା’ ଛଡ଼ା ଝିଅ ତାଙ୍କ ହାତରେ ପ୍ରାଇଜ୍ ଆଣିବ ତା’ପରେ ଟିକିଏ ନରମି ଯାଇ କହିଲେ–ହେ ତମେ ବି ଚାଲ ନା, ଆମକୁ ସେଠି ଦେଖିଲେ ଝିଅ କେତେ ଖୁସି ହେବ କହିଲ । ନା ଆଜି ରୋଷେଇ ଫୋସେଇ କିଛି ହେବନି, ସେଠୁ ଫେରି ଆମେ ସବୁ ଜଳଖିଆ ଖାଇନେବା । ଚୁଡ଼ା, ଚିନି ତ ଘରେ ଅଛି । ଏ ଦିନ କ’ଣ ଆଉ ଆସିବ ?

 

ନା, ନା, ମୁଁ ସେ କଥା କହୁନି । କହୁଥିଲି କ’ଣ କି, ଝିଅ ପ୍ରାଇଜ୍ ଆଣିଲେ ଘରେ ଦେଖିବ; ଆଉ ମନ୍ତ୍ରୀ...ତାକୁ ବି ଘରେ ଦେଖିବ ।

 

ତମେ ଏସବୁ କ’ଣ କହିଯାଉଛ ? ତମ ମୁଣ୍ଡ ଠିକ୍ ଅଛି ତ ? ଆରେ ତମେ ଯେଉଁ ମନ୍ତ୍ରୀକୁ ଦେଖିବାକୁ ବାହାରିଛ ସେ ପରା ଆମ ଘରେ ଖାଇବ ।

 

ମନ୍ତ୍ରୀ......ଆମ ଘରେ ଖାଇବେ ?

 

ତମେ ଜାଣିନା–ସେ ମୋ’ ପିଲାଦିନର ସାଙ୍ଗ । ମୋର ଧାରଣା ଥିଲା ସେ ମୋତେ ଚିହ୍ନିବନି; କିନ୍ତୁ ଦେଖିବା ମାତ୍ରେ ଚିହ୍ନି ପକାଇ କହିଲା......

 

କ’ଣ କହିଲେ ?

 

କହିଲା–ଆଜି ହାଟ ଦେଖା ଆଉ କଦଳୀ ବିକା ଦି’ଟାଯାକ କାମ ଏକାଥରକେ ହେବ । ମାନେ ତା’ର ଭାଉଜ ଦେଖିବା ହେବ ଆଉ ଖାଇବା ବି ହେବ ।

 

ମନ୍ତ୍ରୀ ଆମ ଘରକୁ ଆସିବେ–ଏଇଠି ଖାଇବେ, ଅଥଚ...ଏ ଘର ଦୁଆର କ’ଣ ହେଇଚି...ଓଃ...ସେ ବ୍ୟସ୍ତ ହୋଇପଡ଼ିଲେ, ଏ ଘରେ କ’ଣ ଅଛି ଯେ...ମୁଁ କ’ଣ କରିବି...ମୁଁ ନେଇଥିବା ବ୍ୟାଗଟି ଆଡ଼େ ଚାହିଁ ପଚାରିଲେ ସେ ବ୍ୟାଗରେ କ’ଣ ?

 

ମାଂସ ।

 

ଭଲ କରିଛ । ହେଲେ ଖାଲି ମାଂସ ଟିକକରେ କ’ଣ କାମ ଚଳିବ । ଘରେ ସରୁ ଚାଉଳ ଗଣ୍ଡେ ନାହିଁ । ଘିଅ ଟିକିଏ ନାହିଁ ।

 

ମୁଁ ତାକୁ ଆଶ୍ୱସନା ଦେଲି–ସେ ମନ୍ତ୍ରୀ ଭାବେ ଏ ଘରକୁ ଆସୁନି–ସେ ଆସୁଛି ମୋର ବନ୍ଧୁ ଭାବରେ । ଆମର ଯାହା ଥିବ ଆମେ ସେଇଥିରେ ତ ତାକୁ ଆପ୍ୟାୟିତ କରିବା । ତା’ଛଡ଼ା...ରାମହରି ଭିନ୍ନ ଧରଣର ଲୋକ । ସେ କିଛି ଭାବିବନି ।

 

ହେଲା ଯେ ତଥାପି...

 

‘ନା, ତମର ବ୍ୟସ୍ତ ହେବାର କିଛି ନାହି ଯା’ ଅଛି ସେଇଥିରେ ଚଳେଇନିଅ ।

 

ହେଲା; କିନ୍ତୁ ଦେଖ, ଆଗରୁ କହି ଦେଉଛି ସେ ଆସିଲେ ମୋତେ ଯେମିତି ତାଙ୍କ ସାମନାକୁ ନ ଡାକ ।

 

ଏବେ କହୁଥିଲ ମନ୍ତ୍ରୀଙ୍କୁ ଦେଖିବାକୁ ଯିବ ।

 

ତାଙ୍କ ସାମନାକୁ ନ ଯାଇ ବି ତାଙ୍କୁ କ’ଣ ଦେଖି ହେବନି ? ହଉ ଥାଉ ସେ କଥା । ତମେ ଆଗ କିଛି ସରୁ ଅରୁଆ ଚାଉଳ ଆଉ ଘିଅ ନେଇ ଆସିଲ ।

 

ରାମହରି ଜିପ୍ ଆସି ଆମ ଘର ଦୁଆର ମୁହଁରେ ପାର୍କ କଲା । ସେତେବେଳକୁ ରାତି ୧୦ ଟା । ମୁଁ ହସି ହସି ପାଛୋଟି ଆଣିବାକୁ ଗଲି ରାମହରିକୁ । ସେ ଓହ୍ଲାଇଲା ଓ ଅନ୍ୟ ସମସ୍ତେ ଚାଲିଗଲେ ଡାକବଙ୍ଗଳାକୁ । ଫିକା ଅନ୍ଧାରରେ ତା’ ମୁହଁକୁ ସେତେବେଳେ ଠିକ୍ ଭାବରେ ଦେଖିପାରି ନଥିଲି । ଘରକୁ ଆସି ଦେଖେଁ ଏ ଯେମିତି ବ୍ଲକ ମିଟିଂର ସେ ରାମହରି ନୁହେଁ । ମୁହଁ କଳାକାଠ । ଓଠରେ ହସ ନାହିଁ । ଯେମିତି ହସିବାକୁ ଚେଷ୍ଟା କରୁଛି; କିନ୍ତୁ ପାରୁନି । ବ୍ୟସ୍ତ ହୋଇ ପଚାରିଲି–ରାମହରି ! କ’ଣ ହେଲା ? ତୋ ଦେହ ପା’ ଖରାପ ହେଲା ନା କ’ଣ ?

 

ସେ ମୋ’ ହାତଧରି କହିଲା–ନା, କିଛି ନୁହେଁ । ତୁ ବ୍ୟସ୍ତ ହଅନା, ମୋ’ ଦେହ ଭଲ ଅଛି । ହେଲେ ମନଟା...

 

ସେ ମିଟିଂରେ କ’ଣ କେହି ତୋତେ ଅସମ୍ମାନ କଲା ?

 

ନା...

 

ଆଉ...

 

ମୁଁ ହାରିଯାଇଛି ।

 

ହାରିଯାଇଛୁ ? ମାନେ...କଥା କ’ଣ ?

 

ସେତେବେଳେ ସେ କହୁଥିଲା–ମୁଁ ଅନେକ କିଛି ପାଇଛି ଓ ଅନେକ କିଛି ଦେଇଛି; କିନ୍ତୁ ଏଇ ପାଇବା ଓ ଦେବା ଭିତରେ ଆହୁରି କିଛି ରହିଗଲା ଯାହା ପାଇବାକୁ ଥାଇ ବି ପାଇ ପାରିନାହିଁ ଓ ଦେବାକୁ ଥାଇ ବି ଦେଇପାରି ନାହିଁ । ଏକ ଦୀର୍ଘଶ୍ୱାସ ପକାଇ ରାମହରି ନୀରବରେ ବସି ରହିଲା ।

 

ମୁଁ ବି ଆଉ କିଛି ଭରସି କହିପାରୁ ନଥାଏ । ନିଶ୍ଚୟ କିଛି ଅଘଟଣ ଘଟିଛି । ସେତିକିବେଳେ ମୋ’ ଝିଅ ଆସି ତା’ ବୋଉକୁ କହୁଥିବାର ଆମେ ଶୁଣିଲୁ–ବୋଉ, ତୁ ସିନା ଆଜି ଗଲୁନୁ; କିନ୍ତୁ ସେଠି ଯେଉଁ ମଜା ହେଲାନା–ଲତାଦିଦି ଆଜି ଆଖିରେ ଚଷମା ଦେଇ ଆସିଥିଲେ । ଚଷମାଦିଆ ଲତାଦିଦିଙ୍କୁ ଦେଖି ଆମେ ସମସ୍ତେ କାବା–ଆଉ ଯୋଉ ମନ୍ତ୍ରୀ ଆସିଥିଲେ ନା ସେ କାହିଁକି କେଜାଣି ଖାଲି ଲତାଦିଦିଙ୍କୁ ଚାହୁଁଥାନ୍ତି, ଆଉ ଲତାଦିଦି ଥରକୁ ଥର ଆଖି ପୋଛୁଥାନ୍ତି । ଲତାଦିଦି ମୋ’ ନାଆଁ ଡାକିଲେ–ମୁଁ ଯାଇ ପ୍ରାଇଜ୍ ପାଇଁ ଛିଡ଼ା ହୋଇଛି–ମନ୍ତ୍ରୀ ମୋ’ ହାତକୁ ପ୍ରାଇଜ୍ ଦେବେ କ’ଣ ଖାଲି ଲତାଦିଦିଙ୍କୁ ତ ଚାହିଁ ରହିଥାନ୍ତି କାହିଁକି ବୋଉ..

 

ମୁଁ ଉଠିଯାଉଥିଲି ଝିଅକୁ ବାଧା ଦେବାକୁ, କିନ୍ତୁ ରାମହରି ମୋ’ ହାତଧରି କହିଲା–ତାକୁ କହିବାକୁ ଦେ ଅନି...ମୋତେ ଯାହା ପ୍ରଶ୍ନ ପଚାରିଥିଲୁ ସେ ତା’ର ଉତ୍ତର । ଝିଅ କ’ଣ କହୁଛି ଶୁଣିଯା– ।

 

ଲତାଦିଦି କାହିଁକି ଚଷମା ଦେଇଥିଲେ ଜାଣିଛୁ ବୋଉ ?

 

ଏଃ, ଯାହା କହୁଛୁ ଧୀରେ ଧୀରେ କହ ।

 

ମନ୍ତ୍ରୀଙ୍କୁ ଦେଖି ଲତାଦିଦିଙ୍କର କ’ଣ ହେଲା କେଜାଣି ଖାଲି କାନ୍ଦୁଥିଲେ; ଆଉ ସେଇ ଚଷମା ତଳେ ଲୁହକୁ ଲୁଚେଇବାକୁ ଚେଷ୍ଟା କରୁଥିଲେ । ଆଉ ଯେତେବେଳେ ନାଆଁ ଡାକି ସାରି ଷ୍ଟେଜ୍‌ରୁ ଆସିଲେ ନା ଖାଲି ପିଲାଙ୍କ ପରି ପରା କଇଁ କଇଁ ହୋଇ କାନ୍ଦିଲେ ।

 

ତୁ କେମିତି ଜାଣିଲୁ ?

 

ଦିଦିମାନେ କୁହାକୁହି ହେଉଥିଲେ ଶୁଣିଲି । ମନ୍ତ୍ରୀ ଚାଲିଗଲା ଲେକେ ଯାହା କହୁଛନ୍ତି ନା...

 

“ଚୁପ୍ ଚୁପ୍” ମୋ’ ସ୍ତ୍ରୀ ତାଗିଦ୍ କଲେ । ତା’ପରେ ଆଉ କିଛି ଶୁଣି ହେଲା ନାହିଁ ।

 

ରାମହରି ମୋତେ ପଚାରିଲା–ତୋ ଝିଅ କ’ଣ ଗାର୍ଲସ ସ୍କୁଲରେ ପଢ଼େ ?

 

ହଁ, ଦଶମ ଶ୍ରେଣୀରେ ପଢ଼ୁଛି । ତୁ ତ ତାକୁ ପ୍ରାଇଜ୍ ଦେଇଛୁ ଆଜି । ସେ କ୍ଲାସରେ ଫାଷ୍ଟ ହୁଏ । ରହ, ମୁଁ ତାକୁ ଡାକୁଛି ଦେଖିବୁ ।

 

ନା, ଏବେ ଥାଉ । ପିଲଟା ଏବେ ଫେରିଛି । ଖାଇପିଇ ଶୋଉ । କାଲି ସକାଳେ ତାକୁ ଦେଖିବି । ତା’ପରେ ମୁଁ ଲତା ବିଷୟରେ କିଛି ଜାଣେ କି ନା ସେ ବିଷୟରେ ମୋତେ ପଚାରିଲା । ମୁଁ ଯାହା ଜାଣିଥିଲି କହିଲି । ସେ ଏକ ଦୀର୍ଘଶ୍ଵାସ ପକାଇ କହିଲା–ସେ ତା’ହେଲେ ଅବିବାହିତା ରହିଗଲା ?

 

ମୁଁ ପଚାରିଲି–କିନ୍ତୁ ସେ ତୋତେ ଦେଖି କାନ୍ଦିଲା କାହିଁକି ?

 

–ତା’ ନକରି ସେ ଆଉ କ’ଣ କରିପାରିଥାନ୍ତା । ଅନି ? ମୁଁ ଯେ ତା’ ସ୍ଵପ୍ନର ଖେଳଘର ଭାଙ୍ଗି ଦେଇଥିଲି ।

 

ମୁଁ ତୋ’ କଥା କିଛି ବୁଝିପାରୁନି ।

 

ସେ ନିଜକଥା ରଖି ଏ ଯାଏ ବିଭାହେଲାନି, ତା’ପକ୍ଷରେ ଏ କ’ଣ ଏକ ସାମାନ୍ୟ ତ୍ୟାଗ-? ହେଲେ ମୁଁ ... ? ମୁଁ ଯେବେ ଜାଣିଥାନ୍ତି ସେ ଏଠାରେ ଅଛି ତା’ହେଲେ ଏ ବ୍ଲକକୁ ଆସି ନଥାନ୍ତି-। ଆଜି ମୁଁ ଯେମିତି ଅନୁଭବ କରୁଛୁ ମୋର ସବୁ ମାନ ସମ୍ମାନ, ଲୋକପ୍ରିୟତା, ସଚ୍ଚୋଟତା ବଡ଼ପଣିଆ ସବୁ ଧୂଳିସାତ୍‌ ହୋଇଯାଇଛି । ତୋ’ ଝିଅଠାରୁ ଶୁଣିଲୁ ତ ସବୁ କଥା । କାଲି ଏ କଥା ଚାରିଆଡ଼େ ରାଷ୍ଟ୍ର ହୋଇଯିବ–ଖେଳିଯିବ ଗଡ଼ିଯାଉଥିବା ପାଣି ପରି । କହିଲୁ–ଏହାପରେ ସମାଜରେ ମୋର ସ୍ଥିତି କ’ଣ ହେବ ? ଯେଉଁ ଆଦର୍ଶ, ଯେଉଁ ସାଧୁତା, ଯେଉଁ ସଚ୍ଚୋଟପଣିଆ ପାଇଁ ମୋର ଏତେ ଲୋକପ୍ରିୟତା ସେ ସବୁର ଆଉ ଅର୍ଥ କ’ଣ ? ତା’ର ମୂଲ୍ୟ କ’ଣ ? ଲୋକେ କ’ଣ କହିବେ ?

 

‘ରାଜନୈତିକ ଜୀବନରେ ଅନେକ ଘଟଣା ଦୁର୍ଘଟଣା ହୋଇଯାଏ ଓ ଅନେକ ଦୁର୍ଘଟଣା ବି ଘଟଣାର ରୂପ ନିଏ । ଇଏ ବା କି କଥା ଯେ...ଏଥିରେ ବ୍ୟସ୍ତ ହେବାର କ’ଣ ଅଛି ? –ମୁଁ ତାକୁ ଆଶ୍ଵାସନା ଦେଉଥିଲି । ସେ କିନ୍ତୁ ସଙ୍ଗେ ସଙ୍ଗେ ତା’ର ପ୍ରତିକ୍ରିୟା ପ୍ରକାଶ କଲା–

 

‘ମୁଁ ସେମିତି ରାଜନୀତି କରିବାକୁ ଚାହେଁନା ଅନିରୁଦ୍ଧ । ଯେଉଁ ରାଜନୀତିରେ ଅସତ୍ୟ ସତ୍ୟ ହୋଇଯାଏ, ଅନ୍ୟାୟ ନ୍ୟାୟ ହୋଇଯାଏ, ପାପ ପୁଣ୍ୟ ହୋଇଯାଏ, କ୍ଷମତାର ପ୍ରଭାବରେ ମୁଁ ସେମିତି ରାଜନୀତି କରିବାକୁ ଚାହେଁନା । ସତ୍ୟ ହିଁ ସତ୍ୟ । କ୍ଷମତାର ଶକ୍ତି କଳଙ୍କକୁ ପୋଛି ଦେଇ ପାରେନା ଅନିରୁଦ୍ଧ, କଳଙ୍କ କେବଳ ପ୍ରକୃତି ପ୍ରାୟଶ୍ଚିତରେ ଧୋଇ ହୋଇ ଯାଇପାରେ, ଅନ୍ୟଥା ନୁହେଁ । ମନୁଷ୍ୟ ଜୀବନରେ ମାନବିକତା ହିଁ ବଡ଼–ରାଜନୀତି ନୁହେଁ ।

 

ସେଦିନ ରାମହରି ଭଲରେ ଖାଇ ନଥିଲା କି ଶୋଇ ନଥିଲା । ସେ ଯିବାପରେ ମୁଁ ସବୁଦିନ ଖବର କାଗଜକୁ ଉତ୍ସୁକ ହୋଇ ଚାହିଁ ରହିଥାଏ–ରାମହରିର ଗସ୍ତ ବିବରଣୀ ପ୍ରକାଶ ପାଇବ–ହୁଏତ ସେଥିରେ ମୋ’ କଥା କିଛି ରହିବ, ମାନେ ମନ୍ତ୍ରୀ ଡାକବଙ୍ଗଳାରେ ନରହି ତାଙ୍କ ବନ୍ଧୁ ଅନିରୁଦ୍ଧଙ୍କ ଆତିଥ୍ୟ ଗ୍ରହଣ କଲେ । କିନ୍ତୁ ଏ କ’ଣ ? ଖବର କାଗଜରେ ପ୍ରଥମ ପୃଷ୍ଠାରେ ବାହାରିଛି–“ଓଡ଼ିଶାର ମାନଗଣ୍ୟ ଲୋକପ୍ରିୟ ନେତା, ଅମୁକ ବିଭାଗର ମନ୍ତ୍ରୀ ରାମହରି ସାମନ୍ତରାୟ ବ୍ୟକ୍ତିଗତ କାରଣରୁ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ନ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାର ବାର ଅନୁରୋଧକୁ ସେ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି ।”

Image

 

ରାଧି

 

ମୁଁ କେଦାର-ଗୌରୀ ପାର୍କର ଅପରାହ୍ନକୁ ଉପଭୋଗ କରୁଥିଲି ସେଦିନ । ସିମେଣ୍ଟ ଚେୟାର ଉପରେ ବସି ରାଧାନାଥ ରାୟଙ୍କ କେଦାର-ଗୌରୀ କାବ୍ୟର କରୁଣ ସ୍ମୃତିକୁ ଶଙ୍ଖୋଳି ବସିଥିଲି ମନ ଭିତରେ । ପ୍ରେମ ପାଗଳ କେଦାର ପ୍ରାଣପ୍ରିୟା ଗୌରୀଠାରୁ ବିଚ୍ଛିନ୍ନ ହୋଇ ବଞ୍ଚି ରହିବା ନିରର୍ଥକ ମଣି ଆତ୍ମବିସର୍ଜନ କରିଥିଲା । ସେଇ କେଦାର ଆଉ ଗୌରୀର ସ୍ମୃତିକୁ ଉଦ୍‌ଜୀବିତ କରୁଛି ଗଛଲତା ଫୁଲ ଭରା ଏଇ ଛୋଟ ପାର୍କଟି । ସେଇ ସମୟରେ ଜଣେ ବୃଦ୍ଧ ଆସି ମୋ’ ପାଖରେ ବସି ଯିବାରୁ ମୋ’ ଭାବନା ଏକ ଅମିତ୍ରାକ୍ଷର ଛନ୍ଦରେ ସମାପ୍ତ ହେଲା । ବୃଦ୍ଧଙ୍କ ଆଡ଼େ ଚାହିଁଲି । ମଳିନ ବାସ, ଧୁଡ଼ୁ ଧୁଡ଼ୁ ଚମ, ପାକୁଆ ପାଟି । ସତେ ଯେମିତି ଥକା ହୋଇ ସେ ମୋ’ ପାଖରେ ବସି ଯାଇଛନ୍ତି । ତାଙ୍କ ଆଡ଼େ କିଛି ସମୟ ଚାହିଁ ପଚାରିଲି–ଆପଣ ?

 

‘ମୁଁ ଆଜ୍ଞା ମନୋହର...ମନୋହର ଦାସ । ଏଇ ଆଗରେ ଖଣ୍ଡେ ଛପର ଘର କରି ରହିଛି । ବେଳେବେଳେ ଏଇ ଆଡ଼େ ଚାଲି ଆସେ ।

 

ଆପଣ କ’ଣ କରନ୍ତି ? –ମୁଁ ପଚାରିଲି ।

 

‘ଏ ବୟସରେ ଆଉ କ’ଣ କରିବି ଆଜ୍ଞା; ପୁଅ ରୋଜଗାରରେ ପେଟ ପୋଷୁଛି ।’

 

ଆଗରୁ କିଛି କରୁଥିଲେ ?

 

ଜଣେ ବାବୁଙ୍କ ଅଡ଼ର୍‌ଲି ଥିଲି । ୧୦ । ୧୨ ବର୍ଷ ହେବ ରିଟାୟାର୍ଡ଼ କଲିଣି । ଯାହା ହେଉ ବାବୁଙ୍କ ଦୟାରୁ ପୁଅଟି ଚାକିରି ପାଇଯାଇଛି । ବାପ ବୋଲି ମାନିଛି । ନ ହେଲେ ଆଜ୍ଞା ରାସ୍ତା କଡ଼ରେ ଭିକ ମାଗୁଥାନ୍ତି ଏବେ । ତା’ପରେ ମୋତେ ପଚାରିଲେ–ଆପଣ ?

 

ମୁଁ ମୋ’ ପରିଚୟ ଦେଲି ସଂକ୍ଷେପରେ । ଠିକ୍ ସେତିକିବେଳେ ଭିକାରୁଣୀଟିଏ କୁଆଡ଼ୁ ଆସି ପହଞ୍ଚି ଗଲା । ମନୋହର ପଚାରିଲେ–ରାଧି ତୁ ଫେର୍ ଏଠିକି ଆସିଲୁ ?

 

‘କ’ଣ ଆଉ କରିବି ? ନିଆଁ ଲଗା ଯମ କ’ଣ ମୋତେ ନଉଛି ।’ କହି ସେ ମୋ’ ଆଡ଼କୁ ଚାହିଁ କହିଲା–ବାବୁ, ଟଙ୍କାଟିଏ ଦିଅ । ଈଶ୍ୱର ତମର ମଙ୍ଗଳ କରିବେ ।

 

ସେ ତ ଭିକ୍ଷା ନୁହେଁ, ଯେମିତି ଟଙ୍କାଟିଏ ପାଇଁ ଦାବୀ ଥିଲା । ମନା କଲି; କିନ୍ତୁ ମନେ ମନେ ଭାବିଲି ଭିକାରୀମାନେ ବି ବଞ୍ଚିବା ପାଇଁ ଏବେ ଦାବୀ କଲେଣି । ରାଧିକୁ ସିନା ପଇସା ଦେଲିନି, କିନ୍ତୁ ମନେ ମନେ ତା’ ସାହସକୁ ବଧେଇ ଜଣେଇଲି । ପ୍ରତ୍ୟେକ ଓଡ଼ିଆ ଏମିତି ଦାବୀ କରି ବଞ୍ଚି ଶିଖନ୍ତେନି ?

 

ରାଧି ମୋ’ ଆଡ଼ୁ ଆଖି ଫେରାଇ ନେଇ ମନୋହର ଆଡ଼େ ଚାହିଁ ନିର୍ବିକାର ଚିତ୍ତରେ କହିଗଲା–ଦେଖିଲୁ ତ ମନୋହର ଏ ବଡ଼ ଲୋକମାନଙ୍କୁ । ଏ ମାନେ ଖାଲି ସମସ୍ତଙ୍କଠୁଁ ନେଉଥିବେ କାହାକୁ କିଛି ଦେବେନି । ଆଜ୍ଞା, ତୋ’ ପାଖରେ ଚା’ କପେ ପାଇଁ ପଇସା ନାହିଁ ?

 

ମନୋହର କିଛି ନ କହି ପକେଟରୁ ପାଞ୍ଚଟଙ୍କିଆ ନୋଟ୍‌ଟିଏ କାଢ଼ି ରାଧି ଆଡ଼େ ବଢ଼େଇ ଦେଲେ । ରାଧି ସେ ନୋଟ୍‌ଟିକୁ ଦେଖି କହିଲା–ତୁ କ’ଣ ଏବେ ରୋଜଗାର କରୁଛୁ ଯେ ଏତେ ଦାନ କରିବୁ ? ତୁ ତ ତୋ’ ପୁଅ ହାତକୁ ଅନେଇ ବସିଛୁ । ନେ, ନେ ରଖ ତୋ’ ଟଙ୍କା । ମୋର କପେ ଚା’ ଦରକାର । ତିରିଶି ପଇସା ହେଲେ ଚାଲିଯିବ । ତୋ’ ଠୁଁ ପାଞ୍ଚଟଙ୍କା ନେଇ ଧାରୁଆ ହେବି କାହିଁକି ?

 

ମନୋହର କହିଲେ–ଆଜି ପେନ୍‌ସନ୍ ଟଙ୍କା ମିଳିଛି । ନେ, ଖାଇବୁ ନେ ।

 

ରାଧି ଓଠରେ ହସର ସରଧାଟିଏ ଦେଖାଗଲା । କହିଲା–ସତରେ ମନୋହର, ଦୁଃଖୀ ସିନା ଏକା ଦୁଃଖୀର ଦୁଃଖ ବୁଝେ । ଏ ବଡ଼ଲୋକଙ୍କୁ ନିଜ ସୁଖ, ନିଜ ସ୍ଵାର୍ଥ ଛଡ଼ା ଆଉ କିଛି ଦିଶେନି । ନିଜ ସ୍ୱାର୍ଥଟି ହାସଲ ହୋଇଗଲାପରେ କିଏ ମଲା କି ଗଲା ସେଥିରେ ତାଙ୍କର କ’ଣ ଯାଏ ଆସେ ? ତୋ’ ପିଲାପିଲି ଭଲ ଅଛନ୍ତି ତ ?

 

‘ହଁ, ଠାକୁରଙ୍କ ଦୟାରୁ ଭଲ ଅଛନ୍ତି ।

 

ରାଧି ଠାକୁରଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ି କହିଲା–ଠାକୁରେ ସେମାନଙ୍କର ମଙ୍ଗଳ କରନ୍ତୁ । ତା’ପରେ ଟିକିଏ ଚୁପ୍ ରହି କହିଲା–ଆଚ୍ଛା ମନୋହର, ତୁ କେବେ କୁନାକୁ ଦେଖୁନା ?

 

‘କୁନା... । ସେ କଥା ଆଉ ଏବେ କାହିଁକି ଭାବୁଛୁ ରାଧି । ଖାଲି ମଣିଷ ନୁହେଁ, ଭଗବାନ ବି ତୋ ଆଡ଼େ ଥରେ ଚାହିଁଲେନି । ଏତେ ନିଷ୍ଠୁର ସେ କାହିଁକି ଯେ ହେଲେ... କହୁ କହୁ ମନୋହର କଣ୍ଠ ଯେମିତି ଥରି ଉଠିଲା । ଆଖି ଜକେଇ ଆସିଲା ।

 

ରାଧି କହିଲା–ଆରେ ତୁ ପୁଣି କାନ୍ଦୁଛୁ କାହିଁକି ? ମୁଁ ତ କାନ୍ଦି କାନ୍ଦି ମୋ’ ଆଖିର ସବୁ ଲୁହ ସରିଲା ହେଲେ ମୁଁ କ’ଣ ତାକୁ ପାଇଲି । ଛାଡ଼, ମୋର ନ ହେଲା ନାହିଁ; ଭଗବାନ ତାକୁ ସୁଖରେ ରଖନ୍ତୁ ।

 

ରାଧି ଚାଲିଥିଲା । ତା’ ମୁହଁରେ ଅନେକ ଦୁଃଖର ସ୍ପଷ୍ଟ ଆଭାସ ମୁଁ ଦେଖି ପାରିଥିଲି । ସେ ଚାଲିଗଲା ପରେ ମୁଁ ମନୋହରଙ୍କ ଆଡ଼େ ଚାହିଁ ପଚାରିଲି–ମନୋହରବାବୁ, ଏ ରାଧି ସହ ତମର ପରିଚୟ କେଉଁଠି କିମିତି ହୋଇଛି ମୁଁ ଜାଣେନା; କିନ୍ତୁ ଦେଖୁଛି ପରିଚୟଟା ଖୁବ୍ ନିବିଡ଼ । ଆଚ୍ଛା ସେ ଏମିତି ପାଗଳୀଙ୍କ ପରି ହୋଇ ଭିକ ମାଗୁଛି କାହିଁକି ?

 

ତା’ କଥା ଶୁଣି ଆପଣ କି ଲାଭ ପାଇବେ ? ଏ ସହରରେ ତ ଏମିତି କେତେ ପାଗଳ ପାଗଳୀ ବୁଲୁଛନ୍ତି । ସମସ୍ତଙ୍କ କଥା ଜାଣି ହୁଏ, ନା ସମସ୍ତଙ୍କ ଖବର ରଖିହୁଏ ?

 

ସେ ମୋ’ ନିରବତା ଲକ୍ଷ୍ୟ କରି ପୁଣି କହିଲେ–ନା, କେହି ରଖେନା ସେ ଖବର । ପାଗଳ ପାଗଳୀଙ୍କ ଖବର କିଏ ରଖିବ ? କାହିଁକି ବା ରଖିବ ? ରାଧି ସେଇମାନଙ୍କ ଭିତରୁ ଜଣେ-। ଏମିତି ଏଇ ସହରରେ ବୁଲିବୁଲି ପର ପାଖରେ ହାତ ପତେଇ, ଲୁହ ଗଡ଼େଇ କେଉଁ ଦିନ ରାସ୍ତାକଡ଼ରେ ଆଖି ବୁଜିବ । ଲୋକେ କହିବେ–ରାଧି ପାଗଳୀ ମରିଗଲା । ଏଇ ତ ତା’ର ପରିଚୟ ।

 

ରାଧିର କ’ଣ ଆଉ କେହି ନାହାଁନ୍ତି ?

 

‘ପାଗଳୀର ଆଉ କିଏ ଥାଏ ବାବୁ ? ...ଦୀର୍ଘଶ୍ଵାସ ଛାଡ଼ି ମନୋହର କହିଲେ–’ ଛାଡ଼ନ୍ତୁ ... ହୀନକପାଳୀଟିଏ ସେ, ସବୁଥାଇ ବି ଆଜି ତା’ର କିଛି ନାହିଁ ।

 

......ସବୁ ଥାଇ ବି ?

 

ହଁ ବାବୁ, ଧନ ସିନା ନ ଥିଲା ତା’ର ହେଲେ ତା’ପରି ରୂପଗୁଣର ଝିଅ–ତାକୁ ଯିଏ ନ ଦେଖିଛି, ନ ଜାଣିଛି ସିଏ ବା କିମିତି ବୁଝିବ ? ଏ ବଡ଼ବଡ଼ିଆ ଲୋକ ସିନା ତା’ର କାଳ ହେଲେ । ରାଧି କ’ଣ ସେତେବେଳେ ଜାଣିଥିଲା ଏଇ ବଡ଼ଲୋକମାନେ ସବୁଠୁଁ ବେଶୀ ଧପ୍‍ପାବାଜ୍–ସେମାନଙ୍କ ମୁହଁରେ ଗୋଟିଏ କଥା, କିନ୍ତୁ ମନ ଭିତରେ ତା’ର ସମ୍ପୂର୍ଣ୍ଣ ବିପରୀତ । ଆହାଃ ବିଚାରୀ ରାଧି–କ’ଣ ବା ଦୋଷ ତା’ର ଥିଲା ? କିଏ ଜାଣିଥିଲା ତାକୁ ଏମିତି ପାଗଳୀ କରି ଦିଆଯିବ ବୋଲି-!

 

ରାଧିକୁ ପାଗଳୀ କରି ଦିଆଗଲା ? କାହିଁକି, କ’ଣ ପାଇଁ ?

 

ସେ ଅନେକ କଥା ବାବୁ...

 

ତମେ ଜାଣିଲ କେମିତି ?

 

ଖାଲି ମୁଁ ଜାଣିନି ଆଜ୍ଞା–ରାଧି ଜାଣିଛି, ଆଉ ବି ଜାଣିଛନ୍ତି ବାବୁ ବାବୁଆଣୀ ।

 

ବାବୁ ବାବୁଆଣୀ ?

 

ସେ କଥା ଆଉ ପଚାରନ୍ତୁନି ଆଜ୍ଞା । ବଡ଼ଲୋକ, ବଡ଼ ଘରର କଥା ସେ । କାନ୍ଥର ବି କାନ ଅଛି । ସେ କଥା ପଦାରେ ପଡ଼ିଗଲେ ଆମମାନଙ୍କ ଭଳି ଲୋକମାନଙ୍କ ଅବସ୍ଥା ଯେ କ’ଣ ହେବ ତାହା ଆପଣ ବେଶ୍ ଅନୁଭବ କରି ପାରୁଥିବେ । ତା’ଛଡ଼ା ସେମାନଙ୍କ ଦୟାରୁ ମୋ’ ପୁଅର ଚାକିରି । ସେ କଥା ପଦାରେ ପଡ଼ିଗଲେ ତା’ ଚାକିରି ଆଉ ରହିବ ତ ?

 

ମନୋହର, ତମର ସେ ବାବୁ ବାବୁଆଣୀ କଥା ନ କୁହ ପଛେ କିନ୍ତୁ ଏଇ ରାଧି...ତାକୁ କାହିଁକି ପାଗଳୀ କରି ଦିଆଗଲା ?

 

କିନ୍ତୁ ବାବୁ ବାବୁଆଣୀଙ୍କୁ ଛାଡ଼ି ଏ ରାଧି ପାଗଳୀର କଥା ଯେ କିଛି ନାହିଁ ବାବୁ । ରାଧି ଜୀବନର ପ୍ରତ୍ୟେକ ଘଟଣା ଦୁର୍ଘଟଣା ସହ ଯେ ଏଇମାନେ ହିଁ ସଂପୃକ୍ତ । ନା, ଆପଣ ମୋତେ ବାଧ୍ୟ କରନ୍ତୁନି । ମୁଁ ଯାଉଛି ।

 

ମୋର କୌଣସି କଥାକୁ ଅପେକ୍ଷା ନ କରି ସେ ଉଠି ଚାଲିଗଲେ । ମନୋହର ସହ ସେଇ ମୋର ପ୍ରଥମ ପରିଚୟ । ସେଥିରେ ତାକୁ ବାଧ୍ୟ କରି ତାଙ୍କଠୁ କୌଣସି କଥା ଆଦାୟ କରିବା ସୌଜନ୍ୟର ବିରୋଧୀ ।

 

ମନର ଅଦମ୍ୟ କୌତୂହଳକୁ ଅବଶ୍ୟ ଦମନ କରି ହେଉ ନଥାଏ । ରାଧିର ଦୟନୀୟ କରୁଣ ଅବସ୍ଥା ଦେଖିଲେ କାହା ମନରେ ବା ସହାନୁଭୂତି ନ ଆସିବ, କାହିଁକି ତା’ର ଏ ଦୂରବସ୍ଥା–ତାହା ଜାଣିବାକୁ ଇଚ୍ଛା ବା ଆଗ୍ରହ ନ ହେବ କାହାର ?

 

–୨–

 

ମୋର ଯେଉଁ ଅନୁରୋଧକୁ ଏଡ଼ାଇ ମନୋହର ଚାଲିଯାଇଥିଲେ ସେଇ ଅନୁରୋଧକୁ ରକ୍ଷା କରିବାପାଇଁ ସେ ଯେ ଦିନେ ନିଜ ପକ୍ଷରୁ ଅଧୀରତା ପ୍ରକାଶ କରିବେ ଏକଥା ମୁଁ କିମ୍ବା ସେ କିଏ ବା ଜାଣିଥିଲା । ସେଦିନ ରୁମ୍‌ରେ ବସିଛି । ହଠାତ୍ ଜଣେ ଯୁବକ ବ୍ୟସ୍ତ ହୋଇ ଦୌଡ଼ି ଆସି ନିଜକୁ ମନୋହରଙ୍କ ପୁଅ ରୂପେ ପରିଚୟ ଦେଇ ଅନୁରୋଧ କରି କହିଲା–ଆପଣ ଟିକେ ମୋ’ ସାଙ୍ଗରେ ଚାଲନ୍ତୁ ।

 

ତମ ସଙ୍ଗରେ ? କେଉଁଠିକି ?

 

ଆମ ଘରକୁ ! ଆପଣ ମୋ’ ବାପା ମନୋହରକୁ ଜାଣନ୍ତି ! ସେ ଆପଣଙ୍କୁ ଦେଖିବାକୁ ଖୋଜୁଛନ୍ତି ।

 

କ’ଣ ହୋଇଛି ? ଏତେ ବ୍ୟସ୍ତ କାହିଁକି ?

 

ସେ ଭୀଷଣ ଅସୁସ୍ଥ ।

 

ଯାଇ ଦେଖେ ମନୋହର ବିଛଣାରେ ନିଶ୍ଚଳ ହୋଇ ପଡ଼ି ରହିଛନ୍ତି । କେବଳ ଆଖି ଦୁଇଟା ମେଘ–ଆକାଶର ଦୁଇଟି ତାରାପରି ଜୁଳୁଜୁଳୁ କରୁଛି । ପାଖରେ ଜଣେ ଭଦ୍ରବ୍ୟକ୍ତି ଓ ଆଉ ଜଣେ ମହିଳା ବସି ଆଶ୍ୱାସନା ଦେଉଛନ୍ତି । ମୋତେ ଦେଖି ମନୋହର ବସିବାକୁ ଇଙ୍ଗିତ ଦେଲେ । ହଠାତ୍ ସେତିକିବେଳେ ରାଧି କୁଆଡ଼େ ଥିଲା ଧାଇଁ ଆସିଲା । ପ୍ରଥମେ ସେ ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାଙ୍କୁ ଦେଖି ଶଙ୍କି ଗଲା; କିନ୍ତୁ ପରେ ସ୍ୱାଭାବିକ ଭାବେ ମନୋହରର ବିଛଣା ଉପରେ ବସିପଡ଼ି ମନୋହରର ଶିଥିଳ ହାତଟିକୁ ତା’ ଉଷୁମ ହାତ ପାପୁଲିକୁ ତୋଳି ନେଇ ଲୁହ ଛଳ ଛଳ ଆଖିରେ କହିଲା–ମନୋହର ତୁ...ତୋ ଅବସ୍ଥା ଆସି ଏତେ ସରିକି ହେଲାଣି ! ହେ ଭଗବାନ ! କେବେ ତ ମୋ’ ଡାକ ଶୁଣିନା–ଆଜି ଏଇ ଶେଷ ଡାକ ଟିକେ ଶୁଣ ମୋ’ ଅବଶିଷ୍ଟ ଆୟୁଷ ମନୋହରକୁ ଦେଇ ତାକୁ ବଞ୍ଚେଇ ରଖ ପ୍ରଭୁ । ଯାହାର ବଞ୍ଚି ରହିବା ଦରକାର ତା’ ଉପରେ ଦାଉ ସାଧୁଛ, ଯିଏ ବଞ୍ଚିବାଟା ଆଦୌ ଚାହୁଁନି ତାକୁ ଏତେ ଆୟୁଷ ଦେଉଛ, କାହିଁକି ?

 

ମୁଁ ସେ ଯାଏ ‘ପାଗଳୀ’ ରାଧିକୁ ଦେଖି ଆସିଥିଲି କିନ୍ତୁ ଆଜି ଦେଖିଲି ରାଧିର ପ୍ରକୃତ ନାରୀ ରୂପ । ତା’ ଅନ୍ତର ଭିତରର ମାନବିକତାର ଗୋପନ ଶିଖା । ରାଧିର କଥା ସରିନାହିଁ–ଦେଖିଲି ହଠାତ୍ ସେ ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳା କାହାକୁ କିଛି ନକହି ଉଠି ଚାଲିଯାଉଛନ୍ତି ।

 

‘ବାବୁ...ମାଆ–ଆପଣ ଚାଲି ଯାଉଛନ୍ତି ? କ୍ଷୀଣ ସ୍ୱରରେ ମନୋହରର ଏଇ ପ୍ରଶ୍ନ କୌଣସି ଉତ୍ତର ପାଇ ନ ଥିଲା ।

 

ରାଧି କହିଲା–ଆରେ ମନୋହର, ରାଧି ଆଗରେ ଛିଡ଼ା ହେବାର ସତ୍‍ସାହସ କ’ଣ ସେମାନଙ୍କର ଆଉ ଅଛି ?

 

ମନୋହର ମୋ’ ଆଡ଼େ ଚାହିଁ କହିଲେ–ଆଜ୍ଞା, ଶେଷ ବେଳେ ମୁଁ ଆପଣଙ୍କୁ ଦେଖିବାକୁ ଡାକି ନଥିଲି । ଡାକିଥିଲି ଏଇ ବାବୁ ବାବୁଆଣୀଙ୍କୁ ଦେଖେଇ ଦେବାକୁ । ଆପଣ ବହୁ ଜିଗର କରିଥିଲେ ଏମାନଙ୍କ କଥା ଜାଣିବାକୁ । ମୁଁ କିନ୍ତୁ କହି ନଥିଲି, ଭୟରେ କିନ୍ତୁ ଏବେ ମୋର ଦିନ ସରି ଆସୁଛି । ଭାବିଲ–ମୁଁ ଯଦି କାହାରିକି ନ କହେ ମୁଁ ମରିଯିବା ପରେ ଏ କଥା ଲୁଚିଯିବ, ସତ୍ୟ ଲୁଚିଯିବ । ସେଥିପାଇଁ ଆଉ ଚୁପ୍‌ ରହି ପାରିଲିନି । ଆପଣଙ୍କୁ ଡକେଇ ପଠେଇଲି ।

 

ଏ ବାବୁ ବାବୁଆଣୀଙ୍କର ମୁଁ ଥିଲି ଅର୍ଦ୍ଦଳି । ଏ ଦୁହିଁଙ୍କ ଛଡ଼ା ସେ ଘରେ ଆଉ କେହି ନଥିଲେ । ସେମାନଙ୍କର ବୁଲାବୁଲି କରିବା ଭାରୀ ସଉକ । ବଡ଼ ଅଫିସର–ଭଲ ସୁନ୍ଦରିଆ ସ୍ତ୍ରୀ ପାଇଛନ୍ତି, ପିଲା ପିଲି ହୋଇ ନାହାନ୍ତି–ଏଇ ସମୟରେ ମନ ଖୁସିରେ ବୁଲିବେନି ତ ଆଉ କ’ଣ ବୁଢ଼ାକାଳେ ବୁଲିବେ ? ସେ ଦୁହିଁଙ୍କ ହସଖୁସିରେ ମୋ’ ମନ କୁଲୁରି ଉଠେ । ସେମାନେ ବି ମୋର କୌଣସି ଅଭାବ ରଖି ନ ଥିଲେ ।

 

ଏମିତି କେତେ ଦିନ ଚାଲିଗଲା । ବାବୁ ବାବୁଆଣୀଙ୍କୁ ଖାଇବାକୁ ଦେଇ ମୁଁ ଦାଣ୍ଡ ଘରେ ବସିଛି । ମେଘ ଦୁଲ୍ ଦୁଲ୍ ଢାଳୁଛି । କବାଟ ଖଟ୍ ଖଟ୍ ହେଲା । କବାଟ ଖୋଲି ଦେଖିଲି ୧୯/୨୦ ବର୍ଷର ଝିଅଟିଏ ବର୍ଷାରେ ଭିଜିଭିଜି ଆସି ଦୁଆର ମୁହଁରେ ଛିଡ଼ା ହୋଇଛି । ଦେହ, ହାତ ବରଡ଼ା ପତର ପରି ଥରୁଛି ।

 

ରାଧି ମନୋହରର ହାତଧରି ଆର ହାତରେ ତା’ ମୁହଁ ବନ୍ଦ କରିବାକୁ ଯାଉଥିଲା । ମନୋହର କହିଲେ–ନା, ରାଧି, ତୁ ମନା କରନା । ମନୋହର ପୂର୍ବ କଥାର ଖିଅ ଲଗାଇ କହିଲେ–ବୁଝିଲେ ତ ବାବୁ, ଝିଅଟିର ଗୋରା ତକ ତକ ଚେହେରା, ଚାନ୍ଦପରି ମୁହଁ, ହାତରେ ଗୋଟିଏ ସୁଟ୍‌କେଶ୍ । ନିର୍ବାକ ହୋଇ ମୁଁ ତା’ ଆଡ଼େ ଚାହିଁଲି । ସେ ପଚାରିଲା–ଏଇଟା ଭବତୋଷ ବାବୁଙ୍କ ଘର ?

 

କହିଲି–ହଁ, ଆପଣ ?

 

ମୁଁ ତାଙ୍କ ସ୍ତ୍ରୀଙ୍କ ଗାଆଁରୁ ଆସିଛି ।

 

ଭାବିଲି–ଏ ନିଶ୍ଚୟ ବାବୁଙ୍କ ଶଶୁର ଘରର କେହି ! ବାବୁଆଣିଆ ଚେହେରା ! କହିଲି–ଭିତରକୁ ଆସନ୍ତୁ ।

 

ସେ ଭିତରକୁ ଆସୁ ଆସୁ କହିଲା–ବିନି ଅପାଙ୍କୁ କହିବ ରାଧି ଆସିଛି ।

 

ରାଧି ବାଧା ଦେଇ କହିଲା–ସେ କଥା ଆଉ କାହିଁକିରେ ମନୋହର ? ଥାଉ ସେ କଥା କାହାକୁ କହି କିଛି ଲାଭ ନାହିଁ । ତୋ, ଦେହ ଖରାପ । ତୁ ଆରାମ କର । କ’ଣ ମିଳିବ ଏ କଥାରୁ-? ଦେଖିଲୁ ତ ମୁଁ ଆସୁ ଆସୁ ସେମାନେ ଉଠି ଚାଲିଗଲେ କଥା ପଦେ ବି ନ ପଚାରି । ମୁଁ କ’ଣ ତାଙ୍କ ସାଙ୍ଗରେ ଧାଇଁ ଯାଉଥିଲି ନା ତାଙ୍କ ଧନକୁ ଅନେଇ ବସିଛି ।

 

ମନୋହର କହିଲେ–ରାଧି, ତୋ’ କଥା ଏଯାଏ କାହାକୁ କହି ନ ଥିଲିରେ ! ହେଲେ ଏ ବାବୁଟା ତୋ’ କଥା ଜାଣିବା ପାଇଁ କେତେ ଥର ଜିଗର କରିଛି । ମୋର ଏଇ ଯିବା ଆସିବା ବେଳେ ତାଙ୍କୁ ଯଦି ତୋ’ କଥା ନକହେ ମୋ’ ଆତ୍ମାଟା ଶାନ୍ତି ପାଇବନି ! ଲୋକେ ଜାଣନ୍ତୁ ଯାହା ସବୁ ଚିକ୍ ଚିକ୍ କରେ ସେ ସବୁ ସୁନା ନୁହେଁ ।

 

ରାଧି ନୀରବ ରହିଲା । ମନୋହର କହିଲେ–ରାଧି ଖବର ଯାଇ ବାବୁଆଣୀଙ୍କୁ ଦେଲି । ବାବୁଆଣୀ ସେତେବେଳକୁ ଖାଇ ସାରିଥିଲେ ଗୋଟିଏ ଟରକିସ ଟାଓଲରେ ହାତ ପୋଛି ପୋଛି ଚାଲି ଆସିଲେ । ତାଙ୍କୁ ଦେଖି ରାଧି ତାଙ୍କ ଗୋଡ଼ତଳେ ପଡ଼ି କାନ୍ଦିବାକୁ ଲାଗିଲା । ସେମିତି ଓଦା ସୁଡ଼ୁବୁଡ଼ୁ ।

 

ତାକୁ ଉଠେଇ ଧରି ବାବୁଆଣୀ ପଚାରିଲେ ରାଧି, ତୁ ଏ ବରଷାରେ ? ସେ ଟାଓଲଟାକୁ ତା’ ଆଡ଼େ ବଢ଼େଇ ଦେଇ କହିଲେ ନେ, ଆଗ ପୋଛି ହୋଇ ପଡ଼ । ଲୁଗାପଟା ବଦଳେଇ ନେ । ତା’ପରେ କଥା ହେବା ।

 

ମୋତେ କହିଲେ–ମନୋହର, ରାଧିକୁ ସେ ପାଖ ଘରଟା ଦେଖେଇ ଦିଅ । ସେ ଲୁଗାପଟା ବଦଳେଇ ନେଉ । ମୁଁ ରାଧିକୁ ସାଙ୍ଗରେ ନେଇ ରୁମ୍ ଦେଖାଇ ଫେରି ଆସିଲି । ବାବୁ ବି ଆସି ପହଁଚିଗଲେ ସେଠାରେ । ପଚାରିଲେ–ବିନି ! କିଏ ଆସିଚି କି ?

 

ଆମ ଗାଆଁ ରାଧି । ଆମ ଘରେ ଯେଉଁ ହଳିଆ ଥିଲା ତା’ରି ଝିଅ ।

 

କୁଆଡ଼େ ଆସିଛି ?

 

ପଚାରିନି । ବର୍ଷାରେ ଭିଜି ଭିଜି ଆସି ଓଦା ସୁଡ଼ୁବୁଡ଼ୁ ହୋଇଥିଲା ଯେ ଲୁଗା ବଦଳେଇବାକୁ ପଠେଇଛି ।

 

ସେଇ ସମୟରେ ରାଧି ଆସି ପହଁଚିଗଲା ଗୋଟିଏ ସୁତାଶାଢ଼ୀ ପିନ୍ଧି ବାବୁଜୀଙ୍କୁ ପ୍ରଣାମ କରି ମାଆଙ୍କ ହାତକୁ ଚିଠିଟିଏ ବଢ଼େଇଦେଲା । ଚିଠିଟା ମାଆଙ୍କ ବାପା ଦେଇଥିଲେ । ଲେଖାଥିଲା ‘‘ମାଆ ବିନି, ରାଧିକୁ ତୁ ପିଲାଟି ଦିନରୁ ଜାଣିଛୁ । ଏ ବର୍ଷ ବନ୍ୟାରେ ତା’ ବାପା ମାଆ କୁଆଡେ଼ ଭାସିଗଲେ ଯେ ତାଙ୍କ ଖବର ନାହିଁ । ଅନେକ ସନ୍ଧାନ ନେଲି । କିଛି ଖବର ମିଳିଲାନି । ବଢ଼ିଲା ଝିଅ ଏ ରାଧି ! ଖୁବ୍ ରୂପ ପାଇଛି । ଏକୁଟିଆ ଏ ଗାଆଁରେ ସେ ଚଳିବ କେମିତି ? ସେଥିପାଇଁ ତୋ ପାଖକୁ ପଠାଉଛି । ତୁ ତ ସେଠାରେ ଏକୁଟିଆ । ତୋ’ ପାଖରେ ରହି ଘରକାମ କରିବ । ଖୁବ୍ ଶାନ୍ତ ସୁଧାର ପିଲାଟିଏ । ମାଛିକୁ ମର ବୋଲି କହେନା । ତାକୁ ତୋ’ ପାଖରେ ରଖିବୁ ।”

 

ସେଇ ଦିନରୁ ରାଧି ବାବୁଙ୍କ ଘରେ ଥିଲା । ଥରେ ମାଆଙ୍କୁ କହିଲି–ମାଆ ଏତେ ସୁନ୍ଦର ଝିଅଟିଏ । ତା’ର ବା ଆଉ କିଏ ଅଛି ? ଯଦି ତମ ଦୟା ହୁଅନ୍ତା ତା’ହେଲେ ପିଲାଟା କୂଳରେ ଲାଗି ଯାଆନ୍ତା । ତମର ବି ବହୁତ ପୁଣ୍ୟ ହୁଅନ୍ତା ।

 

ମାଆ କହିଲେ–ଦେଖିବ ମନୋହର । ଯଦି ଭଲ ପିଲାଟିଏ କିଏ କେଉଁଠି ତମ ଆଖିରେ ପଡ଼େ ।

 

ତା’ପରେ ମୁଁ ମନେ ମନେ ରାଧି ପାଇଁ ପିଲାଟିଏ ଖୋଜିଥିଲି । ଯାହାକୁ ଦେଖିଛି ସେ ମୋ’ ମନକୁ ପାଇନି । ରାଧି ଲାଗି ବରପାତ୍ରଟିଏ ମିଳିବା କ’ଣ ସହଜ କଥା ।

 

ଏମିତି କେତେଦିନ ଚାଲିଗଲା । ରାଧି ବି ମୋ’ ପରି ସେ ଘରେ ଜଣେ ହୋଇଗଲା । ମୋ’ କାମରୁ ଅଧେ ଛଡ଼େଇ ନେଲା ସେ । ସେଦିନ ବାବୁଙ୍କ ବିବାହର ପଞ୍ଚମ ବାର୍ଷିକ ପାଳନ ହେଉଥାଏ । ବାବୁଙ୍କର, ମାଆଙ୍କର ଅନେକ ସାଙ୍ଗସାଥୀ ଆସିଥାନ୍ତି ଘରକୁ । ବଡ଼ ଲୋକମାନେ ତାଙ୍କ ବାହାଘର ଦିନକୁ ମନେରଖିବାକୁ ଏମିତି କୁଆଡେ଼ ଜାକଜମକରେ ଉତ୍ସବ କରନ୍ତି । ଆମେ ଦୁହେଁ ସେତେବେଳକୁ ଖଟି ଖଟି ହାଲିଆ । ତଥାପି ଖଟୁଥାଉଁ । ଆମକୁ ଜଣାଯାଉଥାଏ ସତେ ଯେମିତି ଆଜି ବାବୁଙ୍କର ବାହାଘର ହେଉଛି । ସବୁ ବନ୍ଧୁବାନ୍ଧବ ସାଙ୍ଗସାଥୀ ଯିଏ ଯୁଆଡ଼େ ଚାଲିଗଲେ ଉତ୍ସବ ଶେଷରେ । ବାବୁ ଗଲେ ତାଙ୍କର କାର୍ ନେଇ ତାଙ୍କ ବଡ଼ ଅଫିସରଙ୍କୁ ଛାଡ଼ିବାକୁ-। ମାଆ ଶୋଇପଡ଼ିଲେ ଥକ୍‍କା ହୋଇ ।

 

ମୋ’ ଆଖି ବୁଜି ହୋଇ ଆସୁଥାଏ । ସେତେବେଳକୁ ଗୋଟିଏ ସୋଫା ଉପରେ ରାଧି ଶୋଇପଡ଼ିଥାଏ, ପଙ୍ଖା ଘୁରୁଥାଏ ତା’ ମୁଣ୍ଡ ଉପରେ । ଶାଢ଼ୀଟା ବେଳେ ବେଳେ ଦେହରୁ ଉଡ଼ି ଆସୁଥାଏ । ଭାବିଲି–ପିଲା ଅନେକ ଖଟିଛି ଆଜି ଅଖିଆ ଅପିଆ ଶୋଇପଡ଼ୁ । ବାବୁ ଫେରିସାରିବା ପରେ ତାକୁ ଉଠାଇବି ଖାଇବାକୁ ।

 

ବାବୁଙ୍କୁ ଅପେକ୍ଷା କରି କରି ମୋତେ ବି ନିଦ ଲାଗିଗଲା । ବାବୁ କେତେବେଳେ ଫେରିଲେ ମୁଁ ଜାଣିନଥିଲି; କିନ୍ତୁ ରାଧିର ଚିତ୍କାରରେ ମୋ’ ନିଦ ଭାଙ୍ଗିଥିଲା । ଦେଖିଲି ବାବୁ ତାକୁ ଜୋର ଜବରଦସ୍ତ.....

 

ମୁଁ ଦେଖିଲି–ଏ କଥା ଶୁଣିବା ପୂର୍ବରୁ ରାଧି କାନରେ ହାତ ଦେଇ ଦେଇଛି । ଆଖିରୁ ଲୁହ ଝରିଯାଇଛି । କହୁଛି–ମନୋହର ! ସେ’ ପାପ କଥା ଆଉ କହନା । ସେଦିନ ମୋ’ ମୁଣ୍ଡରେ ଯା ବଜ୍ର ପଡ଼ିଲାନି । ମରିଯାଇଥିଲେ ତରିଯାଇଥାନ୍ତି । କୋଉ ଜନ୍ମରେ କି ପାପ କରିଥିଲି କେଜାଣି... ରାଧି କଣ୍ଠ ରୁଦ୍ଧ ହୋଇ ଆସିଲା ଦୁଃଖରେ, କୋହରେ ।

 

ମନୋହର କହି ଚାଲିଲେ–ମୋ’ ମୁଣ୍ଡ ଉପରେ ଯେମିତି ଆକାଶଟା ଖସି ପଡ଼ିଲା ସେତେବେଳେ । ରାଧିକୁ ମୁଁ ମୋ’ ନିଜ ଭଉଣୀ ପରି ଦେଖୁଥିଲି । ତା’ପାଇଁ ବର ଖୋଜୁଥିଲି । ମନ ମାଫିକ୍ ବର ମିଳି ନଥିଲା ସେ ଯାଏ...କିନ୍ତୁ ଆଜି ରାଧିର ଏ କ’ଣ ହୋଇଗଲା ? ମନରେ ବାବୁ ପ୍ରତି ଘୃଣା ଆସିଲେ ବି ପ୍ରକାଶ କଲିନି ପେଟ ଚାଖଣ୍ଡକ ପାଇଁ । ବାବୁ ଘରୁ ବାହାର କରି ଦେଇଥିଲେ ମୋ’ ପାଇଁ ମୁଣ୍ଡ ଗୁଞ୍ଜିବାକୁ ଥାନ ନ ଥାନ୍ତା । ଲୁହ ଛଳ ଛଳ ଆଖିରେ କହିଲି–ବାବୁ, ଆପଣ ଏ କ’ଣ କଲେ ? ନିରୀହ ଝିଅଟାର ସର୍ବନାଶ କରିଦେଲେ ।

 

ରାଧି ବରଡ଼ା ପତର ପରି ଥରୁଥାଏ, ନା ଚାହିଁ ପାରୁଥାଏ ବାବୁଙ୍କୁ, ନା ଚାହିଁ ପାରୁଥାଏ ମୋତେ । ବାବୁ କହିଲେ–ମନୋହର ତମେ ବ୍ୟସ୍ତ ହୁଅନା । ରାଧି ସବୁଦିନେ ମୋ’ ପାଖରେ ମୋର ହୋଇ ରହିବ ।

 

ମାଆ...ମାଆ କ’ଣ କହିବେ ?

 

ମାଆ କ’ଣ କହିବେ ଜାଣେନା, କିନ୍ତୁ ତା’କୁ ଏକଥା କହିବନି....ଟିକିଏ ରହି କହିଲେ–ତମେ ଜାଣନା ମନୋହର, ତମ ମାଆ କେବେ ମାଆ ହୋଇପାରିବେନି । ଏତେ ଧନ ସମ୍ପତ୍ତି, ଏ ଘରର ମାଲିକ ହେବାପାଇଁ ମୋର ଜଣେ ଉତ୍ତରାଧିକାରୀ ଦରକାର ନୁହଁ ?

 

ମାଆ...ମାଆ ପୁଣି ମାଆ ହେବେନି ?

 

ନା, ଡାକ୍ତର କହିଛନ୍ତି ।

 

ଏଁ... ଆପଣ ଏ ସବୁ କ’ଣ କହିଯାଉଛନ୍ତି ବାବୁ ?

 

ହଁ ମନୋହର, ମୁ ଯାହା କହିଛି ଭାବିଚିନ୍ତି କହିଛି । ରାଧିର ପିଲା ହେବ ଏ ସକଳ ସମ୍ପତ୍ତିର ମାଲିକ । ରାଧି ଏବେ ଆଉ ଏ ଘରର ଚାକରାଣୀ ନୁହେଁ, ଏ ଘରର ଲକ୍ଷ୍ମୀ ।

 

ବାବୁଙ୍କ ବହୁ ଅନୁରୋଧ ଯୋଗୁ ମୁଁ ସିନା କଥାଟା ଚପେଇ ରଖିଥିଲି; କିନ୍ତୁ ରହିପାରିଲା କେଉଁଠି ? ରାଧି ମାଆ ହେବାକୁ ଗଲା । ସେତିକିବେଳେ ବାବୁଆଣୀ ଗର୍ଜି ଉଠି କହିଲେ–ପୋଡ଼ାମୁହିଁ ରାଧି, ଏ ଘରେ କଳଙ୍କ ଲଗେଇବାକୁ ଆସିଥିଲୁ । ତତେ ଟିକିଏ ବିଷ ଜହର ମିଳିଲାନି-। ତା’ ଚୁଟି ଧରି ଘୋଷାରି ଘୋଷାରି କହିଲେ–କହ, କିଏ ତୋତେ ଏମିତି କଲା ?

 

କି ଉତ୍ତର ଦେଇ ପାରିଥାନ୍ତା ରାଧି । ଖାଲି କାନ୍ଦୁଥିଲା । ମୁଁ କହି ଦେବାକୁ ଭାବି ବି କହି ପାରୁ ନଥାଏ । ଅସହାୟ ଭାବେ ଚାହିଁଥାଏ ରାଧିକୁ, ବାବୁଆଣୀଙ୍କୁ । ଏଇ ସମୟରେ ବାବୁ ଅଫିସରୁ ଫେରି ପଚାରିଲେ–କ’ଣ ହେଇଛି ରାଧିର ?

 

ହବ ଆଉ କ’ଣ ? ପୋଡ଼ାମୁହିଁ ପେଟରେ କଳଙ୍କ ଧରି ବୁଲୁଛି ।

 

ଏଁ......

 

ପଚାର, କହିବ ଯେ....

 

ବାବୁଙ୍କର ବା ଆଉ କ’ଣ ପଚାରିବାକୁ ଥିଲା । ସେ କହିଲେ–ଦେଖ ବିନି, ଏମିତି ପାଟି କରିବା ଦ୍ଵାରା ତମେ କ’ଣ ଭାବୁଛ ଘରର ମାନ ସମ୍ମାନ ବଢ଼ିଯିବ ?

 

ମୁଁ କହିଲି–ବାବୁ, ରାଧିର ବା ଏଥିରେ ଦୋଷ କ’ଣ ?

 

ଆଉ କାର ? ଗର୍ଜି ଉଠିଲେ ମାଆ । ଆଉ କ’ଣ ତମେ ରାଧି ପେଟରେ ଏତେ ବଡ଼ କଳଙ୍କ ରଖି ଦେଇଛ ମନୋହର ?

 

କାନରେ ହାତ ଦେଇ ଅସହାୟ ଭାବେ କହିଲି–ବାବୁ.....

 

ମାଆ ବାବୁଙ୍କ ଆଡ଼େ ଚାହିଁଲେ । ସେ ଆଖିର ଚାହାଁଣୀ ନୁହେଁ, ସତେ ଯେମିତି ସେ ଆଖିରେ ନିଆଁ ଜଳୁଛି ।

 

ବାବୁ କହିଲେ–ଏ ସବୁ ପାଇଁ ମୁଁ ଦାୟୀ ବିନି ।

 

ତମେ......ତମେ ଏ କାମ କରିଛ ?

 

ଅପୁତ୍ରିକ ହୋଇ ଆଉ କେତେ ଦିନ ରହିପାରିଥାନ୍ତି ବିନି । ଡାକ୍ତର ଯାହା କହିଥିଲେ ତମେ ତ ଜାଣ ।

 

ଏଇ ‘ଅପୁତ୍ରିକ’ ଶବ୍ଦଟି ଯେମିତି ବାବୁଆଣୀଙ୍କୁ ଚାଇଁକିନା ଧରିଲା । ଅପେକ୍ଷାକୃତ ନରମ ସ୍ଵରରେ କହିଲେ–ତା’ ବୋଲି ଏମିତି ଲୁଚାଛପା....ମତେ ସେ କଥା କହିଲନି କାହିଁକି ? ମୁଁ କ’ଣ ଏତେ ଅବିବେକୀ । ନାରୀ କ’ଣ ତ୍ୟାଗ କରି ନ ପାରେ ତା’ ମନର ମଣିଷର ସୁଖ ପାଇଁ । ତା’ଛଡ଼ା କୌଣସି ଲୋକ କ’ଣ ତା’ ବଂଶ ବୁଡ଼ିଯିବାଟା ଚାହେଁ !

 

ମୋତେ ରକ୍ଷାକର ବିନି । ମୁଁ ଭୟରେ, ସଂକୋଚରେ ଏକଥା କହି ପାରି ନଥିଲି ।

 

ତା’ ପରେ ରାଧିର ପୁଅ ହେଲା; କିନ୍ତୁ ଲୋକଙ୍କୁ ଜାଣିବାକୁ ଦିଆଗଲା ବାବୁ ବାବୁଆଣୀଙ୍କର ପୁଅ ହୋଇଛି । ଖୁବ୍ ଜାକଜମକରେ ବି ଜନ୍ମଦିନ ପାଳନ ହେଲା । ମାଆ ସେତେବେଳକୁ ତାଙ୍କ ମନକୁ ପୁରା ବୁଝେଇ ସାରିଥିଲେ । ପୁଅଟି ତାଙ୍କରି କୋଳରେ ବସିଲା, ହସିଲା, ବଢ଼ିଲା । ରାଧି ଦୂରରୁ ଦେଖି ଖାଲି ଲୁହ ଗଡ଼ାଉଥିଲା । ମାଆ ମନ ତ ! ଥରେ ରାଧି କହିଲା–ବାବୁ, ପୁଅକୁ ଅନ୍ତତଃ ଦିନରେ ଥରେ ଦୁଇଥର ମୋ...ମୋ କୋଳକୁ ଦିଅନ୍ତି । ମାଆ କ୍ଷୀର ନଖାଇ ଏମିତି ଅମୂଲ ସେ କେତେ ପିଇବ ?

 

ବାବୁ କହିଲେ–ଲୋକେ କ’ଣ କହିବେ ?

 

ଯାହାର ଲୋକନିନ୍ଦାକୁ ଏତେ ଡର ସେ ଗୋଟିଏ ନିରୀହ ଝିଅର ଏତେ ବଡ଼ ସର୍ବନାଶ କରିବାକୁ ଯାଉଥିଲା କାହିଁକି ? ଆପଣ ପରା କହୁଥିଲେ–ରାଧି ଏ ଘରର ଲକ୍ଷ୍ମୀ । ବିନି ଅପା ପରା କହୁଥିଲେ–ସେ ତମ ପାଇଁ ସବୁ ତ୍ୟାଗ କରି ପକାଇଥାନ୍ତେ–କାହିଁ ଏଠି ତ କୌଣସି ତ୍ୟାଗର ପ୍ରଶ୍ନ ଉଠୁନି । ମାଆ ସ୍ତନରୁ କ୍ଷୀର ଝରିଯାଇ ମାଟିରେ ମିଶୁଥିବ ଆଉ ସେହି ମାଆର ଶିଶୁ ଅମୁଲ ପାଣି ପିଉଥିବ–ଏ କଥା ମୁଁ ମାଆ ହୋଇ କେମିତି ସହିପାରିବି ?

 

ଏଇ ହେଲା ରାଧିର ଦୋଷ । ସେଇଦିନ ସେ ଘରୁ ତଡ଼ା ଖାଇଲା ରାଜ ରାସ୍ତାକୁ । ତାରି ପୁଅର ମଙ୍ଗଳ ପାଇଁ ସେ ଛାତିରେ ପଥର ଲଦି ଦେଲା ସିନା କିନ୍ତୁ ମନ...ମନକୁ କ’ଣ ମାରିପାରିଲା ? ସେଇ ଦିନରୁ ରାଧି ହେଲା ପାଗଳୀ ।

 

ମନୋହର ବାବୁ ଆଖିରୁ ଲୁହ ପୋଛିଲେ । ରାଧି କେତେବେଳୁ ସେଠାରୁ ଉଠି ବାହାରକୁ ଚାଲିଯାଇଥିଲା ।

 

ମୁଁ ପଚାରିଲି–ସେଦିନ ରାଧି ଯେଉଁ କୁନା କଥା କହୁଥିଲା ସେଇ ତା’ହେଲେ କ’ଣ ରାଧିର ପୁଅ ?

 

ହଁ କୁନା ରାଧିର ପୁଅ । ସେ ବି ଏବେ ଜଣେ ବଡ଼ ଅଫିସର ।

 

ରାଧି କେବେ ତା’ ପାଖରେ ତା’ର ପରିଚୟ ଦେଇନି ।

 

ଥରେ ଅନେକ ସାହସ ବାନ୍ଧି ଯାଇଥିଲା ପରିଚୟ ଦେବାକୁ । କିନ୍ତୁ.....

 

କିନ୍ତୁ କ’ଣ ହେଲା ?

 

ପାଗଳୀ କଥାର କି ମୂଲ୍ୟ ଥାଏ ଆଜ୍ଞା ଏ ସମାଜରେ ? କିଏ ତା’ କଥା ଶୁଣନ୍ତା ! କ’ଣ ଗୁଡ଼ିଏ ଏଣୁ ତେଣୁ କହୁଛି ବୋଲି ଖାଲି ଯାହା ଗୁଡ଼ିଏ ମାଡ଼ ଖାଇଲା ।

Image

 

ରୁବି

 

ପୌଷ ମାସର ଶୀତୁଆ ସକାଳ । କୁହୁଡ଼ିର ଏକ ଝାପ୍‌ସା ଆସ୍ତରଣ ଦିଲ୍ଲୀ ନଗରୀକୁ ସେ ଯାଏ ଘୋଡ଼େଇ ରଖିଥିଲା । ଦମକା ଦମକା ହିମାଳୟ ପବନରେ ଦେହ ଶୀତେଇ ଆସୁଥିଲା-। ମୁଁ ରହୁଥିବା ଗେଷ୍ଟ ହାଉସ୍‌ରେ ମୋ’ ବ୍ୟତୀତ ପ୍ରାୟ ସମସ୍ତେ ଗଭୀର ନିଦ୍ରାରେ ନିମଜ୍ଜିତ-। ସକାଳ ହେଲେ ମୋର ଦରକାର ହୁଏ ଚା’ ଓ ପାନ । ଏଇ ନିଶା ହିଁ ମୋତେ ବିଛଣା ଛାଡ଼ିବାକୁ ବାଧ୍ୟ କରାଏ । ଝରକା ଖୋଲି କୁତବ ମିନାର ଆଡ଼େ ଚାହିଁଲି–କୁହୁଡ଼ିରେ ତାହା ଅସ୍ପଷ୍ଟ । ପୌଷ ସକାଳରେ ଦିଲ୍ଲୀ ଆକାଶରେ ସୂର୍ଯ୍ୟ ଉଇଁବା ଡେରି ହୁଏ; ସତ କିନ୍ତୁ ବ୍ୟସ୍ତ ନଗରୀ ସୂର୍ଯ୍ୟ ଉଇଁବାକୁ ଅପେକ୍ଷା କରି ପାରେନା । ମୋ’ ପରି ଏ ନଗରୀର କିଛି ନିଶାଭ୍ୟାସ ଅଛି ବୋଧହୁଏ ।

 

ଲେଖକ କର୍ମଶାଳାରେ ଯୋଗ ଦେବାକୁ ଯାଇ ଦିଲ୍ଲୀରେ ବେଡ଼–ଟି ମିଳେ ପ୍ରାୟ ସାତଟା ବେଳେ । କିନ୍ତୁ ସେତେବେଳ ଯାଏ ଅପେକ୍ଷା କରିବାକୁ ମୋର ଧୈର୍ଯ୍ୟ ନ ଥାଏ । ଛଅଟା ବେଳେ ଶଯ୍ୟା ତ୍ୟାଗ କରିବା ସଙ୍ଗେ ସଙ୍ଗେ ସିଧା ଚାଲିଯାଏ କୁତବ ହୋଟେଲ ସାମ୍ନା ସେଇ ଅନାମିକା ମହିଳାଙ୍କ ଝୁମ୍ପୁରି ଘରକୁ ଚା’ ଆଉ ପାନ ପାଇଁ । ସେଠାରୁ ଫେରିବା ବେଳକୁ ବି ମୋର ବନ୍ଧୁମାନେ ଶଯ୍ୟାତ୍ୟାଗ ନ କରି ଅଳସ ଭାଙ୍ଗୁଥାନ୍ତି ସେଇ ବାସି ଶେଯରେ ।

 

ସେଦିନ କୁହୁଡ଼ି କାଟି କାଟି ମୁଁ ସେଇ ଝୁମ୍ପୁରିକୁ ଯାଇଥିଲି ଚା’ ପିଇସାରି ପାନ ଆଣୁଛି ହଠାତ୍‌ ଶୁଣିଲି ଏକ ନାରୀ କଣ୍ଠ–

 

‘ହାଲୋ ମି: ମହାନ୍ତି–ଗୁଡ଼‌୍‌ ମର୍ଣ୍ଣିଂ ।’

 

ସେଇ ଅଳସ ମୁହୂର୍ତ୍ତରେ ହଠାତ୍ ମୁଁ ସତର୍କ ହୋଇଉଠି ଫେରି ଚାହିଁଲି । ଫେରି ଚାହିଁଲି ଏଇଥିପାଇଁ ଯେ ଏଠାରେ ଆଉ ମହାନ୍ତି ସଂଜ୍ଞାଧାରୀ ବ୍ୟକ୍ତି କିଏ ଅଛନ୍ତି ତାଙ୍କୁ ଜାଣିବା ପାଇଁ–ଏଇ ଦିଲ୍ଲୀ ନଗରୀରେ ମୋର ସଂପର୍କର ହାତଟାକୁ ଆହୁରି ପ୍ରସାରିତ କରିଦେବା ପାଇଁ; କିନ୍ତୁ ନା, କଥାଟା ଠିକ୍ ତା’ ନୁହେଁ । ଦେଖିଲି ଗୋଟିଏ ଝିଅ ମୋତେ ହିଁ ସୁପ୍ରଭାତ ଜଣାଉଛି । ମୋତେ ହିଁ ପଚାରୁଛି–ହାଓ ଆର ୟୁ ।

 

ନିର୍ବାକ ବିସ୍ମୟରେ ଚାହିଁ ରହିଲି ସେଇ ଝିଅଟିକୁ । କୁହୁଡ଼ିର ସେଇ ଅସ୍ପଷ୍ଚତା ସେ ଝିଅଟିର ରୂପ ଲାବଣ୍ୟରେ ଅପସାରିତ ହୋଇ ଯାଇଥିଲା ମୋ’ ଦୃଷ୍ଟି ପଥରୁ ।

 

ଏକ ସୁନ୍ଦର ଗୋଲାପି ଶାଢ଼ୀ ଓ ଓଭରକୋଟ ପିନ୍ଧି ଥିବା ସେଇ ଝିଅଟିର ଓଠରେ ଆତ୍ମୀୟତାର ହସ । ମନେ ପକାଇବାକୁ ଚେଷ୍ଟା କଲି । ଆମ ୱାର୍କସପ୍‌ରେ ଦିଲ୍ଲୀର ଯେଉଁ ଦଶଜଣ ଝିଅ ଯୋଗ ଦେଇଥିଲେ ସେଇମାନଙ୍କ ଭିତରେ ଏ ଝିଅଟିକୁ ଖୋଜିଲି । କିନ୍ତୁ ନା, ଏ ସେମାନଙ୍କ ଭିତରୁ କେହି ନୁହେଁ । ସେମାନଙ୍କ ବ୍ୟତୀତ ଦିଲ୍ଲୀରେ ଆଉ କୌଣସି ଅଣ ଓଡ଼ିଆ ଝିଅଙ୍କ ସହ ମୋର ପରିଚୟ ନ ଥିଲା ।

 

ଏକ ପ୍ରଶ୍ନିଳ ଦୃଷ୍ଟିରେ ଝିଅଟିକୁ ଚାହିଁଲି । ‘ଆପଣ ମୋତେ ଚିହ୍ନି ପାରୁନାହାନ୍ତି ନା ? ମୁଁ ରୁବି’ । ‘‘ରୁବି...” ମୁଁ ମନେ ପକେଇବାକୁ ଚେଷ୍ଟା କରୁଥିଲି । “ହଁ, କାଲି ରାତିରେ ଆପଣ ଯାଇ ନଥିଲେ ମୋ’ ଡାନ୍‌ସ ଦେଖିବାକୁ ?”

 

ମନେ ପଡ଼ିଲା । ତା’ହେଲେ ଏଇ ଗତ ରାତ୍ରୀର ସେ କାବ୍‌ରେ ଡାନ୍‌ସରେ ରୁବି । ପଚାରିଲି–ଆପଣ ମୋତେ ଚିହ୍ନିପାରିଲେ କେମିତି ? ସେଇ ତ ଯାହା ମିନିଟିକର ଦେଖା...

 

“କ’ଣ କାବେର୍ ଡାନସ୍‌ର ହେଲି ବୋଲି ମଣିଷ ଚିହ୍ନି ପାରିବନି ?”

 

‘ନା, ମୁଁ ସେକଥା କହୁନି । ଆପଣଙ୍କ ଡାନସ୍ ଦେଖିବାକୁ ତ ଅନେକ ଲୋକ ଯାଆନ୍ତି । ଆପଣ କ’ଣ ସମସ୍ତଙ୍କୁ ମନେରଖିପାରନ୍ତି ସେଇ ଗୋଟିଏ ମୁହୂର୍ତ୍ତର ଦେଖାରେ ?’

 

‘ନା, ତା’ ସମ୍ଭବ ନୁହେଁ । ମନେରଖିବାକୁ କେବେ ଚେଷ୍ଟା ବି କରୁନା’ ।

 

‘ତା’ହେଲେ...’ ।

 

‘ଓ...ଆପଣଙ୍କୁ କେମିତି ମନେ ରଖିଲି, ଏଇ କଥା ତ ?’

 

ତା’ ମୁହଁରେ ଦେଖିଲି ଏକ ଅପୂର୍ବ ଦୀପ୍ତିର ତରଙ୍ଗ ସେ ରହି ରହି କହିଲା–ଆପଣ ମୋ’ ଅନ୍ତରରେ ଯେଉଁ ରେଖାପାତ କରିଛନ୍ତି ସେଥିରେ ଆପଣଙ୍କୁ ଭୁଲିବା କ’ଣ ସମ୍ଭବ ?

 

ମୁଁ ତା’ ହୃଦୟରେ ବା କି ରେଖାପାତ କରିପାରେ ତାହା ବୁଝିବାକୁ ସକ୍ଷମ ନଥିଲି ସେତେବେଳେ । ପଚାରିଲି–ଆପଣଙ୍କ ଅନ୍ତରର ରେଖାପାତ ?

 

ହିଁ ଯାହା କେହି ଏ ଯାଏ କରିପାରି ନଥିଲେ...ଆପଣ ବିଶ୍ଵାସ କରୁନାହାନ୍ତି ନା ? ତଥାପି ମୋ’ ମନ ଭିତରର କଥାଟି ଆପଣଙ୍କୁ ନ କହି ରହି ପାରିବିନି...ଆପଣ ନିଶ୍ଚୟ ଜାଣନ୍ତି ହୋଟେଲ୍‌ର ସେଇ ମାଦକଭରା ରଙ୍ଗୀନ ପରିବେଶରେ ଆମର ଯୌବନ, ରୂପକୁ ଉପଭୋଗ କରିବା ପାଇଁ କେମିତି ଧାଇଁ ଆସନ୍ତି ଅସଂଖ୍ୟ ରୂପଲୋଭୀ... ଆପଣ ଆହୁରି ଦେଖିଥିବେ...ଏଇ କାଲି ରାତିର କଥା–ମୁଁ ଯେତେବେଳେ ଡାୟାସରୁ ଓହ୍ଲାଇ ପଡ଼େ ଦର୍ଶକ ମେଳ ଭିତରକୁ ସେତେବେଳେ ଏ ଦେହର ଟିକିଏ ସ୍ପର୍ଶ ପାଇବା ପାଇଁ ଆକୁଳତାରେ କେମିତି ଅଧୀର ହୋଇପଡ଼ନ୍ତି ସେମାନେ... ।

 

“ହଁ ତାହା ମୁଁ ଲକ୍ଷ୍ୟ କରିଛି...”

 

“କିନ୍ତୁ ଆପଣ ? ଆପଣଙ୍କୁ ଦେଖିଲି ଏକ ବ୍ୟତିକ୍ରମ,”

 

“ବ୍ୟତିକ୍ରମ ?”

 

“ହଁ ଏକ ଆଶ୍ଚର୍ଯ୍ୟ ବ୍ୟତିକ୍ରମ ଏବଂ ମୋ’ ଜୀବନରେ ପ୍ରଥମ ବ୍ୟତିକ୍ରମ । ଅନ୍ୟମାନଙ୍କ ପରି ଲୋଲୁପ ଦୃଷ୍ଟି, କି ନିର୍ଲଜ୍ଜ ବ୍ୟାକୁଳତା ନଥିଲା ଆପଣଙ୍କର...ସେଥିପାଇଁ ଆପଣଙ୍କୁ ଭୁଲିନାହିଁ ଭୁଲିପାରିନାହିଁ ।” ଏତିକି କହି ସେ ଟିକିଏ ନୀରବ ରହିଗଲା ଓ ତା’ପରେ କହିଲା–ସ୍ଵପ୍ନରେ ସୁଦ୍ଧା ଏକଥା ଭାବିନଥିଲି ଯେ ଆପଣଙ୍କ ସହ ପୁଣି ଦେଖାହେବ । ଏହା ନିଶ୍ଚୟ ଜଗନ୍ନାଥଙ୍କ ଦୟା ଓ ମୋ’ ଭାଗ୍ୟ ଯେ ଆପଣଙ୍କ ଦର୍ଶନ ପୁଣି ପାଇଛି । ସୂର୍ଯ୍ୟ ଆଜି ନିଶ୍ଚୟ ପଶ୍ଚିମ ଦିଗରେ ଉଇଁବେ ।”

 

ମୁଁ ହସିଲି ରୁବିର ଏଇ କାବ୍ୟିକ ଚପଳତାରେ । ସେ ବି ଯୋଗଦେଲା ମୋ’ ହସରେ ।

 

ଜଣେ କାବ୍‌ରେ ଡାନସ୍‌ର ମୁହଁରେ ଜଗନ୍ନାଥଙ୍କ ନାମ ? ସେ କ’ଣ ଓଡ଼ିଆ ଝିଅ ? ମୋର ବିସ୍ମୟ ଆଉ କୌତୂହଳ ବଢ଼ିବା ସ୍ଵାଭାବିକ । ପଚାରିଲି–ଆପଣ କ’ଣ ଓଡ଼ିଆ ?

 

ସେ ହସି ହସି କହିଲା–ଜଗନ୍ନାଥ କ’ଣ ଖାଲି ଆପଣମାନଙ୍କର । ମାନେ ଓଡ଼ିଆ ମାନଙ୍କର ? ସେ କ’ଣ ଆମର ନୁହନ୍ତି ?

 

‘ନା–ନା...ମୁଁ ସେ କଥା କହୁନି...’

 

“ଆପଣ ବୋଧହୁଏ ଜାଣନ୍ତିନି ମୋ’ ମାଆ ଜଗନ୍ନାଥଙ୍କୁ ପୂଜା କରେ । ଜଗନ୍ନାଥଙ୍କ ଉପରେ ଅଟଳ ବିଶ୍ଵାସ ତା’ର । ଆଉ ମୁଁ...ପିଲବେଳେ ତା’ ଦେଖାଦେଖି ପୂଜା କରୁଥିଲି; କିନ୍ତୁ ଏବେ କରୁଛି ମୋ’ ଅନ୍ତରର ପ୍ରେରଣାରେ ।

 

ତା’ପରେ ମୁଁ ପଚାରିବାକୁ ଯାଉଛି–ଆପଣ ଜଗନ୍ନାଥଙ୍କୁ ପୂଜା କରନ୍ତି ଅଥଚ...କିନ୍ତୁ ସେ ମୋ’ କଥାକୁ ଅପେକ୍ଷା ନକରି କହିଲା–ଜଷ୍ଟ ଏ ମିନିଟ୍ । ମୁଁ ସିଗାରେଟ ଆଣୁଛି ।

 

ସେ ଚାଲିଗଲା ସିଗାରେଟ୍ ଆଣିବାପାଇଁ ମୋତେ ଗତରାତ୍ରିର ସ୍ମୃତିକୁ ରୋମନ୍ଥନ କରିବାର ସୁଯୋଗ ଦେଇ ।

 

ଅନ୍ଧାର ଆଲୁଅ ଇନ୍ଦ୍ର ଜାଲ ଆଚ୍ଛନ୍ନ ସେଇ ହୋଟେଲଟିରେ ବିଚିତ୍ର ଅନୁଭୂତିର ସ୍ମୃତି । ନିରୀହ ନିର୍ଲିପ୍ତ ମୁଁ ଜଣେ ସାଧାରଣ ଦର୍ଶକ ସେଠାରେ ପହଞ୍ଚି ଯାଇଥିଲି କାବ୍‌ରେ ନୃତ୍ୟର ଅନୁଭୂତିର ସ୍ଵାଦ ଆହରଣ ପାଇଁ; କିନ୍ତୁ ସେଠାକାର ଅଭିଜ୍ଞତା ମୋପାଇଁ ହେଲା ଯେତିକି ରହସ୍ୟମୟ ସେତିକି ରୋମାଞ୍ଚକର । ଅର୍ଦ୍ଧନଗ୍ନ ରୁବିର କାମୋଦ୍ଦୀପକ ନୃତ୍ୟ ମୋ’ ପକ୍ଷରେ ସହନୀୟ ନଥିଲା ସତ; କିନ୍ତୁ ତା’ର ସଲ୍ଲଜ ହସ, ଚଞ୍ଚଳ କଟାକ୍ଷ ଓ ତା’ର କଅଁଳ ହାତର ନରମ ସ୍ପର୍ଶ ମୋ’ ଦେହ, ମନରେ ସୃଷ୍ଟି କରିଥିଲା ଏକ ଅନନୁଭୂତ କମ୍ପନ । ମୋ’ ନିକଟରେ ସେ ଯେତେବେଳେ ପହଞ୍ଚିଥିଲା ନିତ୍ୟ ନୈମିତିକ ‘ମୁଲାକତ୍‌’ ପାଇଁ ଏବଂ ଲୀଳାୟିତ ହାତ ଓ ତରଙ୍ଗାୟିତ ନଗ୍ନ ଦେହ ମୋତେ ସ୍ପର୍ଶ କରିଥିଲା ସେତେବେଳେ ମୋ’ ଦେହରେ ଯେଉଁ ଶିହରଣ ଓ ଉତ୍ତେଜନା ସୃଷ୍ଟି ହୋଇଥିଲା ତାହା କେବେ ବିସ୍ମୃତ ହେବାର ନୁହେଁ । ଏକ ସୁନ୍ଦରୀ ରୂପସୀ ନାରୀର ସ୍ପର୍ଶ ମନକୁ ଉଦ୍‌‌ବେଳିତ କରେ, ଦେହକୁ ଉତ୍ତେଜିତ କରେ ଯାହା ମୁଁ ଅନୁଭବ କରିଥିଲି ରୁବିର ସ୍ପର୍ଶରେ । କିନ୍ତୁ କାବ୍‌ରେ ଡାନ୍‌ସର ରୁବିର ଏ ନିତ୍ୟ ଅଭ୍ୟସ୍ତ ଲୀଳା କ’ଣ କେବଳ ଗ୍ରାହକ ମନରେ କ୍ଷଣିକ ଉନ୍ମାଦନା ସୃଷ୍ଟିପାଇଁ ? ତା’ର ଉନ୍ନତ ଅର୍ଦ୍ଧନଗ୍ନ ବକ୍ଷ, ପରିପୁଷ୍ଟ ଅଙ୍ଗ ବଲ୍ଲରୀ ସଞ୍ଚାଳନ କ’ଣ କେବଳ ଦର୍ଶକଙ୍କୁ ଉତ୍ତେଜିତ କରିବାପାଇଁ ? ନା ଆଉ କିଛି ? ରୁବି କ’ଣ ସେତେବେଳେ ବୁଝିପାରେନା ତା’ର ଏଇ ସ୍ପର୍ଶ ପୁରୁଷକୁ କିପରି କାମନାର ଲେଲିହାନ ଶିଖାରେ ଜଳାଇମାରେ । ସେ କ’ଣ ନିଜେ କେବେ ଜଳେନା ଜୀବନର ଏଇ ତୀବ୍ର ଅନୁଭୂତିରେ ?

 

ଏଇ ସେହି କାବ୍‌ରେ ଡାନ୍‌ସର ରୁବି ।

 

ସେ ପାଖ ଦୋକାନରୁ ସିଗାରେଟ୍ ଆଣି ନିଜେ ଲଗାଇଲା ଓ ମୋ’ ଆଡ଼େ ପ୍ୟାକେଟ୍‌ଟା ବଢ଼େଇ ଦେଇ କହିଲା–ସିଗାରେଟ୍ ଲଗାନ୍ତୁ ।

 

କହିଲି–‘ଧନ୍ୟବାଦ । ମୁଁ ସିଗାରେଟ୍ ଖାଏନା’ ପକେଟରୁ ପାନ ବାହାର କରି ପାଟିରେ ପୂରାଇଲି ।

 

ଧୀରେ ଧୀରେ ଧୂଆଁ ରକୁଣ୍ତଳୀ ଫୁଙ୍କି ସେ କହିଲା–ସିଗାରେଟ ନଖାଇ ଖୁବ୍ ଭଲକରିଛନ୍ତି । ଯେ ସିଗାରେଟ୍ ଖାଏ ସେ ତ ସିଗାରେଟ୍‌କୁ ଖାଲି ଜାଳେନା, ସିଗାରେଟ୍ ସାଙ୍ଗରେ ନିଜେ ହିଁ ଜଳେ ।

 

“ମାନେ ?”

 

‘ମୁଁ ଯେମିତି ଜଳୁଛି ।”

 

“ମୁଁ ଠିକ୍ ବୁଝିପାରୁନି...”

 

“ଛାଡ଼ନ୍ତୁ ସେ କଥା । ଆପଣ ଏବେ କେଉଁଠି ରହୁଛନ୍ତି ?”

 

ମୁଁ ରହୁଥିବା ଗେଷ୍ଟ ହାଉସ ଆଡ଼େ ହାତ ବଢ଼େଇ ଦେଖାଇଦେଲି । ତା’ପରେ ହାତ ଘଣ୍ଟାକୁ ଚାହିଁଲି । ଗୋଟିଏ କାବ୍‌ ରେ ଡାନ୍‌‌ସର ସଙ୍ଗେ ଏହାପରେ ଆଉ କ’ଣ ବା କଥାବାର୍ତ୍ତା ଥିଲା ମୋର । ତା’ଛଡ଼ା ସେଥିରୁ ବା ପାଇବି କ’ଣ ?

 

ସେ ଭାବ ଲକ୍ଷକରି କହିଲା–ଆପଣ ବୋଧହୁଏ ବ୍ୟସ୍ତ ଅଛନ୍ତି ?

 

କହିଲି–ହଁ, ଲୋଧି ଗାର୍ଡ଼ନକୁ ସୁଟିଂପାଇଁ ଯିବାକୁ ହେବ । ମୋ’ ୟୁନିଟ ପ୍ରାୟ ପ୍ରସ୍ତୁତ ହୋଇ ଯିବେଣି ।

 

“ସୁଟିଂ... I”

 

“ହଁ, ଟେଲିଭିଜନ ସୁଟିଂ ।”

 

“ହଉ ଯାଆନ୍ତୁ । କିନ୍ତୁ ଇଭ୍‌ନିଙ୍ଗରେ ଆପଣଙ୍କ ସହ ମୋର ଏଇଠି ଦେଖାହେବ ।”

 

“ଆଜି ଇଭିନିଙ୍ଗ୍ ରେ ଆପଣଙ୍କର କ’ଣ କିଛି ପ୍ରୋଗ୍ରାମ ନାହିଁ ?”

 

ନାଁ...

 

ଦିଲ୍ଲୀରେ ପହଞ୍ଚିବା ପରେ ଓ ସେଠାକାର ଝିଅଙ୍କୁ ଦେଖିଲାପରେ ମୋର ରାମକୃଷ୍ଣ ପରମହଂସଙ୍କ ଜୀବନୀ ପାଠ କରିବାକୁ ଇଚ୍ଛାହେଉଥିଲା; ଅର୍ଥାତ୍‌ ସଂଯମ ଶିକ୍ଷା କରିବାପାଇଁ ଆଗ୍ରହ ଆସୁଥିଲା–ଶ୍ରଦ୍ଧାରେ ନୁହେଁ, ବିତୃଷ୍ଣାରେ; କିନ୍ତୁ ରୁବି କ୍ଷେତ୍ରରେ ମୋ’ ମନଭାବ ଟିକିଏ ବଦଳିଗଲା । ବଦଳିଗଲା ଏଥିପାଇଁ ଯେ ମୁଁ ଜଣେ ଲେଖକ । ତା’ଠାରୁ ଯଦି ଗୋଟିଏ କାବ୍‌ରେ ଡାନ୍‌ସର ଜୀବନର କିଛି ବିଶେଷ ଘଟଣା ମିଳିଯାଏ ତା’ହେଲେ ତାକୁ ନେଇ ଗୋଟିଏ ଗଳ୍ପ ଲେଖାଯାଇପାରେ । ସେଇ ଲୋଭ ସମ୍ୱରଣ କରିପାରିଲିନି ।

 

ସେଦିନ ସନ୍ଧ୍ୟାବେଳେ ମୁଁ ଯାଇଥିଲି ରୁବିର କଥାରଖି । ସେ ମୋତେ ହୋଟେଲ୍‌ର ଗୋଟିଏ ରୁମ୍‌କୁ ପାଛୋଟି ନେଲା । ରୁମ୍‌ଟିରେ ଥରେ ଆଖି ବୁଲେଇ ନେଇ ଦେଖିଲି ବହୁ ଦେଶୀ ଓ ବିଦେଶୀ ଆର୍ଟ୍‌ରେ ଭର୍ତ୍ତି ରୁମ୍‌ଟି ଯେମିତି ଏକ ଆର୍ଟ ଗ୍ୟାଲେରୀ । ଠିକ୍ ତା’ ବେଡ଼୍ ଉପରକୁ ଗୋଟିଏ କୋଣରେ ଏକ ଜଗନ୍ନାଥ ଫଟୋ । ଦୀପ ଜଳୁଛି, ଧୂପ ଲାଗିଛି, ଫୁଲହାର ଝୁଲୁଛି । ରୁମ୍‌ଟି ଯେମିତି ପ୍ରାଚ୍ୟ ପାଶ୍ଚାତ୍ୟ ସଂସ୍କୃତି ସଭ୍ୟତାର ଏକ ମିଶ୍ରରାଗରେ ଝଂକୃତ । ରୁମ୍‌ର ଅନ୍ୟ ପାର୍ଶ୍ଵରେ ଥିବା ସୋଫାରେ ମୋତେ ବସିବାକୁ କହି ନିଜେ ବସିଲା ।

 

ରମ୍‌ ନା ହୁଇସ୍କି ? –ରୁବି ପଚାରିଲା ।

 

କହିଲି–ନା, ସେ ଅଭ୍ୟାସ ମୋର ନାହିଁ ।

 

‘ଦେଖୁଛି କୌଣସି ବଦାଭ୍ୟାସ ଆପଣଙ୍କୁ ସ୍ପର୍ଶ କରିନି । କିଛି ମନେ କରିବେନି, ଆପଣ ମୋର ଅତିଥି । ଆପଣ ଯାହା ଖାଆନ୍ତିନି ତାହା ମୁଁ ଖାଇବା ନିଶ୍ଚୟ ଅଭଦ୍ରାମି । କିନ୍ତୁ କ’ଣ କରିବି-? ନିରୂପାୟ ମୁଁ ।”

 

କାହିଁକି ?

 

‘ମଣିଷ ଖୁସିରେ ମଦ ଖାଏନା ମି: ମହାନ୍ତି । ମାନସିକ ଯନ୍ତ୍ରଣାକୁ କିଛି ସମୟ ପାଇଁ ଭୁଲିଯିବାକୁ ଅପଚେଷ୍ଟା କରେ ମାତ୍ର ।’

 

ଘଟଣା ସଂଗ୍ରହ କରିବାର ଏକ ଖିଅ ମିଳିଗଲା ମୋତେ । ପଚାରିଲି–ଆପଣଙ୍କ ଜୀବନରେ ପୁଣି ଦୁଃଖ କ’ଣ ? ଧନର ଅଭାବ ନାହିଁ । ଆନନ୍ଦ ଉଲ୍ଲାସ ଭିତରେ ତ ଦିନଗୁଡ଼ିକ ବିତିଯାଉଥିବ ଆପଣଙ୍କର ।

 

‘ମଣିଷ ଖୁସିରେ ରହିବା ପାଇଁ କ’ଣ ଖାଲି ଧନ ଯଥେଷ୍ଟ ?’

 

‘ନୁହେଁ ତ ଆଉ କ’ଣ ? ଏ ଯୁଗରେ ଧନହୀନ ଲୋକର ସୁଖଶାନ୍ତି ବୋଲି କିଛି ଅଛି ? ଆପଣ ତ ବେଶ୍ ସୁଖରେ ଅଛନ୍ତି ।’

 

ସେ ଏକ ପରିହାସ ବ୍ୟଞ୍ଜନ ହସରେ ଉତ୍ତର ଦେଲା–ହଁ, ମୁଁ ସୁଖୀ ନୁହେଁ ତ ଆଉ କ’ଣ-? ସୁଖୀ ହୋଇ ନ ଥିଲେ କାବ୍‌ରେ ଡାନ୍‌ସର ହୋଇ ରହିଥାନ୍ତି ?

 

‘ଆପଣ ୟା’କୁ ପସନ୍ଦ କରନ୍ତିନି ? କିନ୍ତୁ ଇଏ ବି ତ ଗୋଟିଏ କଳା ।’

 

‘ଏଇଟା କଳା ନା କଳାର କଳଙ୍କ । ଏଇ ଦେହ ସର୍ବସ୍ଵ ନୃତ୍ୟକୁ, ଦେହର ଉଲଙ୍ଗ ପ୍ରଦର୍ଶନ ଆପଣ କଳା ବୋଲି କହିବେ ? ସତରେ ମୁଁ ଯଦି ଜଣେ କ୍ଲାସିକାଲ ଡାନ୍‌ସର ହୋଇପାରିଥାନ୍ତି ଯାହା କି ଥିଲା ମୋ’ ଜୀବନର ସ୍ଵପ୍ନ ତା’ହେଲେ ମୁଁ ସୁଖୀ ହୋଇ ପାରିଥାନ୍ତି । ଆଜି ଏମିତି ଜଳିବାକୁ ପଡ଼ିନଥାନ୍ତା ।’

 

‘ଯେଉଁ ପେଶା ପ୍ରତି ଆପଣଙ୍କର ଏତେ ଘୃଣା ସେଇ ପେଶା ଆପଣ ତା’ହେଲେ ଗ୍ରହଣ କଲେ କାହିଁକି ?

 

ସେ କଥା ଜାଣିବାକୁ ସତରେ ଆପଣ ଆଗ୍ରହୀ ? ତା’ହେଲେ ଶୁଣନ୍ତୁ–

 

ଅନେକ ସମୟରେ ଭାବିଛି ଏ ବାଟରୁ ମୁଁ ଫେରି ଯାଆନ୍ତି ମୋର ଅତୀତକୁ । କିନ୍ତୁ ନା, ତା’ ସମ୍ଭବ ହୋଇ ପାରିନି । ଏ ସମାଜ ମୋ’ଦେହରେ ଯେଉଁ ପରିଚୟର ଛାପଟି ଲଗେଇ ଦେଇଛି ତାହା ଆଉ କ’ଣ ଲିଭିବାର ଅଛି ଏ ଜନ୍ମରେ ? ଯେଉଁ ସମାଜ ମୋର ଏ ପରିଚୟ ପାଇଁ ଦାୟୀ ସେ ସମାଜ ମୋତେ କ’ଣ ପୁଣି ନାରୀର ଗୌରବ ଦେଇ ଗ୍ରହଣ ଦେଇ କରିପାରିବ ? ଟିକିଏ ରହି ରୁବି ପୁଣି ପଚାରିଲା–ଏକ ସୁନ୍ଦରୀ ରୂପବତୀ ନାରୀକୁ କେବଳ ଏକ ଉପଭୋଗର ସାମଗ୍ରୀ ବ୍ୟତୀତ ଏ ସମାଜ କ’ଣ ଆଉ କେଉଁ ଦୃଷ୍ଟିରେ ଦେଖେନାହିଁ ମି: ମହାନ୍ତି ?

 

ଆପଣ ଏ ସବୁ କ’ଣ କହିଯାଉଛନ୍ତି ?

 

ମୋର ଅନେକ ସ୍ୱପ୍ନଥିଲା । ସ୍ୱପ୍ନଥିଲା ମୁଁ ହେବି ଜଣେ କ୍ଲାସିକାଲ ଡାନ୍‌ସର । ମୁଁ ଯେତେବେଳେ ନୃତ୍ୟଶିକ୍ଷା ଆରମ୍ଭ କଲି ମାଆ ବାଧା ଦେଇ କହିଲା–ଆମପରି ଗରିବ ଘରେ ଏ ଗୁଣ ଶୋଭା ପାଏନା ଝିଅ, ବଡ଼ ଲୋକଙ୍କ ପାଇଁ ଯେଉଁଟା କଳା ଗରିବଙ୍କ ପାଇଁ ସେଇଟା କଳଙ୍କ ହୋଇଯାଏ ।

 

ମାଆ କଥାରେ କାନ ନ ଦେଇ ମୁଁ ନାଚ ଶିଖିଥିଲି । କିନ୍ତୁ ସେ ନାଚ ମୋ’ ପାଇଁ କଳଙ୍କ ନ ଥିଲା ମି: ମହାନ୍ତି । ଏ ରୂପ, ଏ ଯୌବନ ହିଁ ମୋତେ କଳଙ୍କିତ କରିଦେଲା । ପୁଅମାନେ ମନ, ହୃଦୟ ଅପେକ୍ଷା ଝିଅଙ୍କ ଦେହକୁ ବେଶୀ ଖୋଜନ୍ତି ଆଉ ସେ ଦେହକୁ ଥରେ ପାଇଗଲେ–ଉପଭୋଗ କରିଦେଲେ ସେ ଝିଅର ଆଉ କୌଣସି ମୂଲ୍ୟ ନଥାଏ ତାଙ୍କ ପାଖରେ–ଏ କଥା ମୁଁ ଜାଣି ନଥିଲି । ମଣିଷ ଭିତରେ ଏଭଳି ପଶୁ ବି ଥାଇ ପାରନ୍ତି ଏ କଥା ବୁଝିବାର, ଜାଣିବାର ବୁଦ୍ଧି ବୟସ ହୁଏତ ମୋର ସେତେବେଳେ ହୋଇନଥିଲା ।

 

‘ଆପଣଙ୍କୁ ତା’ହେଲେ କିଏ ପ୍ରତାରିତ କରିଛି...’

 

‘ଖାଲି ପ୍ରତାରିତ କରିନି ମି: ମହାନ୍ତି ମୋତେ ଏମିତି ଏକ କୁପଥରେ ଠେଲି ଦେଇଯାଇଛି । ସେଦିନ ମୁଁ ଯଦି ମାରିଯାଇ ପାରିଥାନ୍ତି ତା’ହେଲେ ଅନ୍ତତଃ ଏ ଆତ୍ମାଟି ଶାନ୍ତି ପାଇଥାନ୍ତା । ମୁଁ ଯେ ମରିବାକୁ ଚେଷ୍ଟା କରିନଥିଲି ତା’ବି ନୁହେଁ ।

 

ମରିବାକୁ ଚେଷ୍ଟା କରିଥିଲେ...ମାନେ ଆତ୍ମହତ୍ୟା କରିବାକୁ ଯାଉଥିଲେ ?”

‘ହଁ ନଈକୁ ଡେଇଁ ପଡ଼ିଥିଲି ଆତ୍ମହତ୍ୟା କରିବାକୁ କିନ୍ତୁ...ଦେଖିଲି ମୁଁ ମରିନି ଏବଂ ତାହା ହିଁ ହେଲା ମୋର କାଳ ।’

‘ବଞ୍ଚି ରହିବା ପାଇଁ ମଣିଷର କେତେ ଚେଷ୍ଟା ଅଥଚ ଆପଣ କହୁଛନ୍ତି ବଞ୍ଚିବାଟା ହେଲା କାଳ ।’

ଦେଖିଲି ମୋତେ ଜଣେ ମହିଳା ଅଚେତ୍ ଅବସ୍ଥାରେ ପାଣିରୁ ଛାଣିଆଣି ତାଙ୍କ ଘରେ ରଖିଛନ୍ତି ।

ଚେତା ଫେରିବା ପରେ ମୁଁ ଶୁଣିଥିଲି ସେ ଘରେ ଘୁଙ୍ଗୁରର ଶବ୍ଦ । ପ୍ରାଣ ପୁଲକି ଉଠିଥିଲା ସେ ଶବ୍ଦରେ । କିନ୍ତୁ ସେ ଶବ୍ଦରେ ନ ଥିଲା ଛନ୍ଦ, ନଥିଲା ତାଳ, ଲୟ କି ମାନ ।

ଧୀରେ ଧୀରେ ଉଠି ବସିଲି । କବାଟ ଫାଙ୍କରେ ଚାହିଁ ଦେଖିଲି ମୋ’ ବୟସର ଝିଅମାନେ ନାଚୁଛନ୍ତି । କିନ୍ତୁ ତାହା କୌଣସି ଡାନ୍‌ସ ସ୍କୁଲର ନାଚ ନ ଥିଲା । ସତେ ଯେପରି ପତିତା ହେବାପାଇଁ ପ୍ରାଣାନ୍ତକ ପ୍ରଚେଷ୍ଟା ସେ ନୃତ୍ୟାଭ୍ୟାସରେ ।

ସେ ପରିବେଶରୁ ମୁଁ ମୁକ୍ତି ଚାହୁଁଥିଲି । ଯେତେବେଳେ ଗୋଡ଼ ପଦାକୁ କାଢ଼ିଲି ସେତିକିବେଳେ ସେ ମହିଳା ଜଣକ ଆସି ମୋତେ ପଚାରିଲା–କୁଆଡ଼େ ଯାଉଛୁ ?

ବିରକ୍ତ ହୋଇ କହିଲି–ମରିବାକୁ ଯାଉଛି ।

‘ତୁ ତ ମରି ସାରିଛୁ ।”

‘ଏଁ......’

‘ହ, ତୁ ଯେଉଁ ମୃତ୍ୟୁ ଚାହିଁଥିଲୁ ସେ ମୃତ୍ୟୁ ତ ତୋର ହୋଇ ସାରିଛି ଏବେ ଯେଉଁ ପୂର୍ନଜନ୍ମ ପାଇଛୁ ସେଇ ଜନ୍ମକୁ ନେଇ ଆଗେଇ ଯିବୁନି କାହିଁକି ? ତୋ ଜୀବନକୁ ଯେଉଁମାନେ ଜଳାଇଛନ୍ତି ତୁ ସେମାନଙ୍କ ଜୀବନକୁ ଜଳାଇ ପୋଡ଼ି ଦବୁନି କାହିଁକି ? ଭାବି ଦେଖ୍‌–ଯଦି ଏ ସମାଜକୁ କିଛି ଶିକ୍ଷା ଦେଇପାରିବୁ ।’

ଏମିତି ଏକ ଅଶୋଭନୀୟ ପରିବେଶରେ ମହିଳାଙ୍କର ଏ କଥାରେ ଯେମିତି ଏକ ନୂଆ ଚେତନା ଜାଗି ଉଠିଲା ମୋ’ ମନରେ । ଭାବିଲେ–ସତରେ ମୁଁ ତ ମରି ସାରିଛି । ମରି ସାରିଛି ସୁଷମା ସାକ୍‌ସେନା । ଆଉ ସେ...ସେ ହୋଇଛି ଆଜିର କାବ୍‌ରେ ଡାନ୍‌ସର ରୁବି ।

ଦେଖିଲି ରୁବିର କଣ୍ଠ ଥରି ଆସୁଥିଲା ସେତେବେଳକୁ । ଚକ୍ଷୁ ଲୋତକାପ୍ଲୁତ । ରୁବି ପରି ଏକ ନିରୀହା ଝିଅର ଏ କାହାଣୀ ଶୁଣି ମୋ’ ମନ ବି ଆନ୍ଦୋଳିତ ହୋଇ ଉଠୁଥାଏ । ଏକ ସରଳା ଗରିବ ଝିଅ ରୁବି ପାଇଁ କ’ଣ ଏହା ହିଁ ଥିଲା ନିୟତିର ଅଦୃଶ୍ୟ ନିର୍ଦ୍ଦେଶ ?

ରୁବି ତା’ ରୁମାଲରେ ଆଖି ପୋଛୁ ପୋଛୁ କହିଲା–ମୋର ଏ ଜୀବନ କାହାଣୀ ହୁଏତ ଆପଣଙ୍କୁ ଅଶ୍ୱସ୍ତିକର ବୋଧ ହେଉଥିବ; କିନ୍ତୁ ମୋ’ ମନ ତଳର ଅବ୍ୟକ୍ତ ବ୍ୟଥାକୁ ପ୍ରକାଶ କରିଦେବା ପରେ ମୋ’ ମନଟା ଯେମିତି ଅନେକ ହାଲୁକା ହୋଇଯାଇଛି ।

 

ରୁବି ପୁଣି ମଦ ଗ୍ଲାସଟିକୁ ପାଟିକୁ ନେଲା । ମନେ ହେଉଥିଲା ସେ ଯେମିତି ମଦଗ୍ଲାସ ଭିତରେ ତା’ର ସର୍ବ ଦୁଃଖକୁ ପକାଇ ଦେଇ ରିଲାକ୍‌ସଡ଼ ହେବାକୁ ଚାହୁଁଛି । ପଚାରିଲି–ଆଚ୍ଛା ଆପଣଙ୍କ ମାଆ... ?’

 

ସେ ଜଗନ୍ନାଥଙ୍କ ଫଟୋ ଆଡ଼େ ଚାହିଁ ହାତ ଯୋଡ଼ି କହିଲା–ସେଇ ଜାଣିଥିବେ । ମାଆ ହୁଏତ ଆଉ ବଞ୍ଚି ନ ଥିବ ।

 

“କେବେ କ’ଣ ଖୋଜି ନାହାନ୍ତି ?”

 

ଏକ ଦୀର୍ଘ ଶ୍ୱାସ ପକେଇ ରୁବି କହିଲା–ସୁଷମା ତା’ ମାଆକୁ ଖୋଜିଥାନ୍ତା । କିନ୍ତୁ ରୁବି କେଉଁ ସାହସରେ ଖୋଜିବାକୁ ଯିବ । ଆଉ ଯଦି ବା ଖୋଜି ପାଏ ତା’ ମାଆକୁ ତା’ହେଲେ ତା’ର କି ପରିଚୟ ତା’ ମାଆ ପାଖରେ ଦେବ କହିଲେ ? ବରଂ ସେ ଯେଉଁ ଜଗନ୍ନାଥଙ୍କୁ ପୂଜାକରି ଆସିଛି ଯଦି ତାଙ୍କରି ଆଲୋକରେ ବୈକୁଣ୍ଠ ଯିବାକୁ ପଥ ପାଏ ତା’ହେଲେ ସେଇଥିରେ ହିଁ ହେବ ତା’ ଜନ୍ମ ସାର୍ଥକ, ଆଉ ତା’ ଭକ୍ତି ହେବ ପରିପୂର୍ଣ୍ଣ ।

 

‘ଆଉ ଆପଣ ?’

 

ମୁଁ ଏଇ ନର୍କ ଯନ୍ତ୍ରଣାରେ ଘାଣ୍ଟି ହୋଇ ପ୍ରତ୍ୟେକ ଦେହଲୋଭୀ ପୁରୁଷକୁ ଜଳାଇ ମାରିବି ଏଇ ଦେହର ନିଆଁରେ । ମିସ୍ ସୁଷମା ସାକ୍‌ସେନା ରୁବି ହେବା ଦିନରୁ ଏଇ ଶପଥ ନେଇଛି ।

 

ତା’ପରେ ରୁବି ମୋ’ ହାତକୁ ଚାପିଧରି ଅନୁରୋଧ କରିବା ଭଙ୍ଗୀରେ କହିଲା–ମି. ମହାନ୍ତି ! ମୋର ଗୋଟିଏ ଅନୁରୋଧ, ରଖି ପାରିବେ ?

 

ମୁଁ ଶଙ୍କିତ ହେଲି । ମୋ’ ପାଖରେ ଗୋଟିଏ କାବ୍‌ରେ ଡାନ୍‌ସରର ବା କି ଅନୁରୋଧ ଥାଇପାରେ ?

 

ସେ କହିଲା–ମି. ମହାନ୍ତି ! ଆପଣ ଜଗନ୍ନାଥଙ୍କୁ ଚାହିଁ ନିୟମ କରନ୍ତୁ, ଆପଣ ଆଉ କେବେ କାବ୍‌ରେ ଡାନ୍‌ସକୁ ଆସିବେନି ।

 

ମୁଁ ଆଶ୍ଚର୍ଯ୍ୟ ହୋଇ ରୁବି ଆଡ଼େ ଚାହିଁଲି ।

 

ଆପଣ ପାରିବେନି ?

 

ମୁଁ ତ ପ୍ରଥମଥରପାଇଁ କାଲି ଆସିଥିଲି । ସେଠାକୁ ଯିବା ମୋର ଅଭ୍ୟାସ ନୁହେଁ କି ସଉକ ବି ନୁହେଁ ।

 

ମୁଁ ଜାଣେ ଆପଣ ଏ ପଥରେ ଅନଭ୍ୟସ୍ତ । ମୋ’ହାତ ଭିତରେ ଆପଣଙ୍କ ହାତ ଥରି ଉଠି ଥିଲା କାଲି । ଅଭ୍ୟସ୍ତ ଗରାଖଙ୍କ ପାଖରେ ଏ ପ୍ରକାର ଦୁର୍ବଳତା ମୁଁ କେବେ ଦେଖିନାହିଁ; କିନ୍ତୁ ମଦର ସ୍ଵାଦ ଜାଣିବା ପାଇଁ ମଦ ଚାଖୁ ଚାଖୁ ମଦ୍ୟପ ହେଲାପରି ଏଇ ନୃତ୍ୟକୁ ଥରେ ଦେଖିବାକୁ ଆସି ନିତ୍ୟ ଗରାଖ ନ ହୋଇ କେହି କେବେ ଫେରିଯାଇନି । ସେଥିପାଇଁ ମୋର ଏ ଅନୁରୋଧ ।

 

କିନ୍ତୁ ବ୍ୟବସାୟୀ ମୁହଁରେ ତା’ ବ୍ୟବସାୟର ନିନ୍ଦା କ’ଣ ଶୋଭାପାଏ ରୁବି ? ମୁଁ ହସି ହସି କହିଲି ।

 

ନା, ଆଦୌ ନୁହେ; କିନ୍ତୁ ଆପଣଙ୍କୁ ଦେଖି ମୋ’ ମନ କହୁଛି–କେତେ ଅଛନ୍ତି ଯେଉଁମାନେ ଫୁଲର ରୂପରେ ମୁଗ୍‌ଧ ହୁଅନ୍ତି ସତ କିନ୍ତୁ ରୂପର ମୋହ କଟି ଯିବାପରେ ତାକୁ ଦଳି ମନ୍ଥି ନଷ୍ଟ କରିଦିଅନ୍ତି । କେତେ ଅଛନ୍ତି ସେଇ ହସ ହସ ଫୁଲର ନୈସର୍ଜକ ସୌନ୍ଦର୍ଯ୍ୟ ଓ ସୁବାସକୁ କେବଳ ଉପଭୋଗ କରନ୍ତି ଦୂରରେ ଥାଇ ଓ ଆଉ କେତେ ଅଛନ୍ତି ସେଇ ଫୁଲକୁ ଠାକୁରଙ୍କ ପାଦତଳେ ଅର୍ପଣ କରନ୍ତି ଭକ୍ତିପୂତ ଚିତ୍ତରେ ।

 

ଆପଣ ମୋତେ ଦେଖି କଅଣ ଭାବିଲେ ?

 

ସେ ହସି ହସି କହିଲା–ଆପଣ ? ଆପଣ ପ୍ରଥମ ଶ୍ରେଣୀୟ ଆଦୌ ନୁହନ୍ତି । ତା’ପରେ କହିଲା–ମି: ମହାନ୍ତି । ମୁଁ ରୁବି କହୁନି, ସୁଷମା ସାକ୍‌ସେନାର ହୃଦୟ ନେଇ ଆପଣଙ୍କୁ ଆଉଥରେ ଅନୁରୋଧ କରୁଛି, ଆପଣ ଏ ନର୍କଠାରୁ ନିଶ୍ଚୟ ଦୂରରେ ରହିବେ । ଏଇ ସାନ୍ତ୍ଵନା ନେଇ ମୁଁ ଆଶ୍ଵସ୍ତ ହେଉଥିବି–ମୁଁ ଜଣକୁ ଜଳାଇ ନାହିଁ ବରଂ ତାଙ୍କ ହାତଧରି ଭଲବାଟରେ ଚାଲିବାକୁ କହିଛି, ଆଉ ସେ ମୋ’ କଥା ରଖିଛନ୍ତି । ତା’ପରେ ସେ ଘଣ୍ଟାକୁ ଚାହିଁ କହିଲା–ଅନେକ ବେଳ ହୋଇଯାଇଛି । ଆପଣଙ୍କର ଅନେକ ସମୟ ନଷ୍ଟ କରିଛି–କ୍ଷମା ଦେବେ । ମୁଁ ଉଠୁ ଉଠୁ ସେ କହିଲା–ମି: ମହାନ୍ତି...

 

କିଛି କହିବେ ?

 

ମୋର ଆଉ ଗୋଟିଏ ଅନୁରୋଧ...କହୁ କହୁ ସେ ଡ୍ର ରୁ ଚେକ୍ ବହି କାଢ଼ି ଗୋଟିଏ ଚେକ୍ ମୋ’ ହାତକୁ ବଢ଼ାଇ ଦେଲା ।

 

ଦେଖିଲି ଗୋଟିଏ ପଚାଶ ହଜାର ଟଙ୍କାର ଚେକ୍ । ଅଶ୍ଚର୍ଯ୍ୟ ହୋଇ ପଚାରିଲି–ମୋତେ ଦେଉଛନ୍ତି ?

 

ଆପଣଙ୍କୁ ଦେଉନି । ଦେଉଛି ଜଣେ ଯୋଗ୍ୟ ବ୍ୟକ୍ତିଙ୍କ ହାତରେ ଏହାର ସଦ୍‌ବ୍ୟବହାର ପାଇଁ ।

 

ସଦ୍‌ବ୍ୟବହାର ?

 

ହଁ, ଯଦି ଏ କୁଅର୍ଜିତ ଧନ କୌଣସି ମହତ୍ କାର୍ଯ୍ୟରେ ଲାଗିପାରେ ତା’ହେଲେ ମୁଁ ଅନ୍ତତଃ କିଛି ପରିମାଣରେ ଶାନ୍ତି ପାଇବି ।

 

ଦେଖନ୍ତୁ ରୁବି ଦେବୀ । ସବୁଦିନ ଆପଣଙ୍କର ଏ ରୂପ ଯୌବନ ନ ଥିବ ଓ ସବୁଦିନ ଏମିତି ରୋଜଗାର ବି ହେବନାହିଁ । ଅବଶିଷ୍ଟ ଜୀବନ ବଞ୍ଚିବା ପାଇଁ ଆପଣଙ୍କର ଟଙ୍କା ଦରକାର । ଏବଂ ଏ ଚେକ୍‍ଟି ଆପଣ ରଖନ୍ତୁ ।

 

ଏତିକି ମୋର ସର୍ବସ୍ଵ ନୁହେ । ଅନେକ ଜମା ଅଛି । ତା’ ଛଡ଼ା ମୁଁ ଏତେ ଶୀଘ୍ର ବୁଢ଼ୀ ହୋଇଯାଇନି । ଏଣୁ ମୋ’ କଥା ଚିନ୍ତା କରନ୍ତୁନି । ବରଂ ଏହାକୁ କୌଣସି ଭଲ କାମରେ ଆପଣ ଲଗାନ୍ତୁ । ମୋର ଅନୁରୋଧ ।

 

ଆପଣ ତା’ହେଲେ କ’ଣ କହିବାକୁ ଚାହୁଁଛନ୍ତି ଏ ଟଙ୍କାରେ ?

 

ମୋର ସେମିତି କିଛି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନାହିଁ । ଦେଖିବେ ଯଦି ଗୋଟିଏ ଅନାଥାଶ୍ରମ କରିପାରିବେ ତା’ହେଲେ ଅନ୍ତତଃ କେତେ କୁଳ କିନାରାହୀନ ପିଲା ମଣିଷ ହୋଇପାରିବେ । ଆପଣ ତ ଜାଣନ୍ତି ଅନେକ ଅନାଥିନୀ ଝିଅଙ୍କୁ ପ୍ରଲୋଭନ ଦେଖାଇ ଏମିତି କୁତ୍ସିତ ପଥକୁ ନେଇ ଆସନ୍ତି କେତେକ ଅସାମାଜିକ ବ୍ୟକ୍ତି । ସେମାନେ ଅନ୍ତତଃ ଏଇ ପାପରୁ ବଞ୍ଚିଯିବେ ।

 

ମୁଁ ରୁବି ଆଡ଼େ ଚାହିଁଲି । ବାହାର ଆଖିରେ ଏ ହୁଏତ କାବ୍‌ରେ ଡାନ୍‌ସର; କିନ୍ତୁ ଭିତରଟା ସତେ କେତେ ପବିତ୍ର !

 

ସେଇ ଟଙ୍କାରେ ଆଜି ଛିଡ଼ାହୋଇଛି “ସୁଷମା ଅନାଥାଶ୍ରମ” ସହରର ଉପକଣ୍ଠରେ । ସେଇ ଆଡ଼କୁ ଚାହିଁ ରୁବିକୁ ନେଇ ମୋର ଅତୀତ ସ୍ମୃତିକୁ ରୋମନ୍ଥନ କରୁଥିଲି ଏତେବେଳଯାଏ ।

Image

 

ସେମାନେ ଯା ଚାହିଁ ନ ଥିଲେ

 

ଦ୍ଵିପ୍ରହର, ନିଶୂନ ରାସ୍ତା ସହ ଖାଲି ନୁହେଁ ସେଠାକାର ଅଧିବାସୀମାନଙ୍କ ପାଖରେ ବି ସମ୍ପୁର୍ଣ୍ଣ ଅପରିଚିତ ମୁଁ ଛିଡ଼ା ହୋଇ ଚାହିଁ ରହିଥାଏ ସେଇ ନୂଆକରି ଗଢ଼ି ଉଠିଥିବା ବସ୍ତିଟି ଆଡ଼େ । ସେ ରାସ୍ତାରେ ବେଳେବେଳେ କେତେ ଗୃହ ଫେରନ୍ତା ଲୋକଙ୍କ ଆଖି ଏକ ପାୱାରଫୁଲ୍ କାମେରାର ଲେନ୍‌ସ ପରି ମୋ’ ପାଦରୁ ମୁଣ୍ଡଯାଏ ପଡ଼ିଯାଏ ଓ ପୁଣି ଫେରି ଘରମୁହାଁ ହୁଏ । ମୋ’ ଆଖି କିନ୍ତୁ ଲାଖି ରହିଥାଏ ସେଇ ବସ୍ତିର ଅର୍ଦ୍ଧାବୃତ ମହିଳାଙ୍କ ଦେହ ଉପରେ ନୁହେଁ, ମୁଣ୍ଡ ଉପରେ ଯେଉଁ ମୁଣ୍ଡରୁ ଅନବରତ ଉକୁଣି ଟଣା ଚାଲିଥାଏ । ବାହାର ଜଗତକୁ ବିଦ୍ରୁପ କରି ହେଉ ବା ଭ୍ରୁକ୍ଷେପ ନ କରି ହେଉ ସେମାନେ ବ୍ୟସ୍ତ ଥାନ୍ତି ତାଙ୍କ ଉକୁଣି ବଛା କାମରେ । ସେମାନେ ଜାଣି ପାରନ୍ତିନି ବା ଜାଣିପାରି ମଧ୍ୟ ନିର୍ଲିପ୍ତ ରହିଯାଆନ୍ତି ଯେ ସେମାନଙ୍କର ବ୍ଲାଉଜହୀନ ଛାତିର ମାଂସଳ ଅଂଶ ରାସ୍ତାଦେଇ ଚାଲି ଯାଉଥିବା ବାଟେଇଙ୍କ ଆଖିରେ ଲାଖିଯାଏ ଦୈହିକ କାମନାର ଆଞ୍ଜୁଳାଏ ଇସାରା ଫିଙ୍ଗିଦେଇ ।

 

ସେମାନଙ୍କର ମରଦମାନେ ମାଣ୍ଡିଆ ପେଜ, ହାଣ୍ଡିଆ ପିଇ ନୁଆଁଣିଆ କୁଡ଼ିଆର ବାହାରକୁ ମୁଣ୍ଡଦେଇ ଶୋଇ ପଡ଼ିଥାନ୍ତି ଏଇ ଦ୍ୱିପ୍ରହର ବେଳେ ଓ ଏଇ ବିଶ୍ରାମ ତାଙ୍କ ଦେହକୁ ପ୍ରସ୍ତୁତ କରାଇ ନେଉଥାଏ ଦିନର ଅବଶିଷ୍ଟ ଅଂଶକୁ ସମ୍ମୁଖୀନ କରାଇବାରେ । ସେ କୁଡ଼ିଆରେ ନିଜ ହାତରେ ଚଉଦପା’ ମଣିଷଟି ଜାଗା ଧରେନା । ତଥାପି ଦୁଃଖ ନାହିଁ, ନାହିଁ ଅନୁଶୋଚନା, ନାହିଁ ବିରକ୍ତି ଭାବ । ମାଆ ପେଟର ପରିଧି ଭିତରେ ଜାକି ଜୁକି ହୋଇ ଦଶମାସ କାଳ ରହିଥିବା ଶିଶୁଟି ପରି ଏମାନେ ସେଇ କୁଡ଼ିଆରେ ନିଜକୁ ରଖିଦିଅନ୍ତି ।

 

ମୁଁ ଆଜି ଏଇମାନଙ୍କ କଥା କହୁଛି । ଏଇ ଆଦିବାସୀ ସମ୍ପ୍ରଦାୟ କଥା ଯେଉଁମାନେ ଏଇ କିଛିଦିନ ତଳେ ପ୍ରଗତିର ସେଉ ଚାଖିବାକୁ ମୁହେଁଇ ଆସିଥିଲେ ଇଏ ସହରକୁ । ଆଉ ଏଇ ସହରରେ ରହି ସେମାନଙ୍କ ପାଇଁ ଆସୁଥିବା ଟଙ୍କାର ଅଧିକାରୀ ହୋଇ ଫେରିଯିବାକୁ ସେମାନଙ୍କର ଭିଟାମାଟିକୁ–ନୂଆ ସ୍ଵପ୍ନ, ନୂଆ ଉତ୍ସାହ ଆଉ ନୂଆ ଉଦ୍ଦୀପନା ନେଇ; କିନ୍ତୁ ଏଇ ସହରକୁ ଆସି ସେମାନେ ଏମିତି ବାନ୍ଧି ହୋଇଗଲେ, ଏମିତି ଛନ୍ଦି ହୋଇଗଲେ, ଏମିତି ରୁନ୍ଧି ହୋଇଗଲେ ଯେ ଫେରିଯିବାର, ଆଉ ଜୁ ନାହିଁ ଆଦିବାସୀ ବୋଲି ନିଜର ପରିଚୟ ଦେବାକୁ ଆଉ ସାହସ ନାହିଁ ।

 

ମୁଁ ଏହା ପୂର୍ବରୁ ଥରେ ଦି’ଥର ସେ ସହରକୁ ଯାଇଛି । ମୁଁ ଏଭଳି ଏକ ପ୍ରକୃତିର ଲୋକ, ଯିଏ ଝରଣା କୂଳରେ ପକ୍ଷୀର କୂଜନ ଶୁଣିବାକୁ ଭଲପାଏ, ବଣ ଭିତରେ ବଣ୍ୟଜନ୍ତୁଙ୍କ ସହଜ, ସ୍ଵଚ୍ଛନ୍ଦ, ସ୍ଵାଭାବିକ ଚଳ ପ୍ରଚଳକୁ ଭଲପାଏ, ଆଉ ସବୁଠୁଁ ଭଲପାଏ ଏଇ ଆଦିମ ଆଦିବାସୀମାନଙ୍କୁ ଯେଉଁମାନେ କି ଘଞ୍ଚ ବନାନୀ ଭିତରେ ନିଃସ୍ଵାର୍ଥପର ନିରହଂକାର, ନିରାଡ଼ମ୍ବର ଜୀବନଯାପନ କରି ଆସିଛନ୍ତି କେଉଁ ଅନାଦି କାଳରୁ । ଆପଣ ତ ଚିଡ଼ିଆଖାନା ଦେଖିଥିବେ । ଆଚ୍ଛା କହନ୍ତୁ ତ ସେଠାକାର ପିଞ୍ଜରାବଦ୍ଧ ବନ୍ୟଜନ୍ତୁ ପକ୍ଷୀ ଆଦିକୁ ଦେଖିବାକୁ କ’ଣ ଭଲଲାଗିବ, ଯଦି ତା’ ପୂର୍ବରୁ ଆପଣଙ୍କର କିଛି ଆରଣ୍ୟକ ଅଭିଜ୍ଞତା ଥିବ !

 

ସେଇଥିପାଇଁ ମୋର ଏ ଦୁଃଖ । ସେମାନେ କାହିଁକି ଯେ ସେମାନଙ୍କର ବଣଜଙ୍ଗଲ ଛାଡ଼ି ଏ ସହର ଆଡ଼େ ମୁହେଁଇଲେ କେଜାଣି ? କ’ଣ ପାଇଲେ ବା ଏଠାରୁ ? ନିଜକୁ ତ ନିଜର କରି ରଖିପାରିଲେନି, ଆଉ କ’ଣ ବା ରଖିପକେଇବେ ଯେ ସବୁଦିନକୁ ।

 

ସତରେ ଏ ସହରଟା ବି ଆଗରୁ ଏମିତି ନ ଥିଲା । ପ୍ରଗତିର ରଥଟା ଯେମିତି ସାରାଦେଶରେ ଉଠି ପଡ଼ି ଚାଲିଛି, ଏ ଜିଲ୍ଲାରେ ବି ସେମିତି ଚାଲିଛି ଏ ସହରରେ ବି ସେମିତି ଚାଲିଛି । ପାହାଡ଼ ପର୍ବତ ବଣଜଙ୍ଗଲ ଘୋରା ଏଇ ଜିଲ୍ଲାରେ ପ୍ରଗତିର ରଥଟା ସ୍ୱଚ୍ଛନ୍ଦ ଗତିରେ ଚାଲିପାରୁନାହିଁ, ଧିମେଇ ଧିମେଇ ଚାଲିଛି ଓ ବେଳେବେଳେ ସମ୍ପୂର୍ଣ୍ଣ ରୂପେ ବି ଅଟକି ଯାଉଛି । ହୋଇପାରେ ରଥରେ ବିଜେ କରିଥିବା ଦେବତାମାନଙ୍କର ଆଶୀର୍ବାଦ ନାହିଁ ଏ ଜିଲ୍ଲା ଉପରେ, ଏ ସହର ଉପରେ । ହୋଇପାରେ ରଥ ଦଉଡ଼ି ଟାଣୁଥିବା ଭକ୍ତମାନଙ୍କର ଆନ୍ତରିକତା ନାହିଁ ଏ ରଥକୁ ଦ୍ରୁତ ଗତିରେ ଚଳାଇ ନେବାରେ । ତଥାପି ଚାଲିଛି ପ୍ରଗତିର ଏ ରଥ । ହେଉପଛେ ସେ ଗତି ମନ୍ଥର; କିନ୍ତୁ ଯେଉଁ ଲୋକ,ଯେଉଁ ଅଞ୍ଚଳକୁ ନେଇ ଏ ସହର ଦିନେ ଟାଙ୍ଗର ପାହାଡ଼ ଉପରେ ମୁଣ୍ଡ ଟେକିଥିଲା,ସେଇ ଅଞ୍ଚଳର ସ୍ଥାୟୀ ଅଧିବାସୀମାନଙ୍କର ମଥା ଆଜି ନଇଁ ଆସୁଛି କାହିଁକି ?

 

ଏ ପ୍ରଶ୍ନ ବାରମ୍ବାର ମନକୁ ଆସୁଥିଲେ ବି କାହାକୁ ଭରସି ପଚାରି ପାରୁନଥିଲି । କାହାକୁ ବା ପଚାରିବି ? ଯେଉଁ ବାବୁମାନେ ଆସି ଏଠାରେ ଚାକିରି କରିଛନ୍ତି ମୁଁ ଜାଣେ ସେମାନଙ୍କ ମୁହଁରେ ସତ କଥା କେବେ ଉଚ୍ଚାରିତ ହୁଏ ନାହିଁ । ଆଦିବାସୀଙ୍କ ଉନ୍ନତି କରିବାକୁ ଆସି ଯେଉଁମାନେ ତାଙ୍କୁ ଭଣ୍ଡେଇ ଚାଲିଛନ୍ତି,ଶୋଷି ଚାଲିଛନ୍ତି, ସେମାନଙ୍କୁ ଯଦି ମୁଁ ପଚାରିବି ଏଇ ବସ୍ତିର ଲୋକଙ୍କ କଥା,ସେମାନେ କ’ଣ କେବେ ସତକଥା କହିବେ ?

 

ଗୁଡ଼ିଏ ପ୍ରଶ୍ନର ବୁଢ଼ୀଆଣୀ ଜାଲରେ ଛନ୍ଦିହୋଇ ମୁଁ ସିଧା ଫେରିଆସିଲି ରହୁଥିବା ଘରକୁ ।

 

ଅପରାହ୍ନରେ ବସ୍‌ଷ୍ଟାଣ୍ଡ ଆଡ଼େ ଯାଉଛି, ମୋ’ ଆଖି ପୁଣି ଅଟକିଗଲା ସେ ବସ୍ତି ଉପରେ ।

 

ଦେଖିଲି ଯେଉଁମାନେ ବହୁ ବଳାତ୍କାରରେ ଏକନିଷ୍ଠ ଭାବରେ ଏହାପୂର୍ବରୁ ଉକୁଣି ବଛା କାର୍ଯ୍ୟରେ ନିମଜ୍ଜି ରହିଥିଲେ, ସେଇମାନେ ହିଁ ଏବେ ଜଡ଼ାତେଲ ଓ କାଠ ପାନିଆରେ ନିଜନିଜର ପ୍ରସାଧନରେ ବ୍ୟସ୍ତ ତାଙ୍କ ସମ୍ମୁଖରେ ଥିବା ଗେଣ୍ଡୁ, ଚମ୍ପା ଫୁଲର ପାଛିଆକୁ ଚାହିଁ ରହି । ଯେଉଁମାନଙ୍କର ପ୍ରସାଧନ ସରିଯାଇଛି, ସେମାନେ ରାସ୍ତାରେ ଯାଉଥିବା ବାଟୋଇଙ୍କ ଆଖିକୁ ଟାଣି ନେଲାପରି ଗୋଟିଏ ଗୋଟିଏ ଚିକ୍‌କଣ ନାଲି ଶାଢ଼ୀ ପିନ୍ଧି, ବେଣୀରେ ଫୁଲମାଳ ଝୁଲେଇ ନୁଆଣିଆ କୁଡ଼ିଆର ଦୁଆର ମୁହଁରେ ଓଠରେ ଓଠେ ହସ ଫୁଟେଇ, ଆଖିରେ ଆଖିଏ ପ୍ରତୀକ୍ଷାର ବତି ଜଳେଇ ନିଜ ନିଜ ଭିତରେ ଫୁସ୍‌ଫାସ ହେଉଛନ୍ତି । ସେତେବେଳେ ପୁରୁଷହୀନ ସେ ବସ୍ତିରେ ଯେମିତି ଖେଳିଯାଇଛି ଏକ ନୂଆସ୍ଵପ୍ନ । ଭାବିଲେ ବିଶ୍ୱାସ କରି ହୁଏନା ସତେ କ’ଣ ଏଇମାନେ ସେହି ଆଦିବାସୀ ନାରୀ, ଯେଉଁମାନେ ଆଦିମକାଳରୁ ବଣ ଜଙ୍ଗଲରେ ନିର୍ଭୟରେ ବାଘଭାଲୁଙ୍କ ସଙ୍ଗେ ଖେଳି ଆସିଥିଲେ ? ଏଇମାନେ କ’ଣ ସେଇ ଆଦିବାସୀ ନାରୀ ଯେଉଁମାନେ ଏବେ ବି ବଣ୍ଡା ପାହାଡ଼ରେ ଉଲଗ୍ନ ବା ଅର୍ଦ୍ଧନଗ୍ନ ହୋଇ ପୁରୁଷାନୁକ୍ରମେ ରହିଛନ୍ତି ସୀତାଙ୍କଦ୍ଵାରା ଅଭିଶପ୍ତା ହୋଇଥିବାର ଏକ କୁସଂସ୍କାରକୁ ସମ୍ମାନ ଦେଖାଇ ?

 

ଏ ସହର ଏମିତି ନ ଥିଲା କି ଏଇ ଜିଲ୍ଲାର ଲୋକମାନେ ବି ଆଗରୁ ଏମିତି ନଥିଲେ । ବାହାରୁ ନାନା ସ୍ଥାନରୁ ଲୋକମାନେ ଆସି ଏଠାରେ ସେମାନଙ୍କର ଜୀବନଯାତ୍ରା ଆରମ୍ଭ କରିବାଦ୍ୱାରା ଫେଣ୍ଟା ଫେଣ୍ଟି ଏକ ନୂଆ ସଭ୍ୟତା, ନୂଆ ସଂସ୍କୃତି ଓ ଚାଲିଚଳନର ପ୍ରବାହ ବହି ଚାଲିଛି । ତା’ସହ ଏଇ ବନ୍ୟ ପ୍ରକୃତିର ସମସ୍ତ ନିୟମ, ବନ୍ୟସମାଜର ଆଦବ କାଏଦା ସବୁ ଯେମିତି ଓଲଟ ପାଲଟ ହୋଇ ଯାଇଛି ଏଇ ମିଶ୍ରିତ ସମାଜ ରାତିରେ ଝୁଲୁଥିବା ଅଙ୍ଗୁର ପେନ୍ଥାଟିକୁ ଲୋଭ କରି ।

 

ନା କହି ହେଉଛି ମିଠା, ନା କହି ହେଉଛି ଖଟା ।

 

ଗୋବିନ୍ଦ ରାହୁର ତେଜରାତି ଦୋକାନରେ ଯେତେବେଳେ ତାଲାପଡ଼େ ଠିକ୍ ସେତିକିବେଳେ ଏଇ ପଲ୍ଲୀର ପ୍ରତ୍ୟେକ ଝୁମ୍ପୁରି ଘରେ ଖୋଲିଯାଏ ଗୋଟିଏ ଗୋଟିଏ ବିପଣୀ । ଦିବସର ସମସ୍ତ କ୍ଳାନ୍ତି, ସମସ୍ତ ଅବସାଦର ଜମାଟ ବନ୍ଧା ଏଇ ଅନ୍ତେବାସିନୀଙ୍କ ଶିରାପ୍ରଶିରାରୁ ତରଳି ବୋହିଯାଏ, ଆଉ ସମ୍ଭାବ୍ୟ ଅର୍ଥାଗମର ଆଶାରେ ଉତ୍‌ପୁଲ୍ଲିତା, ଗର୍ବିତା ନାରୀମାନେ ଉତ୍କଣ୍ଠିତ ହୋଇ ଚାହିଁରହିଥାନ୍ତି ଅନ୍ଧକାରମୟ ସେଇ ଗଳି ରାସ୍ତାଆଡ଼କୁ, ଯେଉଁଆଡ଼େ ଗୋଟିଏ ସିଗାରେଟ୍, ବିଡ଼ି କି ପିକାର ଜୁଳୁଜୁଳିଆ ଆଲୁଅ ଦିଶିଯାଏ ଓ ତାହାହିଁ ଦିଏ ଗ୍ରାହକମାନଙ୍କର ଆଗମନର ସୂଚନା । ସେତିକିବେଳେ ବିଭ୍ରାଟ ନୁହେଁ, ଉଦ୍‌ବେଗରେ ଏକ ଗୁଞ୍ଜରଣ ସୃଷ୍ଟି ହୋଇ ଆସେ ଏଇ ପଲ୍ଲୀରେ ଓ ଠିକ୍ ପରେ ପରେ ସବୁ ପ୍ରକାର ଦର ତାଲିକାକୁ ଅବମାନନା କରି କଷାକଷି ଆରମ୍ଭ ହୋଇଯାଏ ଏମାନଙ୍କ ଭିତରେ ।

 

ସେମାନଙ୍କର ଦେହକୁ ନେଇ ଦର କଷାକଷି ।

 

ଆଉ ତା’ପରେ ଦ୍ଵିଧାହୀନ ଆତ୍ମସମର୍ପଣ ପାଇଁ ସେମାନେ ଯେମିତି ନିଜକୁ ପ୍ରସ୍ତୁତ କରିନିଅନ୍ତି । ପୁରୁଷାନୁକ୍ରମିକ ଆଦିବାସୀ ଜାତିର ସର୍ବଶେଷ ବିଶ୍ୱାସ ବିପର୍ଯ୍ୟସ୍ତ ହେବାକୁ ଲାଗେ ପ୍ରଚଳିତ ସଭ୍ୟତାର ଧ୍ଵଂସମୁଖୀ ଆବର୍ତ୍ତ ଭିତରେ । ପ୍ରାକ୍ ଐତିହାସିକ କାଳରୁ ପ୍ରଚଳିତ ସେମାନଙ୍କ ସାଂସ୍କୃତିକ, ଶୃଙ୍ଖଳିତ ସାମାଜିକ ଜୀବନ ବିପର୍ଯ୍ୟସ୍ତ ବିଲୁପ୍ତ ହୋଇ ସେଇ ଜାଗାରେ ମୁଣ୍ଡଟେକି ଉଠେ ଏକ ଅର୍ଥଲୋଭୀ ପରମ୍ପରାହୀନ ଅସାମାଜିକ ବାତାବରଣ ଏବଂ ସେମାନଙ୍କର ମାନସିକ ଯନ୍ତ୍ରଣା ଓ କ୍ଷୋଭ ବାଲି ତଳର ଢେଉପରି ଅଦେଖା ରହିଯାଏ, ବାହାର ଆଖିରେ ଯଦିଓ ଇଚ୍ଛାନାମ୍ନୀ ଏକ ଆଦିବାସୀ ଝିଅ, ମୋ’ ପ୍ରଶ୍ନର ଉତ୍ତରରେ ସେ କଥା କହିବାକୁ ଚେଷ୍ଟାକରି ବି ଠିକ୍ ଭାବେ ପ୍ରକାଶ କରି ପାରିନ ଥିଲା ମୋ’ ନିକଟରେ ।

 

କି ବିଶ୍ୱାସ ତା’ର ଅଛି ଯେ ?

 

କି ଭରସା ବା ସେ ମୋ’ ଠାରୁ ପାଇବ ଯେ ?

 

ଇଚ୍ଛା ସହିତ ମୋର ଆକସ୍ମିକ ଦେଖା ସେଇ ପରିବେଶ ଭିତରେ । ମୁଁ ଖାଲି ଯେ ସେଇ ବସ୍ତିର ଅନ୍ତେବାସିନୀଙ୍କ ଜୀବନଯାତ୍ରା ନିରୀକ୍ଷଣ କରିବାରେ ପ୍ରାୟ ସମସ୍ତେ ଦିନଟା ସାରି ଦେଇଥିଲି ତା’ ନୁହେ, ସେମାନଙ୍କ ଭିତରୁ ଅନେକ ବି ମୋ’ ଚାଲିଚଳଣକୁ ଲକ୍ଷ୍ୟ କରିନେଇ ଗୋଟିଏ ଭଲ ଶିକାର ତାଙ୍କର ପାଖେଇ ଆସୁଛି ବୋଲି ଭାବି ନେଇଥିଲେ । ଆଉ ସେଇ ଲୋଭ ବୋଧହୁଏ ଇଚ୍ଛାକୁ ତା’ର କୁଡ଼ିଆ ଘରୁ ଟାଣିଆଣିଥିଲା ମୋ’ପାଖକୁ, ରାସ୍ତା ଉପରକୁ ।

 

ଇଚ୍ଛା ମୋ’ପାଖରେ ପହଞ୍ଚି ନିଃସଂକୋଚରେ କହିଲା–ଡେରି କାହିଁକି କରୁଚ ଯେ, ନୂଆ ନୂଆ ଆସିଚୁ, ଡର ଲାଗୁଚି କି ? ଟିକିଏ ରହି ଏକ ଦୀର୍ଘଶ୍ୱାସ ପକାଇ କହିଲା–ହଃ, ନୂଆ ନୂଆ ସମସ୍ତଙ୍କୁ ଏମିତି ଡର ଡର ଲାଗେ । ତା’ପରେ ଅଭ୍ୟାସରେ ପଡ଼ିଗଲେ...। ଆଚ୍ଛା ବାବୁ ଏଠି ତୁ କାହାକୁ ଡରୁଚୁ ? ଏଠି ଏଇ ରାତିରେ ତୋ ମନ ପରି ସମସ୍ତଙ୍କ ମନ ଏକ ହୋଇଯାଏ ।

 

ମୁଁ ନୀରବ ରହିବା ଦେଖି ପୁଣି ପଚାରିଲା–କ’ଣ ପୁଲିସ୍‌କୁ ଡରୁଚୁ ? ସେମାନେ ତ ସବୁ ଏଇ ବସ୍ତିରେ ଛେଳି ହୋଇଯାଆନ୍ତି । ହେଲେ ବାବୁ ସେମାନେ ପଇସା ଦିଅନ୍ତନି ଓଲଟା ପଇସା ନିଅନ୍ତି । ଆ ବାବୁ, କହି ସେ ମୋ’ହାତକୁ ଧରି ଟାଣିବାକୁ ଲାଗିଲା ।

 

ମନ ଭିତରେ ବିରକ୍ତିଭାବ ଆସୁଥିଲେ ବି ଅତି ସହଜ, ସ୍ଵାଭାବିକ ସ୍ଵରରେ ପଚାରିଥିଲି–ତୋ ନାଆ କ’ଣ ?

 

ଇଚ୍ଛା !

 

ଆଚ୍ଛା ଇଚ୍ଛା, ତମେସବୁ ଏଠାରେ କେବେଠୁଁ ଅଛ ?

 

ଏଇ ଦି’ ତିନିବର୍ଷ ହେବ ।

 

ତମ ଗାଆଁ ଛାଡ଼ି ଏଠାକୁ କାହିଁକି ଆସିଥିଲ ?

 

ସେ ନିର୍ବିକାର ଭାବରେ କହିଲା–କାହିଁକି କ’ଣ ବାବୁ, କାମ କରି ପେଟ ପୋଷିବାକୁ, ଆଉ କ’ଣ ?

 

କିନ୍ତୁ ଏବେ ତ ତମର ପେଟ ପୋଷିବାର ବାଟଟା ଅଲଗା ହୋଇଯାଇଛି ।

 

ଇଚ୍ଛା ବୋଧହୁଏ ଏମିତି ପ୍ରଶ୍ନର ଶରବ୍ୟ କେବେ ହୋଇନଥିଲା ଏହା ପୂର୍ବରୁ । ସେ ହୁଏତ ଭାବୁଥିଲା–ଯେଉଁମାନେ ଏ ବସ୍ତିକୁ ଆସିଛନ୍ତି ସେମାନେ କଥାବାର୍ତ୍ତା କରିବାକୁ ଆଦୌ ଭଲ ପାଆନ୍ତିନି । ସିଧା ଟଙ୍କା ବଢ଼େଇ ଦେଇ ଟାଣି ନିଅନ୍ତି କୁଡ଼ିଆ ଭିତରକୁ ଅଥବା ଅତି ବେଶୀ ହେଲେ ପାଖ ଜଙ୍ଗଲ ଭିତରକୁ; କିନ୍ତୁ ଏଇ ବାବୁଟା କେତେ ବକ୍‌ବକ୍ ହେଉଚି ଯେ । ପେଟରେ ପେଟେ ଭୋକ ପୁରେଇ ପୁଣି ବାହାଦୂରୀ ଦେଖାଉଚି । କ’ଣ ମିଳିବ ଯେ ଏ କଥାବାର୍ତ୍ତାରୁ । ତା’ର ଦେହ ଦରକାର ଆମର ଟଙ୍କା ଦରକାର । ଏହାଛଡ଼ା ଆଉ କୌଣସି ସମ୍ପର୍କ, କୌଣସି କଥାବାର୍ତ୍ତା ନାହିଁ ଏମାନଙ୍କ ସାଙ୍ଗରେ । ଏଣୁ ସେ ବିରକ୍ତ ହୋଇ କହିଲା–ବାବୁ, ଆସିବୁ ତ ଆ ଘର ଭିତରକୁ, ନ ହେଲେ ଚାଲିଯା’ ତୋ’ ବାଟରେ । ତୁ କାହିଁକି ଏଠିକି ଆସିଚୁ ମୁଁ କ’ଣ ଜାଣିନି ?

 

ଆଚ୍ଛା , ତମେ ସବୁ କେତେ ଟଙ୍କା ନିଅ ?

 

ଯେତିକି ମିଳେ । ମୁଁ କିନ୍ତୁ ବାବୁ ଦଶଟଙ୍କାରୁ କମ୍ ନିଏନା । ଦେଖୁଚଟି ମତେ ? ଏହା କହି ସେ ନିଜ ଦେହ ଓ ଆଖିକୁ ଥରେ ମୋ’ ସାମ୍ନାରେ ନଚେଇ ଦେଲା । ବୋଧହୁଏ ଭାବିଲା ମୁଁ ଏବେ ବାଟକୁ ଚାଲି ଆସୁଛି ।

 

କିନ୍ତୁ ମୋ’ ଦେହରେ ଶିହରଣ ଆସିବା ଦୂରେ ଥାଉ ମନରେ...

 

ଏମାନେ ସତରେ ଆଜି କେତେ ତଳକୁ ଚାଲିଯାଇଛନ୍ତି ।

 

ଏହାର ଶେଷ କେଉଁଠି ?

 

ଇଚ୍ଛାକୁ କହିଲି–ହେଲା ତୋର ଦଶଟଙ୍କା ଦରକାର, ମୁଁ ଦେବି; କିନ୍ତୁ ସେ ଟଙ୍କାଟା ତୋ ଦେହ ଭୋଗ ପାଇଁ ନୁହେ, ତୋ ମୁହଁରୁ ତମରି କଥା ଶୁଣିବାକୁ । ତୁ ରାଜି ତ ?

 

ଇଚ୍ଛା ଟିକିଏ ସଙ୍କୁଚିତ ହୋଇଗଲା । ଚାରିଆଡ଼କୁ ଥରେ ଚାହିଁ ପଚାରିଲା–ବାବୁ, ଆମ କଥା ଜାଣି ତୁ କି ଲାଭ ପାଇବୁ ଯେ ?

 

ଲାଭ–କ୍ଷତିର ବିଚାର ସବୁବେଳେ କରାଯାଏନା ଇଚ୍ଛା । କହ ଆମେ କେଉଁଠି ବସିବା ।

 

ମୋର କାହାକୁ ଡର ନାହିଁ ହେଲେ ବାବୁ...

 

କ’ଣ ?

 

ତୋତେ ତ ଲୋକ ଖରାପ ଭାବିବେ ।

 

ସବୁ ଲୋକ ଯଦି–ମନ୍ଦ ବିଚାର କରି ପାରୁଥାନ୍ତେ ତା’ହେଲେ ତମର ଏ ଅଧପତନ ହୋଇଥାନ୍ତା କାହିଁକି ?

 

ହେଲେ ବାବୁ ତୁ କ’ଣ ପଚାରିବୁ ଯେ ?

 

ତୋର ଆଉ ସବୁ କିଏ ଅଛନ୍ତି ?

 

ବାପା ଅଛି ।

 

ବାପା କ’ଣ କରେ ?

 

ଏବେ ଆଉ କିଛି କରୁନି । ଖାଲି ମଦ ପିଇ ଶୋଇ ରହୁଛି । ଆମେ ଯେତେବେଳେ ଏଠିକି ଆଇଲୁ ସେତେବେଳେ ସେ ଗୋଟିଏ କଣ୍ଟ୍ରାକ୍ଟର ପାଖରେ କାମ କରୁଥିଲା । ମୁଁ ବି କାମ କରୁଥିଲି । ଆମକୁ ସେ ଅନେକ ଟଙ୍କା ଦେଉଥିଲା । ହେଲେ ବାବୁ ସେ କଣ୍ଟ୍ରାକ୍ଟରଟା...

 

ଇଚ୍ଛାର କଣ୍ଠ ଥରିଉଠିଲା । ଜଣାଯାଉଥାଏ ସେ ଯେମିତି ଚେଷ୍ଟା କରୁଛି ମୋ’ସାଙ୍ଗରେ ତା’ର ସ୍ଵାଭାବିକ ଢଙ୍ଗରେ; କଥା କହିବାକୁ; କିନ୍ତୁ ପାରୁନି । ମନଟା ତା’ର ଯେମିତି ସନ୍ତୁଳି ହୋଇଯାଉଛି ।

 

ପଚାରିଲି–କଣ୍ଟ୍ରାକ୍ଟର କ’ଣ କଲା ?

 

କ’ଣ ଆଉ ନ କଲା ବାବୁ ! ବାପାକୁ ମଦ ପିଆଇ ଶିଖାଇଲା । ବାପା ମଦ ପିଇ ବେହୋସ । ଆଉ ମୋତେ... । ଛାଡ଼ ବାବୁ ସେ କଥା ସେଇ ଦିନରୁ ଆଦିବାସୀ ଝିଅ ବୋଲି ପରିଚୟ ଦେବାକୁ ଲାଜ ଲାଗୁଚି । ଗାଆଁକୁ ଫେରିଯାଇ ହେଉନି କି ଏଠି ରହିବାକୁ ବି ଇଚ୍ଛା ହେଉନି । ସବୁଦିନ ତ ଏମିତି ହେବନି । ଏ ବୟସ ଚାଲିଗଲେ ଆମକ ଆଉ ପଚାରିବ କିଏ ? ହେଇ ସେ ଯେଉଁ ଗୁରୁବାରୀକି ଦେଖୁଚ, ବୟସ ଥିଲା ବେଳେ କେତେ ଲୋକ...ବୟସ ଖସିଗଲାଣି । କାହିଁ, ଏବେ କେହି ତ ତା’ପାଖକୁ ଆସୁନି । ତା’ହାତରେ ଟଙ୍କା ଗୁଞ୍ଜି ଦଉନି । ସେମାନେ ଆଜି ଭୋକ ଓପାସରେ ମରିବାକୁ ବସିଲେଣି ।

 

ତୋର ସିନା କଣ୍ଟ୍ରାକ୍ଟରଟା ଏମିତି ସର୍ବନାଶ କରିଦେଲା; କିନ୍ତୁ ଅନ୍ୟମାନେ...ସେମାନେ କାହିଁକି ଏମିତି ହେଲେ ?

ସେହି ପଇସାର ଲୋଭ ଆମ ସମସ୍ତଙ୍କୁ ଖାଇଲା ବାବୁ । ଦି’ପଇସା କମେଇବାକୁ ସିନା ଦେଶ (ପଲ୍ଲୀ) ଛାଡ଼ି ଏ ସହରକୁ ଆସିଥିଲୁ; ହେଲେ ଆମେ କ’ଣ ଜାଣିଥିଲୁ ଆମକୁ ଏଇ ବାଟ ଧରିବାକୁ ହେବ । ଏଇ ସହରକୁ ଆସି ଆମର ମାନ–ଇଜ୍ଜତ ସବୁ ଚାଲିଗଲା ବାବୁ...ସବୁ ଚାଲିଗଲା ।

 

ଇଚ୍ଛାର କଣ୍ଠ ଯେ ଖାଲି ଥରି ଉଠିଥିଲା ତା’ ନୁହେଁ ଜଣାଯାଉଥିଲା ତା’ର ଆଖି ବି ଜକେଇ ଆସିଛି । ଆଉ ତା’ହୃଦୟ ଭିତରେ ଗୋଟିଏ ସରଳା ନିରୀହା ଆଦିବାସୀ ଝିଅଟିଏ କଇଁ କଇଁ ହୋଇ କାନ୍ଦୁଛି ।

 

ମୁଁ ନିର୍ବାକ ହୋଇ ଇଚ୍ଛାଆଡ଼େ ଚାହିଁଥାଏ । ଫିକା ଜହ୍ନର ଆଲୁଅରେ ଅସ୍ପଷ୍ଟ ତା’ର ମୁହଁ-

 

ଇଚ୍ଛା... ଇଚ୍ଛା... ରାଣ୍ଡ ଗଲା କୁଆଡ଼େ ?

 

ଦୂରରୁ କେହି ଜଣେ ଅଶ୍ରାବ୍ୟ ଭାଷାରେ ଗାଳିଦେଇ ଇଚ୍ଛାକୁ ଡାକୁଥିଲା ।

 

ଇଚ୍ଛା କହିଲା–ବାବୁ, ମୁଁ ଯାଉଚି । ବାପା ଡାକିଲାଣି । ନଗଲେ ଆସି ପିଟି ପକେଇବ ।

 

ଇଚ୍ଛା ତା’ର ଲୁଗା କାନିରେ ଆଖି ପୋଛୁଥିଲା ।

 

କହିଲା–ଇଚ୍ଛା, ତୋର ଅନେକ ସମୟ ନଷ୍ଟ କଲି । ଏଇ ନେ ତୋ’ ଟଙ୍କା । ଇଚ୍ଛା କହିଲା–ନା ବାବୁ, ଥାଉ ସେ ଟଙ୍କା । ମନ ଭିତରଟା ଜଳୁଥିଲା । ଆଜି ତୋତେ ଏତିକି କହି ଦେଲି, ମନଟା ଭଲ ଲାଗୁଚି । ମନଟା ଶାନ୍ତି ପାଇଚି । ଟଙ୍କାଟା କ’ଣ ଏହାଠୁଁ ବଡ଼ ?

 

ଅବାକ୍ ହୋଇ ଇଚ୍ଛା ମୁହଁକୁ ଚାହିଁ ରହିଲି ।

 

ଆଉ କୌଣସି କଥାକୁ ଅପେକ୍ଷା ନ କରି ଇଚ୍ଛା ଚାଲିଗଲା । ସେ ନୂଆଁଣିଆ ବସ୍ତି ଭିତରେ ଅଦୃଶ୍ୟ ହୋଇଯାଏ ମୁଁ ଇଚ୍ଛାକୁ ଫିକା ଜହ୍ନ ଆଲୁଅରେ ଦେଖୁଥିଲି ।

 

ଦେଖୁଥିଲି ଆଶା ବୈତରଣୀରେ ଉବୁଟୁବୁ ହେଉଥିବା ଗୋଟିଏ ଆଦିବାସୀ ଝିଅକୁ । ନା, ଖାଲି ଝିଅକୁ ନୁହେଁ, ନୂଆ ଦୁନିଆର ସ୍ଵାଦ ଚାଖିବା ଆଶାରେ ତାଙ୍କର ଆଦିମ ନିବାସ ବଣ ଜଙ୍ଗଲ ଛାଡ଼ି ସହରକୁ ଧାଇଁ ଆସିଥିବା ଗୋଟିଏ ଆଦିବାସୀ ସମ୍ପ୍ରଦାୟକୁ ।

Image

 

ଲିଙ୍ଗରାଜ ଷଣ୍ଢ, ବିଷ୍ଣୁଦାସ ଓ କୁମ୍ଭୀପାକ ନର୍କ କଥା

 

‘ମରିବୁରେ ରଇଜଳା, ମରିବୁ । ତୋ’ ଦିହରେ ପୋକ ପଡ଼ିବ । ତୁ କ’ଣ ଭାବିଛୁ ଯମ ତତେ ଛାଡ଼ିଦବ ? ଛାଡ଼ିବନିରେ ରଇଜଳା, ଯମ ତତେ ଛାଡ଼ିବନି । ତୋ’ ପାଇଁ ପରା ତତଲା ତେଲ କରେଇ ଟକ୍‌ଟକ୍ ହେଇ ଫୁଟୁଚି–ନିବଂଶିଆ ହେଇ ମରିବୁରେ ଗାତପଶା...

 

ବହଳ ବାରୁଦ ଦିଆ ଫୋଟକା ଫୁଟିଲା ପରି ଦୁଃଖୀନାନୀ ମୁହଁରୁ ଖାଲି ଅଭିସଂପାତ ବରଷି ଚାଲିଥାଏ ।

 

ତା’ର ଅଭିଶାପରେ ଖାଲି ମଣିଷ ନୁହେଁ, ସାରା ପୃଥିବୀଟା ଯେମିତି ଭସ୍ମୀଭୂତ ହୋଇଯିବ !

 

କାହାକୁ ସକାଳଟାରୁ ଏମିତି ଗାଳି ଦଉଚି ଯେ ?

 

ଶୁଣିଲି–କେହି ଜଣେ ତାକୁ ପଚାରୁଛି–ଦୁଃଖୀନାନୀ ! ଆଜି ସକାଳଟାରୁ କା’ମୁଣ୍ଡରେ ଏ ବଜ୍ର ପକୋଉଚ ? କାହାକୁ ନେଇ କୁମ୍ଭୀପାକ ନର୍କରେ ପକୋଉଚ ?

 

ରଇଜଳା ବିଷ୍ଣୁ ଦାସ ମ, ସେ କ’ଣ ଖାଲି ପାପ କରି ଚାଲିଥିବ ଆଉ ଠାକୁରେ ତାକୁ ସହି ଯାଉଥିବେ ? ଏ ସଂସାରରେ କ’ଣ ଧର୍ମ, କର୍ମ ନାହିଁ ? ସେ ନରକ ଭୋଗିବନି ତ ଆଉ କିଏ ଭୋଗିବ ? ଦେଖିବ, ଦେଖିବ ସେ ଅଳପେଇଶିଆ କିମିତି ମରିବ...ଲିଙ୍ଗରାଜ ଷଣ୍ଢ ପରି ପୋକ ପଡ଼ି ମରିବ ।

 

ଲିଙ୍ଗରାଜ ଷଣ୍ଢ ପରି ମରିବ ବିଷ୍ଣୁ ଦାସ ! ବିଷ୍ଣୁ ଦାସ ଉପରେ ତା’ର କେତେ ରାଗ ସତେ !

 

ରଡ଼ ନିଆଁପରି ଜଳୁଥିବା ତା’ର ଆଖି ଦି’ଟାକୁ ଚାହିଁ ହେଉ ନଥାଏ । ସେ ତ ଆଖି ନୁହେଁ, ଦୁଇଟି ନିଆଁଖୁଣ୍ଟା । ସତେ ଯେମିତି ନିମିଷକ ଭିତରେ ସବୁ ଜାଳିଦେବ !

 

ଦୁଃଖୀନାନୀକୁ ଭରସି କିଛି ପଚାରି ହେଲାନି ସତ; କିନ୍ତୁ ଲିଙ୍ଗରାଜଙ୍କ ଷଣ୍ଢ ସାଙ୍ଗରେ ବିଷ୍ଣୁ ଦାସର ସମ୍ପର୍କଟା ଖୋଜି ବାହାର କରିବାକୁ ବେଶୀ ସମୟ ଲାଗିନଥିଲା ।

 

ଲିଙ୍ଗରାଜଙ୍କ ଷଣ୍ଢ !

 

ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରଠାରୁ ଆରମ୍ଭ କରି କପିଳେଶ୍ୱର ଛକଯାଏ କିଏ ନ ଜାଣିଛି ଲିଙ୍ଗରାଜଙ୍କର ମୋଟା ତାଗଡ଼ା ସେଇ ଷଣ୍ଢଟାକୁ । ତା’ର ଉତ୍ପାତକୁ । ବାଟେଇ ଜାଣିଛି, ଜଳଖିଆ ଦୋକାନୀ ଜାଣିଛି, ଜଳଖିଆ ଖାଇବା ଲୋକ ବି ଜାଣିଛି । ସେ ଷଣ୍ଢ ଆସୁଛି ମାନେ ବାଟ ସଫା । ନିଜର ପୃଥୁଳ ଦେହକୁ ଧରି ଗୋଜିଆ ଗୋଜିଆ ଶିଙ୍ଗ ଦି’ଟାକୁ ଉପରକୁ ଟେକି ସେ ଯଦି ଚାଲିଛି ତା’ହେଲେ ତାକୁ ବାଟ ନ ଦେଇ କ’ଣ ରକ୍ଷା ଅଛି ? ଆଉ ଯଦି କା’ ଦୁଆର ମୁହଁରେ ଠିଆ ହୋଇଗଲା ତା’ହେଲେ ତାକୁ କିଛି ନା କିଛି ଆହାର ନ ଦେଇ କ’ଣ ତ୍ରାହି ଅଛି ? ଯଦି ଜଳଖିଆ ଦୋକାନରେ ପହଞ୍ଚି ଗଲା, କୋଉ ଦୋକାନୀର ସାଧ୍ୟ ଅଛି ତାକୁ ଘଉଡ଼ାଇ ଦେବ ତା’ ପାଟିରେ ବରା କି ଗୁଲୁଗୁଲାଟିଏ ନ ଦେଇ । କେଉଁ ଗରାଖର ସାହସ ଅଛି ତା’ ଖାଦ୍ୟରୁ କିଛି ଅଂଶ ବିନା ପ୍ରତିବାଦରେ ସେଇ ଷଣ୍ଢଟି ମୁହଁରେ ନ ଦେଇ ଚାଲିଯିବ । ଆଉ କୋଉ ପରିବା ଦୋକାନୀର ବା ସାଧ୍ୟ ଅଛି ସଜ ପରିବାରୁ କିଛି ତା’ ମୁହଁରେ ଗୁଞ୍ଜି ନ ଦେଇ ନିଶ୍ଚିନ୍ତରେ ବସି ରହି ପାରିବ ?

 

–ଲିଙ୍ଗରାଜଙ୍କ ଷଣ୍ଢ ଉପଦ୍ରୁତ ଏଇ ଅଞ୍ଚଳର କାହାର ବା ସାହସ ଅଛି ତାକୁ ବାଡ଼େଇ ପିଟି ଘଉଡ଼ାଇ ଦେବ ? ଘଉଡ଼ାଇ ଦେଲେ ସେ କ’ଣ ଚାଲିଯିବ ? ଓଲଟି ଫଁ ଫଁ କରି ତା’ର ମୁନିଆ ଶିଙ୍ଗ ଦି’ଟାକୁ ଘଉଡ଼େଇ ଥିବା ଲୋକ ଆଡ଼କୁ ମୁହେଁଇ ପରା ଗୋଡ଼େଇ ଆସିବ ! ସେ ଯେଉଁ ଶିଙ୍ଗ କା ଦେହରେ ଯଦି ବାଜିଯିବ ତା’ହେଲେ ପ୍ରାଣପକ୍ଷୀଟା ଉଡ଼ିଯିବାକୁ ବା କେତେବେଳ-?

 

ତାରି ଭୟରେ ଏ ଇଲାକାରେ ଅନ୍ୟ କୌଣସି ଷଣ୍ଢର ପ୍ରବେଶ ନାହିଁ । ଯଦି କଦବା କେହି କେମିତି ଆସିଯାଏ, ତା’ହେଲେ ତା’ର ପରାକ୍ରମ ନଥାଏ, ମୂଷାଟା ପରି ଆଡ଼େଇ ହୋଇ ଚାଲିଯାଏ ସେ ଲିଙ୍ଗରାଜ ଷଣ୍ଢ ପାଖରୁ ।

 

କେଉଁ ଜନ୍ମରେ ସେ କି ପୁଣ୍ୟ କରିଥିଲା କେଜାଣି ଏ ଜନ୍ମରେ ତା’ର ପାଳକ ପିତାଟି ନିଜ ପୁତ୍ରର ସର୍ବବିଧ ମଙ୍ଗଳ କାମନା କରି ଦାନ ସ୍ୱରୂପ ଏଇ ଷଣ୍ଢଟିକୁ ଲିଙ୍ଗରାଜଙ୍କ ଉଦ୍ଦେଶ୍ୟରେ ସଅଁପି ଦେଇ ତାଙ୍କ ଚକଡ଼ା ପାଖରେ ଛାଡ଼ିଦେଇ ଚାଲି ଯାଇଥିଲା । ଷଣ୍ଢର ଏବଂବିଧ ଦୌରାତ୍ମ୍ୟରେ ପୁତ୍ରର କି ମଙ୍ଗଳ ଯେ ସାଧିତ ହେଉଥିବ ତାହା ପ୍ରଭୁ ଲିଙ୍ଗରାଜ ଜାଣନ୍ତି ।

 

ସେଇ ଦିନରୁ ସେ ‘ଲିଙ୍ଗରାଜଙ୍କ ଷଣ୍ଢ’ ହୋଇ ବୁଲୁଚି ନିଶ୍ଚିନ୍ତ, ବେପରୁଆ ଭାବରେ । କାହାକୁ ଭୟ ନାହିଁ କି ଖାତିର ନାହିଁ । ତା’ର ଅତ୍ୟାଚାର ଦିନକୁ ଦିନ ବଢ଼ିଚାଲିଛି ଏଇ ଇଲାକାରେ, ହେଲେ ତାକୁ ବାଡ଼ିଆପିଟା କରିବା କଥା କେହି କେବେ ଚିନ୍ତା କରିନାହିଁ । କାହାର ବା ଧର୍ମ ଭୟ ନାହିଁ ଯେ ? ଲିଙ୍ଗରାଜଙ୍କ ଷଣ୍ଢକୁ ବାଡ଼େଇବା ମାନେ ହିଁ ତ ନିଜର ସଞ୍ଚିତ ସକଳ ପୁଣ୍ୟକୁ ଜାଣିଶୁଣି ପାଣିକୁ ଫିଙ୍ଗି ଦେଇ ଆଗାମୀ ତିନି ଜନ୍ମ ପାଇଁ ପାପ ସଞ୍ଚୟ କରାଯିବା ।

 

ଲିଙ୍ଗରାଜଙ୍କ ଭୟ ଯେତିକି ନୁହେଁ, ଲିଙ୍ଗରାଜଙ୍କର ଏଇ ଷଣ୍ଢଟିର ଭୟ ତତୋଽଧିକ ଗ୍ରାସିଛି ସାରା ଭୁବନେଶ୍ୱରିଆଙ୍କୁ । ଲିଙ୍ଗରାଜ ତ ପ୍ରତ୍ୟକ୍ଷରେ ଆଉ ନିଜ ଆସନରୁ ଉଠି ଆସୁ ନାହାନ୍ତି । ପ୍ରସ୍ତରୀଭୂତ ଦେବତାମାନେ ପ୍ରତ୍ୟକ୍ଷ ଯଦି ନିଜର ପ୍ରତିକ୍ରିୟା ପ୍ରକାଶ କରୁଥାନ୍ତେ ତା’ହେଲେ ଅଧର୍ମ, ଅନୀତି, ଅନାଚାରର ଏତେ ପ୍ରାବଲ୍ୟ ଥାନ୍ତା କାହିଁକି ?

 

ଅନବରତ ଏଇ ଅଞ୍ଚଳରେ ଅର୍ଦ୍ଦଳି କରି ଆସିଥିବା ଦୋକାନୀଙ୍କଠୁଁ ଆରମ୍ଭ କରି ଖାଉଟିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ଉପଦ୍ରବ କରି ଆସିଥିବା ଏଇ ଲିଙ୍ଗରାଜ ଷଣ୍ଢ ସାଙ୍ଗରେ ବିଷ୍ଣୁ ଦାସର କି ସମ୍ବନ୍ଧ ?

 

ବିଷ୍ଣୁ ଦାସ !

 

ବିଷ୍ଣୁ ଦାସର ଆବିର୍ଭାବ ଏଇ ଇଲାକାରେ କିମିତି ହେଲା ତା’ ହୁଏତ ଅନେକ ଜାଣନ୍ତି; କିନ୍ତୁ ତା’ର ଘର, ବାପା ମାଆ, ବଂଶ ପରମ୍ପରା ବିଷୟରେ କେହି କିଛି ଜାଣନ୍ତିନି । ସନ୍ଧାନ ନେବାକୁ ଯାଇ ଅନେକ ହତାଶ ହୋଇଛନ୍ତି ।

 

କେଉଁ ଏକ ଅଜଣା ଗାଆଁର ଅଜଣା ଭକ୍ତଟି ଲିଙ୍ଗରାଜଙ୍କୁ ସଅଁପି ଦେଇଥିବା ଏଇ ଷଣ୍ଢଟିର ପରିଚୟ ପରି ବିଷ୍ଣୁ ଦାସଙ୍କ ପରିଚୟ ଆମ ପାଖରେ ଅଜ୍ଞାତ । ତେବେ ସେ ଦୈନିକ ପରାକ୍ରମୀ ମନ୍ତ୍ରୀଙ୍କ ପାଖଲୋକ ଭାବରେ ପରିଚିତ ଆମମାନଙ୍କ ପାଖରେ, ତା’ଠୁଁ ଅଧିକ ସରକାରୀ ଦପ୍ତରରେ ଓ ପୋଲିସ୍ କର୍ମଚାରୀଙ୍କ ପାଖରେ । ତେବେ ଥୋକେ ଅସହିଷ୍ଣୁ ଲୋକ ତାଙ୍କୁ ମନ୍ତ୍ରୀଙ୍କ ଚାମଚା ବୋଲି ମଧ୍ୟ କହୁଥିବାର ଶୁଣାଯାଏ । ମନ୍ତ୍ରୀଙ୍କର ଯିଏ ନିଜ ଲୋକ, ଏ ଯୁଗରେ ସେ ତ ମନ୍ତ୍ରୀଙ୍କ ଠାରୁ ଅଧିକ ପ୍ରତାପୀ, ଅଧିକ ପରାକ୍ରମୀ । ତାକୁ ନ ଡରିବ ବା କିଏ ? କାହାର ବା ନିଜ ଚାକିରିକୁ, ନିଜ ମାନସମ୍ମାନକୁ ଭୟ ନାହିଁ ଯେ ! ଯେତେବେଳେ ଏଇ ସହରର ଧର୍ମବିଶ୍ଵାସୀ ଲୋକଙ୍କଠୁଁ ଆରମ୍ଭ କରି ନାସ୍ତିକମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଲିଙ୍ଗରାଜଙ୍କ ଭୟରେ ତାଙ୍କ ଷଣ୍ଢର ଉପଦ୍ରବକୁ ନୀରବରେ ସହି ଆସିଛନ୍ତି, ସେଇ ସହରରେ ଲିଙ୍ଗରାଜଙ୍କଠୁଁ ସବୁ କାର୍ଯ୍ୟରେ ଅଧିକ ପରାକ୍ରମୀ ମନ୍ତ୍ରୀଙ୍କର ଏଇ ଚଳନ୍ତି ପ୍ରତିମାକୁ କିଏ ବା ନ ଡରିବ ?

 

ତା’ କାର୍ଯ୍ୟରେ କିଏ ବା ବାଧା ଦେବ ?

 

ବାଧା ତ ନାହିଁ, ଗର୍ବ ଗଞ୍ଜନ ବା ହେବ କିମିତି ?

 

ଲିଙ୍ଗରାଜଙ୍କ ଷଣ୍ଢଟା ଏବେ ବି ବୁଲୁଛି ମନ୍ଦିର ଚାରି ପାଖରେ; କିନ୍ତୁ ନାହିଁ ତା’ର ସେ ପୂର୍ବ ବେପରୁଆ ଭାବ । ନାହିଁ ତା’ର ସେ ପୂର୍ବ ପରାକ୍ରମ । କେଉଁ ଏକ ଦୁର୍ଦ୍ଦମନୀୟ ସାହସରେ ନବାଗତ ଏକ ଷଣ୍ଢ ସହିତ ସେ ଲଢ଼େଇ କରି ବାହାରିଥିଲା କେଜାଣି ସେ ଲଢ଼େଇ ହେଲା ତା’ର କାଳ ।

 

ତା’ ଇଲାକାରେ ଅନ୍ୟ କୌଣସି ଷଣ୍ଢର ପ୍ରବେଶ ତା’ ପାଇଁ ହେଲା ଅସହ୍ୟ । ଲିଙ୍ଗରାଜଙ୍କ ଷଣ୍ଢଟି ସିଏ ତା’ ସାଙ୍ଗରେ ଟକ୍‌କର ଦେବ–ଏମିତି ପୁଣି କିଏ ଅଛି ?

 

ଏଇ ଆତ୍ମ ବିଶ୍ୱାସ ଓ ଗର୍ବ ନେଇ ସେ ଲଢ଼େଇରେ ବାହାରି ଥିଲା; କିନ୍ତୁ ସେଇ ଲଢ଼େଇ ଆଣିଲା ତା’ ଜୀବନରେ ଦୟନୀୟ ପରାଜୟ ।

 

ପରାଜୟଟା ବୋଧହୁଏ ଏମିତି ଅଚାନକ ଚାଲି ଆସେ ଆତ୍ମଗର୍ବୀ, ହିଂସୁକ ଦେହ ଜୋର୍‌ଦାର୍ ଜୀବନରେ ।

 

ଯୁଗଯୁଗଧରି ଯାହା ଘଟି ଆସିଛି, ସେଇ ସ୍ଵାଭାବିକ ଘଟିଲା ଲିଙ୍ଗରାଜଙ୍କ ଷଣ୍ଢ ଜୀବନରେ । ତା’ର ମୁନିଆ ଶିଙ୍ଗ ଯାହା ସମସ୍ତଙ୍କ ପକ୍ଷରେ ଥିଲା ଏ ଯାବତ୍ ଆତଙ୍କର କାରଣ, ଯାହାକୁ ନେଇ ସେ ତା’ର ଶକ୍ତି, ପରାକ୍ରମ ପ୍ରଦର୍ଶନ କରି ଆସୁଥିଲା ସେଦିନ ହଠାତ୍ ତନ୍ମଧ୍ୟରୁ ଗୋଟିଏ ଭାଙ୍ଗିଗଲା । ଆଉ ସେଇ ଭଙ୍ଗା ଶିଙ୍ଗଟା ପଚି ଏ ଅଞ୍ଚଳରେ ପ୍ରବହମାନ ନିର୍ମଳ ଶାନ୍ତ ବାୟୁକୁ ଦୂର୍ଗନ୍ଧମୟ କରି ଦେଲା । ସବୁଠୁଁ ବଡ଼ ଆଶ୍ଚର୍ଯ୍ୟକର ଘଟଣା ହେଲା ଯେଉଁମାନେ ଲିଙ୍ଗରାଜଙ୍କ ଭୟରେ ଷଣ୍ଢଟିର ଉପଦ୍ରବକୁ ନୀରବରେ ସହି ରହିଥିଲେ ସେଇମାନେ ହିଁ ଷଣ୍ଢଟା ଉପରେ ଆରମ୍ଭ କରିଦେଲେ ଆକ୍ରମଣ । ସତେ ଯେମିତି ଲିଙ୍ଗରାଜଙ୍କ ଭୟରେ ଯେତିକି ନୁହେଁ, ତା’ର ଶିଙ୍ଗ ଭୟରେ ଏମାନେ ଏତେ ଦିନ ଧରି ତା’ର ସବୁ ଉପଦ୍ରବକୁ ସହି ଆସିଥିଲେ । ତା’ପରେ ବାହାରୁ ଆସୁଥିବା ବା ଅନ୍ୟ ଯେଉଁ ଷଣ୍ଢମାନଙ୍କୁ ସେ ଏଥି ପୂର୍ବରୁ ଘଉଡ଼ାଇ ଦେଇଥିଲା ସେଇମାନେ ଆସି ଏବେ ପ୍ରଭୂତ୍ଵ ବିସ୍ତାର କରି ବସିଲେ ତା’ ଇଲାକାରେ, ଆଉ ଲିଙ୍ଗରାଜଙ୍କର ଏଇ ଷଣ୍ଢଟି ପଚା ଶିଙ୍ଗ ଭିତରେ, ପୋକମାନଙ୍କର ଅହରହ ଦଂଶନର ଜ୍ୱାଳାରେ ଲୁହ ଛଳଛଳ ଆଖିରେ ଲିଙ୍ଗରାଜଙ୍କ ଆଡ଼େ ଚାହିଁ ରହୁଥିଲା–ହୁଏତ ଭାବୁଥିଲା, ସତରେ ଠାକୁରଙ୍କ ଇଲାକାରେ ଏବେ ଡେମୋକ୍ରେଟିକ୍ ହାଓ୍ଵା ବହିଲାଣି ନା କ’ଣ ? ଠିକ୍ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ସଙ୍ଗେ ସଙ୍ଗେ ମନ୍ତ୍ରୀଙ୍କ ଚାମଚାମାନଙ୍କର ପତନ ପରି ତା’ର ବି ପତନ ହୋଇଆସୁଛି ନା କ’ଣ ?

 

ତା’ହେଲେ ଲିଙ୍ଗରାଜ କ’ଣ ହାରିଗଲେ !

 

ନା, ଲିଙ୍ଗରାଜ ହାରି ନଥିଲେ, ହାରିଗଲା ତାଙ୍କ ଷଣ୍ଢ ଲିଙ୍ଗରାଜଙ୍କ ବାହୁଛାୟା ତଳେ ଥାଇ ସେ ବୋଧହୁଏ ଭୁଲିଯାଇଥିଲା ଦେହର ଜୋର୍ ସବୁ ଦିନ ରହେନା । ଦେହର ଜୋର୍ ଦେଖାଇ ସବୁ ଦିନକୁ କ୍ଷମତା ବା ପ୍ରଭୁତ୍ୱ ଜାହିର୍ କରାଯାଇପାରେ ନା । ଅତ୍ୟାଚାର ଦ୍ୱାରା ସ୍ୱାର୍ଥ ହାସଲ କରି କେହି କେବେ ତା’ର ବିଜୟବାନା ସବୁଦିନ ଉଡ଼ାଇ ପାରିନି । ଆହାଃ, ଏଇ କଥାଟା ଯଦି ସେ ମନ ଭିତରେ ହେଜି ପାରିଥାନ୍ତା, ଶିଙ୍ଗ ଦେଖାଇ ଡରାଇ ନଥାନ୍ତା । ଗେହ୍ଲେଇ ହେଇ, ଲୋକମାନଙ୍କ ଦେହରେ ମୁହଁ ଘଷିଥାନ୍ତା ତା’ହେଲେ ଏଇ ଲୋକମାନେ କ’ଣ ତା’ର ଦୁର୍ଦ୍ଦିନରେ ତାକୁ ଟିକିଏ ଆଉଁସି ଦେଇନଥାନ୍ତେ ? ତା’ର ପଚା ଶିଙ୍ଗକୁ ଡେଟଲ୍ ପାଣିରେ ଧୋଇ ସଫା କରି ଟିକିଏ ମଲମ ଲଗାଇ ଦେଇ ନଥାନ୍ତେ ? ତା’ ମୁହଁରେ ନିଜ ହାତରେ ଆହାର ଗୁଞ୍ଜି ଦେଇ ନଥାନ୍ତେ ?

 

ନିଜ କର୍ମ ଫଳ ଅଗତ୍ୟା ଭୋଗ କରିବାକୁ ପଡ଼ିଲା ତାକୁ । ଯମ ନିୟନ୍ତ୍ରିତ ଯେଉଁ କୁମ୍ଭୀପାକ ନର୍କଟି ଅଛି ବୋଲି ପୁରାଣ କହେ ସେଠାରେ ପାପୀମାନଙ୍କୁ ପାକ କରାଯାଏ ତତଲା ତେଲ କରେଇରେ ସିଝେଇ ସିଝେଇ । ଲିଙ୍ଗରାଜଙ୍କ ଷଣ୍ଢଟିର ଗତି କ’ଣ ସେଇ କୁମ୍ଭୀପାକ ନର୍କକୁ-? ଯଦି ତାହା ହିଁ ହୁଏ ତା’ହେଲେ ବିଷ୍ଣୁଦାସର ଗତି କୁଆଡ଼େ ?

 

ହୁଏତ ଲିଙ୍ଗରାଜ ହାରିଯାଇ ଥାଇ ପାରନ୍ତି, ତାଙ୍କ ଷଣ୍ଢଟି ଦେହରେ ପୋକ ପଡ଼ି ସେ ମରି ଯାଇପାରେ, ମୃତ୍ୟୁପରେ କୁମ୍ଭୀପାକ ନର୍କ ଯନ୍ତ୍ରଣାରେ ଘାଣ୍ଟିଚକଟି ହେଉଥାଇପାରେ, କିନ୍ତୁ ସାଧାରଣ ନିର୍ବାଚନ ପୂର୍ବରୁ ଯେ ବିଷ୍ଣୁ ଦାସର ଟାଣୁଆ ଶିଙ୍ଗଟି ଭାଙ୍ଗିଯିବ–ଏ କଥାର ବା କି ନିଶ୍ଚୟତା ଅ ? ତା’ହେଲେ ଦୁଃଖୀନାନୀର ଆଜ ହୁଁ ଏ ଅଭିସଂପାତ୍ କାହିଁକି ? ତା’ ଛଡ଼ା ଏଠାକାର ଲୋକେ ତ କହୁଛନ୍ତି ବିଷ୍ଣୁ ଦାସର ଉପଦ୍ରବ ପ୍ରାବଲ୍ୟରେ ଏ ଇଲାକାରେ ଲୋକମାନେ ତାକୁ ବିରୋଧ କରିବାକୁ ଆଗେଇ ଆସୁଥିବା ବେଳେ ଦୁଃଖୀନାନୀ ତ କହୁଥିଲା ବିଷ୍ଣୁ ଦାସ ଖୁବ୍ ଭଲ ଲୋକ; ଭାରୀ ପରୋପକାରୀ । ସମସ୍ତଙ୍କର ମଙ୍ଗଳରେ ଥାଏ । ତାକୁ ଲୋକମାନେ ସହିପାରୁ ନାହାନ୍ତି । ତା’ହେଲେ ସେଇ ଦୁଃଖୀନାନୀ ହଠାତ୍ ଏତେ ବିଦ୍ରୋହୀ ହୋଇ ଉଠିଲା କାହିଁକି ?

 

ଦୁଃଖୀନାନୀ ଏ ଇଲାକାରେ ସମସ୍ତଙ୍କ ‘ଦୁଃଖୀନାନୀ’ ଏଇମାତ୍ର ଦୁଇ ତିନିମାସ ହେବ ମୁଁ ଯାହା ତାକୁ ଜାଣିଛି ।

 

ପ୍ରାୟ ଚାଳିଶି ଛୁଇଁ ଆସୁଥିବା ଏଇ ଦୀର୍ଘାଙ୍ଗୀ ଦୁଃଖୀନାନୀ ଦେଖିବାକୁ ସିନା ଶୀର୍ଣ୍ଣକାୟ; କିନ୍ତୁ ତା’ ଚେହେରାରେ ଥିଲା ବିଜୁଳୀର ଚମକ, ଆଖିରେ ଥିଲା ପ୍ରଭାତୀ ତାରାର ଆଭା । ସେ ଥିଲା ମିଷ୍ଟଭାଷିଣୀ । କାହା ସହିତ ଥରେ ପରିଚୟ ହୋଇଗଲେ କଥାଭଙ୍ଗୀରେ ନିମିଷକରେ ଆପଣାର କରିନିଏ ।

 

ଘରେ ଗିରସ୍ତ ନଥିଲା, ଯାହାକୁ ଆଶ୍ରାକରି ସେଦିନ କାଟନ୍ତା; ବରଂ ଏକମାତ୍ର ଝିଅର ସେ ହିଁ ଥିଲା ଆଶ୍ରା । କାହାରି ଭଲ–ମନ୍ଦରେ ସେ ନ ଥାଏ । ତେଣୁ ସମସ୍ତେ ଥିଲେ ତା’ ପ୍ରତି ସହାନୁଭୂତିଶୀଳ, ସମ୍ବେଦନଶୀଳ । ତା’ର ପାରିବାରିକ ପରିସ୍ଥିତି କଥା ଭାଷା, ଆଦର ଅଭ୍ୟର୍ଥନା ଦେଖି ମୁଁ ମଧ୍ୟ ତା’ ପ୍ରତି ଆକୃଷ୍ଟ ହୋଇ ପଡ଼ିଥିଲି ଓ ଅନ୍ୟମାନଙ୍କ ପରି ତାକୁ ଦୁଃଖୀନାନୀରୂପେ ଗ୍ରହଣ କରି ନେଇଥିଲି । ତା’ ଶ୍ରଦ୍ଧା ସମ୍ମାନ ତଥା ସମ୍ଭ୍ରମ ରକ୍ଷା କରି ଆସିଥିଲି । ମିଷ୍ଟଭାଷିଣୀ ଏଇ ମହିଳାଟି ଭିତରେ କାହିଁକି ଯେ ହଠାତ୍ ଏପରି ଏକ ସୁପ୍ତଆଗ୍ନେୟଗିରି ଉଦ୍‌ଗିରିତ ହୋଇ ଆସୁଥିଲା ତାହା ମୁଁ ଜାଣିପାରି ନଥିଲି ।

 

ଦୁଃଖୀନାନୀ ଆଜି ଅଭିସଂପାତ୍ ଦେଇ ଚାଲିଛି ବିଷ୍ଣୁ ଦାସକୁ । ସେ ଅଭିସଂପାତ୍ ବେଳେବେଳେ ବିଷ୍ଣୁ ଦାସ ଅତିକ୍ରମକରି ବିଷ୍ଣୁ ଦାସର ପ୍ରଭୁ ସେଇ ମନ୍ତ୍ରୀଟି ଉପରେ ବର୍ଷିତ ହୋଇଯାଉଛି । ଯାହାର ସାହସ, ଭରସା ପାଇ ବିଷ୍ଣୁ ଦାସ ଏପରି ଉଚ୍ଛୃଙ୍ଖଳ ଓ ଅତ୍ୟାଚାରୀ ହୋଇଉଠିଛି ।

 

ଦୁଃଖୀନାନୀକୁ ଚାହିଁ ଦେଖିଲି ତା’ ପାଟିରୁ ଗାଳିର, ଅଭିଶାପର ଅସରନ୍ତି ଧାରା ଯେପରି ବହିଚାଲିଛି ତା’ ସାଙ୍ଗରେ ତାଳ ଦେଇ ଆଖିରୁ ଲୁହ ବି ସେମିତି ବହି ଚାଲିଛି ଅବାରିତ ଧାରାରେ । ଦୁଃଖୀନାନୀର ଆଖିରେ ଯେ ଏତେ ଲୁହ ଜମାଟ ବାନ୍ଧି ରହିଥିଲା ତାହା କିଏ ଜାଣିଥିଲା-

 

ଦୁଃଖୀନାନୀର ପାଟି ଶୁଣି ସେତେବେଳକୁ ଆଖପାଖର ଅନେକ ଲୋକ ଜମିଯାଇଥିଲେ । କେତେ ବି କୁହାକୁହି ହେଉଥିଲେ ସାପକୁ ଆଣି ଘରେ ଦୁଧଦେଇ ପୋଷିଥିଲା; ହେଲେ ତା’ ବିଷକୁ କ’ଣ ଛଡ଼େଇ ପାରିଲା ? ଏବେ ତା’ ବିଷଦାନ୍ତରେ କାମୁଡ଼ି ଦେଇ ଚାଲିଗଲା ନା ?

 

ପଚାରିଲି ଦୁଃଖୀନାନୀର କ’ଣ ହେଇଚି ?

 

‘ହବ ଆଉ କ’ଣ ? ମଣିଷ ଚିହ୍ନି ସିନା ଲୋକେ ସଂପର୍କ ବଢ଼ାନ୍ତି; କିନ୍ତୁ ଏଇ ଦୁଃଖୀନାନୀ–କାହାରି ପଦିଏ କଅଁଳ କଥା ଶୁଣିଲେ ମନ ତା’ର ତରଳି ଯାଏ । ଅଜଣା ଅଚିହ୍ନା କିଏ ଯଦି ଆସି ତାକୁ ଥରେ ଦୁଃଖୀନାନୀ ବୋଲି ଡାକି ଦେଲା ତା’ହେଲେ ସେ ସଙ୍ଗେ ସଙ୍ଗେ ନିଜର ବୋଲି ଭାବି ନେବ । ନିଜ ଘରକୁ ଡାକି ନେବ । ସୁଖ–ଦୁଃଖ କହିବ, ସୁଖ–ଦୁଃଖ ଶୁଣିବ; ଆଉ ବିଷ୍ଣୁ ଦାସ କଥା ତ ଆପଣ ଜାଣନ୍ତି । ନିଜ ସ୍ୱାର୍ଥ ହାସଲ ପାଇଁ ସେ କ’ଣ କରି ନ ପାରେ ! ଘଡ଼ିକରେ ମିତ୍ର ତ ଆଉ ଘଡ଼ିକୁ ଶତ୍ରୁ । ସେଇ ବିଷ୍ଣୁ ଦାସ ଦୁଃଖୀନାନୀକୁ ଏମିତି ତରଳେଇ ଦେଲା ଯେ, ଦୁଃଖୀନାନୀ ଭାବିଲା–ବିଷ୍ଣୁ ଦାସ ପରି ମଣିଷଟିଏ, ଆଉ ଖଣ୍ଡ ମଣ୍ଡଳରେ ନାହିଁ । ଆମେ କ’ଣ ଦୁଃଖୀନାନୀ କି ଚେତେଇ ଦେଇ ନ ଥିଲୁ ଯେ ବିଷ୍ଣୁ ଦାସକୁ ଘରକୁ ଆସିବାକୁ ଦେନା । ଲୋକଟାର ଢଙ୍ଗ ଢାଙ୍ଗ ଭଲ ନୁହେଁ । ଦୁଃଖୀନାନୀ କ’ଣ ଶୁଣିଲା ? ଓଲଟି କହିଲା–ତା’ପରି ଭଲ ଲୋକ ଆଉ କିଏ ଅଛି ମ ?

 

ତାକୁ କହିଲୁ–ଲିଙ୍ଗରାଜଙ୍କ ଷଣ୍ଢ ପରି ଜୋର ଜବରଦସ୍ତ ପଶି ଖାଇବା ତା’ର କାମ, ସେ ପୁଣି କି ଭଲ ଲୋକ ?

 

ଦୁଃଖୀନାନୀ ସେତେବେଳେ କି ସ୍ୱପ୍ନ ଦେଖୁଥିଲା କେଜାଣି, ଆମ କଥାକୁ କାନ ଦେଲାନି । ...ମାଇପି ମହଲରେ କଥାବାର୍ତ୍ତା ହେଉଥିଲେ ସେ କୁଆଡ଼େ ବିଷ୍ଣୁ ଦାସକୁ ଜ୍ଵାଇଁ କରିବାକୁ ଚାହୁଥିଲା ।

 

ମୁଁ ପଚାରିଲି,–ତା’ହେଲେ ଦୁଃଖୀନାନୀର ଏବେ ହେଲା କ’ଣ ?

 

ଲୋକଟି କହିଲା–ବିଷ୍ଣୁ ଦାସ କିଏ, ଜ୍ୱାଇଁ କିଏ ? ସେ କ’ଣ ଜଣକର ଜ୍ୱାଇଁ ହୋଇ ରହିପାରିବ ? ଲିଙ୍ଗରାଜଙ୍କ ଷଣ୍ଢ କ’ଣ ଗୋଟିଏ ଗୁହାଳରେ ରହିପାରିବ ? ବେପରୁଆ ହୋଇ ବୁଲିଲେ ଆହାର ଯଦି ଆପେ ଆପେ ଯୁଟିଯାଏ ତା’ହେଲେ ଗୋଟିଏ ଗୁହାଳରେ ରହି ମୁନିବର ମୁଠିଏ ଦାନାକୁ ଚାହିଁ ବସିବ କାହିଁକି ?

 

‘ବିଷ୍ଣୁ ଦାସ ତା’ହେଲେ ଜ୍ୱାଇଁ ହେବାକୁ ମନା କଲା ?

 

ଖାଲି ସେତିକି ହୋଇଥିଲେ ଆଉ ଭାବିବାର କ’ଣ ଥିଲା ? ଦୁଃଖୀନାନୀ କ’ଣ ଆଉ କେଉଁଠୁ ପାତ୍ରଟିଏ ପାଇ ନ ଥାନ୍ତା ? ତା’ ଝିଅ ତ ଅସୁନ୍ଦରୀ ନୁହେଁ, ଅଗୁଣର ନୁହେଁ । ହାତୀ ଦେବି, ଘୋଡ଼ା ଦେବି, କହି ଝିଅଟିକୁ ଭଣ୍ଡାଇ କୁଆଡ଼େ ନେଇ ଯାଇଛି ଯେ...କ’ଣ ଯେ ହେଲା ପ୍ରଭୁ ଲିଙ୍ଗରାଜ ଜାଣନ୍ତି ।

 

ତାକୁ ପଚାରିଲେ ସେ କହିବନି ?

 

ତାକୁ ଏ କଥା ପଚାରିଲେ ସେ ତମକୁ ରଖିବ ? ସେ ପରା ଶିବଙ୍କ ବେକର ସାପ । ଶିବଙ୍କ ଗଳାହାର । ...ଲୋକେ ତ କହୁଛନ୍ତି ଝିଅଟାର ବୟସ ଓ ଯୌବନକୁ ନେଇ ସେ କୁଆଡ଼େ ବେଉସା କରୁଥିଲା ଆଉ ନିଜର କାର୍ଯ୍ୟ ସାଧନ କରୁଥିଲା ତା’ରି ଜରିଆରେ ।

 

ସତେ ?

 

ଖାଲି କ’ଣ ସେତିକି ? ଆଉ କିଏ କହୁଛି ନିରୀହା ଝିଅଟି ସହି ନପାରି ପ୍ରତିବାଦ କଲାରୁ ସେ କଂସେଇଟା କୁଆଡ଼େ ତାକୁ ଜୀବନରେ ମାରିଦେଇଛି ।

 

ପୋଲିସରେ ଖବର ଦେଉନା ?

 

ପୋଲିସ ତା’ର କ’ଣ କରିବ ?

 

ସେତେବେଳକୁ ଦୁଃଖୀନାନୀର କଣ୍ଠଟା ଆହୁରି ତେଜି ଉଠିଥିଲା । ଲୋକମାନଙ୍କ ଗୁଞ୍ଜରଣ ଓ କୋଳାହଳ ଭିତରେ ବି ସ୍ପଷ୍ଟ ଶୁଭୁଥିଲା–ମରିବୁରେ ରଇଜଳା, ମରିବୁ । ଲିଙ୍ଗରାଜଙ୍କ ଷଣ୍ଢ ପରି ମରିବୁ । ତୁ ମୋ’ ଘରେ ନିଆଁ ଲଗେଇଛୁ ନା... । ଧର୍ମ କ’ଣ ନାହିଁ ? ତୋ ଘରେ ନିଆଁ ଜଳିବରେ ରଇଜଳା । ଭୋଟ ଆଉ ବେଶୀ ଦିନ ନାହିଁ ।

 

ଦୁଃଖୀନାନୀର ଏଇ ଅଭିସଂପାତ୍‌ ସତ ହେଉ ବା ନ ହେଉ,ଆଗାମୀ ନିର୍ବାଚନରେ ବିଷ୍ଣୁ ଦାସର ସେଇ ମନ୍ତ୍ରୀ ପ୍ରଭୁଟି ପୁନଃ ନିର୍ବାଚିତ ହୋଇ ଆସନ୍ତୁ ବା ନ ଆସନ୍ତୁ, ବିଷ୍ଣୁ ଦାସ ଆଜି ନ ହେଲେ କାଲି ଯେ ଯାଇ କୁମ୍ଭୀପାକ ନର୍କରେ ପଡ଼ିବ, ତତଲା ତେଲ କଡ଼େଇରେ ଜିଅନ୍ତା ସିଝା ହେବ ଏବଂ ସେଇ ସରଳା ନିରୀହ ଝିଅଟି ଯେପରି ଡହଳ ବିକଳ ହୋଇ ମରିଛି; ଦୁଃଖୀନାନୀର ଜୀବନ ଯେପରି ସନ୍ତୁଳି ହେଉଛି, ବିଷ୍ଣୁ ଦାସର ଜୀବନ ମଧ୍ୟ ସେମିତି ସନ୍ତୁଳି ହେବ । ଏକଥା ପ୍ରତ୍ୟେକ ଧର୍ମବିଶ୍ଵାସୀ ଲୋକେ କହିବେ ଓ କାମନା କରିବେ ।

 

ଦୁଃଖୀନାନୀର ଏ ଅଭସଂପାତ୍‌ କ’ଣ ମିଥ୍ୟା ହେବ ?

 

ଲୋକଙ୍କର ଏ କାମନା କ’ଣ ନିଷ୍ଫଳ ହେବ ?

 

ଏଠି କ’ଣ ଖାଲି ଅନ୍ୟାୟ ଚାଲିଥିବ ?

 

 

ଉବୁଟୁବୁ ହେଉଥିବା ମଣିଷଟିଏ

 

ନିମ୍ନ ମଧ୍ୟବିତ୍ତ ଓଡ଼ିଆ ପରିବାରର ଏ ଏକ ଟ୍ରାଜେଡ଼ି । ସମାଜ ବ୍ୟବସ୍ଥା ଏମାନଙ୍କ ଜୀବନକୁ ଏମିତି ଭାବେ ଚାପି ଧରିଛି ଯେ ସେଥିରୁ ମୁକ୍ତି ପାଇବା ପାଇଁ ବାଟ ନାହିଁ । ମୁକ୍ତିପାଇଁ ସବୁପ୍ରକାର ଚେଷ୍ଟା ଏଇ ସମାଜ ବ୍ୟବସ୍ଥାର ମହାମୁଦ୍‌ଗରକୁ ଟିକିଏ ବି ଘୁଞ୍ଚାଇ ପାରେ ନାହିଁ । ଏଇ ପରିବାରମାନଙ୍କ ଦୁଃଖ–ଦୁର୍ଦ୍ଦଶାର ଅନ୍ତ ନାହିଁ । ଏମାନଙ୍କ ଜୀବନ ନଉକାଟି ସମାଜ ବ୍ୟବସ୍ଥାର ଖରସ୍ରୋତରେ ସଦାସର୍ବଦା ଟଳ ମଳ । ଏ ଟ୍ରାଜେଡ଼ି ନୁହେଁ ତ ଆଉ କ’ଣ ? ଅଭାବ ଅନାଟନ ପୃଥିବୀର ସବୁଠି ଅଛି; କିନ୍ତୁ ତହିଁର ଅନୁଭୂତି ନିମ୍ନ ମଧ୍ୟବିତ୍ତ ପରିବାରରେ ଯେତେ ତୀବ୍ର ହୁଏ, ତାହା ଆଉ କେଉଁଠି ସେତେ ହୁଏ ନାହିଁ ।

 

ଏଇମିତି ଏକ ନିମ୍ନ ମଧ୍ୟବିତ୍ତ ପରିବାରର ମୁଖ୍ୟକର୍ତ୍ତା ନରହରି ଦାସ । ରାଜ୍ୟ ସରକାରଙ୍କ ଅଧୀନରେ କ୍ଲର୍କ ଭାବେ ଯୋଗ ଦେଇ ପ୍ରମୋଶନ ସିଢ଼ିରେ ଚଢ଼ି ଚଢ଼ି ସେ ଆଜି ହେଡ଼କ୍ଲର୍କ ପଦବୀକୁ ଉନ୍ନତ ହୋଇଛନ୍ତି । ବେଶ୍ ସୁନାମ ଅର୍ଜିଛନ୍ତି–ତାଙ୍କ ସାଧୁତା ଓ କାର୍ଯ୍ୟଦକ୍ଷତା ପାଇଁ । ତାଙ୍କ ପରିବାର କହିଲେ ସ୍ତ୍ରୀ ହାରାମଣୀ ଦେବୀ, ପୁଅ ରମାକାନ୍ତ, ଆଉ ଦୁଇଝିଅ ମିନୁଶ୍ରୀ ଓ ଇତିଶ୍ରୀ । ବୋଲହାକ କରିବା ପାଇଁ ଗୋଟିଏ ପିଲା ମଧ୍ୟ ଅଛି । ପୁଅ ବଡ଼–ଏମ୍‌.ଏ ପାଶ୍‌ କରିଛି-। କିନ୍ତୁ ଅନ୍ୟାନ୍ୟ ବହୁ କ୍ଷେତ୍ରରେ ଯାହା ହୁଏ, ଏଠି ବି ତା’ର ବ୍ୟତିକ୍ରମ ନାହିଁ । ବାପ ଅର୍ଜିତ ଅର୍ଥ ଶ୍ରାଦ୍ଧ କରୁଛି ଏବେ ବେକାର ରହି । ବଡ଼ ଝିଅ ମିନୁ ବି.ଏ.ପାଶ କରି ଘରେ ବସିଛି । ତା’ର ବିବାହ ଏ ପର୍ଯ୍ୟନ୍ତ ହୋଇ ପାରିନାହିଁ । ଆଉ ସାନଝିଅ ଇତି ଏବେ ବି.ଏ ପଢ଼ୁଛି । ବଡ଼ ପୁଅକୁ ବାପା ଓ ସାନ ଝିଅକୁ ମାଆ ବେଶି ଭଲ ପାଇବା ଅଲିଖିତ ନିୟମର ଯେମିତି ବ୍ୟତିକ୍ରମ ଘଟିଛି ଏ ଘରେ-। ନରହରିବାବୁ କିନ୍ତୁ ତାଙ୍କ ପିଲାମାନଙ୍କ ଭିତରୁ ସାନଝିଅ ଏଇ ଇତିକୁ ବେଶୀ ଭଲ ପାଆନ୍ତି–ଇତିଟା ଯେ ତା’ ମାଆର ଦ୍ଵିତୀୟ ସଂସ୍କରଣ । ହୁଏତ ସେଇଥି ପାଇଁ ।

 

ଏମିତି ଏକ ପରିବାରକୁ ଜଣକ ରୋଜଗାରରେ ଚଳାଇବା ଯେ କେତେ ଦୂରୁହ ବ୍ୟାପାର, ତା’ ଅନୁଭବୀକୁ ବୁଝାଇବା ଦରକାର ପଡ଼େନା । ତା’ ସହିତ ପୁଣି ଝିଅ ଦୁଇଟାଙ୍କ ବିବାହ–ବୋଝ ଏ ପରିବାରର ମୁଣ୍ଡ ଉପରେ ଲଦି ହୋଇ ରହିଛି । ନରହରି ବାବୁଙ୍କର ଅନେକ ସ୍ଵପ୍ନ ଥିଲା ରମାକାନ୍ତକୁ ନେଇ । ଏମ୍. ଏ. ପାଶ୍ କରି ଖଣ୍ଡେ ଚାକିରି ହୁଏତ କରିଗଲେ ହୁଏତ ତା’ର ଅର୍ଜିତ ଟଙ୍କାକୁ ସଞ୍ଚୟ କରି ସେ ରିଟାୟାର୍ଡ଼ ହେବାପୂର୍ବରୁ ମିନୁର ବିଭାଘର ସୁରୁଖୁରୁରେ କରିଦେଇ ପାରନ୍ତେ; କିନ୍ତୁ ଶିକ୍ଷାଗତ ଯୋଗ୍ୟତା ଛଡ଼ା, ଚାକିରି ପାଇଁ ବର୍ତ୍ତମାନ ଯେଉଁ ଯୋଗ୍ୟତା ଅଧିକ ଲୋଡ଼ା, ତାହା ତାଙ୍କ ପୁଅ ରମାକାନ୍ତର ନ ଥିଲା କି ବାପ ହୋଇ ତାଙ୍କର ବି ନ ଥିଲା । ପିଲାଟାକୁ ହୁଏତ କୌଣସି ବ୍ୟବସାୟରେ ସେ ଲଗାଇ ପାରିଥାନ୍ତେ; କିନ୍ତୁ ବ୍ୟବସାୟ ପାଇଁ ଯେଉଁ ଆର୍ଥିକ ସମ୍ବଳ ଦରକାର, ତା’ହେଲେ ବି କ’ଣ ତାଙ୍କ ପାଖରେ ଥିଲା ? ଚାକିରିରେ ଅନ୍ୟାୟ, ଶୋଷଣ, ଲାଞ୍ଚ, ମିଛ ନକରି କୌଣସି ନିମ୍ନ ସରକାରୀ ଚାକିରିଆ ସ୍ଵଚ୍ଛଳ ହୋଇ ପାରିବ–ଏହା ଅସମ୍ଭବ ।

 

ବେକାର ପୁଅ ରମାକାନ୍ତ ଏବେ ତାଙ୍କ ପାଇଁ ଏକ ଅଭିଶାପ ହୋଇଛି । ସେ ଘରକୁ ଫେରି ପ୍ରତିଦିନ କିଛି ନା କିଛି ଅଭିଯୋଗ ପ୍ରାୟ ତା’ ନାଆଁରେ ଶୁଣନ୍ତି, କେବଳ ନିଜଘରୁ ନୁହେଁ, ବାହାରୁ ମଧ୍ୟ । ଘର ଭିତରେ ଖାଇବା ପିଇବା ନେଇ ସଦା ସର୍ବଦା ଅସନ୍ତୁଷ୍ଟ ଓ ମାଆ, ଭଉଣୀଙ୍କ ଉପରେ ସର୍ବଦା ରଗ ରଗ । କେବଳ ଖାଇବା ଓ ଶୋଇବା ପାଇଁ ଯାହା ଘରକୁ ଆସେ । ବାକି ସମୟ ତା’ର କଟେ ସାଇର ସାଙ୍ଗମାନଙ୍କ ମେଳରେ... । ସାଇ ଟୋକାଙ୍କ ଭିତରେ ରମାଭାଇ ହେଉଛି ସର୍ଦ୍ଦାର । କେଉଁଠି କଳିତକରାଳ, ଦଙ୍ଗାହାଙ୍ଗମା, ଲୁଟ୍‌ପାଟ୍ ତ ସବୁଠି ରମାଭାଇ ହାଜର । ଡେଙ୍ଗା ମୁଣ୍ଡରେ ଠେଙ୍ଗା ପଡ଼େ । ପୋଲିସ୍ ଆସେ, ଧରାହୁଏ ଯୁବନେତା ରମାଭାଇ–ଫଳ ଭୋଗନ୍ତି ବିଚାରା ନିର୍ଦ୍ଦୋଷୀ, ନିର୍ମାୟା, ନିରୀହ ନରହରି ଦାସ । ପୁଅ ନାଆଁରେ ଗୁଡ଼ାଏ ଅଭିଯୋଗ ଶୁଣି ଶୁଣି ଅଣନିଶ୍ଵାସୀ ହୋଇ ସଚ୍ଚୋଟ କର୍ତ୍ତବ୍ୟନିଷ୍ଠ ନରହରିବାବୁ ପୁଅକୁ ଧମକ ଦେଇ କହିଥିଲେ–“ଦେଖ୍, ପଇସା ଯଦି ଦରକାର, ତା’ହେଲେ କୁଲିଗିରି କର, ପଥର ହାଣ, ସେଥିରେ ନାଆଁ ଅଛି, କିନ୍ତୁ ଚୋରିକରି, ଜୁଆଖେଳି, ଗୁଣ୍ଡାଗିରି କରି, ତୁ ନିଜକୁ ଯେ କଳଙ୍କିତ କରୁଛୁ ତା’ ନୁହେଁ, ଏ ପରିବାର ମୁହଁରେ ବି କଳା ବୋଳି ଦେଉଛୁ । ତୋ ପରି ପୁଅର ମୁହଁ ଚାହିଁବାକୁ ବି ଘୃଣା ଲଗୁଛି ।”

 

ଏ କଥା ସିନା ରାଗରେ ନରହରିବାବୁ କହି ଦେଇଥିଲେ–ହେଲେ ସେ କ’ଣ ଜାଣିଥିଲେ ତାଙ୍କର ଏକମାତ୍ର ପୁଅ ଏଇ କଥାରେ ଘର ଛାଡ଼ି ରାତିଅଧରେ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଯିବ-! ରମାକାନ୍ତ କୁଆଡ଼େ ଚାଲିଗଲା, ଆଉ ତା’ର ଖବର ନାହିଁ । ତା’ ସାଙ୍ଗସାଥିଙ୍କୁ ସେ ସବୁକଥା ଜଣାଇଥାଏ; କିନ୍ତୁ ଏଥର ନଜଣେଇ ଚାଲିଯାଇଛି । ନରହରିବାବୁ ଓ ତାଙ୍କ ସ୍ତ୍ରୀ ହାରାମଣୀ ଦେବୀଙ୍କ ମନରେ କାହିଁ ଯେ କେତେ ପାପ ଛୁଇଁଲା, କେତେଆଡ଼େ ଖୋଜା ହେଲା, ଖବର ଗଲା, ହେଲେ ସବୁଆଡ଼ୁ ନିରାଶ । ରମାକାନ୍ତ ସନ୍ଧାନ କେହି ଦେଇ ପାରିଲେ ନାହିଁ ।

 

ଏମିତି କେତେ ଦିନ ଚାଲିଗଲା । ବୃଦ୍ଧ ନରହରିବାବୁଙ୍କ ଅବସର ଦିନ ପାଖେଇ ଆସିଲା । ପରିବାରର ଦୁଃଖ ଜଣେଇ, ନିଜର ସାଧୁତା ଓ କାର୍ଯ୍ୟ ଦକ୍ଷତାର ନଜିର ଦେଇ ସରକାରଙ୍କୁ ତାଙ୍କ ଚାକିରି ଏକ୍‌ଷ୍ଟେନ୍‌ସନ୍ ଦେବା କଥା ଯେତେବେଳେ ଉଚ୍ଚ କର୍ତ୍ତୃପକ୍ଷଙ୍କ ବିଚାରଧୀନ ଠିକ୍ ସେତିକିବେଳେ ବିଧାନ ସଭାରେ ଏଇ ଏକ୍‌ଷ୍ଟେନ୍‌ସନ୍ ଆଲୋଚନା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଦେଲେ ଯେ–ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ପୁନର୍ନିଯୁକ୍ତି ବା ଏକ୍‌ଷ୍ଟେନ୍‌ସନ୍ ପାଇଁ ଅନୁରୋଧ କରି ଦରଖାସ୍ତ କରିଥିଲେ ନରହରିବାବୁ । ତାଙ୍କୁ କେତେଦିନ ଏକ୍‌ଷ୍ଟେନ୍‌ସନ୍ ଦେବାର କୌଣସି ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ନାହିଁ । ଅର୍ଥାତ୍ ବିଚାରା ନରହରି ଦାସଙ୍କ କପାଳ ବାମ–ଗତବର୍ଷ ସେ ଯଦି ଅବସର ଗ୍ରହଣ କରିଥାନ୍ତେ, ତା’ହେଲେ ଅନ୍ୟମାନଙ୍କ ସହ ସେ ବି ୨ । ୩ ବର୍ଷ ଚାକିରିରେ ରହିଯାଇ ପାରିଥାନ୍ତେ ।

 

ନିର୍ଦ୍ଦିଷ୍ଟ ଯେଉଁଦିନ ତାଙ୍କୁ ଅବସର ପତ୍ର ମିଳିଲା ଠିକ୍ ସେଇଦିନ ତାଙ୍କ ଅଫିସ୍ ଠିକଣାରେ ତାଙ୍କ ପାଖକୁ ଆଉ ଗୋଟିଏ ପତ୍ର ଆସିଥିଲା ଡାକରେ–ତାଙ୍କ ପୁଅ ପାଖରୁ । ଲୋତକାପ୍ଳୁତ ନୟନରେ ଅବସର ପତ୍ରଆଡ଼େ ଚାହିଁ ନରହରିବାବୁ ସେ ଚିଠିଟି ଖୋଲିଲେ । ଅବସର ନେଉଥିବାର ଦୁଃଖକୁ ଭୁଲିଗଲେ ସେ କିଛିକ୍ଷଣ ପାଇଁ । ଯା’ ହେଉ ପୁଅର ସନ୍ଧାନ ମିଳିଛି-। ସେ ଥିଲା ତାଙ୍କ ପୁଅ ରମାକାନ୍ତର ପ୍ରଥମ ଚିଠି ଘର ଛାଡ଼ିବା ପରେ । କିନ୍ତୁ ଏ କ’ଣ ? ସତର ବର୍ଷକାଳ ତା’ର ପଢ଼ା ଖର୍ଚ୍ଚ ସେ ବହନ କରିଆସିଛନ୍ତି–ତା’ପରେ ଦି’ ଦି’ ବର୍ଷ ବେକାର ପୁଅର ସବୁ ଅଳିଅର୍ଦ୍ଦଳି ସହି ଆସିଛନ୍ତି...ପୁଅ ବୁଢ଼ାବାପକୁ ସଂସାର ଯାତ୍ରା ପଥରେ ସାହାଯ୍ୟ କରନ୍ତା କ’ଣ ଓଲଟା ପଇସା ମାଗିଛି ? ପୁଅ ପ୍ରତି ତା’ହେଲେ ତାଙ୍କର କର୍ତ୍ତବ୍ୟ ଆହୁରି ସରିନି... ବାପ ପ୍ରତି ପୁଅର କର୍ତ୍ତବ୍ୟର ପ୍ରଶ୍ନ ଉଠୁଛି ବା କାହିଁ ? ପାଞ୍ଚ ହଜାର ଟଙ୍କା ତା’ର ଦରକାର...ଅତି ଜରୁରୀ...କ’ଣ ନା ବିପଦରେ ପଡ଼ିଛି !

 

ନରହରି ବାବୁଙ୍କ ମୁଣ୍ଡକୁ ଯେପରି ପିତ୍ତ ଉଠିଆସିଲା । ତଥାପି ସେ ନିଜକୁ କିଛି ମାତ୍ରାରେ ସଂଯତ କରି ନେଲେ । କାରଣ ତାଙ୍କୁ ଏବେ ଫେୟାରଓ୍ଵେଲ ଦିଆଯିବ । ସମସ୍ତ ଆୟୋଜନ ସରିଗଲାଣି । ବିଦାୟ ସମ୍ବର୍ଦ୍ଧନାର ଉତ୍ତରରେ ସେ–ଏକ ନିମ୍ନ ମଧ୍ୟବିତ୍ତ ପରିବାରର କର୍ତ୍ତାଭାବେ ତାଙ୍କ ଜୀବନରେ ଯାହା ଭୋଗୀ ଆସିଛନ୍ତି, ସାରା ଜୀବନ ସତ୍–ମାର୍ଗରେ ରହି ସାଧୁଭାବରେ ଜୀବନ କଟାଇ ନିଜକୁ ଶତ ପ୍ରଲୋଭନରୁ ଦୂରେଇ ରଖି ସରକାରୀକାର୍ଯ୍ୟ ଯେପରି ଆନ୍ତରିକତାର ସହ ସଂପାଦନ କରି ଆସିଛନ୍ତି ଓ ତହିଁରେ ତାଙ୍କର ଲାଭ କେତେ ହୋଇଛି କ୍ଷତି କେତେ ହୋଇଛି ତାହା ତାଙ୍କ ସହକର୍ମୀମାନଙ୍କୁ ବୁଝାଇ କହିଦେଲେ ।

 

ପଇଁତ୍ରିଶ ବର୍ଷ ଚାକିରିରେ ସଂଚିତ ପ୍ରୋଭିଡ଼େଣ୍ଟ ଫଣ୍ଡ ଓ ଅବସର କାଳୀନ ଗ୍ରାଚ୍ୟୁଇଟିକୁ ଅବଶିଷ୍ଟ ଜୀବନର ସମୂଳରୂପେ ଧରି ନରହରି ବାବୁଙ୍କ ମନରେ ଆନନ୍ଦ ନ ଥିଲା । ତଥାପି ଘରକୁ ଫେରିବା ବାଟରେ ନାନା ରଙ୍ଗୀନ କଳ୍ପନାର ଏକ ଚାରିଛକି ରାସ୍ତାରେ ସତେ ଯେମିତି ସେ ଛିଡ଼ା ହୋଇ ପଥ ଖୋଜୁଛନ୍ତି । ଗାଆଁକୁ ଫେରିଯାଇ ପୈତୃକ ସମ୍ପତ୍ତିରେ କିଛି ଯୋଗକରିବାର ପ୍ରବଳ ଇଚ୍ଛା–ଛକ ସମ୍ମୁଖସ୍ଥ ରାସ୍ତାଭଳି ତାଙ୍କୁ ସହଜ, ସରଳ ଜଣାପଡ଼ୁଥିଲା । କିନ୍ତୁ ବାଟଟାକୁ ସେ ଯେତେ ସଳଖ ଭାବୁଥିଲେ, ତାହା ତାଙ୍କ ପାଇଁ ସେତେ ସଳଖ ନ ଥିଲା । ଘରେ ପହଞ୍ଚି ସେ ତାଙ୍କର ସୁଚିନ୍ତିତ ପ୍ଳାନ ନିଜ ସ୍ତ୍ରୀଙ୍କ ଆଗରେ କହିବା ପୂର୍ବରୁ ତାଙ୍କ ସ୍ତ୍ରୀ କହିବା ଆରମ୍ଭ କରିଦେଲେ–ଟଙ୍କା ତ ପାଇଲ ଏଥର ଯେମିତି ହେଲେ ମିନୁର ବିଭାଘର କରିଦିଅ । ଝିଅଟା ଆଉ କେତେ ଦିନ ଘରେ ରହିବ ଯେ ! ପଚିଶି ପୂରି ଛବିଶି ଚାଲିଲାଣି ତା’ରି ସାଙ୍ଗର ଝିଅମାନେ ବିଭାହୋଇ ଦୁଇ ତିନୋଟିର ମାଆ ହେଲେଣି । ତମେ ସିନା ନିଦାବିଷ୍ଣୁ ହୋଇ ବସିଯାଇଛ, ହେଲେ ମାଆ ମୁଁ କେତେ ଦିନ ଆଉ ଛାତିରେ ପଥର ଦେଇ ବସି ରହିବି । ମିନୁପରି ଝିଅ ବୋଲି କିଛି କରୁନି କି କିଛି କହିପାରୁନି ଆଉ କେଉଁ ଝିଅ ହୋଇଥିଲେ...

 

ମିନୁ ଚୁପ୍‌ଚାପ୍ ଧୀରସ୍ଥିର ଝିଅବୋଲି ସମସ୍ତେ ଜାଣନ୍ତି । ଭଲ ଗୁଣର ଭଲ ସ୍ୱଭାବର । ତା’ ବିଭାଘର କଥା ଯେ ନରହରିବାବୁ ଭାବିନାହାନ୍ତି ତା’ ନୁହେଁ । ହେଲେ ବର ନିଲାମ ଯୁଗରେ ତାଙ୍କର ସବୁ ଭାବନାର ଅଟ୍ଟାଳିକାକୁ ସବୁବେଳେ କିଏ ଯେପରି ବୁଲ୍‌ଡ଼ୋଜର ଚଳାଇ ଭାଙ୍ଗି ଦେଇଛି । ସରକାରଙ୍କ ସଚ୍ଚୋଟ କର୍ମଚାରୀ ହୋଇ ନାଆଁ ନିଆଯାଇପାରେ; କିନ୍ତୁ ଘରର ଭଲ–ମନ୍ଦ ଦେଖି ହୁଏନା । ସେ ଚାହିଁଥିଲେ ଅନ୍ୟମାନଙ୍କ ପରି ରାଜଧାନୀରେ କୋଠା କରିପାରିଥାନ୍ତେ । ଭଲ ଘର, ଭଲ ବର ଦେଖି ଆରାମରେ ଝିଅ ବାହାକରି ପାରିଥାନ୍ତେ । ମନରେ କୌଣସି ଚିନ୍ତା ନ ଥାନ୍ତା କି ଦକ ବି ନଥାନ୍ତା, ଆଜିର ଏ ପ୍ରୋଭିଡ଼େଣ୍ଟ ଓ ଗ୍ରାଚ୍ୟୁଇଟି ତାଙ୍କ ପାଇଁ ଖରାବର୍ଷାର ଖେଳ ହୋଇ ନ ଥାନ୍ତା ।

 

ସ୍ଵାମୀଙ୍କ ମୁହଁରେ ବିଷର୍ଣ୍ଣତାର କଳାଦାଗ ଦେଖି ଆଉ ଅଧିକ ବିରକ୍ତ ହୋଇ ପାରିଲେନି ହାରାମଣି ଦେବୀ । ଖାଲି କହିଲେ–ଏବେ ତ ଆଉ ଚାକିରି ନାହିଁ ଯେ ସକାଳୁ ସଞ୍ଜଯାଏ ଫାଇଲ୍‌ରେ ମୁହଁଗୁଞ୍ଜି ବସିବ । ଏଥର ଟିକେ ବୁଲାବୁଲି କରି ଦେଖ । ଆମ ଝିଅ କ’ଣ କା’ର ନା ପସନ୍ଦ ହେବ ? ଯେମିତି ରୂପର, ସେମିତି ଗୁଣର ।

 

କିନ୍ତୁ ଝିଅ ବିଭାଘର ପାଇଁ ଖାଲି ରୂପ, ଗୁଣ ନୁହେଁ–ତା’ଠାରୁ ବଡ଼ ଯୋଗ୍ୟତା ହେଉଛି ବାପା ମାଆଙ୍କର ଯୌତୁକ ଦେବାର ସାମର୍ଥ୍ୟ–ଏକଥା ହୁଏତ ହାରାମଣୀ ଦେବୀ ଭୁଲିଯାଇଛନ୍ତି ଭୁଲିଯାଇଥିବେ ଏଇଥି ପାଇଁ ଯେ, ତାଙ୍କ ସ୍ଵାମୀ ସଦ୍ୟ ଟ୍ରେଜେରୀରୁ ଆଣିଥିବା ତାଙ୍କ ଆଜୀବନ ସଞ୍ଚିତ ପ୍ରୋଭିଡ଼େଣ୍ଟ ଫଣ୍ଡ ଓ ଚାକିରିର ଶ୍ରେଷ୍ଠ ଓ ଶେଷ ପୁରସ୍କାର ଗ୍ରାଚ୍ୟୁଇଟି ଟଙ୍କା ଏ ଦୁଶ୍ଚିନ୍ତାରୁ ସେମାନଙ୍କୁ ସହଜରେ ମୁକ୍ତ କରି ପାରିବ ।

 

ନରହରିବାବୁ ସ୍ତ୍ରୀଙ୍କ ମୁହଁକୁ ଅସହାୟ ଦୃଷ୍ଟିରେ ଚାହିଁଲେ । ତାଙ୍କ ସ୍ତ୍ରୀ କହିଲେ–ଚାହିଁଛ କ’ଣ ? ରମା ମୋର କୁଆଡ଼େ ଗଲା, କ’ଣ କଲା, ସେ କଥା ଭାବିଲେ ଆଖିରେ ଲୁହ ଆସୁଛି । ମାଡ଼ି ମାଡ଼ି ଏଇ ଝିଅ ଦୁଇଟା । ବାହାଘର କରିଦେଇ ଆମେ ମଲେ କି ଗଲେ କେହି ଖୋଜିବେନି-

 

ନରହରିବାବୁ କିଛି ନ କହି ରମାକାନ୍ତର ଚିଠିଟି ବଢ଼େଇ ଦେଲେ ସ୍ତ୍ରୀଙ୍କ ହାତକୁ ।

 

ହାରାମଣୀ ଦେବୀ ପଚାରିଲେ–କା’ର ଚିଠି ?

 

ରମାକାନ୍ତର ।

 

ଉତ୍ସୁକ ହୋଇ ସେ ସ୍ଵାମୀଙ୍କ ହାତରୁ ଚିଠିଟି ଆଣୁଥିବା ବେଳେ ସ୍ଵାମୀଙ୍କ ମୁହଁ ଉପରେ ତାଙ୍କ ଆଖି ପଡ଼ିଗଲା । ଏ ଯେମିତି ତାଙ୍କ ସ୍ଵାମୀଙ୍କ ମୁହଁ ନୁହେଁ; ଆଉ ଗୋଟିଏ ସମ୍ପୂର୍ଣ୍ଣ ନୂଆ ମୁହଁ ସେ ଦେଖୁଛନ୍ତି । ସେ ମୁହଁରୁ ସ୍ପଷ୍ଟ ଜଣା ପଡୁଥିଲା, ଚିଠିରେ ଅବାଞ୍ଛିତ, ଅଶୁଭମୂଳକ କିଛି ଥିବ । ତେଣୁ ସ୍ଵାମୀଙ୍କୁ ଭରସି କିଛି ପଚାରି ପାରିଲେନି । ମିନୁକୁ ଡ଼ାକି କହିଲେ–ଦେଖିଲୁ ମିନୁ ଭାଇ କ’ଣ ଲେଖିଛି ?

 

ମିନୁ ବାପାଙ୍କ ମୁହଁକୁ ଲକ୍ଷ୍ୟ କରି ନୀରବରେ ଚିଠିଟି ପଢ଼ି ପଢ଼ି ଚାଲିଯାଉଥିଲା–କିନ୍ତୁ ବୋଉର କଥାରେ ମିନୁ ଅଟକି ଗଲା । ହାରାମଣୀ ଦେବୀ ପଚାରିଲେ–ସେ କ’ଣ ଲେଖିଛି, କେଉଁଠୁ ଲେଖିଛି ?

 

ମିନୁ ପରିବର୍ତ୍ତେ ନରହରିବାବୁ ଏଥର ଉତ୍ତର ଦେଲେ–ତମର କୁଳପ୍ରଦୀପ ଏବେ ଦିଲ୍ଲୀରେ । ଆଉ କୁଆଡ଼େ ରାଜନୀତି କରୁଛନ୍ତି । ବର୍ତ୍ତମାନ କୌଣସି ଏକ ବିପଦରେ ପଡ଼ି ସେଥିରୁ ମୁକ୍ତି ପାଇଁ ପାଞ୍ଚହଜାର ଟଙ୍କା ଆବଶ୍ୟକ ପଡ଼ିଛି । ଆଉ ହୁଏତ ସେ ଜାଣି ସାରିଛି–ମୋତେ କିଛି ମୋଟା ଟଙ୍କା ମିଳିଥିବା କଥା ଏଇ ଅବସର କାଳରେ ।

 

ହାରାମଣି ଦେବୀ ଏହାପରେ ଆଉ କ’ଣ କହିବେ ଭାବିପାରିଲେନି ।

 

ନରହରିବାବୁ କହି ଚାଲିଥାନ୍ତି–ଆମେ କେତେ ଆଶା କରି ନ ଥିଲେ । ପୁଅ ପାଠ ପଢ଼ି ଶିକ୍ଷିତ ହେବ, ଯୋଗ୍ୟ ହେବ, ବଡ଼ ଚାକିରି କରି ଘରକୁ ସାହା ହେବ; କିନ୍ତୁ ହେଲା କ’ଣ ?

 

ହାରାମଣୀ ଦେବୀ ପ୍ରବୋଧନା ଦେବା ଭଙ୍ଗିରେ କହିଲେ–ଚାକିରି ଖଣ୍ଡେ ପାଇ ପାରିଲାନି ବୋଲି ସିନା ଏଠି ସେଠି ବୁଲୁଛି । ସବୁ ଲୋକ କ’ଣ ଚାକିରି କରି ବଡ଼ ବଡ଼ ଲୋକ ହେଉଛନ୍ତି ? ଆମ ଗାଁର ପହଲି ଦାଦାଙ୍କ ପୁଅ...କ’ଣ ପାଠ ପଢ଼ିଥିଲା ଯେ ! ଗାଆଁ ହାଇସ୍କୁଲ ତ ଡେଇଁ ପାରି ନ ଥିଲା । ଗାଆଁରେ ରହି ଗାଆଁ ଟୋକାଙ୍କୁ ହାତ କରି ସରପଞ୍ଚ ହେଲା । ସରପଞ୍ଚରୁ ପଞ୍ଚାୟତ ସମିତି ଚେୟାରମ୍ୟାନ । ଆଉ ତା’ପରେ... ତା’ ମୁଣ୍ଡରେ ତ ହାତୀ ସୁନା କଳସ ଢାଳିଦେଲା । ଏବେ ଏମ୍.ଏଲ୍.ଏ । ଆଉ କେଇଦିନେ ମନ୍ତ୍ରୀ ହେବ କି କ’ଣ ? ପାଠ ପଢ଼ି କ’ଣ ଅଧିକଟା ହୋଇଥାନ୍ତା ? ତମେ ଏତେ ପାଠ ପଢ଼ି କ’ଣ କରି ପକେଇଛ ଯେ ? ଆଉ ଯା’ ଦେଖିବ ତା’ ଘର । ତା’ ଚାଲିଚଳନ । ଆରେ ବାବା, ତା’ ଖାତିର୍ ଗାଆଁରେ କେତେ, ଦେଶରେ କେତେ ?

 

ନରହରିବାବୁ ନିସ୍ପୃହ ଭାବରେ ଏ କଥା ଶୁଣି ଚାଲିଥାନ୍ତି । ହାରାମଣୀ ଦେବୀ କହିଲେ–‘ରମାଟା ତ ଆମର ମୂର୍ଖ ନୁହେଁ । ଏମ୍.ଏ ପଢ଼ିଛି–ବୁଦ୍ଧି ବି ଅଛି । ସେ ରାଜନୀତି କରୁଛି ତ କରୁ–ଦିଲ୍ଲୀରେ ରାଜନୀତି... ଏହା ଭିତରେ କେତେ କେତେ ବଡ଼ ନେତା, ମନ୍ତ୍ରୀଙ୍କ ସମ୍ପର୍କରେ ଆସିଯିବଣି । ଭଗବାନ କଲେ ଆର ଭୋଟକୁ ସେ ହେବ ମନ୍ତ୍ରୀ ।

 

ଏମିତି ଆକାଶ ଛୁଆଁ ପ୍ରବୋଧନ । ହାରମଣି ଦେବୀ କେତେ ଥର ସ୍ଵାମୀଙ୍କୁ ଦେଇଛନ୍ତି-। ଏଣୁ ଉତ୍‌ଫୁଲ୍ଲ ହୋଇ ସ୍ତ୍ରୀଙ୍କର ଏଇ କଥା ଶୁଣିବାକୁ ନରହରିବାବୁଙ୍କର ଧୈର୍ଯ୍ୟ ନ ଥିଲା-। ସେତେବେଳକୁ ରାତି ପ୍ରାୟ ଆଠଟା ହେବ । ହଠାତ୍ ମନେପଡ଼ିଲା ତା’ଙ୍କର ‘ଇତି’ କଥା-। ପଚାରିଲେ–ଇତି କୁଆଡ଼େ ଗଲା ?

 

କଲେଜକୁ ଯାଇଛି ।

 

କଲେଜକୁ ? ଏତେ ରାତିଯାଏ କଲେଜରେ ଅଛି ? ତା’ ଛଡ଼ା ତାଙ୍କ କଲେଜ ପରା ଆଜି ଛୁଟି ଥିଲା ।

 

ତାଙ୍କ କଲେଜରେ ଆଜି କ’ଣ ନାଚ ଗୀତ ଅଛି ।

 

ତାକୁ ତମେ ମନା କରୁନା କାହିଁକି ? ଏତେ ବଡ଼ ଝିଅଟା ଏମିତି ନାଚ ଗୀତରେ ମାତି ରାତିଯାଏ ବାହାରେ ରହିବା ଆଦୌ ଠିକ୍ ନୁହେଁ ।

 

ତମ ଗେଲବସର ଝିଅ କ’ଣ କାହାରି କଥା ଶୁଣୁଛି !

 

ଆଚ୍ଛା ଆଜି ଦେଖିବି କେମିତି ନ ଶୁଣିବ ।

 

ଚା’ ଜଳଖିଆ ଖାଇ ନରହରିବାବୁ ବାରଣ୍ଡାରେ ବସି ଭାବୁଛନ୍ତି–ମୁଁ ତ ନିତାନ୍ତ ଅକର୍ମଣ୍ୟ ହୋଇ ଯାଇନି । ଆଉ ୩/୪ ବର୍ଷ କ’ଣ ଅଫିସ୍‌ରେ ସୁରୁଖୁରୁରେ କାମ କରିପାରି ନ ଥାନ୍ତି ? ଯେଉଁମାନେ ମୋ’ଠୁ ବଡ଼; ଅଥଚ ସର୍ଟିଫିକେଟ୍‌ରେ ବୟସଟା ଖୁବ୍ କମ୍‌ରେ କମେଇ ଦେଇଛନ୍ତି, ସେମାନେ ତ ପୁଣି ଆଉ ୮/୧୦ ବର୍ଷ ଚାକିରିରେ ରହିବେ । ମାଡ଼ି ମାଡ଼ି କେଇଦିନ ଏକ୍‌ଷ୍ଟେନ୍‌ସନ୍ ମାଗିଥିଲି, ସେତିକି ବି ହେଲାନି । ସରକାରଙ୍କ ଅନ୍ଧନୀତି ପାଖରେ ଯୋଗ୍ୟତା, କାର୍ଯ୍ୟଦକ୍ଷତାର କ’ଣ ବା ମୂଲ୍ୟ ଅଛି !

 

ଠିକ୍ ଏତିକିବେଳେ ଗୋଟିଏ କାର୍ ଆସି ତାଙ୍କ ଘର ଦୁଆର ମୁହଁରେ ପାର୍କ କଲା । ଚମକି ପଡ଼ିଲେ ନରହରିବାବୁ । ତା’ପରେ ତାଙ୍କ ଆଶୀର୍ବାଦୀ ମନ ଭାବିବାକୁ ଲାଗିଲା–ନିଶ୍ଚୟ କୌଣସି ପ୍ରାଇଭେଟ୍ ଫାର୍ମ ତାଙ୍କ ପାଖକୁ କୌଣସି ଏକ ଦାୟିତ୍ଵପୂର୍ଣ୍ଣ ପଦବୀରେ ତାଙ୍କୁ ନିଯୁକ୍ତି ଦେବାର ଉଦ୍ଦେଶ୍ୟରେ । ନିଜକୁ ସଜାଡ଼ି ନେଲେ ନରହରିବାବୁ ।

 

କାର୍‌ରୁ ଜଣେ ମଧ୍ୟବୟସ୍କ ଲୋକ ବାହାରିଲେ–ସୁଟ୍ ବୁଟ୍‌ ଟାଇ ପିନ୍ଧା ସୁନ୍ଦର ସାହେବୀ ଚେହେରା । ନିଶ୍ଚୟ କୌଣସି ଏକ ବଡ଼ ଫାର୍ମର ମ୍ୟାନେଜିଂ ଡିରେକ୍ଟର ହୋଇଥିବେ ।

 

ନରହରିବାବୁଙ୍କର ଆଶାର ଆଲୋକ ଆହୁରି ତୀବ୍ର ହୋଇ ଜଳି ଉଠିଲା । ସେ ଭଦ୍ରବ୍ୟକ୍ତି ଜଣକ ଆସି ତାଙ୍କୁ ନମସ୍କାର କରୁକରୁ ନରହରିବାବୁ ବିନୟରେ ଏକା ବେଳେକେ ଭାଙ୍ଗିପଡ଼ି ପାଛୋଟି ଆଣିଲେ ଘର ଭିତରକୁ ।

 

–ଆପଣ ନରହରିବାବୁ ? –ଭଦ୍ରବ୍ୟକ୍ତି ଜଣକ ପଚାରିଲେ ।

 

ଅଜ୍ଞା ହଁ ।

 

ସ୍ତ୍ରୀଙ୍କୁ ଡାକି ବରାଦ ଦେଲେ–ଶୀଘ୍ର ଦୁଇକପ୍ ଚା’ ପଠାଇବାକୁ ।

 

ସେ ଭଦ୍ର ବ୍ୟକ୍ତି ଜଣକ କହିଲେ–ନା ଆଜ୍ଞା ଚା’ ଦରକାର ନାହିଁ । ଆପଣଙ୍କ ପାଖକୁ ଆସିଥିଲି ଗୋଟିଏ ଅନୁରୋଧ ନେଇ ।

 

ନରହରିବାବୁଙ୍କ ମନ କୁରୁଳି ଉଠିଲା । କହିଲେ–ଆଜ୍ଞା କହୁ ନାହାଁନ୍ତି !

 

“ଆପଣ ତ ରିଟାୟାର୍ଡ଼ କରି ସାରିଛନ୍ତି...

 

ହଁ ରିଟାୟାର୍ଡ଼ କରିଛି । ସରକାର ମୋର କାର୍ଯ୍ୟଦକ୍ଷତା ପାଇଁ ଏକ୍‌ସଟେ‌ନ୍‌ସନ ଦେବାକୁ ଚାହୁଁଥିଲେ ବି...

 

ସେ ଭଦ୍ର ବ୍ୟକ୍ତି ଜଣକ ନରହରିବାବୁଙ୍କୁ ଆଗେଇଯିବାକୁ ନ ଦେଇ କହିଲେ–ମୋର କହିବାର ଉଦ୍ଦେଶ୍ୟ–ଆପଣ ନିଶ୍ଚୟ ଅର୍ଥାଗମର ପନ୍ଥା ଖୋଜୁଥିବେ ।

 

ଆପଣ ମୋର ମନ କଥା କହି ପକାଉଛନ୍ତି :

 

ଆପଣଙ୍କ ଝିଅ ଇତିଶ୍ରୀ...

 

ହଁ ସେ ଆପଣଙ୍କ ଝିଅର ସାଙ୍ଗ ହୋଇଥିବ ଓ ମୋ’ ରିଟାୟାର୍ଡ଼ କରିବା କଥା ସେ ବୋଧହୁଏ ଆପଣଙ୍କ ଝିଅକୁ କହିଥିବ; ଆଉ ଆପଣଙ୍କ ଝିଅ ଆପଣଙ୍କୁ...

 

ତା’କଥା ଆଜ୍ଞା କୁହନ୍ତୁନି... ।

 

ନରହରିବାବୁଙ୍କର ହୃଦୟଟା ଯେମିତି ସାନଝିଅ ଇତିଶ୍ରୀ ପାଇଁ ସ୍ନେହରେ ଭରିଗଲା । ସେ ବୋଧହୁଏ ଭାବୁଥିଲେ–ଇତି ପାଇଁ ଆଜି ତାଙ୍କୁ ନୂଆ ଚାକିରି ମିଳିବ ।

 

କିନ୍ତୁ ଭଦ୍ରଲୋକଙ୍କ କଥା ଶୁଣି ସେ ଚମକି ପଡ଼ିଲେ ।

 

ଭଦ୍ରଲୋକ ଜଣକ କହିଲେ–କଥା କ’ଣ କି ଆମେ ଗୋଟିଏ ଫିଲ୍ମ କରୁଛୁ । ଇତିଶ୍ରୀକୁ ହିରୋଇନ୍ କରିବାକୁ ସ୍ଥିର କରିଛୁ । ସେ ରାଜି; କିନ୍ତୁ ଆପଣ ହଁ’ ନ କହିଲେ ତ...

 

କଥାରେ ବାଧା ଦେଇ ନରହରିବାବୁ କହିଲେ–କ’ଣ ହେଲା, ଇତି ହେବ ସିନେମାରେ ହିରୋଇନ୍ ?

 

ଆଜ୍ଞା ସେଥିରେ ଭାବିବାର କ’ଣ ଅଛି । ତାଙ୍କର talent ଅଛି personality ଅଛି-। ଏମିତି ସୁଯୋଗ କେତେ ଜଣଙ୍କ ଭାଗ୍ୟରେ ଆସେ । ଆପଣମାନେ ଏମିତି conservative ହେଲେ ଆମ କଳା, ସଂସ୍କୃତି ପଛେଇଯିବ ଆଜ୍ଞା । ... ତା’ ଛଡ଼ା ଆପଣ ଏବେ ବେକାର-। ମୁଣ୍ଡ ଉପରେ ଏତେ ବଡ଼ ପରିବାରର ବୋଝ । ଅନ୍ତତଃ ଇତି ଫିଲ୍ମରେ ପଶିଗଲେ ଆପଣଙ୍କୁ କିଛି ଆର୍ଥିକ ସାହାଯ୍ୟ ବି କରିପାରିବ ।

 

ନରହରିବାବୁ ଆଉ କିଛି ନ କହି କହିଲେ ମୋତେ ଭାବିବାକୁ ସମୟ ଦିଅନ୍ତୁ । ...ଆପଣ ଏବେ ଯାଇ ପାରନ୍ତି ।

 

ଧୂଳି ଉଡ଼ାଇ ଭଦ୍ରବ୍ୟକ୍ତିଙ୍କ କାର୍‌ଟି ମୁଖ୍ୟ ରାସ୍ତାରେ ମିଶିଗଲାନି ଯେ ସତେ ଯେମିତି ନରହରିବାବୁଙ୍କ ମୁହଁକୁ ଗୁଡ଼ାଏ ଧୂଳି ଛାଟି ଦେଇ ଗଲା ।

 

କିଛି ସମୟ ପରେ ଇତିଶ୍ରୀ ଫେରିବାରୁ ନରହରିବାବୁ ପଚାରିଲେ ତୁ ସିନେମାରେ ମିଶିବାକୁ ଠିକ୍ କରିଛୁ ?

 

ହଁ ।

 

ରାଗରେ ଜଳି ଉଠିଲେ ନରହରିବାବୁ । କହିଲେ ତୁ କ’ଣ ଏ ଘରେ ନିଆଁ ଜଳେଇବାକୁ ଚାହୁଁ ?

 

ଆଉ କ’ଣ କରିଥାନ୍ତି ? ଯେଉଁ ବାପାମାଆ ଠିକ୍ ସମୟରେ ଝିଅକୁ ବିବାହ ଦେଇ ପାରନ୍ତିନି, ସେମାନେ ଝିଅ ଜନ୍ମ କରନ୍ତି କାହିଁକି ?

 

ଇତି...

 

ତମେ କ’ଣ ଭାବୁଛ ମୁଁ ମିନୁ ଅପାପରି ଘରକୋଣରେ ପଡ଼ି ରହି ବୁଢ଼ୀ ହୋଇଥା’ନ୍ତି ? ତା’ଛଡ଼ା ସେ ଫିଲ୍ମର ଯିଏ ହିରୋ ତାକୁ ମୁଁ ବିଭା ହେବାକୁ ଠିକ୍ କରିସାରିଛି ।

 

ଆଉ କିଛି କହିପାରିଲେ ନି ନରହରିବାବୁ । ଆଖିରେ ତାଙ୍କର ଯେମିତି ଏକ ପ୍ରଳୟଙ୍କରୀ ବନ୍ୟା । ଶୂନ୍ୟ ମନ୍ଦିରକୁ ପୂର୍ଣ୍ଣକରି ଯେଉଁ ଦେବ ଶିଶୁମାନେ ଏ ଘରକୁ ଆସିଥିଲେ ତାଙ୍କ ଭିତରୁ ଯେ ରମାକାନ୍ତ ପରି ଦାନବ ଆଉ ଇତି ପରି ଦାନବୀ ବାହାରିବେ ଏ କଥା ନରହରିବାବୁ କେବେ ଘୁଣାକ୍ଷରେ ବି ଆଶଙ୍କା କରିନଥିଲେ ।

 

ଅଫିସକୁ ଶୃଙ୍ଖଳିତ କରିବାର ସାଧନା ଭିତରେ ତାଙ୍କ ଗୃହ ମନ୍ଦିରର ନୀତି, ନିୟମ, ଶୃଙ୍ଖଳା ଯେ ଆଜି ବିଶୃଙ୍ଖଳାରେ ପରିଣତ ହୋଇଯାଇଛି...ସେଇ ବିଶୃଙ୍ଖଳାର ଆବର୍ତ୍ତ ଭିତରେ ଆଜି ନରହରି ଦାସ ଉବୁଟୁବୁ ।

Image

 

ବାଲି ତଳର ଢେଉ

 

କଥାଟା ଅବଶେଷରେ ଜଣା ପଡ଼ିଲା ।

 

ବାଲି ତଳର ଢେଉ ପରି କଥାଟା ଅବଶେଷରେ ଜଣା ପଡ଼ିଲା ।

 

ଦିନ ଥିଲା ବିଜୟା ଦାସଙ୍କ ଯୌବନଟା ତାଙ୍କ ଦେହରେ, ମନରେ ଉତ୍ତାଳ ଢେଉ ସୃଷ୍ଟି କରୁଥିଲା, ମନକୁ ଏକ ରଙ୍ଗୀନ ପ୍ରଜାପତି କରି ଉଡ଼େଇ ଦେଇ ଖୁସି ହେବାର ରୂପ ଥିଲା । ଅନ୍ୟକୁ ସହଜରେ ଆପଣାର କରିନେବାର ଗୁଣ ବି ଥିଲା, କିନ୍ତୁ ସେତେବେଳେ ସେ କ’ଣ ଭାବିଥିଲେ ତାଙ୍କର ସେଇ ମନର ଉତ୍ତାଳ ତରଙ୍ଗ ଉପରେ ଦିନେ ବାଲି ଚରିଯିବ !

 

ବିଜୟା ଦାସଙ୍କ ତରଙ୍ଗାୟିତ ମନରେ ବାଲି ଚରିଯାଇଥିଲା ଅତର୍କିତ ଭାବରେ ଏକ ଭୁଲ୍‌ବୁଝାମଣାରେ । ତଥାପି ସେ କ’ଣ ଭୁଲି ଯାଇଥିଲେ ଅତୀତକୁ ? ନା, ଭୁଲିପାରିନଥିଲେ । କେବଳ ଭୁଲିଯିବାକୁ କିଛିଟା ଚେଷ୍ଟାକରି ଥିଲେ ମାତ୍ର ।

 

ଦିନ ଚାଲିଥାଏ । ଏକ ଗତାନୁଗତିକ ଶଗଡ଼ ଗୁଳା ଉପରେ ବିଜୟାଦାସ ତାଙ୍କ ଜୀବନର ଭଙ୍ଗାରୁଜା ଶଗଡ଼ ଗାଡ଼ିଟିକୁ ଗଡ଼େଇ ନେଇ ମନକୁ ବୁଝାଇବାକୁ ଚେଷ୍ଟା କରୁଥିଲେ । ମନଟା ବି କିଛିଦିନ ବୁଝିଯାଇଥିଲା, କିନ୍ତୁ ଶେଷଯାଏ କ’ଣ ନିଜ ମନକୁ ଆୟତ୍ତରେ ରଖିପାରିଲେ ସେ ! ‘ସ୍ମୃତି ତ ନୁହଁଇ କେବେ ଫିଙ୍ଗିବାର, ପାରିଲେ ଫିଙ୍ଗି ସେ ଲଭନ୍ତା ନିସ୍ତାର’ ।

 

କେବଳ ଯେ ଲେଖକମାନେ ତାଙ୍କ ନାୟକ–ନାୟିକାଙ୍କର ମନ ତଳର ଢେଉକୁ ଦେଖିପାରନ୍ତି ତା’ ନୁହେଁ । ପରକଥା ଚିନ୍ତାକରି ପାରୁଥିବା ସମ୍ବେଦନଶୀଳ ପ୍ରତ୍ୟେକ ମଣିଷ ଏହା ଦେଖିପାରେ, ବୁଝିପାରେ, ଅନୁଭବ କରିପାରେ । ଖାଲି ପାରେନା ତାକୁ ରୂପ ଦେଇ । ଏଇ ଶ୍ରେଣୀର ଲୋକଙ୍କ ମଧ୍ୟରୁ ନିରାକାର ଜଣେ; ଯଦିଓ ସେ ଏ ଗଳ୍ପର ନାୟକ ନୁହେଁ; ଅଥଚ ନିରାକାର ନ ଥିଲେ ବିଜୟାଦାସ ବିଷୟରେ କ’ଣ ବା ଜାଣି ହୋଇଥାନ୍ତା ?

 

ହଠାତ୍ ଦିନେ ଧୂମକେତୁ ପରି ଜଣେ ଯୁବକ ମୋ’ ରୁମ୍‌କୁ ପଶି ଆସିଲା । ମୁଁ ଚିହ୍ନି ପାରିଲିନି; କିନ୍ତୁ ସେ ତା’ର ସହଜ ସ୍ଵଭାବ ଭଙ୍ଗୀରେ କହିଲା କି ରେ ଲେଖକ ହେଲୁ ବୋଲି କ’ଣ ସାଙ୍ଗ ସାଥୀକୁ ବି ଚିହ୍ନି ପାରିବୁନି ? ଏମିତି ଚବିଶ ଘଣ୍ଟା ସ୍ୱପ୍ନ ବିଭୋର ହେଲେ କ’ଣ ସଂସାର ଚଳିବ ?

 

ମୁଁ ବଡ଼ ଅପ୍ରସ୍ତୁତ ହେଲି । କ’ଣ କହିବି, କ’ଣ କରିବି ହଠାତ୍ କିଛି ଭାବି ପାରିଲି ନାହିଁ ।

 

ଏ ନବାଗତ କିଏ ? ନିହାତି ଅନ୍ତରଙ୍ଗ ନହେଲେ ଏମିତି କଥାବାର୍ତ୍ତା କେହି କରି ପାରେନା । ନ ଯଯୌ ନ ତସ୍ଥୌ ଅବସ୍ଥା ମୋର । କିଛିଦିନ ହେଲା ରୋଗାକ୍ରାନ୍ତ ହୋଇ ସ୍ମୃତିର ପୃଷ୍ଠାକୁ ଓଲଟାଇ ଦେଖିବାର ମାନସିକ ଶକ୍ତି ବି ମୋର ନ ଥିଲା ମୁଁ ଖାଲି ଚାହିଁ ରହିଥିଲି । ଚାହିଁ ରହିଥିଲି ସହଜ ଭଙ୍ଗୀରେ ଛିଡ଼ା ହୋଇଥିବା ସାହେବୀ ଥାଟ୍‌ର ସେଇ ଯୁବକ ଆଡ଼େ ।

 

ମୋ ପ୍ରତିକ୍ରିୟାକୁ ଲକ୍ଷ୍ୟ ନ କରି ସେ ଚେୟାରଟି ଟାଣିଆଣି ବସିପଡ଼ିଲା ଓ ଚାରିଆଡ଼କୁ ଥରେ ଆଖି ବୁଲେଇ ନେଇ କହିଲା କ’ଣ ଘରେ ଆଉ କେହି ନାହାନ୍ତି ?

 

କି ଉତ୍ତର ଦିଆଯାଇପାରେ ଏଇ ଅଚିହ୍ନା ଯୁବକକୁ ! ତଥାପି ବହୁକଷ୍ଟରେ ବିଛଣାରୁ ଉଠି ବସିଲି ଓ ତା’ର ଗୋଡ଼ରୁ ମୁଣ୍ଡଯାଏ ଥରେ ଅନେଇ ନେଇ ମନେପକାଇବାକୁ ଚେଷ୍ଟା କରୁଥିଲି ଏତେ ଅନ୍ତରଙ୍ଗ ସମ୍ପର୍କ ଥିବା ଅଥଚ ମୁଁ ଚିହ୍ନି ପାରୁ ନ ଥିବା କିଏ ଏଇ ଆଗନ୍ତୁକ ?

 

ସେ ମୋର ଅପ୍ରସ୍ତୁତି ଲକ୍ଷ୍ୟ କରି କହିଲା–ଆରେ ତୁ ନିରାକାରକୁ ଚିହ୍ନି ପାରୁନୁ ?

 

ନିରାକାର ! –ନାଆଁଟା ଶୁଣି ମୋ’ ଅସୁସ୍ଥତା ଯେମିତି କି କ୍ଷଣକ ଭିତରେ କୁଆଡ଼େ ଉଭେଇଗଲା । କ୍ଷଣକ ଭିତରେ ପିଲାଦିନର ସବୁକଥା ହସ, କାନ୍ଦ, ମାନ, ଅଭିମାନ, ରାଗ, ରୁଷା ସବୁ କିଛି ମନେ ପଡ଼ିଗଲା ।

 

ନିରାକାର ମୋର ପିଲା ଦିନର ବନ୍ଧୁ । ସ୍କୁଲ ଜୀବନ ପରେ ଆମେ ପରସ୍ପରଠାରୁ ବିଚ୍ଛିନ୍ନ ହୋଇ ଯାଇଥିଲୁ । ସେ ଚାଲିଗଲା ଦିଲ୍ଲୀ ପଢ଼ିବା ପାଇଁ ଓ ମୁଁ ରହିଗଲି ଭୁବନେଶ୍ୱରରେ । ପ୍ରାୟ ବାରବର୍ଷ ହୋଇଗଲା କେବେ ଭେଟ ହୋଇନି । ମଝିରେ ମଝିରେ ସେ ଚିଠି ଦେଉଥିଲା, କିନ୍ତୁ ଆଠ ବର୍ଷ ହେବ ଆମ ଦୁହିଁଙ୍କ ଭିତରେ ଆଉ ଚିଠିପତ୍ରରେ ଆଦାନ ପ୍ରଦାନ ବି ନ ଥିଲା । ଏତେଦିନ ପରେ ତା’ ସହିତ ଦେଖା । ରୂପଠାଣିରେ ତା’ର ଅନେକ ପରିବର୍ତ୍ତନ, କହିଲି ଆରେ ନିରାକାର ତୁ ! ତୁ ତ ପୂରାପୂରି ସାହବେ ପାଲଟି ଯାଇଛୁ ଚିହ୍ନି ହେବୁ କିମିତି ?

 

ତା’ ପାଖକୁ ଯାଇ ତାକୁ ଚେୟାରରୁ ଉଠାଇ ଆଣି କୁଣ୍ଢେଇ ପକେଇଲି । ଆନନ୍ଦାଶ୍ରୁରେ ଆଖି ମୋର ଭରିଗଲା । ଏତେଦିନ ପରେ ତୋର ମନେ ପଡ଼ିଲା ?

 

: କ’ଣ କରିବି କହ ଭାଇ, ମୁଁ କ’ଣ ମନ୍ତ୍ରୀ କି ଅଫିସରର ପୁଅ ହୋଇଛି ଯେ ମୋର କଟକ ଭୁବନେଶ୍ୱରରେ ଘର ପାଖରେ posting ହେବ ।

 

: ତୁ ଏବେ କେଉଁଠି ତା’ହେଲେ ?

 

: କଳାହାଣ୍ଡିରେ... । କିନ୍ତୁ ମୋ’ କଥା ଛାଡ଼, ତୋ’ କଥା କହ । ତୋ’ ଦେହ ଏବେ କିମିତି ଅଛି ?

 

: ହଁ ଭାଇ ସୁସ୍ଥ ହେବାକୁ ବହୁତ କିଛି ଦିନ ଲାଗିଗଲା...ଆଚ୍ଛା ଭୁବନେଶ୍ୱରରେ କ’ଣ କିଛି କାମ ଥିଲା ?

 

ନା, କେବଳ ତୋ’ରି ପାଖକୁ ଆସିଛି । ଗୋଟାଏ ଜରୁରୀ କାମରେ ।

 

: ଜରୁରୀ କାମ ? ମୋ’ ପାଖରେ ?

 

: ହଁ । ଆଚ୍ଛା ସରୋଜ ତୁ ସେ ଝିଅଟିକୁ ଏମିତି ଜଳାଇ ମାରୁଛୁ କାହିଁକି କହିଲୁ ?

 

: ଝିଅ ? କେଉଁ ଝିଅ ?

 

: ଆମ କଲେଜର ଅଧ୍ୟାପିକା ବିଜୟା ଦାସ ।

 

: ବିଜୟା ଦାସ...ତମ କଲେଜର ଅଧ୍ୟାପିକା ।

 

: ହଁ, ତୋରି ପାଇଁ ବିଚାରୀ ଟିକିଏ ଭଲରେ ଶୋଇ ପାରିନି । ଖବରକାଗଜରେ ତୋ ଅସୁସ୍ଥତା ଖବର ପଢ଼ିବା ପରଠୁଁ ତୋ’ରି ବହି ଖଣ୍ଡକ, ଯାହାକୁ ଦିନେ ତମ ପ୍ରୀତି–ସ୍ମୃତିର ସ୍ୱାକ୍ଷର ରୂପେ ତାଙ୍କୁ ଅର୍ପଣ କରିଥିଲୁ ସେଇ ଖଣ୍ଡକ ଧରି ଦିନରାତି କାନ୍ଦୁଛନ୍ତି । ତୁ ତାଙ୍କୁ ଏତେ ଭଲ ପାଉଥିଲୁ; ପୁଣି ଏମିତି ପର କରିଦେଲୁ । ତୁ ପୁରୁଷ ବୋଲି ସିନା ଭୁଲିଯାଇ ପାରିଲୁ । ହେଲେ ସେ ନାରୀ...ନାରୀ କ’ଣ କେବେ ଭୁଲିପାରେ ତା’ର ମନର ମଣିଷକୁ, ତା’ ପ୍ରେମକୁ ! ଆମ କଲେଜ ପାଖରେ ଥିବା ମନ୍ଦିରରେ ତୋର ଆରୋଗ୍ୟ କାମନା କରି ସକାଳେ ସନ୍ଧ୍ୟାରେ ଏବେ ଦୀପ ଜାଳି ବସୁଛନ୍ତି ।

 

ମୁଁ ନିର୍ବାକ ! ମୁଁ କହିପାରୁ ନଥାଏ–ନିରାକାର, ଏ ଦୋଷ ମୋର ନୁହେଁ; ବିଜୟା ମୋଠୁଁ ଦୂରେଇ ଗଲେ ମୋତେ ଭୁଲ୍ ବୁଝି, ମୁଁ ତାକୁ ଦୂରେଇ ଦେଇନି ରେ... । କେବଳ ନୀରବରେ ନିରାକାରର କଥା ଶୁଣିଯାଉଥିଲି ।

 

ନିରାକାର କହି ଚାଲିଲା–ସେ ଦିନ ମନ୍ଦିରକୁ ଯାଇ ଦେଖେଁ ଆମ ସହକର୍ମୀ ଅଧ୍ୟାପିକା ବିଜୟା ଦାସଙ୍କୁ । ସେଦିନଯାଏ ଆମେ ସମସ୍ତେ ତାଙ୍କୁ ଜଣେ ନିର୍ଦ୍ଦୟା, ରୁକ୍ଷା, ରସବୋଧହୀନା ମହିଳାରୂପେ ଦେଖି ଆସିଥିଲୁ; କି ରୁକ୍ଷତାର ସେଇ ଆସ୍ତରଣ ତଳେ ଯେ ଲହୁଣୀ ଠାରୁ ଆହୁରି ନରମ କୋମଳ ଏକ ହୃଦୟ ଅଛି ତାହା ସେଇ ଦିନ ମୁଁ ଜାଣି ପାରିଲି । ପ୍ରଥମେ ତ ତାଙ୍କୁ ଭରସି କିଛି ପଚାରିବାକୁ ସାହସ ହେଉ ନଥିଲା; ତଥାପି ଜନବିରଳ ସେଇ ମନ୍ଦିରରେ ତାଙ୍କର ଛଳଛଳ ଆଖି ଦେଖି ପଚାରିଲି–ମାଡ଼ାମ୍, ଆପଣଙ୍କର କ’ଣ ହୋଇଛି ?

 

ବିଜୟା ଦାସ ପ୍ରଥମେ ତ କିଛି କହି ପାରିନଥିଲେ, କିନ୍ତୁ ପରେ ପରେ ଅସହାୟଭାବେ ଆହୁରି ଜୋର୍‌ରେ କାନ୍ଦିଥିଲେ । କିଛି ସମୟପରେ ଲୁହକୁ ପୋଛୁ ପୋଛୁ କହିଲେ–ନିରାକାରବାବୁ, ମଣିଷ କାହିଁକି ପାଗଳ ହୋଇପାରେ ?

 

ରସାୟନ ବିଦ୍ୟାର ଅଧ୍ୟାପିକା ବିଜୟା ଦାସଙ୍କ ମୁହଁରେ ଏ ପ୍ରଶ୍ନ ଶୁଣି ଆଶ୍ଚର୍ଯ୍ୟ ହୋଇଗଲି । ପଚାରିଲି–ମାଡ଼ାମ୍, ଏକଥା କାହିଁକି ? କିଏ ପାଗଳ ହୋଇଗଲା ?

 

ଏଇ ଗାଳ୍ପିକ... ।

 

ସବୁ ଲେଖକ ପାଗଳ ମାଡ଼ାମ୍ ।

 

କିନ୍ତୁ ସେ ତ ଏମିତି ନଥିଲେ !

 

ଆଶ୍ଚର୍ଯ୍ୟ ହୋଇ ପଚାରିଲି–କିଏ ?

 

ସେ ହାତରେ ଧରିଥିବା ଖଣ୍ଡେ ବହି ମୋ’ ହାତକୁ ବଢ଼େଇ ଦେଇ କହିଲେ–ଏଇ ଗଳ୍ପ ସଂକଳନର ଲେଖକ ।

 

ସେ ବହି ଖଣ୍ଡିକ ଦେଖିନେଇ ମୋର ବୁଝିବାକୁ ବାକି ରହିଲାନି ଯେ ବିଜୟା ମାଡ଼ାମ୍ ଯାହାପାଇଁ ଦିନ, ରାତି ନୀରବରେ ଲୁହ ଢାଳୁଛନ୍ତି । ସେ ଆଉ କେହି ନୁହେଁ–ମୋର ପିଲାଦିନର ବନ୍ଧୁ ସରୋଜ ।

 

ତୁ ଯେ ଏହା ଭିତରେ ଏତେ ବହି ଲେଖି ଗଲୁଣି ସେ କଥା ମୁଁ ଜାଣି ନ ଥିଲି । ତୁ କିଛି ଭାବିବୁନି ଭାଇ ସେକ୍‌ସପିଅର; କିଟସ୍, ବାଇରକ୍ ଆଦିଙ୍କୁ ପଢ଼ି ପଢ଼ି ପଢ଼ାଇ ଆମ ମାତୃଭାଷା ଆଡ଼େ ଆମ ଆଖିବୁଜି ହୋଇଯାଉଛି । ପର ଦୀପର ବଳିତା ତେଜି ତେଜି ନିଜ ଘରକୁ ଅନ୍ଧାର କରି ଦେଉଛୁ । ଛାଡ଼ ଭାଇ ସେ କଥା; କିନ୍ତୁ ସେ ବହିରେ ତୋ’ଫଟୋଟିକୁ ଦେଖି ଚିହ୍ନିବାକୁ ଡେରି ହୋଇ ନ ଥିଲା । କହିଲି–ମାଡ଼ାମ୍, ଏ ତ ମୋର ଅତି ଅନ୍ତରଙ୍ଗ ବନ୍ଧୁ । ତୋର କ’ଣ ହୋଇଚି କହିଲେ ?

 

ମୁଁ ବା ଜାଣିବି କିମିତି ? କିନ୍ତୁ ମୋର ପୂର୍ଣ୍ଣଧାରଣା, ସେ ନିଜପ୍ରତି ଅବହେଳା କରି ଚାଲିଛନ୍ତି, ଯା’ର ଫଳ ଆଦୌ ଭଲ ହେବନି । ତାଙ୍କର ସେବା ଯତ୍ନ ନେବାପାଇଁ କ’ଣ କେହି ନାହାନ୍ତି ? ସେ ତ ଏହା ଭିତରେ ବିଭା ହୋଇ ସାରିଥିବେ । ତାଙ୍କ ସ୍ତ୍ରୀ କ’ଣ ସେଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି ?

 

: ନା, ସେ ବିଭା ହୋଇନି ।

 

: ଆପଣ ଠିକ୍‍ ଭାବେ ଜାଣିଛନ୍ତି ?

 

: ହଁ, ଜାଣିଛି । ହୁଏତ ବା ଏହି ଭିତରେ ପୃଥିବୀର ଅନେକ ପରିବର୍ତ୍ତନ ପରି ତା’ଜୀବନରେ ଯେ କିଛି ପରିବର୍ତ୍ତନ ହୋଇ ନ ଥିବ, ଏକଥା ବା କିମିତି କହିହେବ ?

 

ମୁଁ ପଚାରିଲି–ଆଚ୍ଛା ନିରାକାର ବିଜୟା କ’ଣ ବିବାହ କରି ସାରିଚି ? ନିରାକାର କହିଲା–ନା ! ଅନେକ ପ୍ରସ୍ତାବ ଆସିଛି । ଖୁବ୍ ଭଲ ପ୍ରସ୍ତାବ; କିନ୍ତୁ ତାଙ୍କର ଗୋଟିଏ ଜିଦ୍ ସେ ବିଭା ହେବେନି । ଆମେ କେହି ତାଙ୍କ ବିବାହ କଥା ଉଠାଇଲେ, ସେ ରାଗି ଯାଆନ୍ତି । ସେଥିପାଇଁ ତାଙ୍କ ପାଖରେ ଏ କଥା ଆଉ କେହି ପକାଉନି । ସେ କାହିଁକି ବିଭା ହେବାକୁ ରାଜି ହେଉ ନ ଥିଲେ ତାହା ମୁଁ ଏବେ ବୁଝିପାରୁଛି । ସେ ଯେ ତୋତେ ଭୁଲିପାରୁ ନାହାନ୍ତି ।

 

: କିନ୍ତୁ ସେ ଯେ ମୋତେ ଭୁଲ୍ ବୁଝି ସେ ମୋ’ଠାରୁ ଦୂରେଇଗଲେ ।

 

: ଦୁରେଇ ଯାଇ ପାରନ୍ତି; କିନ୍ତୁ ଯାହା ଦେଖିଲି ଦୂରେଇ ରହିପାରୁ ନାହାନ୍ତି । ତୋର ଅସୁସ୍ଥତା ଖବର ଜାଣି ତୋ ପାଖକୁ ଧାଇଁ ଆସିବାକୁ ବ୍ୟସ୍ତ; ଅଥଚ ଆସିପାରୁ ନାହାନ୍ତି । ସାହସ ହେଉନି । କାଳେ ତୁ କ’ଣ ଭାବିବୁ, କାଳେ ତୁ ତାଙ୍କୁ ଅପମାନ ଦେଇ ଫେରାଇ ଦେବୁ, ଏଇ ଭୟରେ । କିନ୍ତୁ ତୋର ଅସୁସ୍ଥତା ନେଇ ସେ ଯେ କେତେ ଚିନ୍ତିତ, କେତେ ବ୍ୟସ୍ତ ବିବ୍ରତ...

 

ତୁ କ’ଣ ମୋ’ ଅସୁସ୍ଥତା କଥା ବିଜୟାଠାରୁ ଶୁଣି ଦେଖିବାକୁ ଚାଲି ଆସିଲୁ ।

 

ସେ କ’ଣ ମତେ ଆଉ ରଖେଇ ଦେଲେ ! କହିଲେ–ନିରାକର ବାବୁ, ସେ ଆପଣଙ୍କ ବନ୍ଧୁ । ଆପଣ ଯାଇ ତାଙ୍କୁ ଟିକିଏ ଦେଖି ଆସି ତାଙ୍କ ଖବର ମୋତେ ଦେଇ ପାରିବେ ? ମୁଁ ଆଜୀବନ ଆପଣଙ୍କର ଏ ସାହାଯ୍ୟକୁ ମନେ ରଖିବି । ମୋ’ କଥା ତାଙ୍କୁ କିଛି କହିବେନି । ଖାଲି ସେ କିମିତି ଅଛନ୍ତି ଟିକିଏ ଦେଖି ଆସିବେ । ତା’ପରେ ମୁଁ ମୋର ସିଦ୍ଧାନ୍ତ ନେବି ।

 

କି ସିଦ୍ଧାନ୍ତ ସେ ଆଉ ନେବେ ?

 

ତୋ’ ଅନୁମତି ପାଇଲେ ସେ ତୋରି ପାଖରେ ତୋ’ରି ସେବା କରି ରହିଯିବାକୁ ତାଙ୍କ ଜୀବନର ପରମ ଗୌରବ ମଣିବେ । ଏଇଟା ଯଦିଓ ସେ ମୁହଁ ଖୋଲି କହିନାହାନ୍ତି ତା’ କିନ୍ତୁ ତାଙ୍କ ମନର ଏଇ ସ୍ୱରଟା ମୁଁ ସ୍ପଷ୍ଟ ଶୁଣିପାରିଛି ।

 

ସତରେ ବିଜୟା ଆସିବ ?

Image